Rashmita Mohanta

Abstract Others

2.5  

Rashmita Mohanta

Abstract Others

ସ୍ମୃତିର ପସରା

ସ୍ମୃତିର ପସରା

3 mins
43


     ଅଫିସରେ ସେମିତି ବିଶେଷ କାମ ନ ଥିଲା । ଆଉ ଯାହା କିଛି ଥିଲା ତାହା କରିବାକୁ ଆଗ୍ରହ ନ ଥିଲା । ସେଦିନ କାହିଁକି କେଜାଣି ଭାରି ବୋର ହେଉଥିଲା ଧାରା । ହାତ ଘଡିରୁ ସମୟ ଦେଖି ନେଲା । "ନା’ ଲଞ୍ଚ ଟାଇମ ବି ହେଇନି, ଏଇ ଜମା ସାଢେ ବାର । ସତରେ ବିନା କାମରେ ଅଫିସରେ ବସିବା ଭାରି କଷ୍ଟ ।" ଅନ୍ୟମନସ୍କତାରେ ହାତ ଘଡିକୁ ଏପଟ ସେପଟ କରିବାକୁ ଲାଗିଲା । "ଗତ ବିବାହ ବାର୍ଷିକୀରେ ଉପହାର ମିଳିଥିଲା ପତି ଦେବଙ୍କ ଠାରୁ ।" ଅଳ୍ପ ସମୟ ପାଇଁ ଭାବ ପ୍ରବଣ ହୋଇଗଲା । ଅଫିସରେ କିଏ ଦେଖିଲେ କଣ ଭାବିବେ !! ତାର କର୍ପୋରେଟ ଠାଣିରେ ଆଞ୍ଚ ଆସିବ !! ଏଚ ଆର ମାନେଜର ଠାରୁ ଏମିତି ବ୍ୟବହାର ଆଶା କରା ନ ଯାଏ !!! ଧାରା ସମ୍ଭାଳି ନେଲା ନିଜକୁ । ଡିଜିଟାଲ ଯୁଗର ଦାୟିତ୍ଵବାନ ବନ୍ଧୁ ଓରଫ ମୋବାଇଲକୁ ଟେବୁଲରୁ ଉଠାଇ ନେଇ ବ୍ୟସ୍ତ ହେବାକୁ ଚେଷ୍ଠା କଲା । ହୋମ ପେଜର ୱାଲ ପେପର ସଜା ଥିବା ନିଜ ସେଲଫି ଦେଖି, ଫଟୋ ଆଲବମ ଘାଣ୍ଟିବାକୁ ଲାଗିଲା। ପ୍ରତ୍ୟକ ଫଟୋରେ ଅନେକ କାହାଣୀ ଆଉ କିଛି; କାହାଣୀ ଶୂନ୍ୟ ବଙ୍କା ତେଢା ଚାହାଣି ।

    

    ଇ ମେଲ ନଟିଫିକେସନରେ ସାମାନ୍ୟ ହୋଇ ମେଲ ଖୋଲିଲା । ସେମିତି ଗୁରୁତ୍ଵପୂର୍ଣ୍ଣ ନଥିଲା । ରେଗୁଲାର ମିଟିଂ ଥିଲା ଲଞ୍ଚ ଟାଇମ ପରେ । ବ୍ରାଞ୍ଚର କର୍ମଚାରୀଙ୍କୁ କାମ ପ୍ରତି ଉତ୍ସାହିତ କରିବାକୁ କିଛି ପ୍ରସ୍ତାବନା ପ୍ରସ୍ତୁତି କରିବାକୁ ଥିଲା । ଧାରା ମୋବାଇଲକୁ ସାଇଲେନ୍ଟ ମୋଡ କରି କାମରେ ମନ ଦେଲା।

     

    ସବୁ ଥର ପରି  ଏଥର ବି ମିଟିଂରେ ଧାରାର ପ୍ରସ୍ତାବ ଗୃହିତ ହେଲା  । ଟୀମକୁ ଅଭିନନ୍ଦନ ଜଣାଇ ସେ ନିଜ ସିଟକୁ ଫେରିଲା । ସନ୍ଧ୍ୟାବେଳେ ଅଫିସ ଗାଡିରେ ଘରକୁ ଫେରିବା ବାଟରେ ସେ ମଧ୍ୟ କିଛି ବାଟ   ପଛେଇ ଯାଇଥିଲା । ଠିକ୍ ଗାଡି ଆଗକୁ ଗଲାବେଳେ ରାସ୍ତା ପାଖ ଦୋକାନ, ବତୀ ଖୁଣ୍ଟ ଓ ବିଜ୍ଞାପନ ହୋର୍ଡିଙ୍ଗ ସବୁ ପଛକୁ ଧାଇଁଲା ଭଳି ।

    

