Sujat Kumar Sahoo

Tragedy Inspirational

3  

Sujat Kumar Sahoo

Tragedy Inspirational

ବାହୁଡ଼ା ଜହ୍ନ

ବାହୁଡ଼ା ଜହ୍ନ

7 mins
543


   

ଦୂରରୁ ଦେଖିଲେ ଆଭିଜାତ୍ୟ ପୂର୍ଣ୍ଣ ଗ୍ରାମ ପରି ଦିଶୁଥାଏ । ଦଶ ପନ୍ଦରଟି ଘର । ସାମ୍ନା ପଟ ଗେଟ କୁ ଛାଡ଼ି ଅନ୍ୟ ତିନି ପଟରେ ଘରଗୁଡ଼ିକ ବେଶ ସୁନ୍ଦର ଭାବରେ ନିର୍ମିତ ହୋଇଛି । ମାଟି ନିର୍ମିତ କାନ୍ଥ । ଆଟୁ ସହିତ ଉପର ଛାତ ଗୁଡ଼ିକ ପିଢ଼ ଆକାରରେ ମାଟି ଟାଇଲି ରେ ଛପର । କାନ୍ଥ ଗୁଡ଼ିକ ମାଟି ଆଉ ଗୋବର ରେ ଲିପା ଯାଇଛି । ତା ସହିତ ସୁନ୍ଦର ସୁନ୍ଦର ଚିତା ରେ ଚିତ୍ରିତ । ଦୁଇ ତିନି ପାହାଚ ସହିତ ଉଚ୍ଚ ପିଣ୍ଢା । ଠିକ ମଝି ଭାଗରେ ଗୋଟିଏ ରାଧାକୃଷ୍ଣ ମନ୍ଦିର । ମନ୍ଦିର ଆଗରେ ବିରାଟ ଚାନ୍ଦିନୀ । ଆଗ ପଟ gate ଉପରେ ଲିଖିତ ଅଛି -ଆମ ଘର । ଚାରି ପାଞ୍ଚ ଏକର ପରିମିତ ଜମିରେ ହୋଇଛି ଏ ସବୁ । ଭିତରକୁ ପ୍ରବେଶ କଲେ ଯେ କେହି ଭ୍ରମରେ ପଢ଼ି ଯାଇ ପାରେ । ଏହା ଏକ ଛୋଟ ଗାଁ, ସାହି , ନା ଅନ୍ୟ କିଛି । ସେଠାରେ କେବଳ ବୟୋଜ୍ୟେଷ୍ଠ ମନେ ଦେଖା ଯାଉ ଥାଆନ୍ତି । ହସ ଖୁସିରେ ଚଳ ପ୍ରଚଳ କରୁଥାନ୍ତି । କିଛି କିଛି ସ୍ଥାନରେ ସିମେଣ୍ଟ ତିଆରି ବେଞ୍ଚ ଉପରେ ବସିଥାନ୍ତି ବୟୋଜ୍ୟେଷ୍ଠ ବ୍ୟକ୍ତି । ସେମାନେ ଅତ୍ୟନ୍ତ ଆନନ୍ଦିତ ପରି ମନେ ହେଉଥାନ୍ତି । 

