ସ୍ମୃତି
ସ୍ମୃତି


କାଲି ଯାହା ଭୋଗିଥିଲି ଆଜି ସେ ସ୍ମୃତି।
ସମୟ ଦୌଡୁଛି ; ତା ସହ ମୁଁ ପ୍ରତିଯୋଗୀ ଭାବେ ଦୌଡୁଛି।
ଯଦିଓ ଜାଣିଛି ମୁଁ ହାରିବି ; ସେ ଜିତିବ।
ମୋହ ଗ୍ରସ୍ତ ସେଇ ତ ମୋତେ କରିଛି!
କେଜାଣି ଏ ଜୀବନ ଟିରେ ଏତେ ମୋହ ! ଏତେ ଆସକ୍ତି କାହିଁକି !!
ବର୍ଷାର ମନେ ପଡୁଛି ଭୋଗିଥିବା କିଛି କଥା।
ପାପା ! ମୋ ନାଁ ବର୍ଷା କାହିଁକି ?
ତୁ ବର୍ଷା ପରି ଜଗତକୁ ସବୁଜିମା ରେ ଭରି ଦେବୁ ବୋଲି।
ଜଗତ କଣ ?
ତୁ ଯାହା ଦେଖୁଛୁ।ଏ ନେଳିଆ ଆକାଶ, ଏ ମାଟି, ଗଛଲତା, ପଶୁପକ୍ଷୀ, କୀଟ ପତଙ୍ଗ, ଜୀଵ ,ନିର୍ଜୀବ ସବୁ।
ଆକାଶ ତ ନୀଳ! ମୁଁ କେମିତି ସବୁଜ କରିବି !!
ତୁ ବଡ଼ ହେଲେ ବୁଝି ପାରିବୁ।
ମୁଁ କେବେ ବଡ଼ ହେବି ?
ଉଁ ...ବଡ଼ ... ଠିକ୍ ବୁଇ ନାନୀ ପରି ହୋଇଗଲେ ତୁ ବଡ଼ ହୋଇଯିବୁ।
ଓ ଏତେ ଡେଙ୍ଗା, ଏତେ ଗୋରା ପୁଣି ଏଡ଼େ ଏଡ଼େ ମୋଟା ବହି ପଢି ବୁଝିଲେ ମୁଁ ବଡ଼ ହୋଇଯିବି !
ମୋ ରିଙ୍କୁ ଭାଇ ,ବଡ଼ ପାପା ଓ ବଡ଼ ମା ,ପାପା, ମା, ଜେଜେ ଓ ବୁଇ ନାନୀ ମୋ ପ୍ରଶ୍ନ ଶୁଣି ହୋ ହୋ ହୋଇ ହସି ଉଠନ୍ତି।
ସମସ୍ତେ ମୁଁ ପ୍ରଶ୍ନ ପଚାରିଲେ କେମିତି ନାକେଦମ୍ କରେ ସେ କଥା ଉପଭୋଗ କରନ୍ତି।
ସେମାନେ ମୋ ବୋକାମୀ ଉପରେ ଯେ ହସୁଛନ୍ତି ନ ଜାଣି ପାରି ମୁଁ ବି ହସିଦିଏ।
ମୋ ବଡ଼ ପାପାଙ୍କ ପୁଅ ରିଙ୍କୁ ଭାଇ କୁହେ ; ଧୁମ୍ ବର୍ଷା କାଚୁଥିବା ବେଳେ ତୋ ଜନ୍ମ।ଭାରି ହଇରାଣ କରିଛୁ ସାନ ମାଙ୍କୁ।
ଓହୋ ସେଥିପାଇଁ ବର୍ଷା ମୋତେ ଏତେ ଭଲ ଲାଗେ !
ବର୍ଷା ମୋ ସାଙ୍ଗ!