   ଏକ ନିମ୍ନ ମଧ୍ୟବିତ୍ତ ଯୌଥ ପରିବାରରେ ଜନ୍ମିଥିବା ଧାରା ପିଲା ବେଳୁ ଗୃପ ଫଟୋରେ ହିଁ ଦେଖିଛି ନିଜକୁ । ସିଙ୍ଗଲ ଫଟୋ ତ ବହୁତ ଦୂର କଥା ନିଜକୁ ଗୃପ ଫଟୋର ଫ୍ରେମରେ ସ୍ଥାନିତ କରିବା ବି ସେତେବେଳେ ଏକ ପ୍ରକାରର ସଂଘର୍ଷ ଥିଲା  । କେବେ ପଛ ପଟ ଚେୟାରରେ  ଠିଆ ହେଉଥିଲା ତ ପୁଣି କେବେ ଫଟୋ ଉଠାଇବା ପାଇଁ ବସିଥିବା ଧାଡି ଆଗରେ ଆଣ୍ଠେଇ ପଡୁଥିଲା  । ଗୋଟିଏ ଫଟୋ ପାଇଁ ଅଧଘଣ୍ଟାର ପ୍ରସ୍ତୁତି । କାରଣ ସୀମିତ ରିଲରେ ଅସୀମିତ ଭାବନାକୁ କଏଦ ସହଜ ନଥିଲା । ପର୍ବ ପର୍ବାଣୀ ବ୍ୟତୀତ ଫଟୋ ଉଠା ହେବା ଦିନ ମଧ୍ୟ ପରିବାରରେ ଗୋଟିଏ ପର୍ବର ଆନନ୍ଦ ଓ ଉତ୍ସାହ ଥାଏ। ହଁ, ଅବଶ୍ୟ କଲେଜରେ ପଢିଲା ବେଳେ ତାର ଢେର ସିଙ୍ଗଲ ଫଟୋ ଉଠା ହେଉଥିଲା । କିନ୍ତୁ, ସେ ସବୁ ସହ ସେତେ ଆନ୍ତରିକତା ନାହିଁ । କାରଣ, ସେ ସବୁ ସାଇତା ସ୍ମୃତି ନୁହଁ ବରଂ ଉଦ୍ଦେଶ୍ୟ ମୂଳକ ଥିଲା; ବାହାଘର ପ୍ରସ୍ତାବ ପାଇଁ ଘର ଲୋକଙ୍କ ଏକ ପ୍ରସ୍ତୁତି। ହସି ଦେଲା ଧାରା ପିଲା ବେଳ କଥା ମନେ ପକାଇ । ଏବେ ସମୟ ବଦଳିଛି, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଉନ୍ନତି ଘଟିଛି । କ୍ୟାମେରା ଓ ଟି ଭି ଠାରୁ ଆରମ୍ଭ କରି କମ୍ପ୍ୟୁଟର ଯାଏ ସବୁ ସୁବିଧା ଏକା ସ୍ମାର୍ଟ ଫୋନରୁ ମିଳୁଛି । ତା ବାଦରେ ଫିଟନେସରୁ ଫେସନ ଯାଏ ସବୁ ଟିପ୍ପଣୀ ମଧ୍ୟ ଦେଉଛି ଏ ସ୍ମାର୍ଟ ଫୋନ । ତଥାପି ସମୟ ଅଣ୍ଟୁନି ମଣିଷକୁ । ପ୍ରତିଟି ସୁବିଧା ହାତ ପହଞ୍ଚରେ ଥିଲେ ବି ମଣିଷ ସମୟର ପ୍ୟାକେଟରେ ନିଜେ ନିଜକୁ ଏମିତି ବାନ୍ଧି ଦେଇଛି ଯେ ଫୁରୁସତ ନାହିଁ  । ବାହାଘର ପରେ ସ୍ୱାମୀଙ୍କ ସହ ପ୍ରବାସରେ ଚାକିରି ଯୋଗୁଁ ଧାରା ପାଇଁ ସେଲଫି ହିଁ ସାଜିଛି ସ୍ମୃତିକୁ ଫ୍ରେମ କରିବାର ଏକମାତ୍ର ମାଧ୍ୟମ । ଅବଶ୍ୟ କିଛି ସିଙ୍ଗଲ ଫଟୋ ମଧ୍ୟ ରହିଛି ଦି’ ଜଣ ପାଳି କରି ଫଟୋ ନେଇଛନ୍ତି । ସେ ଏକା ନା  ସ୍ବାବଲମ୍ବୀ କହିବା କଷ୍ଟ ହେବ । ଟିକିଏ ଉତ୍ସାହ କମିଗଲା ତାର ଆଉ ସେହି ସ୍ଥାନ ପରିପକ୍ଵତା ନେଇଗଲା । ସେ ପ୍ରକୃତିସ୍ଥ ହେଲା, ଗାଡି କଲୋନୀ ଗେଟରେ ପହଞ୍ଚି ସାରିଥିଲା ।

    

   ପରଦିନ ସୋସିଆଲ ମେଡିଆରେ ଗୋଟେ କପଲ ଫଟୋ ପୋଷ୍ଟ କରି ନେଲା । ଟିକେ ଖୁସି ଥିଲା କାରଣ ଫଟୋଟି ନିର୍ଦ୍ଦିଷ୍ଟ ଦୂରତାରୁ ସଠିକ ଫ୍ରେମରେ ନିଆ ଯାଇଥିଲା । ଅର୍ଥାତ ତାହା ସେଲଫି ନ ଥିଲା, ଥାର୍ଡ ପାର୍ଟି ଦ୍ଵାରା ସ୍ମାଇଲ ପ୍ଲୀଜ କହି ନିଆ ଯାଇଥିବା ଫଟୋ । tag line ଥିଲା #weekend#happyhours.                                                                       ......ଫଟୋଟି ପତି ଦେବ ଟାଇମର ସେଟ କରି ନେଇଥିଲେ । ଭୋଏସ କମାଣ୍ଡ ଥିଲା “ସ୍ମାଇଲ ପ୍ଲିଜ଼ ” । ପ୍ରଯୁକ୍ତି ବିଦ୍ୟାର ଏକ ସରଳ ପ୍ରୟୋଗ ।


Rate this content
Log in

More oriya story from Rashmita Mohanta

Similar oriya story from Abstract