Win cash rewards worth Rs.45,000. Participate in "A Writing Contest with a TWIST".
Win cash rewards worth Rs.45,000. Participate in "A Writing Contest with a TWIST".

Satyabati Swain

Tragedy


4.5  

Satyabati Swain

Tragedy


ସୁଇଟ୍ ହାର୍ଟ

ସୁଇଟ୍ ହାର୍ଟ

7 mins 323 7 mins 323

ଜଣକ ପୁଷ ମାସ ବେଳେ ଆଉ ଜଣଙ୍କ ସର୍ବନାଶ ହୋଇଥାଏ" ଶୁଣିଥିଲି।ମାତ୍ର ଏହା ମୋରି ଜୀବନରେ ପ୍ରମାଣିତ ହେବ ଏ କଥା କଳ୍ପନା କରି ନଥିଲି।ଵିଧାତାର କି ଖେଳ!

ଫୋନ୍ ଏପଟେ ମୁଁ ଫୋନ୍ ସେପଟେ ଅନେକ ବର୍ଷ ପରେ ମୁଁ କଥା ହେଉଥିଲି ମୋ ସୁଇଟ ହାର୍ଟ ସହ।ତାର ମୋର ଗୋଟିଏ କ୍ଷୀର ନୀରର ସମ୍ପର୍କ।

ରେଭେନ୍ସା କଲେଜରେ ଗୋଟିଏ ଅନର୍ସ ନେଇ ପଢୁଥିଲୁ ଆମେ।ହଷ୍ଟେଲ୍ ରୁମ୍ ନମ୍ବର ଦୁଇରେ ଆମେ ରହୁଥିଲୁ।ଗୋଟିଏ ଥାଳିରେ ଖାଉ,ଗୋଟିଏ ବେଡ୍ ରେ ଶୋଉ।ସିଏ ଯୁଆଡେ ମୁଁ ସିଆଡେ।ମୁଁ ଲାଞ୍ଜ ହେଲେ ସେ ମୁଣ୍ଡ।ଗୋଟିଏ ଗାମୁଛାର ଏମୁଣ୍ଡ ସେ ମୁଣ୍ଡ।ତାଙ୍କ ଘର ବାଲେଶ୍ଵର କ୍ଷୀର ଚୋରା ଗୋପୀନାଥଙ୍କ ପାଖରେ।ଆମ ଘର ଜଗତସିଂହପୁର,ମା ଶାରଳାଙ୍କ ନିକଟରେ।କେହି କାହାର ଚିହ୍ନା କି ଜଣା ନଥିଲୁ।ନମ୍ବର ଅନୁସାରେ ହଷ୍ଟେଲ୍ ରେ ରୁମ୍ ଓ ବେଡ୍ ଦିଆ ଯାଏ।ତାର ଓ ମୋର ରୁମ୍ ନମ୍ବର ଦୁଇ ଥିଲା।ଏକନମ୍ବର ବେଡ୍ ଟି ତାର ଓ ଦୁଇ ନମ୍ବର ବେଡ୍ ଟି ମୋର।ଦୁଇଟି ଯାକ ରାସ୍ତା ଆଡକୁ ମୁହଁ ଥିବା ଝରକା ପାଖେ।ପ୍ରଥମ ଦିନ ସେ ମୋତେ କଣେଇଁ ଚାହୁଁଥିଲା।କିଛି କହୁ ନଥିଲା।କିନ୍ତୁ ଚାହୁଁ ଥିଲା ବାରମ୍ବାର ।ମୁଁ ତା ଆଡକୁ ଚାହିଁ ଦେଲେ ନ ଦେଖିଲା ପରି ବାଁରେଇ ମୁହଁ ବୁଲାଇ ନେଉଥିଲା।

ମୋ ପେଟରେ ମୂଷା ଦୌଡ଼ିଲେ ।ମୁଁ ମାଆ ଦେଇଥିବା ସୁଜି ଆରିସା ପିଠା ଦିଟା ବାହାର କଲି ତାକୁ ଗୋଟିଏ ଯାଚିଲି।ସେ ଠାରରେ ମନା କଲା।ମୁଁ ଗୋଟିଏ ପିଠା ଖାଇ ଆରଟି ତା ଟେବୁଲ ଉପରେ ଥୋଇ ଦେଇ ଯାତ୍ରା ଜନିତ କ୍ଲାନ୍ତି ହେତୁ ଶୋଇ ପଡିଲି।

