Sruti Nayak

Inspirational

4.0  

Sruti Nayak

Inspirational

ଶିଳାରୁ ଦେଵତ୍ଵ

ଶିଳାରୁ ଦେଵତ୍ଵ

3 mins
78


ରାସ୍ତାର ଗୋଟିଏ କଡରେ ପଡ଼ିଥିଲା ଖୁବ୍ ପୁରୁଣା ଶିଳାଖଣ୍ଡଟିଏ । ଖୁବ୍ ବଡ଼ ନହେଲେ ମଧ୍ୟ ସାଧାରଣ ଠାରୁ ଟିକିଏ ବଡ଼ ଥିଲା । ଖରା, ବର୍ଷା, ଶୀତ ମାଡ଼ ଖାଇ ପଡ଼ିରହିଥିଲା ରାସ୍ତା କଡ଼ରେ । କଣ ବା କରିବ? ଚଳତ୍ ଶକ୍ତି ହୀନ ସେ । ଖରାରେ ପଡି ଉତ୍ତପ୍ତ ହେଲାବେଳେ ସେ ଭାବେ ଶୀତ ଋତୁଟା ଭଲ । ଅନ୍ତତଃ ଏତେ ଗରମ ତ ଲାଗିବନି । ତ ଶୀତ ରାତିରେ ଖୁବ୍ ଶୀତଳ ହେଲାବେଳେ ଭାବୁଥିଲା ଟିକେ ଖରା ହୁଅନ୍ତାନି ଏହି ସମୟରେ । ଦିନେ କିଛି ଲୋକ ସେହି ଶିଳା ପାଖରେ ଠିଆହୋଇ କଥା ହେଲେ ଯେ ସେଇଟି ଢ଼ିଙ୍କି ପାଇଁ ଖୁବ୍ ଭଲ ହେବ । ଆତଙ୍କରେ ଥରିଗଲା ଶିଳାଖଣ୍ଡ । ପ୍ରତି ମୁହୂର୍ତ୍ତରେ କିଛି ଓଜନିଆ ପଦାର୍ଥର ଆଘାତ କଳ୍ପନା କରି ସେ ଶିହରୀ ଉଠୁଥିଲା । କିନ୍ତୁ ଲୋକମାନେ ଆଉ କିଛି ଦିନ ପରେ ସେଇଟି ନେବାର ପ୍ରସ୍ତାବ ରଖି ସେଠାରୁ ଚାଲିଗଲେ । ଶିଳାଖଣ୍ଡ ଭାବିଲା ଆଉ ଦୁଇ ତିନି ଦିନ ପରେ ବୋଧହୁଏ ସେମାନେ ଆସି ତାକୁ ସେଠାରୁ ନେଇଯିବେ । ଏକ ଅନାଗତ କଠୋର ଭବିଷ୍ୟତ ଆଶଙ୍କାରେ ସେ ଆତଙ୍କିତ ହୋଇରହିଲା।

