The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Santosh Kumar Misra

Tragedy

3  

Santosh Kumar Misra

Tragedy

ଶତାବ୍ଦୀର ଯାଜ୍ଞସେନୀ

ଶତାବ୍ଦୀର ଯାଜ୍ଞସେନୀ

5 mins
16


 ଆୟୁଷୀ କାନ୍ଦୁଥିଲା। ହାତରେ ତା’ର ଥିଲା ଅବିନାଶର ଜଣେ ସହକର୍ମୀ ବନ୍ଧୁ ପଠେଇଥିବା ଚିଠି ଖଣ୍ଡିକ। ସେ ବେଶ୍‌ ବୁଝି ସାରିଥିଲା ଯେ ତା’ ଆଖିର କେତେ ବୁନ୍ଦା ଲୁହ ପୋଛି ଦେବା ପାଇଁ ଅବିନାଶ ଆଉ ତା’ ଆଡକୁ କେବେ ବି ହାତ ବଢେଇ ଦେବନି କିମ୍ବା ବ୍ୟସ୍ତ ହେଇ ଜାଣିବାକୁ ଚାହିଁବନି ଯେ ସେ କହିଁକି କାନ୍ଦୁଛି ବା ମୁହଁ କୁ ଅଥାର ହାଣ୍ଡି ପରି କରିଛି। ଅବିନାଶ ଉପରେ ସେ କରିଥିବା ଅଭିମାନ ଆପେ ଆପେ ଘୁଞ୍ଚି ଯାଉଥିଲା। ସ୍ମୃତିର ଏକ ପ୍ରଶସ୍ତ ଚଉଛକି ଉପରେ ଠିଆ ହେଇ ଆୟୁଷୀ ଅବଶ୍ୟ ମନେ ପକାଉଥିଲ ଅବିନାଶ ସହିତ ତା’ର କେତୋଟି ଅନ୍ତରଙ୍ଗ ମୁହୂର୍ତ୍ତକୁ।

            କାଲି ଭଳିଆ ଲାଗୁଥିଲା ତାକୁ, ଅବିନାଶ ଏହି ସହରକୁ ବଦଳି ହୋଇ ଆସିବା। କିନ୍ତୁ ଏହି ଭିତରେ ଯେ ବେଶ କିଛି ବର୍ଷ ବିତି ଗଲାଣି ସେ କଥା ଆୟୁଷୀ କଳ୍ପନା କରି ପାରୁନଥିଲା।

ପ୍ରଥମ ଦେଖାରେ ଆୟୁଷୀ ଓ ଅବିନାଶ ଉଭୟ ଉଭୟଙ୍କୁ ଖୁବ୍‌ ନିଜର କରି ନେଇ ପାରିଥିଲେ ଏବଂ ଧିରେ ଧିରେ ସେ ସମ୍ପର୍କ ସମୟ କ୍ରମେ ମଜବୁତ୍‌ ହେବାକୁ ଲାଗିଲା। ଅବିନାଶ ସହିତ ସମ୍ପର୍କ ବଢିବା ପରେ ଆୟୁଷୀ ସମ୍ଭବତଃ ଭୁଲି ଆସୁଥିଲା ତା’ର ଅତୀତକୁ ଓ ତା ସହିତ ତା ନିଜର ନିଃସଙ୍ଗତାକୁ।

            ତିନି ତୁଣ୍ଡରେ ଛେଳି କୁକୁର ନ୍ୟାୟରେ ହୁ ହୁ ହୋଇ ଖେଳି ଯାଇଥିଲା ସହରରେ ଆୟୁଷୀ ଓ ଅବିନାଶଙ୍କ ସମ୍ପର୍କର ନିବିଡତାର ପୁରାଣ। ଉଭୟଙ୍କର ସମ୍ପର୍କକୁ ନେଇ ସହରୀ ଭାଇମାନେ କରି ଚାଲିଥିବା ଆକ୍ଷେପ କି ସମାଲୋଚନା ପାଇଁ ଉଭୟଙ୍କର କେବେ ବି ଖାତିର୍‌ ନଥିଲା। ଉଭୟ ଅବଶ୍ୟ ବିଶ୍ବାସ କରୁଥିଲେ ସ୍ନେହ ଓ ପ୍ରେମ ର ସମ୍ପର୍କ ହିଁ ସର୍ବଦା ଶାଶ୍ବତ।