ହଷ୍ଟେଲ୍ ଖାଇବା ବେଲ୍ କେତେବେଳେ ବାଜିଛି ମୁଁ ଜାଣି ପାରି ନଥିଲି।ଗହମ ନିଦ ହୋଇ ଯାଇଥିଲା ମୋତେ।ଉଠିଲା ବେଳକୁ ଦିନ ଦୁଇଟା।ଭୋକରେ ମୋ ପେଟ କରଡି ଜଳିଲାଣି।ଘଣ୍ଟାକୁ ଅନେଇଁ ଜାଣି ନେଲି ଆଉ ଖାଦ୍ୟ ନଥିବ।ଏଣୁ ବଟଲ୍ ଆଣି ପାଣି ପିଇବାକୁ ଗଲା ବେଳକୁ ସେ ବାଲେଶ୍ୱରିଆ ଝିଅଟି ଠାରରେ ଦେଖାଇ ଦେଲା ଘୋଡା ହୋଇଥିବା ଖାଦ୍ୟ। ସେ ଖାଇ ମୋ ପାଇଁ ଆଣି ଥୋଇଛି।ମୋ ଆଖିରେ ପରମ ଖୁସି ଲହଡି ମାରିଲା।ମୁଁ କହିଲି ଧନ୍ୟବାଦ।

ଏତେବେଳେ ଯାଏ ଆମେ କେହି କାହାର ନାଁ କି ଗାଁ ଜାଣି ନଥଲୁ।ଖାଲି ଆଖିରେ ଆଖିରେ କଥା ହେଉଥିଲୁ।ଖାଇ ସାରିଲା ପରେ ମୁଁ ପଚାରିଲି ତୁମ ନାଁ କଣ?ଘର କେଉଁଠି?ସେ ଅତି ସଂକ୍ଷେପରେ କହିଲା ଚିନି ଚିନ୍ମୟୀ ଅଗସ୍ତି।ମୁଁ କହିଲି ମୁଁ ନିତ୍ୟା ପାଲ୍,ନିମି।

ତାପର ଦିନ ଫିଜିକିସ୍ ଲେକ୍ଚର୍ ଥିଏଟର୍,ପିଏଲଟି ପାଖରେ ତା ସହ ମୋର ଦେଖା ହେଲା।ଆରେ ଚିନି! ତୁମର ଫିଜିକିସ୍ ଅନର୍ସ କି?ସେ ମୁଣ୍ଡ ହଲାଇ ହଁ କଲା।ମୁଁ ଖୁସିରେ କୁଣ୍ଢାଇ ପକାଇଲି ତାକୁ।ବାଃ ଚମତ୍କାର ସଂଯୋଗ।ଗୋଟିଏ ରୁମ୍ ପୁଣି ଗୋଟିଏ ଅନର୍ସ!


ତା ମୁହଁଟି ହସିଲା।ଅନର୍ସ ଏକା ନଥିଲା ପ୍ରାଟିକାଲ୍ ଗ୍ରୁପ ବି ଏକା ଥିଲା ଆମର।ମୁଁ କହିଲି ଦୋସ୍ତ।ସେ କହିଲା ନାଇଁ ସୁଇଟ୍ ହାର୍ଟ।ମୁଁ ଆନନ୍ଦରେ ଗଦ୍ ଗଦ୍ ହୋଇ ଗଲି।ଓ ମାଇଁ ଗଡ୍ ମୁଁ ସୁଇଟ୍ ହାର୍ଟ!

ସେ ମିଠାକୁ ମୁଁ ପିତା।ମୁଁ କୁହେ ବୁଝିଲୁ ସତରେ ତୋ ହାର୍ଟ ଟି ଚିନି ପରି।ଦେଖିବାକୁ କଠିନ,ସ୍ୱଚ୍ଛ ସ୍ପଟିକ ଦାନା।କିନ୍ତୁ ଟିକେ ନିଆଁ ପାଇଲେ ତରଳି ଲଟର ପଟର ହୋଇ ଲାଗିଯିବୁ।ଅବଶ୍ୟ ଖୁବ୍ କମ୍ କଥା କହିବା ଝିଅଟି ତୁ।ତୋତେ ଖାଇଲେ ଡାଇବେଟିସ୍ ହେବାର ଚାନ୍ସ କିନ୍ତୁ ଅଛି।ତୁ ଏତେ ଗର୍ବୀ ଗର୍ବୀ କାହିଁକି ଲାଗୁ?

