*🙏🏻ସଂସ୍କୃତି🙏🏻*
*🙏🏻ସଂସ୍କୃତି🙏🏻*
ରବିଙ୍କର ଲୋହିତ ଆଭା ଏବଂ କୋଇଲି ର କୁହୁ ତାନ ପୃଥିବୀକୁ ଚଳ-ଚଞ୍ଚଳ କରିବା ପରେ ମୋତେ ଜ୍ଞାତ ହେଲା ଆଜି ଛୁଟିର କାରଣ । ସଅଳ ନିତ୍ୟକର୍ମ ସାରି ଦୀପଟିଏ ଧରି ବାହାରିଗଲି ନିକଟସ୍ଥ ଦେବାଳୟକୁ । ବାହାରେ ଅସ୍ଥାୟୀ ଦୋକାନିସବୁ ମେଲି ସାରିଥିଲେ ନିଜ ନିଜ ପସରାମାନ ଏବଂ ସେଠି ଗହଳି ମଧ୍ୟ ଥିଲା ଆଖିଦୃଶିଆ..। ତେବେ ମନେ ମନେ ଖୁସିହେଲି କି ଯାହାବି ହଉ କିଛିଟା ସଂସ୍କୃତି ଅଦ୍ୟାବଧି ବଞ୍ଚି ରହିଛି ଏହି ସ୍ମାର୍ଟ ସିଟିର ବ୍ୟସ୍ତମୟ ଜୀବନ ଭିତରେ...। ଗର୍ବ ବି କଲି ନିଜ ପାଇଁ ଯେ ମୁଁ ସନ୍ତାନ ଏଇ ଓଡିଶା ମାଟିର ଯାହାର ପ୍ରତିଟି କଣିକାରେ କଳା ସଂସ୍କୃତି ପରମ୍ପରାର ଅମଳିନ ପାଦଚିହ୍ନ ଅଙ୍କା ହୋଇରହିଛି କାହିଁ କେଉଁ କାଳରୁ । ଭାବନାର ସୁଅରେ ଅସ୍ଥାୟୀ ବନ୍ଧଟିଏ ବାନ୍ଧି ପଶିଗଲି ମନ୍ଦିର ଭିତରକୁ....ଆଖିରେ ପଡ଼ିଲା ଦର୍ଶନାଭିଳାଷୀଙ୍କର ଛୋଟିଆ ଧାଡ଼ିଟିଏ । ପ୍ରାୟ ଦଶ-ବାର ଜଣ ଥିବେ ସମୁଦାୟ ।
ଯାହାବି ହଉ ଧାଡ଼ିରେ ନିଜର ସ୍ଥାନଟିଏ ସଂରକ୍ଷଣ କରିବାକୁ ବଢ଼ି ଚାଲିଲି ଆଗକୁ.....ହଠାତ୍ ଆଖିରେ ପଡ଼ିଲା ପାର୍ଶ୍ୱରେ ଥିବା ଯଜ୍ଞ-ମଣ୍ଡପ ଉପରେ....କିନ୍ତୁ ସେଠି ବସିବା ପାଇଁ ଜାଗା ଟିକେବି ନଥିଲା, କାରଣ କିଛି ଶ୍ରଦ୍ଧାଳୁ ମଣ୍ଡପର ସ୍ତମ୍ଭକୁ ଆଉଜି ନିଜ ପାଇଁ ସ୍ଥାନ କିଛି ରଖି ସାରିଥିଲେ । ତଥାପି କିଛି ଗୋଟେ ଅଖାଡୁଆ ଲାଗୁଥିଲା ମୋତେ ...ଯାହାକୁ କିଛି କ୍ଷଣ ମଧ୍ୟରେ ଆବିଷ୍କାର କଲା ମୋ ମସ୍ତିଷ୍କ .....ଯେ ମଣ୍ଡପରେ ଥିବା ଶ୍ରଦ୍ଧାଳୁସବୁ ଦେଶର ଆଗତ ଭବିଷ୍ୟତ ....ମାନେ ମୋ ସମସାମୟିକ ଯୁବଗୋଷ୍ଠୀ (ଅବଶ୍ୟ ଯୁବତୀଙ୍କ ସଂଖ୍ୟା ଅଧିକ ଥିଲା ଯୁବକଙ୍କ ଠାରୁ) । କିଏ ଦୁଇହାତରେ ମୋବାଇଲଟି ଧରି କିଛି ଗୋଟେ ଟାଇପ କରିବାରେ ବ୍ୟସ୍ତ ତ ଆଉ କିଏ କାନରେ ସେ ତାର ଦୁଇଟି ଦେଇ ବାର୍ତ୍ତାଳାପରେ ବ୍ୟସ୍ତ ....ଆଉ ଥୋକେ ବ୍ୟସ୍ତଥିଲେ ଫୋନଟିକୁ ପ୍ରାୟ ପଞ୍ଚସ୍ତରୀ ଡିଗ୍ରୀରେ ରଖି ଫଟୋ ଉଠେଇବାରେ (ଆଜିକାଲିର ଭାଷାରେ ସେଲ୍ଫି )। ଦୋକାନରୁ ଆସିଥିବା ଭୋଗଠୁଙ୍ଗା ସବୁ ସେମିତି ଏକା ଏକା ବସିଥାନ୍ତି ମଣ୍ଡପର ଚଟାଣ ଉପରେ ଏବଂ ଭାବୁଥାନ୍ତି ଦିଅଁଙ୍କ ପାଖରେ ଲାଗିହେବାର ଭାଗ୍ୟ ଆଜି ଆସିବ ନା ନାହିଁ.....? ଭାବନାର ସେହି ଅସ୍ଥାୟୀ ବନ୍ଧଟି କେତେବେଳେ ଯେ ଭାଙ୍ଗିସାରିଥିଲା ତାହା ମୋତେ ଜଣା ନ ଥିଲା....ମୁଁ ଦର୍ଶନ ସାରି ଫେରୁଥିଲି ମୋ କୁଡ଼ିଆ ଅଭିମୁଖେ କିନ୍ତୁ ମନରେ ଥିଲା ଅସୁମାରୀ ପ୍ରଶ୍ନର ସୁଅ
ଏଇ କଣ ଆମ ସଂସ୍କୃତି
ଏମିତି କଣ ସମ୍ଭବ ଏହି ଗାରିମାମୟ ଓଡ଼ିଆ ଜାତିର ପ୍ରଗତି
ଉତ୍ତର ଅପେକ୍ଷାରେ ଏ ଅଧମ
କାହାକୁ ଆକ୍ଷେପ ବା କଟାକ୍ଷ କରିବା ମୋର ଲକ୍ଷ୍ୟ ନୁହେଁ ।
ଦୋଷଥିଲେ କ୍ଷମା ଦେବେ