ହଁ ଅଁ....ବର୍ଷା ଫୁଲେଇ,ଫାଜିଲି, ମନେଇ, ବୋକି।ସେ କାନ୍ଦିଲେ ବର୍ଷା ପଡେ।
ତୁ ସବୁ ଯାକ ସେଇ ବର୍ଷାର ଗୁଣ ଆଣିଛୁ ଲୋ ନାକ କାନ୍ଦୁରି।ଏମିତି କହି ଭାଇ ମୋତେ ଚିଡାଏ।
ମୁଁ ଗୋଡ଼ ବାଡେଇ କାନ୍ଦେ।ଯେତେ ନିଦରେ ଶୋଇ ଥିଲେ ବି ପାପା ମୋ କାନ୍ଦ ଶୁଣିଲେ ଉଠି ପଡନ୍ତି।ମୋତେ କାଖ କରି ଆମ ଧନ, ଆମ ସୁନା, ଆମ ରାନୀ, ଆମ ବର୍ଷା କହି ଥାପୁଡି ଦେଲେ ମୋ କାନ୍ଦ କୁଆଡେ ଉଭାନ ହୋଇଯାଏ।
ଘରଟା ଯାକ ଲୋକେ ଖୁବ୍ ଭଲ ପାଆନ୍ତି ମୋତେ।
ମୁଁ ଅନୁଭବ କରେ ମୋ ପାପା ସମସ୍ତଙ୍କ ଠାରୁ ଭଲ।ମୋତେ ଅଧିକ ଭଲ ପାଆନ୍ତି।
ମୋ କାନ୍ଦ ତାଙ୍କ ଦେହରେ ଆଦୌ ଯାଏନି।ପାଞ୍ଚ କି ଛଅ ବର୍ଷ ଯାଏ ରାଜ କୁମାରୀ ଜୀବନ ଜୀଇଁଥିଲି।
କିନ୍ତୁ ତା ପରଠୁ.... ଗୋଟେ ନୂଆ ଜୀବନ ସହ ମୋର ଭେଟ ହେଲା।
ଦିନେ ଯେଉଁ ପାପା ମୋ ଟିକିଏ କାନ୍ଦରେ ଉଠି ପଡନ୍ତି ; ଯେତେ କାନ୍ଦିଲେ ବି ଉଠିଲେ ନାହିଁ।କେତେ କାନ୍ଦିଛି ସେଦିନ।
ସକାଳ ପାଞ୍ଚଟାରୁ ଉଠି ଫୁଲ ତୋଳନ୍ତି ବାପା।ସେଦିନ ସାତ ଟା ହେଲେ ମଧ୍ୟ ପାପା ଉଠି ନଥିଲେ। ମା ବି ଡାକିଲାନି।ଶୋଇଥାନ୍ତୁ ବ୍ୟାଙ୍କ୍ ମ୍ୟାନେଜର, ଭାରି ଟେନ୍ସନିଆଁ କାମ। ଟିଫିନ୍ ବନେଇଁ ସାରେ ଡାକିବି ଭାବି ମା ପାପାଙ୍କୁ ଡାକି ନଥିଲା।
ମୁଁ ଉଠି ଦେଖେ ପାପା ଶୋଇଛନ୍ତି। ଯଦିଓ ଘଣ୍ଟା ଚିହ୍ନି ପାରୁ ନଥିଲି ଠିକ୍ ସେ, ତଥାପି ଅନୁମାନ କଲି ପାପାଙ୍କ ଉଠିବାରେ ଡେରି ହୋଇଛି ନିଶ୍ଚେ।
ସମସ୍ତେ କିନ୍ତୁ କାବା ହେଉଥିଲେ ପାପା ଙ୍କ ଶୋଇବା ଦେଖି।
ଜେଜେ ଡାକିଲେ , ସିଧୁ ଆଜି ଅଫିସ ନାହିଁ କି ? ଏତେବେଳେ ଯାଏ ଶୋଇଛୁ। ମା ଗୋପା ! ସିଧୁ ଏଯାଏ କଣ ଶୋଇଛି? ତା ଦେହ ମୁଣ୍ଡ ଭଲ ନାହିଁକି ବୋହୁ ?