ଚିନି ହସି ହସି କୁହେ,ତୁ ଅଛୁ ନା ନିମି ,ଡାଇବେଟିସ୍ ହେଲେ ତୋତେ ଖାଇ ଭଲ ହେବେ।ଏତେ ସ୍ନେହ ମମତାରେ ବାନ୍ଧି ହୋଇ ଗଲୁ ଯେ ଆମେ ସବୁ ପିଲା ଆମକୁ ଦେଖି ନକଲ କରି କୁହନ୍ତି ପୂର୍ବ ଜନ୍ମରେ ତୁମେ ସ୍ୱାମୀ ସ୍ତ୍ରୀ ନଲେ ପ୍ରେମିକ ପ୍ରେମିକା ଥିଲ।ସତରେ ଆମର ଗୋଟିଏ ହୃଦୟ ଦୁଇଟି ଶରୀର ଥିଲା ମାତ୍ର।ଚିନି ଅତ୍ୟଧିକ ଷ୍ଟାଇଲିଷ୍ଟ୍ ଗୁମ୍ ସୁମ ସୁନ୍ଦରୀ ସ୍ମାର୍ଟ ଗୋଟିଏ ଚାଉଳରେ ଗଢ଼ା ଝିଅଟିଏ ଥିଲା।ମୋର ପାଠ ଭଲ ତ ସବୁ ଭଲ।ଚିନି ପରି ବି ଏତେ ସ୍ମାର୍ଟ ନଥିଲି।ସୁଦୁ ପୁସ୍ତକ କୀଟ।ଚିନି ପରି ଗୋରୀ ନୁହେଁ ଶାବନା ରଙ୍ଗର ଡଉଲ ଡାଉଲ ଝିଅଟିଏ ମୁଁ।କିନ୍ତୁ ଚିନି କୁହେ ଜାଣିଲୁ ନିମି ତୋ ପରି ସୁଇଟ୍ ନେଚର୍, ଡଉଲ ଡାଉଲ ,ମୁକ୍ତ ମେଳାପୀ ଝିଅଙ୍କୁ ପୁଅ ମାନଙ୍କ ଆଗ ପସନ୍ଦ।ତୁ ପାଟିରେ ବାଟୁଳି ନ ବାଜିଲା ପରି ଏତେ ଗପୁ କେମିତି?

ମୁଁ ଆଖି ନଚେଇ କୁହେ ତୋର ପସନ୍ଦ ହେଉଛି ତ?

ସେ ମୋତେ ଦୁଷ୍ଟ କହି ମୋ ଗାଲ ଚିପି ଦେଇ କୁଣ୍ଢେଇ ପକାଏ ଆଉ କୁହେ ମୁଁ ପୁଅଟିଏ ହୋଇଥିଲେ ତୋତେ ଉଠେଇ ନେଇଥାନ୍ତି।

 କଣ କହୁଛୁ ଉଠେଇ ନେଇ ନାଁ ପକେଇ ଥାନ୍ତୁ ? ବଜାର ଘାଟରେ ଆଉ ମୁଣ୍ଡ ଟେକି ଚାଲି ହୋଇ ଥାନ୍ତା ତ? କୁହେ ମୁଁ।

ଆମେ ଏମିତି ଟାହି ଟାପରା କଥା ହୋଇ ହୋ ହୋ ହୋଇ ହସି ଉଠୁ ଦୁହେଁ।ଏତେ କେୟାରିଂ ଝିଅଟା ଚିନି ଯେ କେହି ତା ପ୍ରେମରେ ପଢିଯିବା କିଛି ବିଚିତ୍ର କଥା ନୁହେଁ।ମୋର ଟିକେ କଣ ହେଲେ ସେ ଏତେ ବ୍ୟସ୍ତ ହୋଇ ପଡେ ଯେ ବେଳେବେଳେ ଲାଗେ ମୋ ମାଆ ସେ।ଆମ ଦୁହିଁଙ୍କ ସମ୍ପର୍କ କ୍ଷୀର ନୀର ପରି ହୋଇଗଲା।