ଘର ଗୁଡ଼ିକୁ ଲମ୍ବ ଆକାର ରେ ସଜେଇ ଦିଆଗଲେ ତାହାର ଠିକ ମଧ୍ୟ ଭାଗରେ ଏକ ବେଶ ବଡ଼ ଘରଟିଏ । ତାହାର ଆଦ୍ୟ ଭାଗରେ ବେଶ ସୁନ୍ଦର କୋଠରୀ ଟିଏ । କୋଠରୀ ଟି ମଧ୍ୟ ବେସ ବଡ଼ ଧରଣର । କୋଠରୀ ନ କହି ବରଂ ସଭା କକ୍ଷ କୁହାଗଲେ ଠିକ ହେବ । ତାହାର କାନ୍ଥ ସବୁ ପୌରାଣିକ କିମ୍ବଦନ୍ତୀ ଅନୁସାରେ ଚିତ୍ରିତ । କେଉଁଠାରେ ରାମ-ସିତା ଙ୍କ କଥା ତ କେଉଁଠି କୃଷ୍ଣ-ବଳରାମ ,କୃଷ୍ଣ-ସୁଦାମା ଙ୍କର ଚିତ୍ର । ଅନ୍ୟ ଏକ କାନ୍ଥରେ ବିରାଟ ତୈଳ ଚିତ୍ରପଟ ଟିଏ ରଖାଯାଇଛି । ଫଟରେ ଫୁଲ ମାଳ ପଢ଼ିଛି , ତଳେ ଲେଖାଅଛି ଦିଗବିଜୟ ସିଂ ବଳବନ୍ତରାୟ । ତା ସାମ୍ନାରେ ଗୋଟେ କପଡ଼ା ତିଆରି ଆରାମ ଚେୟାର ରେ ଅର୍ଦ୍ଧ ଶୟନ ମୁଦ୍ରାରେ ବସିଛନ୍ତି ଅନିରୁଦ୍ଧ ସିଂ ବଳବନ୍ତରାୟ । ହାତ ଦୁଇଟି ଛନ୍ଦା ଛନ୍ଦି ହୋଇ ରହିଛି ମସ୍ତକ ପଛପଟେ । ଆରାମ ଚେୟାର ଟି ଧିରେ ଧିରେ ଦୋଳି ଖେଳିଲା ପରି ଝୁଲୁଥାଏ । ଅନିରୁଦ୍ଧ ବାବୁ ଭାବି ଚାଲିଥାନ୍ତି ବିଗତ ଦିନ ମାନଙ୍କର କଥା ସବୁ ।

******     *****    ********

ଛୁକ ଛୁକ କରି ମାଡ଼ି ଚାଲିଥାଏ ଟ୍ରେନ । ମଝିରେ ମଝିରେ ବିକଟାଳ ଶବ୍ଦ କରି ବାଜୁଥାଏ ହର୍ଣ୍ଣ । ଗଛ ମାନ ଦୌଡ଼ିଲା ପରି ଲାଗୁଥାନ୍ତି ପଛକୁ ପଛକୁ । ରାତ୍ରିର ଶେଷ ପାହାଚ । ପାହାନ୍ତା ପାହାନ୍ତା ଜହ୍ନ ଆଲୋକ । ଘର ଗୁଡ଼ିକ ଚିହ୍ନା ଚିହ୍ନା ପରି ଅସ୍ପଷ୍ଟ ଦିଶୁଥାଏ । ଟ୍ରେନଟି ଅଟକିବାକୁ ଆରଂଭ କଲା । ଅନିରୁଦ୍ଧ ବାବୁ ଝରକା ବାଟେ ଦେଖିଲେ । ହଁ ଷ୍ଟେସନ ହୋଇଗଲା । ହରିପୁର ଷ୍ଟେସନ । ଛୋଟିଆ ଷ୍ଟେସନ ଟିଏ । ହରିପୁର ଗାଁ କୁ ପୁରାପୁରି ଲାଗିକରି ରହିଛି । ସେଥିପାଇଁ ତ ହରିପୁର ବାସୀଙ୍କ ନିମନ୍ତେ ଟ୍ରେନ ଯାତ୍ରା ପ୍ରାୟ ବସ ପରି । ଓଲାହି ଆସିଲେ ଅନିରୁଦ୍ଧ ବାବୁ । ତାଙ୍କ ସହିତ ଆଠ ଦଶ ଜଣ ମଧ୍ୟ ଓଲାହିଲେ ସେହିଠାରେ । ସେମାନେ ସମସ୍ତେ ଚାଲିଗଲେ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ । କିନ୍ତୁ ଅନିରୁଦ୍ଧ ବାବୁ ଟିକେ ଏପଟ ସେପଟ ହେଉଥାନ୍ତି । ପାଖକୁ ଚାଲି ଆସିଲା ଜଣେ ଚା ବିକାଳି ----

ବାବୁ ଚାଏ.... ଚାଏ .....

- ହଁ..... ଦିଅ ...