ଆୟୁଷୀ ତଥାପି କିନ୍ତୁ ନିଜର ମନକୁ ଦୃଢିଭୂତ କରି ପାରୁନଥିଲା। ସେ ଭାବି ପାରୁ ନଥିଲା ତା’ର ପିଲାମାନେ ଅବିନାଶ ସହିତ ତା’ର ଏହି ସମ୍ପର୍କକୁ କିଭଳି ଭାବରେ ଗ୍ରହଣ କରିବେ ବା ସାହି ଭାଇଙ୍କର ଏହି ସମ୍ପର୍କକୁ ନେଇ ରୁକ୍ଷ ବେଖାପ ମନ୍ତବ୍ୟ ସବୁ ସେମାନଙ୍କର କୋମଳ ମନରେ କିଭଳି କମ୍ପନ ସୃଷ୍ଟି କରିବ। ସମୟ ସମୟରେ ଏହି ପ୍ରଶ୍ନକୁ ନେଇ ଚିନ୍ତାଗ୍ରସ୍ତ ହୋଇ ପଡୁଥିଲା ଆୟୁଷୀ। ଅବିନାଶକୁ କେନ୍ଦ୍ର କରି ତା’ର କଳ୍ପନାରେ ସୃଷ୍ଟି ହେଉଥିଲା ଅନେକ ଭଟ୍ଟା।

            ପୁରୁଷ ଓ ସ୍ତ୍ରୀର ସୀମାବଦ୍ଧ ସମ୍ପର୍କକୁ ସ୍ବୀକାର କରିବାକୁ କେବେ ବି ଚାହୁଁ ନଥିଲା ଆୟୁଷୀ। ତା’ ମତରେ ସେ ସବୁ ଥିଲା କେଉଁ ମରହଟ୍ଟୀ ଯୁଗର ଗୋଚ୍ଛା ଗୋଚ୍ଛା ସରମନ୍‌। ଏକବିଂଶ ଶତାବ୍ଦୀକୁ ଆବୋରି ସାରିଥିବା ବେଳେ ସେ ସେହି ମରହଟ୍ଟୀ ସରମନ ଗୁଡିକୁ ଅନ୍ଧ ଭାବରେ ବା ଗ୍ରହଣ କରି ନିଅନ୍ତା କାହିଁକି? କାହିଁକି ବା ସେ ନିରୂପଣ କରନ୍ତାନି ପୁରୁଷ ଓ ସ୍ତ୍ରୀର ସମ୍ପର୍କର ଏକ ସମୟୋପଯଗୀ ସଂଜ୍ଞା। ପ୍ରତ୍ୟେକ ସ୍ତ୍ରୀ ଏକ ନିର୍ଦ୍ଦିଷ୍ଟ ପୁରୁଷକୁ ନିଜର ଇହକାଳ ପରକାଳ ଦେବତା ବୋଲି ସ୍ବୀକାର କରିନେଇ ତା’ର ସମସ୍ତ ଧିକ୍କାରରେ ଜର୍ଜରିତ ହୋଇ ମଧ୍ୟ ତା ସହିତ ବଞ୍ଚି ରହିବାର ପାରମ୍ପରିକ ମାନସିକତାକୁ କାହିଁକି ବା ସେ ଭୁଷୁଡେଇ ଦେବାକୁ ଚେଷ୍ଟା କରନ୍ତାନି? ଆୟୁଷୀର ଯୁକ୍ତିରେ ରହୁଥିଲା ପ୍ରତ୍ୟେକ ସ୍ତ୍ରୀର ବ୍ୟକ୍ତିଗତ ଜୀବନରେ ସ୍ବାଧିନତାର ଦାବୀ, ସ୍ବେଚ୍ଛାଚାରୀ ପୁରୁଷ ପ୍ରାଧାନ୍ୟ ସମାଜ ମଧ୍ୟରେ ପ୍ରତ୍ୟେକ ସ୍ବାଧିନଚେତା ସ୍ତ୍ରୀ ପାଇଁ ସସମ୍ମାନେ ବଞ୍ଚିରହିବାର ଅଧିକାରର ଦାବୀ, ପ୍ରତ୍ୟେକ ସ୍ତ୍ରୀର ସାମାଜିକ ତଥା ବ୍ୟକ୍ତିଗତ ସୁରକ୍ଷାର ଦାବୀ।

