ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ଶକ୍ତିର ବଳଠାରୁ ବୁଦ୍ଧିର ବଳ ବେଶି

ଶକ୍ତିର ବଳଠାରୁ ବୁଦ୍ଧିର ବଳ ବେଶି

2 mins
7.4K


ଏକଦା ଗୋଟିଏ ଗ୍ରାମରେ ଛେଳିଟିଏ ଜଙ୍ଗଲରେ ଚରୁ ଚରୁ ସାଥୀମାନଙ୍କ ଠାରୁ ବହୁ ଦୂରକୁ ଚାଲିଗଲା । ଧୀରେ ଧୀରେ ସନ୍ଧ୍ୟା ହୋଇ ଆସୁଥିଲା । ବହୁତ ଏପଟ ସେପଟ ଧାଇଁ କୌଣସି ସାଥୀକୁ ନପାଇବାରୁ ଜୀବନ ବିକଳରେ ଗୋଟିଏ ଗୁମ୍ଫାରେ ପଶିଗଲା । ସେଇଟା ଥିଲା ଗୋଟିଏ ବାଘର ଗୁମ୍ଫା । କିଛି ସମୟ ପରେ ବାଛୁରୀଟିଏ ଧାଇଁଆସି ସେଇ ଗୁମ୍ଫାରେ ପଶିଲା । ଛେଳିକୁ ଦେଖି ବାଛୁରୀ ଭାବିଲା ସେଇଟା ଛେଳିର ଘର ଓ ବାଛୁରୀକୁ ଦେଖି ଛେଳି ଭାବିଲା ସେଇଟା ବାଛୁରୀର ଘର । ହେଲେ କେହି ନିଜର ମନକଥା କାହା ଆଗରେ ପ୍ରକାଶ କଲେନି । ମନେ ମନେ ନିଜ ଭାବନାକୁ ନିଶ୍ଚିନ୍ତରୂପେ ଠିକ୍ ଭାବି ଛେଳି ଗୋଟିଏ କୋଣରେ ଓ ବାଛୁରୀ ଗୋଟିଏ କୋଣରେ ଆନନ୍ଦରେ ଶୋଇଗଲେ । ଠିକ୍ ଅଧରାତି ବେଳକୁ ମହାବଳ ବାଘ ନିଜ ଗୁମ୍ଫାରେ ପଶିଲା । ସେଦିନ ତାକୁ କୌଣସି ଶିକାର ମିଳି ନଥାଏ । ତେଣୁ ଭୋକ ତାକୁ ଯେତିକି ହେଉଥାଏ, ରାଗ ତା’ର ଦ୍ୱିଗୁଣ ହେଉଥାଏ । ଗୁମ୍ଫାରେ ପଶି ସେ ଯେତେବେଳେ ଗୋଟିଏ ପଟେ ଛେଳି ଓ ଅନ୍ୟପଟେ ବାଛୁରୀକୁ ଦେଖିଲା ଖୁସିରେ ତା’ ମନ କୁରୁଳି ଉଠିଲା । ସେ ମନେ ମନେ ଈଶ୍ୱରଙ୍କୁ ମୁଣ୍ଡିଆଟିଏ ମାରି ପ୍ରଥମେ ବାଛୁରୀ ଉପରକୁ ଲମ୍ପ ଦେଲା । ବାଛୁରୀ ଆଖି ଖୋଲିବା ପୂର୍ବରୁ ହିଁ ବାଘ ତା’ ତଂଟି କଣା କରି ସାରିଥିଲା । ବାଘ ଗର୍ଜନରେ ଛେଳିର ନିଦ ଭାଙ୍ଗିଗଲା । ଆଗରେ ମହାବଳକୁ ଦେଖି ସେ କ’ଣ କରିବ ଚିନ୍ତା କରିପାରିଲାନି । ଭୟରେ ତା’ ଗୋଡ ଥରିଲା । ବାଛୁରୀକୁ ଖାଇସାରିବା ପରେ ବାଘ ନିଶ୍ଚୟ ତାକୁ ଖାଇବ । ସେ ଯେତେବେଳେ ଜାଣିଲା ତା’ର ମୃତ୍ୟୁ ସୁନିଶ୍ଚିତ, ସେ ଉପାୟଟିଏ ଚିନ୍ତାକଲା । ଶକ୍ତିରେ ତ ସେ ପାରିବନି ତେଣୁ ବୁଦ୍ଧିରେ ଯଦି ହରାଇ ସେ ମହାବଳ କବଳରୁ ଖସିଯାଏ ତା’ ଜୀବନ ବଂଚିଯିବ ।