ମୋ ମା ନା ଗୋପା।ମା କହିଲା ନାଇଁ ବାପା, କାଲି ରାତିରେ ଭାରି ବ୍ୟସ୍ତ ହେଉଥିଲେ।ବ୍ୟାଙ୍କ୍ ରେ ଛଅ ଲକ୍ଷ ଟଙ୍କା ଦୁଇ ଜଣ ସାଙ୍ଗଙ୍କ ଜଏଣ୍ଟ ଆକାଉଣ୍ଟ ରୁ ଜଣେ ସାଙ୍ଗ ଉଠାଇ ନେଇଛି।କିନ୍ତୁ ମାନୁ ନାହିଁ। ପ୍ରମାଣ ନ ମିଳିଲେ ତୁମ ପୁଅଙ୍କ ଦରମା ରୁ ରିକଭରି ହେବ କହୁଥିଲେ।ଢେର ରାତିଯାଏ ଶୋଇ ନଥିଲେ।
ଛଅ ଲକ୍ଷ ! ପୁଅଟା ମୁଣ୍ଡ ଖରାପ ହୋଇ ଯାଇଥିବ।ହଉ ବର୍ଷା ପାପା ଙ୍କୁ ଡାକିଲୁ ,ଉଠିକି କଣ ଦିଟା ଖାଉ।ଦେଖା ଯିବ ଯାହା ହେବ।
ମୁଁ ପାପା ପାପା ଯେତେ ହଲେଇଲି ସେ ଆଦୌ ଶୁଣିଲେ ନାହିଁ। ମା ଦଉଡ଼ି ଆସି ଡାକ ଛାଡିଲା, ବାପା ଆ ଆ ! ୟାଙ୍କ ଦେହ କଣ ଏମିତି ଝାଳରେ ଓଦା ! ବଡ଼ପାପା ଗାଡ଼ିରେ ନେଇ ଗଲେ ପାପାଙ୍କୁ ଡାକ୍ତରଖାନା।
କିନ୍ତୁ ବାପାଙ୍କ ନିଃଶ୍ବାସ ହିଁ ବାଟରେ ବନ୍ଦ ହୋଇ ଯାଇଥିଲା।
ଡାକ୍ତର କହିଲେ ଅତ୍ୟଧିକ ମାନସିକ ଚାପରୁ ହାର୍ଟ
ଆଟାକ୍ ହୋଇଛି।
ମୋ ପାପା ଶୋଇଥିଲେ ଖଟରେ।ସଭିଏଁ ମୁଣ୍ଡ ବାଡେଇ କାନ୍ଦୁଥିଲେ।ମା ର ସେନ୍ସ ନଥିଲା। ମାମୁ ମା କୁ ଡାକ୍ତର ଖାନା ନେଇ ଗଲେ।ଚାରି ମାସ ମା କୋମାରେ ଡାକ୍ତର ଖାନାରେ ପଡି ରହିଲା।
ବୁଇ ନାନୀ କୁହେ ମା ଖାଲି ଚାହିଁଥାଏ।କିଛି ବୁଝି ପାରେନି କି ହଲ ଚଲ ହୁଏନି।ନଳୀ ବାଟେ ଖାଦ୍ୟପେୟ ଦିଆ ଯାଏ।
ମୋର ମନେ ଅଛି ବହୁତ ଗୁଡିଏ ଲୋକ ଆମ ଘରେ ସେଦିନ ହାଉ ଯାଉ ହେଉଥିଲେ।ସମସ୍ତଙ୍କ ଆଖିରେ ଲୁହ।
ମୋତେ କେହି ମୋ ପାପା ଙ୍କ ପାଖକୁ ଛାଡୁ ନଥିଲେ।ମୁଁ ରା ହା ଧରି କାନ୍ଦୁଥିଲି।ପାପା କିନ୍ତୁ ଅନ୍ୟ ଦିନ ପରି ଉଠୁ ନଥିଲେ।
କାନ୍ଦି କାନ୍ଦି ମୁଁ ନିଃସ୍ତେଜ ହୋଇ କାନ୍ଥକୁ ଆଉଜି ଶୋଇ ପଡ଼ିଥିଲି।
ବୁଇ ନାନୀ ମୋତେ କାଖେଇ ନେଲା। ମୋ ହାତରେ ମାଟି ମୁଠେ ଦେଇ କହିଲା, " ପାପା ଙ୍କ ଉପରକୁ ପକେଇ ଦେ।"