ପଢା ସରିଗଲା।ରେଭେନ୍ସା ସୁନ୍ଦର ସ୍ବପ୍ନଟିଏ ଦେଇ ତା କୋଳରୁ ଆମକୁ ବିଦା କଲା।ପିଜି ପରେ ଆମେ ଘର ମୁହାଁ ହେଲୁ।ଖୁବ୍ କାନ୍ଦିଥିଲୁ ହଷ୍ଟେଲ୍ ଛାଡିବା ଦିନ।ମୋତେ କହିଥିଲା ସପ୍ତାହକୁ ଚିଠି ଖଣ୍ଡେ ନିଶ୍ଚୟ ଦେବୁ ସୁଇଟି ହାର୍ଟ।ଆଉ ହଁ ମୋ ବାହା ଘରକୁ ନିଶ୍ଚୟ ଆସିବୁ।

ବାହା ଘର! କେଉଁଠି ଠିକ୍ କରି ସାରିଛୁ ନା କଣ ଚୁପ୍ ସଇତାନୀ ? ତୁ କଣ ଚାକିରୀ ନ କରି ବାହା ହୋଇଯିବୁ ନା କଣ?

ଚିନୁ କହିଲା ସୁଇଟ୍ ହାର୍ଟ ତୋତେ ଗୋଟେ କଥା ଲୁଚାଇଛି।ସେଥିପାଇଁ ମୋତେ କ୍ଷମା କରିବୁ।ଏଥିପାଇଁ କହି ନ ଥିଲି ଯେ ତୁ ଭଲ ପାଉଥିବା ଝିଅ ମାନଙ୍କୁ ଘୃଣା କରୁ।ମୁଁ ଚାହୁଁ ନ ଥିଲି ତୁ ମୋତେ ଘୃଣା କର।ତୋ ଘୃଣା ମୁଁ ଆଦୌ ସହି ପାରି ନଥାନ୍ତି।ତେଣୁ ମୋ ଜୀବନର  ଏଇ ସତ୍ୟ ଭଲ ପାଇବାଟାକୁ ତୋତେ କହିନି।

ମୁଁ ଆଶ୍ଚର୍ଯ୍ୟ ହେଲି ନାହିଁ।କାରଣ ଚିନି କମ୍ ଖୋଲା ପ୍ରକୃତିର ଝିଅଟିଏ।ପେଟରେ କଥା ରଖିବାରେ ମାହିର୍।


କହିଲି ଭଲ ହୋଇଛି ସୁଇଟି ହାର୍ଟ।ନଚେତ ତୋତେ ଭଲ ପାଇବାରେ ମୋର ଊଣା ହୋଇଯାଇ

ଥାନ୍ତା।କିନ୍ତୁ ଆମ ଭିଣୋଇ ବାବୁଙ୍କ ନାଁ,ଗାଁ ଟା ତ କହ।ଚିନୁ କହିଲା ଆଗରୁ ଜାଣି ଗଲେ ବାହାଘର ବେଳକୁ ଚାର୍ମ ରହିବ ନାହିଁ।ମୋ ବହାଘରକୁ ଆସିବୁ,ତାଙ୍କୁ ଦେଖିବୁ।କିନ୍ତୁ ରସିବୁ ନାହିଁ।ତୋର କୃଷ୍ଣ କଲା ଅଛି ଲୋ ସୁଇଟ୍ ହାର୍ଟ।କେବଳ ଏତିକି ଜାଣିଥା ସେ ଜଣେ ଡାକ୍ତର।

ତାପରେ କିଛି ଦିନ ଚିଠି ପତ୍ର ଦିଆ ନିଆ ହେଲୁ।ମୋର ଭବାନୀ ପାଟଣାରେ ପୋଷ୍ଟିଂଗ ହୋଇଗଲା।କଣ ହେଲା କେଜାଣି ଯେତେ ଚିଠି ଦେଲେ ବି ସେ ଆଉ ଉତ୍ତର ଦେଲାନି।ତା ଘର ଲୋକଙ୍କୁ ଚିଠି ଲେଖିଲେ ବି କିଛି ଉତ୍ତର ଦିଅନ୍ତି ନାହିଁ।ଯୋଗା ଯୋଗ ମାଧ୍ୟମ କହିଲେ ଆମ ବେଳେ ଚିଠି ହିଁ ଥିଲା।