            ଆୟୁଷୀ ଜାଣିଥିଲା ତା’ର ଯୁକ୍ତିକୁ ସମାଜର ବଡପଣ୍ଡା ମାନେ ସହଜରେ ଗ୍ରହଣ କରି ପାରନ୍ତି ନାହିଁ। ନାରୀ ମୁକ୍ତି ଆନ୍ଦୋଳନର ପ୍ରବକ୍ତା ସାଜିଥିବା ପୁରୁଷମାନେ ନିଜ ନିଜ ସାମାଜିକ ସ୍ଥିତିରୁ ତିଳେ ମାତ୍ର ବିଚ୍ୟୁତ ହେବାକୁ ଚାହୁଁ ନଥିବା ବେଳେ କିନ୍ତୁ ସମାଜରେ ଆୟୁଷୀ ମାନଙ୍କର ଯୁକ୍ତିକୁ ନାରୀମୁକ୍ତି ଆନ୍ଦୋଳନର ଶ୍ଲୋଗାନ ଭାବରେ ଅପ୍ରକାଶ୍ୟରେ ଗ୍ରହଣ କରି ନେଇଥାଆନ୍ତି। ନିଜ ନିଜର ସ୍ଥିତି କୁ ନେଇ ଆତଙ୍କିତ ହେଲାବେଳେ ସେମାନେ ଅବଶ୍ୟ ଆତ୍ମରକ୍ଷା ପାଇଁ ଦୈନନ୍ଦିନ ସାମାଜିକ ଜୀବନର ପଶାପାଲିରେ ଗୋଟିଏ ଗୋଟିଏ ଅସହାୟ, ଅବରୁଦ୍ଧ, କଳଙ୍କିତ ପଶାଗୋଟି ଭାବରେ ପ୍ରକ୍ଷେପିତ କରନ୍ତି ଏହି ଆୟୁଷୀମାନଙ୍କୁ। ଆୟୁଷୀର ହୃଦ୍‌ବୋଧ ହୋଇଥିଲା ହୁଏତ ଏଇ ହିଁ ଥିଲା କାରଣ ଯେଉଁଥି ପାଇଁ ତା’ର ଅବିନାଶ ସହିତ

ସମ୍ପର୍କକୁ ନେଇ ତାକୁ ରାସ୍ତା ଘାଟରେ ଶୁଣିବାକୁ ମିଳୁଥିଲା ଅସରନ୍ତି ଅଶ୍ରାବ୍ୟ, ଅଶାଳୀନ ଓ ରୂଚିହୀନ ମନ୍ତବ୍ୟ। ତଥାପି ଏସବୁକୁ ବେଖାତିର୍‌ କରି ଅବିନାଶ ସହିତ ତା’ର ସମ୍ପର୍କକୁ କାଏମ୍‌ ରଖିଥିଲା ସେ। ଅବିନାଶ କୁ କେନ୍ଦ୍ର କରି ତା’ ମନରେ ଜନ୍ମ ନେଉଥିବା କଳ୍ପନା ଗୁଡିକୁ ସେ ବଞ୍ଚେଇ ରଖିବାକୁ ଚାହୁଁଥିଲା।

