Sujat Kumar Sahoo

Others

3  

Sujat Kumar Sahoo

Others

ଉତ୍ତମ ଆଶ୍ରମ

ଉତ୍ତମ ଆଶ୍ରମ

3 mins
576


ପୁରା କାଳର କଥା । ଅବନ୍ତି ନଗରରେ ଜଣେ ବୁଣାକାର ତନ୍ତି ସସ୍ତ୍ରୀକ ରହୁଥିଲା । ପରିବାରରେ ସେହି ଦୁଇ ଜଣଙ୍କ ବ୍ୟତୀତ ଅନ୍ୟ କେହି ନଥିଲେ । ତନ୍ତି ଥିଲା ବଢ଼ ଧାର୍ମିକ ଏବଂ ସଚୋଟ । ବୁଣିବା ପାଇଁ ଯେତିକି ପାରିଶ୍ରମିକ ଆବଶ୍ୟକ ସେତିକି ହିଁ ଗ୍ରହଣ କରେ । ଅଧିକ ଦେଲେ ତାକୁ ଅନୁଗ୍ରହ କରି ଫେରସ୍ତ କରିଦିଏ । ତେଣୁ ଉତ୍ତମ ବ୍ୟକ୍ତି ନ୍ୟାୟବନ୍ତ ଏବଂ ଧର୍ମପରାୟଣ ବୋଲି ସାରା ନଗର ରେ ପରିଚିତ ଥିଲା । ଲୋକ ମାନେ ମଧ୍ୟ ଧର୍ମ ଚର୍ଚ୍ଚା ନିମନ୍ତେ ତା ନିକଟକୁ ଆସିଥାନ୍ତି । ତନ୍ତି ବ୍ୟବହାର ଅତି ନମ୍ର ହୋଇଥିବାରୁ ସମସ୍ତେ ଭଲ ପାଉଥିଲେ ।ଯେକୌଣସି ସମସ୍ୟାର ସମାଧାନ ନିମନ୍ତେ ତାଠାରୁ ଉପଦେଶ ନେଉଥିଲେ । ଧିରେ ଧିରେ ଲୋକମାନେ ତନ୍ତିକୁ ସାଧୁବାବା ଡାକିବାକୁ ଲାଗିଲେ ।


 ଜଣେ ସନ୍ଥ ମହାତ୍ମା, ଶିଷ୍ୟ ମାନଙ୍କ ସହିତ ସେହି ନଗରକୁ ଆସିଥାନ୍ତି । ସେ, ଥିଲେ ପରିବାର ତ୍ୟାଗୀ ସନ୍ୟାସୀ । ଗ୍ରାମ ଗ୍ରାମ ବୁଲି ଧର୍ମ ଉପଦେଶ ଦିଅନ୍ତି । ଭିକ୍ଷା ଗ୍ରହଣ କରନ୍ତି । ସେତେବେଳେ ତାଙ୍କ କାନରେ ପଡ଼ିଲା ତନ୍ତି ସାଧୁ କଥା । ତେଣୁ ତାକୁ ଭେଟିବା ପାଇଁ ମନସ୍ତ କଲେ ।


‌ତା ପରଦିନ ତନ୍ତି ଘରକୁ ଗଲେ । ସେତେବେଳେ ତନ୍ତି ଲୁଗା ବୁଣୁଥାଏ । ସନ୍ଥଙ୍କୁ୍ ଦେଖି ତନ୍ତି ବିନମ୍ର ସହକାରେ ପ୍ରଣାମ କଲା , ଏବଂ କହିଲା , ମୋ ଦ୍ୱାର କି ସେବା ଚାହାଁନ୍ତି ପ୍ରଭୁ ? ସନ୍ଥ ଜଣକ ଆଶୀର୍ବାଦ କରି କହିଲେ ,ଆମ ମନରେ କିଛି ପ୍ରଶ୍ନ ଅଛି ,ଯାହାର ସମାଧାନ ପାଇଁ ମୁଁ ଏଠାକୁ ଆସିଛି । ତାପରେ ତନ୍ତି ବିନମ୍ର ସହିତ ହାତ ଯୋଡ଼ି କହିଲା , ମୁଁ ହେଲି ମୂର୍ଖ ତନ୍ତି ଟିଏ । ଲୁଗା ବୁଣିବା ମୋର କାମ । ମୋର ଏତେ ଜ୍ଞାନ କାହିଁ ଯେ ,ଆପଣଙ୍କ ପରି ସନ୍ଥ ମହାତ୍ମାଙ୍କ ପ୍ରଶ୍ନର ଉତ୍ତର କରିବି । ତଥାପି ଆପଣଙ୍କ ଇଛା, ଏବଂ ଭଗବାନ ଙ୍କ ଆଶୀର୍ବାଦ ଥିଲେ ଯଥା ଶକ୍ତି ପ୍ରୟାସ କରିବି । 

‌ସନ୍ଥ ମହାତ୍ମା ପ୍ରଶ୍ନ କଲେ - କେଉଁ ଆଶ୍ରମ ଉତ୍ତମ , ଗୃହସ୍ତାଶ୍ରମ (ପରିବାର ବାଦ ) ଭଲ , ନା ବାନପ୍ରସ୍ତି ( ସନ୍ୟାସାଶ୍ରମ ) ଭଲ ? 