ମୁଁ କହିଲି ନା ମୋ ପାପା ଅସନା ହେବେ।
ଭୋ ଭୋ ହୋଇ କାନ୍ଦି ଉଠିଲେ ସମସ୍ତେ। ମୋ ହାତ ମୁଠା ଖୋଲି ମାଟି ତକ ପାପାଙ୍କ ପେଟ ଉପରେ ପକାଇ ଦେଲେ ବଡ଼ ପାପା।ମୁଁ ଛାଟି ପିଟି ହୋଇ କାଖରୁ ଓହ୍ଲେଇ ଝାଡ଼ି ଦେଲି ମାଟିତକ।ମୁହଁ ମାଡ଼ି ଧକେଇ ଧକେଇ ଡାକିଲି ପାପା ଉଠ, ଭୋକ ଲାଗିଲାଣି ମୋତେ। ମୁଁ ବା ତୁମ ସାଙ୍ଗରେ ଖାଏ।ମା ତୁମ ପ୍ରିୟ ଉପମା କରିଛି।ଅଧିକ ପିଆଜ ଦେଇଛି। ମୁଁ ଖାଇବି ବୋଲି ରାଗ ପକେଇ ନାହିଁ।କେମିତି ଭ୍ରୁସଙ୍ଗ ପତ୍ର ବାସୁଛି ଦେଖିଲ। ପାପା ଉଠ।
ବଡ଼ ପାପା ମୋତେ ନେଇ ଛାତିରେ ଚାପି ଧରି ଭୋ ଭୋ ବାଜିଲେ।
ମୋ ବାପାଙ୍କ ଉପରେ ଧଳା ଚଦର ପଡିଥିଲା।ଦେହରେ ଫୁଲ ମାଳ।ମଥା ସାରା ବୋଳା ହୋଇଥିଲା ସିନ୍ଦୁର।ଆଖି ବୁଜି ପାପା ଶୋଇଥିଲେ।
ମୋତେ ବୁଇ ନାନୀ ଘର ପଛ ପଟକୁ ନେଇଗଲେ।
ଆମ ବଗିଚା ରେ ବୁଲେଇ କୋଇଲି କୁହୁ କରୁଥିବା ଦେଖେଇଲେ। ବାପା ବଗିଚାକୁ ବହୁତ ଭଲ ପାଆନ୍ତି।ତାଙ୍କ ସ୍ଵର୍ଣ୍ଣ ଚମ୍ପା ଗଛରେ ପ୍ରଥମ ହୋଇ ଗୋଟିଏ ଫୁଲ ଫୁଟିଥିଲା।ବଡ଼ ମା ସେଇଟିକୁ ଛିଣ୍ଡାଇ ନେଇଗଲେ ପାପାଙ୍କ ପାଇଁ।
ବହୁତ ଜୋରେ କାନ୍ଦ ଶୁଭିଲା।ତାପରେ ସବୁ ଚୁପ୍ ଚାପ୍ ଲାଗିଲା।ମୁଁ ଚଢେଇ ଫୁଲ ଦେଖି କାନ୍ଦ ବନ୍ଦ କରି ଦେଇଥିଲି।
ତାପର ଠାରୁ ବାପାଙ୍କୁ ଆଉ ଦେଖିନି।ଦେଖିଛି ସେ ଫୋଟୋ ହୋଇ କର୍ପୁର ମାଳ ପକେଇ କାନ୍ଥରେ ଝୁଲିଲେ।
ମା ନଥିଲା କି ପାପା।
ମୁଁ ବେଶୀ ଖୋଜୁଥିଲି ପାପାଙ୍କୁ।ଆମ ଘର ଦୁଆର ମୁହଁରେ କାହା ମଟର ସାଇକେଲ ଶବ୍ଦ ଶୁଣିଲେ , "ହେଇ ମୋ ପାପା ଆସିଲେ କହି ଦଉଡ଼ି ଯାଉଥିଲି।"
କିନ୍ତୁ ପାପା କେବେ ଆସୁ ନଥିଲେ।
ବୁଇ ନାନୀ କୁ ପଚାରେ , ମୋ ପାପା କାଇଁ ?
