Prasant Kumar Nath

Tragedy Others

3  

Prasant Kumar Nath

Tragedy Others

ସ୍ତ୍ରୀ

ସ୍ତ୍ରୀ

4 mins
7.3K


ସୁମିତ୍ରାଙ୍କ ନିଦ ଭାଙ୍ଗି ଯାଇଥିଲେବି ରାତିଟା ସଂପୂର୍ଣ୍ଣ ପାହି ନଥିଲା । ଘଣ୍ଟାକୁ ଚାହିଁଲେ 4ଟା ବାଜିଛି ଭାବିଲେ ଆଉ ଟିକେ ଶୋଇ ପଡିବି । କିନ୍ତୁ ତାଙ୍କ ଆଖିକୁ କଣ ଆଉ ନିଦ ଆସୁଛି । ସେମିତି ବିଛଣାରେ ପଡି କିଛି ସମୟ ଏକର ସେକର ହେଲା ପରେ ଭାବିଲେ ନାହିଁ ମୁଁ ଯାଉଛି ଘରଝାଡୁ ଦେଇ,ଦାଣ୍ଡ ଖରୀକିବାକୁ ପଡିବ । ସମ୍ପୂର୍ଣ୍ଣ ରାତି ପହିଗଲେ ଲୋକ ମାନେ ଯିବା ଆସିବା କରିବେ ଅନ୍ଧାରିଆ ବେଳରୁ କାମଟି ସାରିବାକୁ ପଡିବ । ବାସି ବାସନରୁ ମେଞ୍ଚେ ଅଛି ତାକୁବି ମାଜିବାକୁ ପଡିବ । ଆଜି ଗୁରୁବାର ଘରଦ୍ଵାର ଲିପାପୋଛା କରିବାକୁ ପଡ଼ିବ । ଶାଶୁଙ୍କ ଦେହଟା ଭଲ ନାହିଁ ଠିକରେ ବସି ଉଠି ପାରୁନାହାନ୍ତି । ତାଙ୍କ କଥା ନବୁଝିଲେ ଆଉ କିଏବା ବୁଝିବ । ଇଏ କଣ ମରଦ ଲୋକଟା ହେଇ ବୁଝିବେ ଯେ । ଶଶୁରଙ୍କୁ କଣ ଖାଇବାକୁ କରି ଦେଲେ ସିଏବି ବିଲକୁ ଯିବେ । ଇଏବି କାମକୁ ଯିବେ । ପୁଅର ବି ସ୍କୁଲ ଟାଇମ ହୋଇଯିବ । ନା ଆଉ ଶୋଇ ହେବନି, ଯାହାର ମୁଣ୍ଡ ଉପରେ ଏତେ ଗୁଡିଏ କାମ ତାର ଆଖିକୁ ବା ନିଦ ଆସିବ କେମିତି । ସୁମିତ୍ରା ଉଠି ନିଜର କାମରେ ଲାଗିଗଲେ ।