‌ସେତେବେଳେ ପ୍ରାୟେ ଦିନ ଦ୍ୱିପ୍ରହର ସମୟ । ତନ୍ତି ଲୁଗା ବୁଣୁଥାଏ । ବାହାର ଅଗଣାରେ ତନ୍ତ ପକେଇ ଥାଏ । ଉପରେ ଗୋଟାଏ ଚାଂଚେରା ପକେଇ ଛାଇ କରିଥାଏ । କିନ୍ତୁ ଚାଂଚେରା ବାଟେ ସୂର୍ଯ୍ୟ କିରଣ ସମ୍ପୂର୍ଣ୍ଣ ତନ୍ତ ଉପରେ ପଢୁଥିଲା । ତନ୍ତରେ ବ୍ୟବହାର ହେଉଥିବା ମୁଷାଟି ଏହି ସମୟରେ ତଳେ ପଡ଼ିଗଲା । ତନ୍ତି ତା ସ୍ତ୍ରୀ କୁ ଡାକିଲା ,

‌ପଦ୍ମା.... ପଦ୍ମା.... ଆସି ଦେଖିଲ ,ମୁଷାଟି କୋଉଠି ପଢି ଗଲା । ଏତେ ଅନ୍ଧାରରେ ମୋତେ ମିଳୁ ନାହିଁ । 

‌ପଦ୍ମା ଦୀପ ଟିଏ ଆଣି ଆସିଲା ଏବଂ ମୂଷାଟିକୁ ହାତକୁ ଦେଇ କହିଲା - ସ୍ୱାମୀ ବେଳ ହେଲାଣି ଭୋଜନ ଗ୍ରହଣ କରିବେ ନି ? ହଁ ତୁମେ ଆମ ସମସ୍ତଙ୍କ ନିମନ୍ତେ ଠା ପ୍ରସ୍ତୁତ କର ,ଆମେ ଆସୁଛୁ ।

‌ତାପରେ ତନ୍ତି କହିଲା ପ୍ରଭୁ ଚାଲନ୍ତୁ ଭୋଜନ ଗ୍ରହଣ କରିବେ । 


‌ଶିଷ୍ୟ ମାନଙ୍କ ସହିତ ସନ୍ଥ ମହାତ୍ମା ଭୋଜନ ଗ୍ରହଣ କଲେ । ତନ୍ତି ମଧ୍ୟ ସେମାନଙ୍କ ନିକଟରେ ବସିଥାଏ । ଏହି ସମୟରେ ତନ୍ତି ଚିତ୍କାର କରି କହିଲା , ପଦ୍ମା ଅର୍ଣ୍ଣ ତ ଏତେ ଗରମ ମୁଁ କିପରି ଖାଇବି ? ବିନା ପ୍ରତିବାଦରେ ପଦ୍ମା ବିଞ୍ଚଣା ଟିଏ ଆଣି , ପଙ୍ଖା କରିବାକୁ ଲାଗିଲା ।

‌ଏହା ଦେଖି ଜଣେ ଶିଷ୍ୟ ଆଶ୍ଚର୍ଯ୍ୟ ହୋଇ ସନ୍ଥଙ୍କୁ କହିଲା , ଗୁରୁଦେବ ,ଅର୍ଣ୍ଣ ତ ସମ୍ପୁର୍ଣ୍ଣ ଥଣ୍ଡା । ଗୁରୁ ଚୁପ ରହିବା ନିମନ୍ତେ ଠାରିଦେଲେ । ଭୋଜନ ସମାପ୍ତ ହେଲା । ସମସ୍ତେ ଉଠିଲେ ।

‌ତନ୍ତି ଲୁଗା ବୁଣାରେ ବ୍ୟସ୍ତ ହେଲା । ସନ୍ଥ ମହାତ୍ମା ସାଧୁବାଦ ଜଣାଇ ସେଠାରୁ ଫେରି ଆସିଲେ । ଶିଷ୍ୟମାନେ ପଚାରିଲେ ଗୁରୁ ଦେବ ଆପଣଙ୍କ ଉତ୍ତର ? ସନ୍ଥ କହିଲେ--ଆରେ ସେ ତ ଦେଖେଇ ଦେଲେ , ଆଉ କଣ କହିଥାନ୍ତେ ।

‌ଧନ୍ୟ ତାଙ୍କର ଜ୍ଞାନ ,ଧନ୍ୟ ତାଙ୍କର ବିଚାର । ସାଧୁ...... ସାଧୁ..... ।




Rate this content
Log in