 କିଛି ଦିନ ପରେ ଦୁଇ ଜଣ ବ୍ୟକ୍ତି ଆସି ଶିଳାଖଣ୍ଡଟିକୁ ସେହି ସ୍ଥାନରୁ ଉଠାଇ ନେବାକୁ ଲାଗିଲେ । ଶିଳାଖଣ୍ଡ ଭାବିଲା ସେ ଢ଼ିଙ୍କି ହେବାକୁ ଯାଉଛି । କିନ୍ତୁ ଯେଉଁଠାରେ ପହଞ୍ଚିଲା ସେ ସ୍ଥାନ ଦେଖି ସେ ଜାଣିପାରିଲା ତାହା ଏକ ଶିଳ୍ପୀର ଘର । ଚାରିପାଖରେ ପୁରାଗଢ଼ା ଓ ଅଧାଗଢ଼ା ମୂର୍ତ୍ତିମାନ ରଖାଯାଇଥାଏ । ଶିଳ୍ପୀ ଗୋଟିଏ ମୂର୍ତ୍ତି ଗଢିବାରେ ବ୍ୟସ୍ତ ଥିଲେ । ଶିଳାଟି ଆସି ପହଞ୍ଚିଗଲା ପରେ ସେ ଟିକିଏ ଶିଳାଟିକୁ ଚାହିଁଲେ, ପୁଣି ନିଜ କାମରେ ବ୍ୟସ୍ତ ହୋଇଗଲେ । ଶିଳାଖଣ୍ଡଟି ସେହିପରି ପଡି ରହି ଅନ୍ୟମାନଙ୍କର ପରିସ୍ଥିତି ଅନୁଧ୍ୟାନ କରିବାରେ ଲାଗିଗଲା । ଅନ୍ୟମାନଙ୍କର ପୃଷ୍ଠରେ ନିହାଣର ମାଡ଼ ଦେଖି ସେ ଯନ୍ତ୍ରଣା ଅନୁଭବ କରୁଥାଏ । ସେ ଅପେକ୍ଷା କରିଥାଏ କେଉଁ ଦିନ ତାର ଦୁର୍ଦ୍ଦଶାର ଆରମ୍ଭ ହେବ । ପ୍ରସ୍ତୁତ ହୋଇ ଯାଇଥିବା ମୂର୍ତ୍ତିଗୁଡିକ ଅନ୍ୟ କେଉଁ ସ୍ଥାନକୁ ନୂତନ କଳେବରରେ ସ୍ଥାନାନ୍ତରିତ ହେଉଥାନ୍ତି । ଏହିଭଳି ପାଖାପାଖି ୧୫ ଦିନ ଚାଲିଗଲା । ଦିନେ ଶିଳ୍ପୀ ସକାଳୁ ସକାଳୁ ଆସି ସେ ଶିଳାଖଣ୍ଡ ପାଖରେ ଠିଆହୋଇ ଗଲେ । ସଦ୍ୟ ଦେବପୁଜା ସାରି ଆସିଥାନ୍ତି ସେ । ଦୁଇ ମିନିଟ୍ ଯାଏଁ ସେ ଶିଳାଖଣ୍ଡକୁ ଚାହିଁ ଠିଆ ହୋଇ ରହିଲେ ବିଲକୁଲ୍ ଆତ୍ମତ୍ସ୍ଥ ହେବାଯାଏ । ଏହାପରେ ସେ ନିଜ ସ୍ଥାନରେ ଆଖିବୁଜି ଠିଆ ହୋଇ ରହିଲେ ପ୍ରାୟ ଦଶ ମିନିଟ ଯାଏଁ । ତାଙ୍କ ଆଖି ଆଗରେ ନାଚି ଉଠିଲା ଶ୍ରୀକୃଷ୍ଣଙ୍କର ବାଲ୍ୟ ରୂପ । ବିଲକୁଲ୍ ଆଣ୍ଠୁଆ ଗୋପାଳ।

  ପ୍ରତିଥର ଶିଳାକୁ ରୂପ ଦେବା ପୂର୍ବରୁ ସେ ଏହିପରି ଧ୍ୟାନସ୍ଥ ହୋଇଯାଆନ୍ତି । ସେହି ସମୟରେ ତାଙ୍କ ଆଖି ଆଗରେ ଯେଉଁ ରୂପ ଆସେ, ସେ ଶିଳାକୁ ସେହି ରୂପ ଦିଅନ୍ତି । ଏବଂ ସେହି ସମୟରେ ହିଁ ସେ ନିଜ କାର୍ଯ୍ୟ ଆରମ୍ଭ କରନ୍ତି । ଏହି ଶିଳା ପାଇଁ ମଧ୍ୟ କିଛି ବ୍ୟତିକ୍ରମ ନଥିଲା।