  ରାତି ପହିଲା ବେଳକୁ ପ୍ରାୟ କାମ ସରିଯାଇଥିଲା । ନିଜର ଗାଧୁଆ ପାଧୁଆ କାମ ସାରି ଠାକୁର ପୂଜାରେ ଲାଗିଗଲେ ସେ । ଠାକୁର ପୂଜା ସାରି ଚା କରିବାକୁ ଗଲେ । ଦେଖିଲେ କାହା ଡବାରେ ଯେତେ ଚା ପତି ଅଛି ତାହା ଗୋଟେ କପ ଚା ପାଇଁ ନିଅଣ୍ଟ । ଅଳ୍ପ ପାଣି ଦେଇ ଟିକେ ନାଲି ଚା ବସେଇଲେ । ଯାଇ ଶଶୁରଙ୍କୁ ଡାକିଲେ ତାଙ୍କୁ ନମସ୍କାର କରି ପାଦ ଧୁଆ ପାଣି ପିଇଲେ । ସେତେବେଳକୁ ଶାଶୁ ମଧ୍ୟ ଉଠି ବସିଥାନ୍ତି ତାଙ୍କ ପାଦୁକ ପାଣି ପାନ କରି । ଆଣି ଶଶୁରଙ୍କ ହାତକୁ ଚା ଗ୍ଲାସଟି ବଢ଼େଇ ଦେଲେ । ଶଶୁର ଚା ପିଇ ନିଜର ନିତ୍ୟକର୍ମ ସାରିବାକୁ ଚାଲିଗଲେ । ସୁମିତ୍ରା ସେହି ସମୟରେ ଶାଶୁଙ୍କ ଝାଡ଼ାଯିବା ଦାନ୍ତ ଘଷିବା କାମ ସାରିଦେଲେ । ତାଙ୍କ ଦେହ ଭଲ ନାହିଁ ତାଙ୍କୁ ଧରିକି ନେବା ଆଣିବା କରିବାକୁ ପଡୁଛି । ଡାକ୍ତର ମନା କରିଛନ୍ତି ଚା ପିଇବାକୁ । କେତେ ବାଧ୍ୟରେ ଦୁଇ ଖଣ୍ଡ ବିସ୍କୁଟ ଖୁଆଇଦେଲେ ଶାଶୁଙ୍କୁ ।

 ଯାଇ ସ୍ୱାମୀଙ୍କୁ ଡାକିଲେ । କାଲି ରାତିରେ ତାଙ୍କ ସହ ଝଗଡା ହୋଇଥିଲା । ତାଙ୍କର କଣ ହୋଇଥିଲା କେଜାଣି ତେଲ ନଥିଲା , ଚା ପତି ସାରିଯାଇଥିଲା ଆଣିବାକୁ କହିବାରୁ ହଠାତ ସିଏ ଛିଡି ଉଠିଲେ । ଆଉ ଇଆଡୁ ସିଆଡୁ ସବୁ କହିଗଲେ । ଆଉ କହିଲେ ତୁମେ କଣ ଚାହୁଁଛ ମୁଁ ବିକ୍ରି ହୋଇଯାଏ ? ନା କେଉଁଠୁ ଚୋରି କରିବି ? ଯେତେବେଳେ ଶୁଣିବ ତେଲ ନାହିଁ ଲୁଣ ନାହିଁ । ୟାକୁ ଆଣ ତାକୁ ଆଣ । ପାଖରେ ପଇସା ନଥିଲେ ସମସ୍ତେ ଏମିତି ଚିଡିଚିଡା ହୁଅନ୍ତି । ସିଏବା ସେଥିରୁ ବାଦ ଯିବେ କେମିତି । ସିଏବି କଣ କରିବେ କାଲି କହୁଥିଲେ ଜଣଙ୍କ ଘରେ ୭/୮ଦିନ ହେଲାଣି କାମ ହେଉଥିଲା ଆଉ ଯେଉଁଦିନ ପଇସା ଦେବାକୁ କହିଥିଲା ସେଦିନ ତାଙ୍କର ଗାଡି ଧକ୍କା ହେଲା ଆଉ ଏବେ ସିଏ ଡ଼ାକ୍ତର ଖାନାରେ । କିଏବା ପଇସା ଦେଵ । ଏତେ କରଜ ହୋଇଛି ଯେ ସୁଝିବେ ସୁଝିବେ ସୁଝି ହେଉନି । କରଜ ବଢ଼ିବାରେ ଲାଗିଛି କେତେ କାହା ପାଖରେ ହାତ ପତେଇବେ । ସବୁବେଳେ ଗୁମସୁମ ହେଇ ବସୁଛନ୍ତି । ମୁଣ୍ଡରେ ଅନେକ ଚିନ୍ତା । ହେଲେ ଅଭାବୀ ଲୋକ ଚାଖଣ୍ଡେ ସିଲେଇ କଲା ବେଳକୁ ଯେମିତି ହାତେ ଚିରି ଯାଉଛି । 