ବଡ଼ ପାପା ମୋ ପାପା କାଇଁ ?
ବଡ଼ ମା ମୋ ପାପା କାଇଁ ?
ଜେଜେ ମୋ ପାପା ... କହିଲା ବେଳକୁ ସମସ୍ତେ ମୋତେ
କୁଣ୍ଢେଇ କେବଳ କାନ୍ଦନ୍ତି।ସମସ୍ତ ଙ୍କ କାନ୍ଦରୁ ମୁଁ କଣ ବୁଝିଲି କେଜାଣି ଆଉ କେବେ କାହାକୁ ପାପା କାଇଁ ପଚାରିଲି ନାହିଁ।
ବଡ଼ ପାପା କେବଳ ଥରେ କହିଥିଲେ ତୋ ପାପା ଟୁର୍ ରେ ଯାଇଛି।
କେବେ ଆସିବେ ?
କହି କି ଯାଇନି ତ , ସେଥିପାଇଁ ଜାଣିନୁ କେବେ ଆସିବ।
ମୁଁ ସିନା ପାପା କେବେ ଆସିବେ ପଚାରେନି; କିନ୍ତୁ ଅପେକ୍ଷା ରଖେ ପାପା ଆସିବେ।
ମା ଡ଼ାକ୍ତର ଖାନାରୁ ଆସି ମାମୁଁ ଘରେ ରହିଲା।ତାକୁ ସ୍ଵାଭାବିକ ହେବାକୁ ଦୁଇ ବର୍ଷ ଲାଗିଗଲା।ମଝିରେ ମଝିରେ ବଡ଼ ପାପା ମୋତେ ମା ପାଖକୁ ନିଅନ୍ତି।କିନ୍ତୁ ମା ମୋତେ କିଛି କୁହେ ନାହିଁ, ଖାଲି ଅନାଏଁ।ମା ଆମ ଘରକୁ ଯିବ କହିଲେ ମାଇଁ କୁହନ୍ତି ମା ଦେହ ଭଲ ନାହିଁ ବର୍ଷା।ଭଲ ହୋଇଗଲେ ଯିବେ।
ତୁମେ ମା ପାଖେ ରହିବ ?
ନା .. ମୋ ପାପା ଯଦି ଆସି ମୋତେ ଖୋଜିବେ !
ଯାହା କହିଲେ ବି ସମସ୍ତେ କାନ୍ଦନ୍ତି।ମୋ ଛୋଟ ବୟସକୁ କିଛି ବୁଝି ନ ପାରିବା ଅସହାୟତା ମୋତେ ସେତେ
ବେଳେ କେମିତି ଭିତରେ ଭାଙ୍ଗୁଥିଲା ତା ପ୍ରକାଶ କରିବାକୁ କେଉଁ ଡିକ୍ସିନାରି ରେ ବି ଶବ୍ଦ ନାହିଁ।
ବର୍ଷା , ବିନା ପାପା ମା ରେ ବଢୁଥିଲା।ଶୈଶବ ହେଉଥିଲା ଚୁପ୍। ଅଳି ଅର୍ଦ୍ଦଳି କୁଆଡେ ଶୁନ୍ୟ ହୋଇଗଲେ ମୋ ଭିତରୁ ଆପଣା ଛାଏଁ।
ମା ସ୍ୱାଭାବିକ ହେଲା ସେଦିନ ଯେଉଁ ଦିନ ମାମୁଁ ପୁଅ ମୋରି ବୟସର ପଡି ଯାଇ ମୁଣ୍ଡ ଫାଟି ରକ୍ତ ବହୁଥିଲା ଓ ସେ ବାବା ବାବା ରଡି କରି କାନ୍ଦୁଥିଲା।
ମା ପାଟିରୁ ହଠାତ୍ ବାହାରି ପଡ଼ିଲା ବର୍ଷା !!