ଚାହା ତକ ଉଦରସ୍ଥ କରିନେଇ କିଛି ସମୟ ସେହିଠାରେ ବସିବାକୁ ମନସ୍ଥ କଲେ । ସକାଳ ପର୍ଯ୍ୟନ୍ତ , କିନ୍ତୁ ନା..... ମନରେ କଣ ଭାବିଲେ କେଜାଣି ଧିରେ ଧିରେ ବାହାରି ଆସିଲେ ବାହାରକୁ । ହାତରେ ଗୋଟିଏ ଟ୍ରଲି ବ୍ୟାଗ । ବିଶେଷ ବଡ଼ ନୁହେଁ କି ଛୋଟ ନୁହେଁ , ପ୍ରାୟ ମଧ୍ୟମ ଧରଣର । ଦୁଇ ଚକରେ ଘୋଷାଢ଼ି ଘୋଷାଢ଼ି ଆଗକୁ ଚାଲିଲେ । ନିଜ ଗାଁ ହରିପୁର ଅଭିମୁଖେ ।


ଗାଁ ମୁଣ୍ଡ ଆମ୍ବ ତୋଟା । ଅନତି ଦୂରରେ ବିଶାଳ ବର ଗଛ । ତାହା ପୁଣି ବିରାଟ ଚାନ୍ଦିନି ଉପରେ ଅବସ୍ତିତ । ଜାଙ୍ଗୁଳୁ ଜାଙ୍ଗୁଳୁ ଲାଗୁଥାଏ । ପାହାନ୍ତିଆ ରାତି । ପକ୍ଷୀ ମାନେ କଳରବ କରୁଥାନ୍ତି । କିଚିରି ମିଚିରି ଶବ୍ଦ କରି । କାଠ ହଣା ଚଢେଇ ର କାଠ ହଣା ଶବ୍ଦ ସହିତ , କୋଇଲି ର ମଧୁର ତାନ । ଆ... ହା... କି ସୁନ୍ଦର ପରିବେଶ ,କର୍ଣ୍ଣ ମଧୁର ଶବ୍ଦ । ପେଟ ପୁରି ଆସୁଥାଏ । ତୃପ୍ତି ଭରା ମନୋରମ ବାତାବରଣ ଯୋଗୁଁ । ସ୍ୱତଃ ମୁଖ ନିଃଶୃତ ହେଲା...... ଆହାଃ.... କି ଶାନ୍ତି !! ଏ ଶାନ୍ତି ବ୍ୟସ୍ତ ବିଳାଶ ପୂର୍ଣ୍ଣ ସହରୀ ଜୀବନରେ ବା କାଁହୁ ମିଳିବ ??


ମନେ ପଢ଼ିଯାଏ ପିଲା ବେଳର କଥା । ଏହି ବର ଗଛ ଓହଳ ରେ କେତେ ଖେଳିଛନ୍ତି । ରଜ ପର୍ବ ରେ ଝିଅ ମାନେ ଏଠି ଦୋଳି ଖେଳନ୍ତି ।ସୁନ୍ଦର ସୁନ୍ଦର ଗୀତ ଗାଇ ଗାଇ ।

--ରଜ ଦୋଳି କଟ ମଟ ମୋ ଭାଇ ମୁଣ୍ଡରେ ସୁନା ମୁକୁଟ.......

--- ଯାଅ ରେ ମନ ଦୋଳି ଉଡ଼ି ଯା.....

ଏମିତି କେତେ କିସମର ଗ୍ରାମୀଣ ରଜ ଗୀତ । ପୁଅ ମାନେ କବାଢି ଖେଳନ୍ତି ଆମ୍ଭ ତୋଟା ମୂଳେ ।କି ସୁନ୍ଦର ,କି ଆନ୍ତରିକତା । ହସ ,ଖୁସି ,ମଜା , ମଜଲିସ ରେ କଟି ଯାଏ ତିନି ଦିନ , ତିନି ରାତି । ଜମାରୁ ଜଣା ପଢ଼େ ନାହିଁ । ଯାହା ଘରକୁ ଯିଏ ଗଲା ,ପିଠା ସାଙ୍ଗକୁ ଦୁଧୁଘରା ତ ନିଶ୍ଚୟ ଖାଉ ଥିଲା । ସେ ସ୍ନେହ ,ସେ ମମତା , କାହିଁ ସହରୀ ଜୀବନରେ । କେବଳ ଟଂକା ଆଉ ବ୍ୟସ୍ତତା ଭିତରେ କଟେ ଜୀବନ । ଠିକ ଗୋଟିଏ ମେସିନ ପରି । ଆଜିକାଲି ପିଲାଏ ତ ରଜ କି କୁମାର ପୂଣ୍ଣମୀ କଣ ଜାଣନ୍ତି ନାହିଁ । କେବଳ ସ୍ୱାର୍ଥ ଆଉ ଟଙ୍କା ବ୍ୟତୀତ ଅନ୍ୟ କିଛି ଜାଣନ୍ତି ନାହିଁ । ସେଥିପାଇଁ ବୋଧେ ସ୍ନେହ , ମମତା ,ସମ୍ମାନ ବୋଧ ଟିକିକ ମଧ୍ୟ ହଜିଗଲାଣି । ପାଠ ସାରି ଦେଶାନ୍ତର ହେବାକୁ ମନସ୍ତ କରୁଛନ୍ତି ସମସ୍ତେ । ଏପରି କି ମାଆ ,ବାପାଙ୍କୁ ନିଜ ପାଖରେ ରଖିବାକୁ ମଧ୍ୟ ଅନିଛା ପ୍ରକାଶ କରୁିଛନ୍ତି । କେବଳ ଏକାର୍ଣ୍ଣଭାଵ ଆଉ ସ୍ୱେଚ୍ଛାଚାରିତା । ନିଜେ ମଧ୍ୟ କରିଥିଲେ ସେହିପରି ଦିନେ । ସେଥିପାଇଁ ଦୁଃଖ କରୁଛନ୍ତି ଆଜି । ବୁଝିଛନ୍ତି ସେତେବେଳେ ର କଥା । ଯେହେତୁ ଜୀବନର ସନ୍ଧ୍ୟା ସମୟ ଉପନୀତ । 