ଆସ୍ତେ ଆସ୍ତେ ସର୍ଭିସ,ସ୍ୱାମୀ,ସନ୍ତାନ ଓ ଶାଶୁଘର ଭିତରେ ପେଷି ହୋଇଯାଇ ମୁଁ ପଛ କଥା ଭାବିବାକୁ ଆଉ ସମୟ ପାଇଲି ନାହିଁ।କିନ୍ତୁ ବେଳେ ବେଳେ ମୋ ସୁଇଟ୍ ହାର୍ଟ ମୋର ଖୁବ୍ ମନେ ପଡେ।ତା କଥା ଜାଣିବାକୁ ମନ ଛଟ ପଟ ହୁଏ।

ସୋସିଆଲ ମିଡିଆ ହେଲା।ଏବେ ଯୋଗ ଯୋଗ ଫୋନ୍ ଦ୍ୱାରା ନିମିଷେକେ କରି ହେଉଛି।ସେଇ ମୋ ସୁଇଟ୍ ହାର୍ଟର ଫୋନ୍ ନମ୍ବର ଏବେ ଆମ ରେଭେନ୍ସା ଗ୍ରୁପ୍ ରୁ ପଚିଶି ବର୍ଷ ପରେ ପାଇଁ ଫୋନ୍ କଲି।ଥରେ କଲି ଦି ଥର କଲି ତିନି ଚାରି ଥର ବେଳକୁ ମୋ ସୁଇଟି ହାର୍ଟ ଫୋନ୍ ଉଠାଇଲା।

 ହାଲୋ ତୁମେ ଚିନ୍ମୟୀ ଅଗସ୍ତି ତ।ସେ ପଟୁ ଶୁଭିଲା ସୁଇଟ ହାର୍ଟ ନିତ୍ୟା କହୁଛୁ ନା?।ମୁଁ ବୁଝି ପାରୁ ନ ଥିଲି କେଉଁଠି ଅଛି।ମାଟିରେ ନା ଆକାଶରେ।ଏତେ ଦିନ ପରେ ମୁଁ ମୋ ସୁଇଟ୍ ହାର୍ଟ ସହ କଥା ହେଉଛି ଭାବି ପାଦ ତଳେ ଲାଗୁ ନଥିଲା।

ଅଭିମାନରେ କହିଲି ଏତେ ବର୍ଷ ପରେ ବି ମୋତେ ଜାଣି ପାରିଲୁ ସୁଇଟ୍ ହାର୍ଟ ? କେତେ ତୋତେ ଖୋଜିଛି।ଏ ମଣିଷ ମାନଙ୍କ ଭିଡ଼ ଭିତରେ କେଉଁଠି ହଜି ଗଲୁ ତୁ।ଥରେ ହେଲେ ମନେ ପଡେ ନାହି ଏ ନିମି ତୋର।କଲିକତା ମୁହଁ ଲୁଚିଲେ ତିନି କଥା ପରି ମୋତେ ଭୁଲି ଗଲୁ?

ହେ ଏତେ ସେଣ୍ଟି ହଅନା ମ।ଫିଜିକିସ୍ ର ଏଚ୍ ଓ ଡି ହେଲୁଣି। ଓଡ଼ିଶାର ବିଶିଷ୍ଟହାର୍ଟ ସର୍ଜରିଆନ୍ ଡ଼ଃ ଜୀବନକୃଷ୍ଣ ରାୟ ଙ୍କ ପତ୍ନୀ।ତୋ ପୁଅ ପରା ମେଡିକାଲ୍ ପଢିଲାଣି।ଝିଅଟି ଏ ଇଞ୍ଜିନିୟର ପଢୁଛି ଧାନ୍ ବାଦ୍ ରେ। କଣ ଛୁଆଙ୍କ ପରି ହେଉଛୁ?ତୋତେ ମୁଁ କେତେ ବେଳେ ଭୁଲି ଥିଲି କି ନିତ୍ୟା ମୋ ସୁଇଟି ହାର୍ଟ।ତୁ ମୋ ଛାତି ଭିତରେ ନିଇତି ଧକ୍ ଧକ୍ ହେଉଛୁ?ତୁ ବା ମୋ ସୁଇଟ୍ ହାର୍ଟ।

ତା ମାନେ

ମୋ ପାଟିରୁ କଥା ଛଡେଇ ନେଇ ଚିନି କହିଲା -ହଁ ତୋ ବିଷୟରେ ମୁଁ ଟିକି ନିକି ଖବର ରଖିଛି।ତୋ ଶରୀର ସହ ମୋର ସମ୍ବନ୍ଧ ନାହିଁ।ତୋ ଆତ୍ମା ସହ ନିତି ଭେଟ ହୁଏ ଲୋ ନିମି।କିନ୍ତୁ ପଚାରେନି କେମିତି।