ସେ ପ୍ରକୃତିସ୍ଥ ହେଲା।ସବୁ ବୁଝି ପାରିଲା। ଆଉ କାନ୍ଦିଲା ନାହିଁ। ଆମ ଘରକୁ ଆସି କେବଳ ମୋତେ ଧରି ବର୍ଷା ବର୍ଷା ହୋଇ ଚେତା ବୁଡିଗଲା।ଔଷଧ ପତ୍ର ଖାଇ ଭଲ ହୋଇଗଲା କିଛି ଦିନ ପରେ।
ମା ଆଉ ସିନ୍ଦୁର ଲଗାଉ ନଥିଲା।
ମୁଁ କହୁଥିଲି ମା ତୁ ସୁନ୍ଦର କାଇଁ ଲଗାଉନୁ ?
ତୋ ପାପା ସୁନ୍ଦର ଫରୁଆ ଟା ନେଇ ଯାଇଛନ୍ତି ସାଙ୍ଗରେ ଲୋ ଧନ।
ମୁଁ ବଡ଼ ମା ଘରୁ ସିନ୍ଦୁର ଫରୁଆ ଆଣି ଦେଲି , ନେ ଲଗା ସିନ୍ଦୁର।
ମା କାନ୍ଦୁ ନଥିଲା, କିନ୍ତୁ ନଥ୍ କରି ବେଡ୍ ରେ ବସି ପଡ଼ି କହିଲା , ତୋ ପାପା ସିନ୍ଦୁର ଫରୁଆ ଆଣିଲେ ମୁଁ ସିନ୍ଦୁର ଲଗେଇବି। ସେଇଟା ବଡ଼ ମାଙ୍କ ସିନ୍ଦୁର, ରଖିଦେବୁ ଯା।
ଓହୋ, ସବୁ ବୁଝିଗଲା ପରି କହିଲି।
ମାକୁ ପାଞ୍ଚ ବର୍ଷ ପରେ ବ୍ୟାଙ୍କ ରେ ପାପାଙ୍କ ପରିବର୍ତ୍ତେ ଜବ୍ ମିଳିଲା। କ୍ଷଣେ ମୋତେ ସେ ତା ପାଖରୁ ଆଉ ଅଲଗା କରୁ ନ ଥିଲା।ପାପା ମାତ୍ର ଚଉତିରିଶି ବର୍ଷରେ ଆମକୁ ଛାଡି ଗଲେ ,ଯେତେବେଳେ ମୋ ମା କୁ ମାତ୍ର ଅଠେଇଶି ବର୍ଷ ହୋଇଥିଲା।
ମା ମୋ ରିମୋଟ୍ କଣ୍ଢେଇ ପରି ସବୁ କାମ କରୁଥିଲା। ସେ ବଞ୍ଚିଥିଲା;କିନ୍ତୁ ତା ଦେହରେ ଜୀବନ ନ ଥିଲା।
ବୁଇ ନାନୀ ବାହା ସାହା ହୋଇ ଦୁଇଟି ପିଲାର ମା ହେଲା।ଦିନେ ସେ ଘରକୁ ଆସିଥିଲା ତା ଦୁଇ ପୁଅଙ୍କ ସହ। ମୁଁ ବୁଇ ନାନୀକୁ ଡ୍ରେସିଂ ଟେବୁଲ ପାଖକୁ ଟାଣି ନେଇ ତା କାନ୍ଧ ସହ କାନ୍ଧ ମିଶେଇ କହିଲି, ଦେଖ୍ ବୁଇ ନାନୀ ଏବେ ବଡ଼ ହୋଇ ଯାଇଛି।ଏବଂ ବୁଝି ଯାଇଛି ନୀଳ ଆକାଶ ସବୁଜ କେମିତି ହୁଏ।
ତୋର ଏତେ ଛୋଟ ବେଳ ଭାଇଙ୍କ କଥା ମନେ ଅଛି ! ଆକାଶ କେମିତି ସବୁଜ ହୁଏ , ବର୍ଷା ?