            ଆୟୁଷୀ କୁ ଅଛପା ନଥିଲା ଯେ ଅବିନାଶ ଜଣେ ବିବାହିତ ପୁରୁଷ। ସେ ବୁଝିବାକୁ ବାକି ନଥିଲା ସେଥିପାଇଁ ଅବିନାଶ ସହିତ ତା’ ସମ୍ପର୍କର ପରିସର କେତେ ସିମୀତ ଓ କେତେ ସଙ୍କୁଚିତ ମଧ୍ୟ। ତଥାପି ସେ ଆଶା କରୁଥିଲା ଅବିନାଶ ତାର ସେ ସୀମାକୁ ଅତିକ୍ରମ କରି ଅଣଲେଉଟା ଭାବରେ ତାକୁ କାନ୍ଧେଇ ନେବ ଦୂର ଏକ ପରି ରାଇଜକୁ ଯେଉଁଠି ଦୁନିଆ ଅଖିଠାରୁ ଦୂରରେ ଥାଇ ଉଭୟ ଉଭୟଙ୍କର ହସ ଲୁହର ଜୀବନରେ ସହଭାଗୀ ହୋଇ ପାରିବେ। ଯେଉଁଠି ସେମାନଙ୍କର ଏହି ସମ୍ପର୍କକୁ ନେଇ କେହି ସେମାନଙ୍କୁ କେବେ ବି ପ୍ରଶ୍ନ ବାଣରେ ଆକ୍ରାନ୍ତ କରିବାର ସାହାସ କରିବେନି। କିନ୍ତୁ ଆୟୁଷୀର ଏହି ସ୍ବପ୍ନ ସବୁ ଜମାଟ ବନ୍ଧିବା ଆଗରୁ ବାରମ୍ବାର ମିଳେଇ ଯାଉଥିଲା। ଫଳରେ ଆୟୁଷୀ ମାନସିକ ଯନ୍ତ୍ରଣା ହେତୁ କ୍ରମଶଃ ଅଧିକରୁ ଅଧିକ ରୁକ୍ଷ ହେଇ ଉଠୁଥିଲା। ସେତେବେଳେ ଅବିନାଶ ତା’ ଆଖିରେ ହେଇ ଉଠୁଥିଲା ଏକ ଭିନ୍ନ ବ୍ୟକ୍ତିତ୍ବ। ଅଭିମାନର ମେଘନାଦ ପାଚେରୀ ଭିତରେ ଆବଦ୍ଧ ରହୁଥିଲା ଆୟୁଷୀ ଗୋଟାଏ ଭୀଷଣ ଗୁମ୍‌ସୁମ୍‌ ପରିବେଶକୁ ଆପଣେଇ ନେଇ।

            ଅବିନାଶ ଯେ ଆୟୁଷୀର କ୍ରୁରତାର କାରଣ ପରଖି ପାରି ନଥିଲା ବା ରୁକ୍ଷତାର ଗଭୀରତାକୁ ମାପି ପାରିନଥିଲା ତା ନୁହେଁ, ସେ ଆୟୁଷୀର କୃରତା ପାଖରେ ନିଜର ନୈତିକତାକୁ ବଳି ଦେବାକୁ ଚାହୁଁନଥିଲା। ସେ ଅବିଶ୍ବାସ କରୁ ନଥିଲା କି ପୁରୁଷ ଓ ସ୍ତ୍ରୀର ସମ୍ପର୍କ ଆବଶ୍ୟକତା ଠାରୁ ଅଧିକ ନିବିଡ ବୋଲି ପ୍ରତୀୟମାନ ହେଲେ ତାହା ଦୁନିଆ ଆଗରେ ନିଷ୍ପାପ ବୋଲି ଆଦୌ ଗ୍ରହଣୀୟ ହେଇ ପାରେନା। ହୁଏତ ସେହି କାରଣରୁ ଅବିନାଶ ନିଜ ଅଜାଣତରେ ହେଉ କି ଜାଣତରେ ଆୟୁଷୀ ପ୍ରତି ବେଳେ ବେଳେ କରୁଥିବା ଭିନ୍ନ ଆଚରଣରେ ଆୟୁଷୀ କ୍ଷୁବ୍ଧ ହେଉଥିଲା। କୁଢ କୁଢ ଅଭିମାନରେ ପୋତି ହୋଇ ସେ ସମୟ ସମୟରେ ଦିନ ଦିନ ଧରି ନିଜକୁ ଅବିନାଶ ପାଖରୁ ଦୂରେଇ ରଖୁଥିଲା। ସେଦିନ ମଧ୍ୟ ଏମିତି ଏକ ଘଟଣା କ୍ରମରେ ଅବିନାଶ ଉପରେ ଖୁବ୍‌ ବିରକ୍ତ ହେଇ ଯାଇଥିଲା ଆୟୁଷୀ।