ବାପା ଦିଗବିଜୟ ସିଂ ବଳବନ୍ତ ରାୟେ କେତେ ବୁଝେଇ ଥିଲେ ସେଦିନ । ସେ କିନ୍ତୁ ଥିଲେ ନଛୋଡବନ୍ଧା । ଚାକିରୀ କରିବେ ତ ବାହାରେ ,ଓଡ଼ିଶା ରେ ନୁହେଁ । ପିଲାମାନଙ୍କୁ ସ୍ମାର୍ଟ କରିବେ । ଓଡ଼ିଶା ରେ କିଛି ନାହିଁ । ଏଠି ରହିଲେ କିଛି ହେବ ନାହିଁ । କେବଳ ଖାଇ-ପିଇ ବଞ୍ଚିବା ବ୍ୟତିତ ଉର୍ଣ୍ଣତି କରିବା ଅସମ୍ଭବ । ଏଠାରେ କୌଣସି ଥିରେ ସାହାର୍ଯ୍ୟ ସହଯୋଗ ନାହିଁ । ଅନ୍ତରାଷ୍ଟ୍ରୀୟ ସ୍ତରରେ ପ୍ରତିଯୋଗିତା କରିବାକୁ ହେଲେ ବାହାର ରାଜ୍ୟ ରେ ରହିବା ନିହାତି ଆବଶ୍ୟକ । 

ବାପା ଙ୍କର ଗୋଟି ଗୋଟି କଥା ଆଜି ମନେ ଅଛି ତାଙ୍କର ।


---ବାପାରେ ଆଜି ତୁ ମୋ କଥା ବୁଝୁନୁ ,କିନ୍ତୁ ଦିନେ ନିଶ୍ଚେ ବୁଝିବୁ । ସେତେବେଳେ ମୁଁ ତୋ ପାଖରେ ନଥିବି ,କିନ୍ତୁ ତୁ ମୋତେ ଝୁରୁ ଥିବୁ । ଆଜି ମୋ କଥା ତୋତେ ଅସଂଗତି ଲାଗୁଛି । ସେତେବେଳେ ସଂଗତି ଲାଗିବ । ***********

ସେ ଚାଲିଆସିଥିଲେ । ପରେ ପରେ ତାଙ୍କ ସାନ ଭାଇ ମଧ୍ୟ ଚାଲି ଯାଇଥିଲେ । ବାପା ମାଆ ଏକୁଟିଆ ରହିଲେ ଗାଁ ରେ । ତାଙ୍କ ଶେଷ ସମୟରେ ଦୁଇ ଭାଇ କୌଣସି କାମରେ ଲାଗି ପାରି ନ ଥିଲେ । କେବଳ ପହଞ୍ଚିଥିଲେ ଗାଁ ରେ । କିନ୍ତୁ ଦୁଃଖର କଥା । ଦେଖିନଥିଲେ ଜୀବିତ ଅସ୍ତାରେ । ଦେଖିଥିଲେ ମର ଶରୀର । 