ସିଦ୍ଧାର୍ଥ ମହାନ୍ତିଙ୍କ ଝିଅ ବର୍ଷା କାନ୍ଦିଲେ।
ବର୍ଷା! ଭାରି ହୋଇଗଲା ବୁଇ ନାନୀ ସ୍ୱର।
ମୋତେ ଆଉ ଅପେକ୍ଷା କରିବାକୁ ପଡୁନାହିଁ ବୁଇ ନାନୀ,ପାପା ଟୁର୍ ରୁ ଫେରିବେ ବୋଲି।
ବର୍ଷା !! ବୁଇ ନାନୀ ମୋତେ ଧରି ଖୁ କାନ୍ଦିଲା। ଜାଣିଛୁ ଭାଇ ଆଖି ଦାନ କରିବେ ବୋଲି ବଣ୍ଡ୍ ସାଇନ୍ କରିଥିଲେ।
ତାହେଲେ ମୋ ପାପା ଆଖି ଦାନ କରି ପାରିଥିଲେ।
ହଁ ଡ଼ାକ୍ତର ଖାନାକୁ ଯେତେବେଳେ ଯାଇଥିଲେ ସେତିକି ବେଳେ।
ମୋତେ ଖୁସି ଲାଗିଲା କାହା ଆଖିରେ ତ ମୋ ପାପା ବଞ୍ଚି ଛନ୍ତି।ମୁଁ ହୁ ହୁ ହୋଇ ବଢ଼ିଗଲି। ମା ର ଚିନ୍ତା ବଢ଼ିଲା।ଏତେ ସୁନ୍ଦର ହୋଇଛି ତାର ଝିଅଟି ବୋଲି।
ଏଣୁ ମୋତେ ଶୀଘ୍ର ବାହା କରିଦିଆ ଗଲା। ମୁଁ ଏବେ ଦୁଇ ବର୍ଷ ପୁଅର ମା।
ମା କୁ ଦେଖି ଭାବେ ସବୁ ସିଦ୍ଧାର୍ଥ ,ଗୋପା ମାନଙ୍କୁ ଛାଡି ଚାଲି ଯାଆନ୍ତି କି ! ଗୌତମ ବୁଦ୍ଧ ସେଦିନ ଗୋପା କୁ ଛାଡି ଚାଲିଗଲେ ସନ୍ୟାସ ହୋଇ।ଆଉ ଏବେ ମୋ ପାପା ସୁଦ୍ଧାର୍ଥ ସବୁଦିନ ଏ ମାଟି ମୋହ ଛାଡି ,ମୋ ମା ଗୋପା କୁ ଛାଡି ଚାଲି ବି ଗଲେ। ଗୋପା ମାନଙ୍କର ଦୋଷ କଣ ?