ମୋତେ ଯେମିତି ପହେଳି ଲାଗୁଥାଏ ସବୁ।ମୁଁ କହିଲି ହେଉ ତୁ ତୃତୀୟ ନୟନରେ ସବୁ ଦେଖି ପାରୁଛୁ ମୋ କଥା।ମୋର ସେମିତି ଆଖି ନାହିଁ ଲୋ ଚିନି। ତୋ ବିଷୟରେ କହ।ପଳେଇ କି ବାହା ହୋଇ ଗଲୁ କି?ତୋ ଡାକ୍ତର ବାବୁ ଏବେ କେଉଁଠି?ମୋତେ ତ ବାହା ଘରକୁ ଡାକିଲୁନି।ଆଉ ତୋର କେତୋଟି ପିଲା ପିଲି?କଣ କରୁଛନ୍ତି ସେମାନେ।ତୁ ଚାକିରୀ କଲୁ ନା ନାହିଁ?

ମୁଁ ତାର ଦୁକୁଦୁକି ଉପରେ ସତେକି ହାତ ଥୋଇଦେଲି।କଟା ଘାରେ ଚୂନ ଲାଗି ଗଲା ବୋଧେ ।ତାର ଗୋଟେ ବଡ଼ ଦୀର୍ଘଶ୍ଵାସ ମୋତେ ଫୋନ୍ ର ଏପଟେ ଖଣ୍ଡେ କାଳ ବୈଶାଖୀର ଦଲକାଏ ପବନ ପରି ଅନୁଭୂତ ହେଲା।ସେ ଟିକେ ଗମ୍ଭୀର କଣ୍ଠରେ କହିଲା ମୁଁ ଅନ୍ ମ୍ୟାରେଡ୍ ନିଃସଙ୍ଗ ନକ୍ଷତ୍ର ଟିଏ ରେ ସୁଇଟି ହାର୍ଟ।

ଅନ୍ ମ୍ୟାରେଡ୍ ନିସଙ୍ଗ ନକ୍ଷତ୍ର !ପୁଣି ତୁ !କିନ୍ତୁ କାହିଁକି?ତୋ ସେଇ ଡାକ୍ତର ଲଭର୍ କୁଆଡେ ଗଲେ କି?

ହଜି ଗଲେ।

ଓହୋ କେତେ ଜୋକ୍ କରୁଛୁ।କହ ମ ତୋ ପିଲା ମାନେ କଣ କରୁଛନ୍ତି?

ଆରେ ନାଇଁରେ ସୁଇଟି ହାର୍ଟ ମୋ ଲଭରକୁ ମୁଁ ହଜାଇ ଦେଲି ଗୋଟେ ଜିଦ୍ ରେ।ସେ କହିଲେ ଚାକିରୀ ଛାଡି ତାଙ୍କ ପାଖକୁ ଚାଲିଯିବାକୁ କାହିଁକି ନା ସେ ଓଡିଶା ଡାକ୍ତର।ମୁଁ ଲକ୍ଷନୌ ଲେକ୍ଚର୍।ସେ ତାଙ୍କ ବୃତ୍ତୀ ଛାଡି ପାରିବେ ନାହିଁ କି ମୋର ଟ୍ରାନ୍ସଫର ହୋଇ ପାରିବ ନାହିଁ।ତେଣୁ ସେ ଜିଦ୍ କରି କହିଲେ ଯେ ମୁଁ ଚାକିରୀ ଛାଡିଦେବି।ନଚେତ ତାଙ୍କୁ ଭୁଲିଯିବି।ସ୍ୱାବଲମ୍ବୀ ସ୍ୱାଭିମାନକୁ ଭଲ ପାଉଥିବା ଏବଂ ମୋ ଚାକିରୀ ଉପରେ ଆମ ଘର ;ଭାଇଟି ବଡ଼ ହେବା ଯାଏ ସମ୍ପୂର୍ଣ୍ଣ ନିର୍ଭର କରୁଥିଲା।ଚାକିରୀ ଛାଡିବା ମୋ ଦେଇ ସମ୍ଭବ ନ ଥିଲା।ଏଣୁ ସେ ମୋତେ ଛାଡିଦେଲେ।ପ୍ରକୃତରେ ମୁଁ ହିଁ କୁହୁଡି ପହଁରୁ ଥିଲି।ଏଣୁ ମୋ ସ୍ୱପ୍ନ ଫସର ଫାଟିଗଲା।

ସେ ଡାକ୍ତର ମ୍ୟାରେଜ୍ କଲେ ଟି?