ଏଥରର ଘଟଣାରେ ଅବିନାଶ ଖୁବ୍‌ ଆଘାତ ପଇଥିଲେ ମଧ୍ୟ ସମୟର ସମାଧାନ ପାଇଁ ଅପେକ୍ଷ କରୁଥିଲା। ସବୁଥର ପରି ଏଥର ସେ ଆୟୁଷୀର ମାନ ଭଞ୍ଜନ ପାଇଁ କୌଣସି ଚେଷ୍ଟା କରି ନଥିଲା। ଅବିନାଶ ଅବଶ୍ୟ ଭୁଲି ଯାଇ ନଥିଲା ଯେ ଦିନେ ଏକ ଦୁର୍ବଳ ମୁହୂର୍ତ୍ତରେ ସେ ଆୟୁଷୀ ପାଖରେ ପ୍ରତିଶୃତି ବଦ୍ଧ ହୋଇଥିଲା କି ଆଗାମୀ ଦିନ ମାନଙ୍କରେ ସେ ଆୟୁଷୀର

ନିଃସଙ୍ଗତାକୁ ଦୂର କରିବା ପଇଁ ଚେଷ୍ଟା କରିବ ଠିକ୍‌ ତାର ଜଣେ ଅଭିଭାବକ ପରି ଏବଂ ସମୟକୁ ବାଜି ମାରି ପ୍ରତ୍ୟେକ ମୁହୂର୍ତ୍ତକୁ ସେ ସଜାଡି ଦେବ ତା ପାଇଁ ଖୁସି ର ଗନ୍ତା ଘର ଭାବରେ। କିନ୍ତୁ ପରିବର୍ତ୍ତିତ ପରିସ୍ଥିତିରେ ଆୟୁଷୀକୁ ଦେଇଥିବା ପ୍ରତିଶୃତି ରକ୍ଷା କରି ପାରୁ ନଥିବାରୁ ସେ ଅବଶ୍ୟ ଚିନ୍ତିତ ହୋଇ ଉଠିଥିଲା। ସେ ଆପେ ଆପେ ନିଜ ଅଜାଣତରେ ଆୟୁଷୀ ଠାରୁ ବେଶ କିଛି ଦୂରକୁ ଚାଲି ଯାଉଥିଲା। ପୁରୁଷ ଓ ସ୍ତ୍ରୀ ର ସମ୍ପର୍କ କୁ ନେଇ ଏକଦା ଭିନ୍ନ ଭିନ୍ନ ମୋଡର ଭାଷଣ ଦେଉଥିବା ଆୟୁଷୀ ନିଜେ କିନ୍ତୁ ନିଜ ଦେହ ଆଉ ମନର ଦାବୀ ଆଗରେ ଝୁଙ୍କି ପଡିବାକୁ ବାଧ୍ୟ ହେଉଥିଲା। ଅବିନାଶର ଭିନ୍ନ ପ୍ରତିଶୃତି ତାକୁ ଆଦୌ ସନ୍ତୁଷ୍ଟ କରି ପାରୁ ନଥିଲା।

ସେ ଚହୁଁଥିଲା ଅବିନାଶ ଠାରୁ ଅନ୍ୟ ଏକ ପ୍ରତିଶୃତି। ସେ ଚାହୁଁଥିଲା ବର୍ଷ ବର୍ଷ ଧରି ତାଙ୍କର ଏହି ସମ୍ପର୍କର ନିର୍ଦ୍ଦିଷ୍ଟ ଏକ ନାମକରଣ। ସେ ଇଚ୍ଛା କରୁଥିଲା ସବୁଦିନ ପାଇଁ ଅବିନାଶକୁ ନିଜ ପଣତ କାନିରେ ଗଣ୍ଠିଦେଇ ବାନ୍ଧି ରଖିବ ନିଜ ସ୍ବପ୍ନର ମଣିଷ କରି। ପଛ ଘୁଞ୍ଚା ଦେଉଥିଲା ଅବିନାଶ।