ବର୍ଷା ମୋତେ ଭଲ ଲାଗେ ନାହିଁ।କିନ୍ତୁ ବର୍ଷା ହେଲେ ମୁଁ ଭାଵପ୍ରବଣ ହୋଇ ପଡେ।ବାହାରେ ବର୍ଷା ଟପ୍ ଟପ୍ ହେଲା ବେଳେ ବର୍ଷା ଆଖିରୁ ଲୁହ ଅବିଶ୍ରାନ୍ତ ଭାବେ ଝରେ।
ମୋ ମିଷ୍ଟର ସୂରଜ ବହୁତ ଭଲ।କନକ ଆଞ୍ଜୁଳି ନେଇ ଆମ ଘରୁ ବିଦା ହେଲା ବେଳେ ମା ସୂରଜଙ୍କ ହାତ ଧରି ଖୁବ୍ କାନ୍ଦି କହିଥିଲା , "ବାପା ନଥିବା ଝିଅ ବାବୁ, ତୁମକୁ ଲାଗିଲା। ତୁମେ ତାର ବାପା,ଭାଇ, ଓ ଜୀବନ ସାଥୀ। ଭାରି ସ୍ନେହ ରଙ୍କୁଣୀ ଝିଅଟି ବାବୁ।"ସବୁଠୁ ବିସ୍ମୟ ସୂରଜ ମୋତେ ବେଳେ ବେଳେ ପାପା ପାପା ଲାଗନ୍ତି।
ବାହାରେ ବର୍ଷା କାଚୁଥିଲା।କଲିଂ ବେଲ୍ ଶୁଭିଲାରୁ ମୁଁ ସ୍ମୃତି ରାଇଜରୁ ଫେରି ଡୋର ଖୋଲିବାକୁ ଗଲି।
ସୂରଜ ! ଏତେ ଶୀଘ୍ର ଅଫିସ୍ ରୁ !
ମୁଁ ଜାଣିଥିଲି ବର୍ଷାକୁ ଦେଖି ତୁମେ କାନ୍ଦୁଥିବ।ସେଥିପାଇଁ ଶୀଘ୍ର ପଳେଇ ଆସିଲି।ଜାଣିଛ ,ମୁଁ ଯେଉଁ ଖବର ଆଣିଛି, ଶୁଣିଲେ ତୁମେ ଆଶ୍ଚର୍ଯ୍ୟ ହେବ ନିଶ୍ଚୟ।
କି ଖବର !
କହୁ ନଥିଲି ଦୁଇ ତିନି ଦିନ ହେବ ଆଖିଟି କାଇଁକି ଖୁଂଛି ହେଉଛି ।
ହଁ.....ଆଖିରେ କିଛି ପ୍ରୋବେଲମ୍ ହୋଇଛି କି ? ଡରି କି କହିଲି ମୁଁ।
ଆରେ ନାଇଁ ନାଇଁ! ଟିକେ ଇନ ଫେକ୍ସନ ହୋଇ ଯାଇଛି।ଔଷଧ ଆଣିଛି ,ଦୁଇ ତିନି ଦିନ ପକେଇଲେ ଭଲ ହୋଇଯିବ।ଜାଣିଛ ,ଆମ ଚିହ୍ନା ଡାକ୍ତର ଯିଏ ମୋ ଆଖି ଅପରେସନ୍ କରିଥିଲେ।ଦଶ ବାର ବର୍ଷ ତଳେ ଆକ୍ସିଡେଣ୍ଟ୍ ରେ ମୋ ଦୁଇଟି ଯାକ ଆଖି ନଷ୍ଟ ହୋଇ ଯାଇଥିଲା। ଏ ଦୁଇଟି ଆଖି ମୋର ନୁହେଁ।
ମାନେ !
ଆଜି ଜାଣିଲି ଆଇ ବ୍ୟାଙ୍କର ଏ ଆଖି ଦୁଇଟି ହେଉଛି ସିଦ୍ଧାର୍ଥ ମହାନ୍ତି,ଗୁଣୁପୁର ଗାଁ,ବ୍ୟାଙ୍କ୍ ମ୍ୟାନେଜର ଙ୍କର।
ମୁଁ କାବା ହୋଇ ସୂରଜଙ୍କ ଆଖି ଦୁଇଟି ଉପରେ ହାତ ଥୋଇ କହିଲି ଏ ମୋ ପାପାଙ୍କ ଆଖି !!