କେତେ କଷ୍ଟ ଅନୁଭବ କରିଥିବେ ତାଙ୍କ ବାପା । ଦୁଇ ପୁଅଙ୍କୁ ପାଖରେ ନ ପାଇ । ସେ କଷ୍ଟ କିନ୍ତୁ ଅନୁଭବ କରୁଛନ୍ତି ଆଜି ଅନିରୁଦ୍ଧ ବାବୁ । ସେତେବେଳେ ସେ ବୁଝି ପାରି ନଥିଲେ ବାପାଙ୍କର ଉଦେଶ୍ୟ ,କିନ୍ତୁ ଆଜି ପୂର୍ଣ୍ଣ ମାତ୍ରାରେ ଅନୁଭବ କରୁଛନ୍ତି । ଯେହେତୁ ଭୋଗୁଛନ୍ତି ସମ ଦଶା । ମନେ ମନେ ନିନ୍ଦୁଛନ୍ତି ଭାଗ୍ୟକୁ । ହା.... ୟ... ରେ ଭାଗ୍ୟ ,କି ଅଦ୍ଭୁତ ।


ସମୟ ଗଢ଼ି ଚାଲେ ,ଠିକ ଗୋଟିଏ ଚକ ପରି ।ଆଗକୁ ଆଗକୁ ।କେଉଁଠି ତାର ଆଦ୍ୟ , କେଉଁଠି ତାର ପ୍ରାନ୍ତଃ । ଆକଳନ କରିବା ଅସମ୍ଭବ । ଆଜି ଯାହା ନୂଆ ,କାଲିକି ପୁରୁଣା । ଅଜି ଯେ ପୁରୁଣା ,କାଲିକି ନୂଆ । 


ଏମିତି ଭାବୁ ଭାବୁ ,ହଠାତ ଚମକି ପଡିଲେ ଅନିରୁଦ୍ଧ ବାବୁ । ପଛପଟୁ ଶୁଭିଲା ସେଇ ପିଲା ଦିନର ପୁରୁଣା ନାଁ ଟା ।

-- ଆରେ ଅନୁ କିରେ ??

--- ବୁଲି ପଡ଼ି ପଛକୁ ଦେଖିଲେ , ରାଧୁ କାକା । ବେଶ ବୁଢ଼ା ହୋଇ ଗଲେଣି । ପାଆକୁ ପାଟି । ହାତରେ ଗୋଟିଏ ବାଉଁଶ ର ଆଶା ବାଢ଼ି । 

ହଁ କାକା କହି ଚରଣ ସ୍ପର୍ଶ କଲେ ।

--- ବାପା କଣ ଗାଁ କଥା ମନେ ପଡ଼ିଲା ? କୁଆଡେ ଆସିଛୁ ? କଣ କିଛି କାମ ଥିଲା ? 

-- ନାହିଁ ମ କାକା , ଗାଁ କୁ ଆସିଛି ରହିବା ପାଇଁ ।

---- ରହିବା ପାଇଁ ମାନେ ? କେତେ ଦିନ ?

--- ଆଉ ଯିବିନି କାକା । ଏଇଠି ରହିବି ।

---ଆଉ ସେଠି ଯୋଉ ଘର କରିଥିଲୁ ? ତୋ ପିଲାମାନେ ? 

---- ପିଲା ଦୁଇଟା ବାହାରେ ରହୁଛନ୍ତି ।ନିଜ ନିଜର ପିଲା ମାନଙ୍କୁ ନେଇ । ନିର୍ମଳା ଗଲା ପରେ ଏକୁଟିଆ ଏକୁଟିଆ ଲାଗିଲା , ତେଣୁ ଘରକୁ ବିକି ଦେଇ ଚାଲି ଆସିଲି ଗାଁ କୁ , ଶେଷ ଜୀବନ ତକ କାଟିବା ପାଇଁ । 

----ହଁ... ହଁ ଭଲ ହେଲା । ଯେତେ ହେଲେ ନିଜ ଗାଁ ମାଟିଟି । କଣ ଭୁଲି ହେବ । ହଉ ତୁ ଘରକୁ ଯା । ମୁଁ ଟିକେ ପୋଖରୀ ହୋଇ ଆସେ ।