            ଆଜି କିନ୍ତୁ ସମୟ ଖୁବ୍‌ ବଦଳି ଯାଇଛି। ଆୟୁଷୀର ମାନ ଅଭିମାନର ପୃଥିବୀ ଠାରୁ ଅବିନାଶ ଚାଲିଯାଇଥିଲା ବେଶ୍‌ ଦୂରକୁ। ହୁଏତ ଦୂର ରେ ଥାଇ ସେ ଦୁଃଖ କରୁଥିବ ଯେ ଦେଇ ଥିବା କଥା ଅନୁଯାୟୀ ଆୟୁଷୀ ଆଖିର ଅବଶିଷ୍ଟ ଲୁହ ପୋଛିଦେବା ପାଇଁ ସେ ସକ୍ଷମ ହୋଇ ପାରିଲା ନାହିଁ। ସେ ସମୟ ପାଇ ପାରିଲା ନାହିଁ ଅୟୁଷୀ ଓଠର ଚେନାଏ ହସର ବିନିମୟରେ ତା’ର ସମସ୍ତ ସ୍ବଅର୍ଜିତ ପୁଣ୍ୟକୁ ଆୟୁଷୀର ଖୁସି ପାଇଁ ଖର୍ଚ୍ଚ କରିଦେବା ପାଇଁ । ସମୟ ପାଇ ପାରିଲାନି ସେ ଆୟୁଷୀ ମୁଣ୍ଡରେ ହାତଥାପି କହିବା ପାଇଁ କି ଆୟୁଷୀ! ମତେ କ୍ଷମା କର ମୁଁ ତୁମର ସ୍ବପ୍ନକୁ ସାକର କରିବା ପାଇଁ ଜଣେ ଭଲ ଅଭିଭାବକର ଭୂମିକା ତୁଲେବାକୁ ସମର୍ଥ ହେଇ ପାରିଲିନି।

            ଆୟୁଷୀ ତରବର ହୋଇ ଆସି ପହଞ୍ଚିଲା ଅବିନାଶର ସରକାରୀ ଘରେ। ବନ୍ଧୁ ବାନ୍ଧବ ସବୁ ଘେରି ରହିଥିଲେ ଅବିନାଶକୁ। ଅବିନାଶର ଜଣେ ସହକର୍ମୀ ଯିଏ ଚିଠି ଲେଖି ଅବିନାଶର ଦେହାନ୍ତ ସମ୍ବାଦ ପଠେଇଥିଲେ ଆୟୁଷୀକୁ, ତାକୁ ସୂଚୀତ କଲେ କି ଏକ ଜୋରଦାର ହୃଦ୍‌ଘାତ ଯୋଗୁଁ ଅବିନାଶର ଦେହାନ୍ତ ହେଇଯାଇଛି। ଆୟୁଷୀ ଭିଡ ଠେଲି ପହଞ୍ଚିଲା ଅବିନାଶର ମର ଶରୀର ପାଖରେ। ଅବିନାଶର ନିଶ୍ଚଳ ଶରୀରଟି ଧୋଇ ହେଇ ଯାଉଥିଲା ଆୟୁଷୀ ଆଖିରୁ ନିଗୁଡୁଥିବା ଲୁହ ବୁନ୍ଦାରେ। ମନେ ହେଉଥିଲା ଅବିନାଶ ଯେମିତି ନିର୍ବିକାରରେ ଶୋଷି ନେଉଥିଲା ଆୟୁଷୀ ଆଖିର ଲୁହର ସମୁଦ୍ରକୁ। ତାର ଅଭିମାନ ଯୋଗୁଁ ଅବିନାଶ କୁ ଦେଇଥିବା ପରୋକ୍ଷ ମାନସିକ ଆଘାତ ପାଇଁ ଲହୁ ଲୁହାଣ ହେଉଥିଲା ଆୟୁଷୀ ସମସ୍ତଙ୍କର ଅଗୋଚରରେ। ସେ ଅନୁତାପ କରୁଥିଲା ଅବିନାଶର ମହାନତା ତା ପାଇଁ ଅବୁଝା ରହିଗଲା ବୋଲି। ପରକ୍ଷଣରେ ଅବିନାଶର ଚିତା ସହିତ ତାଳ ଦେଇ ଜଳୁଥିବା ଆୟୁଷୀର ଅଭିମାନର ଜୁଇ ଭିତରୁ କ୍ରମଶଃ ଉତ୍ତୁରି ଆସୁଥିଲା ଏକ ଭିନ୍ନ ସ୍ତ୍ରୀ – ଶତାବ୍ଦୀର ଯାଜ୍ଞସେନୀ।



Rate this content
Log in

Similar oriya story from Tragedy