  ସୁମିତ୍ରା ସବୁ ଜାଣନ୍ତି କିନ୍ତୁ ସିଏ କଣ ବା କରିବେ । ନିଜେ ସିନା ନଖାଇ ପିଇ ରହିଯିବେ ନହେଲେ ସ୍ୱାମୀଙ୍କୁ ବୁଝେଇଦେବେ । ହେଲେ ଶାଶୁ ଶଶୁର ଆଉ ଛୁଆଟା ପାଇଁ କଣ କରିବେ ? ସେପାଇଁ ନକହି ନକହି କାଲି ରାତିରେ ସିଏ କହିଦେଲେ । 

  ସ୍ୱାମୀଙ୍କୁ ଡାକି ପୁଅକୁ ଉଠେଇଲେ ତାର କାମ ସାରି ତାକୁ ସ୍କୁଲ ବିଦା କଲେ । ରୋଷେଇ ଘରକୁ ଗଲେ ରୋଷେଇ କରିବା ପାଇଁ । ଚୁଲିରେ ପାଣି ବସେଇ ଚାଉଳ ପାଇଁ ଗଲେ ଯେ ଚାଉଳ ନାହିଁ କଣ କରିବେ । କାଲି ତେଲ ଆଉ ଚା କରିବା ପାଇଁ କହିଲେ ଯେ ଏତେ କଥା । ଦେଖିଲେ ଡବାରେ ଚୂଡ଼ା ଥିଲା ତ ମୁଁ ଟିକେ ପିଆଜ ଆଉ ତେଲ ଦେଇ ସନ୍ତୁଳି ଦେଲେ ଶାଶୁ ଶଶୁରଙ୍କ ପାଇଁ ବାଢି ଖାଇବାକୁ ଦେଲେ । ଆଉ କହିଲେ ସବୁବେଳେ କଣ ସେହି ଭାତ ଭଲ ଲାଗୁଛି । ସେଥିପାଇଁ ଆଜି ଚୂଡ଼ା ସଂତୁଳା କରିଦେଇଛି । ଶଶୁର ଖୁସି ହୋଇଗଲେ ଆଉ କହିଲେ ତୋ ପରି ବୋହୁଟେ ଭାଗ୍ୟରେ ଥିଲେ ମିଳେ । ସୁମିତ୍ରାଙ୍କୁ କାନ୍ଦ ଲାଗିଲା ଚାଲିଗଲେ ଘର ଭିତରକୁ । ଦେଖିଲେ ସ୍ଵାମୀ ବସିଛନ୍ତି । ମନ ଖୋଲି ଟିକେ କାନ୍ଦି ପାରିଲେନି । ହସିବାର ଅଭିନୟ କଲେ । ସ୍ୱାମୀଙ୍କ ଗାଲରେ ଟିକେ ହାତ ମାରି ଦେଇ ଗଲେ ତାଙ୍କ ପାଇଁ ଟିକେ ଚୂଡ଼ା ସଂତୁଳା ଆଣିବାକୁ । 

  ସ୍ୱାମୀଙ୍କୁ ଖାଇବାକୁ ଦେଲେ । ସ୍ଵାମୀ ଜାଣି ପାରିଥିଲେ ନିଶ୍ଚିତ ସୁମିତ୍ରା କିଛି ଲୁଚାଇବାକୁ ଚେଷ୍ଟା କରୁଛନ୍ତି । କେଜାଣି କାହିଁକି ରୋଷେଇ ଘରକୁ ଚାଲିଗଲେ ସେ ଆଉ ସବୁ ଜିନିଷକୁ ତନ୍ନ ତନ୍ନ କରି ଦେଖିଲେ । ଦେଖିଲେ ଚାଉଳ ହାଣ୍ଡିରେ ଚାଉଳ ନଥିଲା, ତେଲେ ଡବାଟି ସେମିତି ଗଡୁଥିଲା,ଚା ଡବା ବି ଖାଲି । ଗୋଟାଏ ପିଆଜ କିଛି ଶୁଖିଲା ଲଙ୍କା ଆଉ ଆଉ କିଛି ମସଲାକୁ ଛାଡିଦେଲେ ରୋଷେଇ ଘରଟି ପୁରା ଖାଲି । 