ହଁ

ସେ ତୋତେ ଛାଡ଼ି ସଂସାର କରି ପାରିଲେ କିନ୍ତୁ ତୁ କାହିଁକି ସଂସାର କଲୁଣି।ଏକା ଏକା ଚାଲୁଛୁ?

କାହିଁକି ନା ମୁଁ ଭଲ ପାଉଥିଲି ହୃଦୟ ଦେଇ।କିନ୍ତୁ ସେ ହାର୍ଟ ସର୍ଜନ ଡ଼ାକ୍ତର ଟି ମୋ ହାର୍ଟ ସହ ଖେଳୁଥିଲେ।

ବୁଝିଲୁ ତୋ ପରି ଝିଅ ଗୁଡା ଚୋରକୁ ମାନ କରି ଖପରାରେ ଖାଆନ୍ତି।ରାଜା ପୁଅକୁ ଖଜା ଅପୂର୍ବ ହୋଇଥାନ୍ତା।ଚାହିଁ ଥିଲେ ତୁ ବି ସଂସାର କରି ପାରିଥାନ୍ତୁ।ଭଲ ପାଇବା ପାଇଁ ତୁ ସାରା ଜୀବନ ନିଃସଙ୍ଗ ନକ୍ଷତ୍ର ହୋଇ ଗଲୁ?ଆଛା କହତ ସେ ସ୍ୱାର୍ଥପର ଡ଼ାକ୍ତର ନାଁ ; ମୋ ମିଷ୍ଟର୍ କାଳେ ଜାଣିଥିବେ।ମୁଁ ଥରେ ଦେଖନ୍ତି ସେଇ କଠୋର ହୃଦୟର ମଣିଷଟାକୁ।ସତରେ ସେ ମଣିଷଟିର ହିଁ କପାଳ ଫଟା ତୋ ପରି ସୁନାକୁ ଝୁଣ୍ଟିଛନ୍ତି। ପଚାରନ୍ତି ଉଭୟ ଚାକିରୀ କରି କଣ ବାହା ହେଉ ନାହାନ୍ତି।ବାହା ମାନେ କଣ ସବୁବେଳେ ସାଙ୍ଗ ହୋଇ ରହିବା।ଛୁଟିରେ କଣ ପରସ୍ପର ଏକାଠି ହୋଇ ପାରି ନଥାନ୍ତ ?

ଓହୋ ଛାଡନା ଏମିତି ମନ ଦୁଃଖ କରିବୁ,ନାନା କଥା ଭାବିବୁ ବୋଲି ତୋ ଠାରୁ ମୁଁ ଦୁରେଇ ଥିଲି ସୁଇଟି ହାର୍ଟ।କିନ୍ତୁ ମ୍ୟାରେଜ୍ ନକରି ଖୁବ୍ ଖୁସିରେ ଅଛି ଏବେ।ବୁଝିଲୁ ସୁଇଟ୍ ହାର୍ଟ ସବୁ କପାଳ ଲିଖନ।ନାହିଁ ଏବେ ମୋ ଭାଗ୍ୟରେ ସଂସାର ସୁଖ।

ଦେଖ ଚିନି ତୋତେ ଦେଖିବାକୁ ଖୁବ୍ ଇଚ୍ଛା ହେଉଛି ଲୋ ସୁଇଟି ହାର୍ଟ। ଥରେ ତୁ ମୋ ପାଖକୁ ଆ;ନଚେତ ତୋ ଠିକଣା ଦେ ମୁଁ ତୋ ପାଖକୁ ଯିବି।

ହେଉ ଏଇ ସଂଗେ ସଂଗେ ଦେଖ।ଏହା କହି ସେ ଫୋଟୋ ଦିଟା ପଠେଇଲା।କହିଲା ରହୁଛି ସୁଇଟି ହାର୍ଟ।ପୁଣି କେବେ।ହଁ ଏଥର ଭିଡିଓ କଲ୍ ମୁଁ କରିବି।ଏବେ ଟିକେ ଅନାଥ ଆଶ୍ରମ ଯିବାର ବେଳ ହୋଇଗଲାଣି।ରହୁଛି ସୁଇଟି ହାର୍ଟ ବାଏ।