ଅନିରୁଦ୍ଧ ବାବୁ ଘର ମୁଖେ ଅଗ୍ରସର ହେଲେ । ସକାଳ ହୋଇ ସାରିଥାଏ । ମନରେ ଶାନ୍ତ ଥାଏ ।ନିଜ ଗାଁ ମାଟିରେ । ନିତ୍ୟ କର୍ମ ଶେଷ କରି ଜଳଖିଆ ଗ୍ରହଣ କଲେ । ଯେହେତୁ ରଘୁଆ ସେସବୁ ଆଗରୁ ଆୟୋଜନ କରି ଦେଇଥିଲା । ରଘୁଆ ଗାଁ ଘରର ବୁଝା ରଖା କରେ । 

ରଘୁଆ ସହିତ ଗାଁ ବିଷୟରେ ଆଲୋଚନା କରିବା ମଧ୍ୟରେ ବେଳ ପ୍ରାୟ ମୁଣ୍ଡ ଉପରକୁ ଚାଲି ଆସିଲା । ତେଣୁ ବାବୁଙ୍କ ନିମନ୍ତେ ରଘୁଆ ଦ୍ୱିପ୍ରହର ର ଖାଦ୍ୟ ର ବ୍ୟବସ୍ତା କରିଦେଲା । ଭୋଜନ ସାରି ବିଶ୍ରାମ ନିମନ୍ତେ ଚାଲିଗଲେ ଅନିରୁଦ୍ଧ ବାବୁ । ବାପାଙ୍କର ସେହି ପୁରୁଣା ଆରାମ ଚେୟାର ରେ ବସି ବସି ଶୋଇଗଲେ ସେ । ମୁଦ୍ରିତ ନୟନରେ କେତେ କଣ ଭାବନା ସବୁ ମନକୁ ଆସୁଥାଏ । ଧିରେ ଧିରେ ଭାରାକ୍ରାନ୍ତ ଆଖି ଦୁଇଟି କୁ ନିଦ ଆସିଗଲା । ଛାଇ ଛାଇ ନିଦ ।

ସ୍ୱପ୍ନରେ ବାପା ଙ୍କୁ ଦେଖିଲେ । ବାପା ଖୁସି ମନରେ ପାଖକୁ ଆସିଲେ । ମୁଣ୍ଡରେ ହାତ ବୁଲେଇ କହିଲେ--ଯାହାହେଉ ତୁ ଆସିଲୁ । ମୁଁ ଜାଣିଥିଲି ତୁ ନିଶ୍ଚୟ ଆସିବୁ । ମୁଁ ଆଜି ବହୁତ ଖୁସି । ତୁ ଆଜି ବୁଝିପାରିଛୁ ଗାଁର ମହତ୍ଵ କଣ । ଗାଁ ପାଣି ପବନର ମଧୁରତା । ପରିବାରବାଦର ସ୍ନେହ ମମତା କେତେ । ଗାଁ ମାଟିରେ ଯେଉଁ ଆନନ୍ଦ ,ତାହା ଆଉ କେଉଁଠାରେ ପାଇବୁନି ପୁଅ । ଏଠାରେ କେବଳ ବନ୍ଧୁତ୍ୱର ମିଠା ପଣ । ଏଠି ଅଛି ସ୍ନେହର ଆଦାନ ପ୍ରଦାନ । ଆଉ ସହରରେ , କେବଳ ସ୍ୱାର୍ଥ ,ଵ୍ୟସ୍ତ , ବହୁଳ ଜୀବନ । ତେଣୁ ଏହି ଗାଁ ପାଇଁ କିଛି କର ,ଯେମିତିକି ଅନ୍ୟ ମାନେ ଉପକୃତ ହେବେ । ମୋ ମତରେ ପରିଣତ ବୟସ୍କା ବୟସ୍କ ମାନଙ୍କ ପାଇଁ କିଛି କର ।

ନିଦ ଭାଙ୍ଗିଗଲା ଅନିରୁଦ୍ଧ ବାବୁଙ୍କର । ମନରେ ଆନନ୍ଦ ଖେଳିଗଲା । ମନେ ମନେ କହି ପକାଇଲେ----ହଁ.... ହଁ.... ମୁଁ କରିବି । ନିଶ୍ଚୟ କରିବି । ନିଶ୍ଚୟ କରିବି .......।



Rate this content
Log in

Similar oriya story from Tragedy