  ଏପଟେ ସୁମିତ୍ରା ବ୍ୟସ୍ତ ହୋଇ ପଡୁଥାନ୍ତି ଖାଇବା ପାଖରେ ଜଗିକି ବସିଥିଲେ । ଭାବିଲେ କଣ କାଲି ରାତିର ରାଗ ଶାନ୍ତ ହେଇନି । ନଖାଇ କୁଆଡେ ଚାଲିଗଲେ । ମୁଁ ସ୍ତ୍ରୀ ହେଇ ମଧ୍ୟ କେତେ କଷ୍ଟ ଦେଉଛି ତାଙ୍କୁ ।

  ରୋଷେଇ ଘରୁ ଫେରି ଆସିଲେ ଆଉ ସୁମିତ୍ରାଙ୍କୁ ଜାବୋଡି ଧରି ଭୋ ଭୋ ହୋଇ କାନ୍ଦି ଉଠିଲେ । ସୁମିତ୍ରା ବୁଝେଇବାକୁ ଚେଷ୍ଟା କରିଥାନ୍ତି । କିନ୍ତୁ ନିଜର ଲୁହକୁ ଆୟତ୍ତ କରି ପାରୁନଥାନ୍ତି ସେ । କାନ୍ଦି କାନ୍ଦି କହୁଥାନ୍ତି କେମିତି କଣ ନିଜକୁ ନିଜେ ସମ୍ଭାଳି ନେଉଛ। କିଛି ନଥାଇ ବି ତୁମେ ଆଜି ପର୍ଯ୍ୟନ୍ତ କାହାକୁ କିଛି ଜାଣିବାକୁ ଦେଉନ । ସବୁ କିଛି ଆଡ଼ଜଷ୍ଟ କରି ନେଉଛ । ଆଉ ମୁଁ ତୁମକୁ ବୁଝି ପାରୁନି । ସତରେ ମୋର ସ୍ୱାମୀ ହେବାର ଯୋଗ୍ୟତା ନାହିଁ । 

  ସୁମିତ୍ରା ବୁଝାଉଥାନ୍ତି ଆରେ ମୁଁ ପରା ସ୍ତ୍ରୀ । ସ୍ତ୍ରୀର କର୍ତ୍ତବ୍ୟ ହେଲା ସ୍ୱାମୀର ସୁଖରେ ସୁଖୀ ଆଉ ଦୁଃଖରେ ଦୁଃଖୀ ହୋଇ ରହିବା । ଆଜି ଆମ ପାଖରେ ଅଭାବ ଅଛି ସବୁଦିନ କଣ ଏମିତି ଥିବ । ଦୁଃଖ ସହିଥିଲେ ସିନା ସୁଖ ମିଳିବ । ତାପରେ ଆମେ ଯଦି ଦୁଃଖ ନପାଇବା ସୁଖର ମଜା ପାଇବା କେମିତି । ଦୁଃଖ ପରେ ଯଦି ଟିକେ ସୁଖ ମିଳେ ସେ ସୁଖର ମଜା ନିଆରା । 

  ତାଙ୍କର ସ୍ୱାମୀ ମନେ ମନେ ଭାବୁଥାନ୍ତି ସତରେ ତୁମେ ମହାନ । ସତରେ ତୁମେ ଜଣେ ନାରୀ ନୁହେ ନାରୀ ରୁପେ ଏକ ଠାକୁରାଣୀ । 

*****

ପ୍ରଶାନ୍ତ କୁମାର ନାଥ

ସୁନ୍ଦରପୁର,ଉତ୍ତରକୂଳ ହାଟ୍,ପ୍ରୀତିପୁର,ଯାଜପୁର

ମୋ-୮୩୧୦୩୨୮୩୪୫


Rate this content
Log in

Similar oriya story from Tragedy