ସେ ଛାତିକୁ ଦମ୍ଭ କରି କହିଲା – “କ’ଣ ବାଘମାମୁଁ ଖାଦ୍ୟଟା କେମିତି ଲାଗିଲା । ବୋଧହୁଏ ତମ ପେଟ ପୁରି ନଥିବ । ଠିକ୍ ଅଛି, କାଲି କିନ୍ତୁ ଯେଉଁ ମାଲ୍ଟା ଆଣିବି ତମେ ଦି’ଦିନ ଖାଇବ ।” ବାଘ ବାଛୁରୀକୁ ଖାଉ ଖାଉ ଟିକେ ରହିଯାଇ କହିଲା – “ଆଚ୍ଛା, ଏ ବାଛୁରୀକୁ ମୋ ଗୁମ୍ଫାକୁ ତା’ହେଲେ ତୁ ଆଣିଥିଲୁ । ତୋତେ କିଏ କହିଲା ମୋ ପାଇଁ ଖାଦ୍ୟ ଯୋଗାଣ କରିବାକୁ?” ଛେଳି ତତ୍କ୍ଷଣାତ୍ କହିଲା – “ଈଶ୍ୱର ମୋତେ ସ୍ୱପ୍ନରେ ଦେଖାଦେଇ କହିଲେ, ଜଙ୍ଗଲରେ ଗୋଟାଏ ମହାବଳ ବାଘ ଅଛି, ଆଜି ଠାରୁ ତା’ର ଖାଦ୍ୟ ଯୋଗାଇବା ଦାୟିତ୍ୱ ତୋର । ପୂର୍ବଜନ୍ମରେ ତୁ ତା’ର ଋଣି ଥିଲୁ । ତେଣୁ ଏ ଜନ୍ମରେ ସେ ଯେହେତୁ ବୁଢା ହୋଇ ଖାଦ୍ୟ ସଂଗ୍ରହ କରିପାରୁନି, ଅବଶିଷ୍ଟ ଦିନ ତୁ ତାକୁ ଖାଦ୍ୟ ଯୋଗାଇ ଋଣମୁକ୍ତ ହେବୁ । ତା’ପରେ ଈଶ୍ୱର ମୋତେ କେଉଁଦିନ କେଉଁ ଖାଦ୍ୟ କେଉଁଠାରୁ ଆଣିବି ତା’ର ସନ୍ଧାନ ଦେଇ ତମ ଗୁମ୍ଫା ଦେଖାଇ ଅନ୍ତର୍ଦ୍ଧାନ ହୋଇଗଲେ । ସେ ଆଜି ଏଇ ବାଛୁରୀଟିକୁ ତମ ଗୁମ୍ଫାକୁ ଆଣିବାକୁ ଦେଖାଇଥିଲେ । ତେଣୁ ମୁଁ ନେଇ ଆସିଲି । ବାଘ ଛେଳିକୁ ପ୍ରଶଂସା କରି କହିଲା – ମୋର ଖାଦ୍ୟ ଦରକାରଥିବା ବେଳେ ତୁ ମତେ ଭଲ ଶିକାରଟିଏ ଯୋଗାଡ କରି ଦେଇଛୁ । ଛେଳି ହସି ହସି କହିଲା – ଆସନ୍ତା କାଲି ତମ ପାଇଁ ଆହୁରି ବଢିଆ ଶିକାର ଯୋଗାଡ କରି ଆଣିବି । ରାତି ପାହିଲା, ବାଘ କହିଲା – ଛେଳି ମୁଁ ତୋତେ ଏଇ ଗୁମ୍ଫାରେ ଅପେକ୍ଷା କରିଥିବି ବାଛି ବାଛି ଭଲ ଶିକାରଟିଏ ଆଣିବୁ । ଛେଳି ହଁ ମାରି ମେଁ… ମେଁ… ବୋବାଇ ବୋବାଇ ବାଘ ହାବୁଡରୁ ଖସି ଆସିଲା । ଛେଳିର ଉପସ୍ଥିତ ବୁଦ୍ଧି ଯୋଗୁଁ ସେ ବାଘ ମୁହଁରୁ ନିଜ ଜୀବନ ବଂଚାଇ ପାରିଲା । କଥାରେ ଅଛି ଶକ୍ତିର ବଳ ଠାରୁ ବୁଦ୍ଧିର ବଳ ବେଶି ।


Rate this content
Log in

Similar oriya story from Children