ମୁଁ ହ୍ଵାଟସ ଆପରେ ମୋ ସୁଇଟ୍ ହାର୍ଟ ଫୋଟୋ ଦେଖିଲି।କିଛି ବି ବଦଳି ନାହିଁ।ଆଗ ଅପେକ୍ଷା ଆହୁରି ସୁନ୍ଦର ଲାଗୁଛି।ଏଇ ସମୟରେ ମୋ ମିଷ୍ଟର୍ ରୁମ୍ କୁ ପଶି ଆସିଲେ ଓ କହିଲେ କଣ ଏମିତି ଏତେ ଖୁସି ହେଉଛ ଦେଖି।

ଫଟୋଟି ଦେଖୁ ଦେଖୁ ମୋ ମିଷ୍ଟର୍ ଙ୍କ ମୁହଁ ହଠାତ୍ ବିକୃତ ହୋଇଗଲା ସେ କହିଲେ ଏ ବାଜେ ଝିଅଟା ଫଟୋ ତୁମ ପାଖକୁ କେମିତି ଆସିଲା?

ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି ତୁମେ ୟାକୁ ଜାଣିଛ?

ହଁ ଭଲ ଭାବେ ଜାଣିଛି।ଅତି ଜିଦ୍ ଖୋର୍ ଝିଅଟା।ସଜନା ପରି ନଇଁଲା ପଛେ ଭାଙ୍ଗିଲା ନାହିଁ। ମୁଁ ତୁମକୁ କହୁ ନଥିଲି ଗୋଟେ ଝିଅ ତୁମ ପୂର୍ବରୁ ମୋର ପସନ୍ଦ ଥିଲା। ଭଲ ପାଉଥିଲି।କିନ୍ତୁ ମୋର କଣ ଏତେ ପଇସାରେ ଅଭାବ ଥିଲା ଯେ ଜିଦ୍ ରେ ସେ ଅଟଳ ରହି ମୋତେ ପଛେ ଛାଡିଦେଲା କିନ୍ତୁ ଚାକିରୀ ଛାଡିଲା ନାହିଁ। ସେଇ ବାଜେ,ଗର୍ବୀ,ଜିଦ୍ ଖୋର ଝିଅଟି ପରା ଏ ଚିନି,ଚିନ୍ମୟୀ ଅଗସ୍ତି। ହୁଁ ମନେ ମନେ ସ୍ୱର୍ଗର ଅପ୍ସରୀ ଭାବେ। ଏହା କହି ଦୁମ୍ ଦୁମ୍ ହୋଇ ସେ ୱାସ୍ ରୁମ୍ କୁ ଗଲେ।

ମୁଁ ନିର୍ବାକ୍।ତା ମାନେ ମୋରି ମିଷ୍ଟର୍ ସେଇ ନିଷ୍ଠୁର ହୃଦୟ ହିଁନ ପୁରୁଷ! ଏକଥା ମୋ ସୁଇଟି ହାର୍ଟ ଜାଣିଛି ବୋଲି ମୋ ସହ ସମ୍ପର୍କ ଜାଣି ଜାଣି ରଖି ନାହିଁ?

ଭାରି ହୋଇଗଲା ମୋ ହୃଦୟଟି।ଚୁପ୍ ଚାପ୍ ବାଲ କୋନି ଉପରୁ ଦେଖୁଥିଲି ନିଃସଙ୍ଗ ନକ୍ଷତ୍ର ସଂଜୁଆ ତାରାଟିକୁ। ଅପରାଧୀ ଅପରାଧୀ ଲାଗିଲା ମୋତେ।

ଆଖିର ପାଣି ମୋ ଛାତି ଭିଜେଇ ଦେଇ ଥିଲେ।ମନେ କହିଲି ଆଃ ସୁଇଟ୍ ହାର୍ଟ ତୋ ଦୁଃଖର କାରଣ ମୋ ମିଷ୍ଟର୍।"ମୋର ପୁଷ ମାସ ବେଳେ ମୋ ସୁଇଟି ହାର୍ଟ ର ସର୍ବନାଶ ହୋଇଗଲା ?



Rate this content
Log in

More oriya story from Satyabati Swain

Similar oriya story from Tragedy