 ଶିଳ୍ପୀଙ୍କ ନିହାଣଟିକୁ ଦେଖି ଶିଳାଟି ଆଗାମୀ କଷ୍ଟ ସମ୍ପର୍କରେ ଚିନ୍ତାକରି ଆତଙ୍କ ଜର୍ଜରିତ ହୋଇଗଲା । କିନ୍ତୁ ତାହାର ଅନ୍ତର ଏକ ନୂତନ ସୃଷ୍ଟିର ଅନୁଭବରେ ଆନନ୍ଦ ପୂର୍ଣ୍ଣ ହୋଇଗଲା । ଏ କେଉଁ ପ୍ରକାରର ଅନୁଭୂତି! ଏହା ପୂର୍ବରୁ ସେ ପ୍ରାର୍ଥନା କରୁଥିଲା"ହେ ପ୍ରଭୂ! ମୋତେ ମୋ ନିଜ ସ୍ଥାନକୁ ଫେରାଇ ନିଅ । ସେଠି ଖରା, ବର୍ଷା, ଶୀତ, କାକର ସହି ପଡିରହିବି ପଛେ କିନ୍ତୁ ନିହାଣର ଆଘାତ ସହିବିନାହିଁ।"ଶିଳ୍ପୀ କାମ ଆରମ୍ଭ କରିବାର କିଛିଦିନ ପରେ ପଥର ସତରେ ପଥର ହେଇଗଲା । ତାର ଅନୁଭବ ଶକ୍ତି ସମ୍ପୂର୍ଣ୍ଣ ଭାବେ ଲୋପ ପାଇଯାଉଥିଲା । ତାକୁ ଟିକେ ବି ଯନ୍ତ୍ରଣା ହେଉନଥିଲା । ଅଥଚ ଅନ୍ତର ତାର ଆନନ୍ଦ ପୂର୍ଣ୍ଣ ହୋଇଯାଉଥିଲା । ଆସ୍ତେ ଆସ୍ତେ ତାର ଭାବନା ଶୁଦ୍ଧ ହେବାକୁ ଲାଗୁଥିଲା । ସମସ୍ତଙ୍କ ପାଇଁ ତା ମନରେ ଭଲ ଇଛା ଗୁଡ଼ିଏ ଉଙ୍କି ମାରିବାକୁ ଲାଗିଲା । ଘଟଣା ଏପରି ହେଲା ଯେ ଠିକ୍ ଜନ୍ମାଷ୍ଟମୀ ଦିନ ଶିଳ୍ପୀ ଆଣ୍ଠୁଆ ଗୋପାଳ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଲେ । ସାମାନ୍ୟ ଶିଳାଖଣ୍ଡରୁ ଜନ୍ମ ନେଲେ ଅସାମାନ୍ୟ ଆଣ୍ଠୁଆ ଗୋପାଳ।

ଏହାର କିଛି ଦିନ ପରେ ଏକ ନିସନ୍ତାନ ଦମ୍ପତ୍ତି ସେହି ଶିଳ୍ପୀଙ୍କ ଘରକୁ ଆସିଲେ କିଛି ମୂର୍ତ୍ତି କ୍ରୟ ନିମନ୍ତେ । ଉକ୍ତ ଆଣ୍ଠୁଆ ଗୋପାଳ ମୂର୍ତ୍ତି ଦେଖି ଉଭୟ ଆଦର ସହକାରେ ସେହି ମୂର୍ତ୍ତିକୁ କ୍ରୟ କରି ନିଜ ଘରକୁ ନେଇଗଲେ । ମହିଳା ଜଣକ ଶ୍ରୀକୃଷ୍ଣଙ୍କ ଭକ୍ତ ଥିଲେ । ଏକ ଶୁଭ ଦିନରେ ବ୍ରାହ୍ମଣଙ୍କୁ ଡକାଇ ମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା କରି ନିଜ ଠାକୁର ଘରେ ରଖିଲେ । ପ୍ରତିଦିନ ସକାଳେ ସେ ଗୋପାଳଙ୍କୁ ଗାଧୋଇ ଦେଇ ନୂତନ ବସ୍ତ୍ର ପିନ୍ଧାଇ ଦିଅନ୍ତି । ଚନ୍ଦନ ଚର୍ଚ୍ଚିତ କରି ବିଭିନ୍ନ ଫୁଲରେ ସଜେଇ ଦିଅନ୍ତି । ଏହାପରେ କ୍ଷୀର, ଦହି , ଲହୁଣୀ ଆଦି ଦ୍ରବ୍ୟ ଭୋଗ ଲଗାନ୍ତି । ବୋଧହୁଏ ଶିଳାରେ ଦେବତ୍ୱ ପ୍ରକାଶ ନିମନ୍ତେ ଏହା ବିଧି ନିର୍ଦ୍ଦିଷ୍ଟ ଥିଲା।

 ଦିନେ ସେହି ଦମ୍ପତ୍ତିଙ୍କର ଜଣେ ବନ୍ଧୁ ତାଙ୍କ ଘରକୁ ବୁଲିଆସିଲେ ଏବଂ ମତାମତ ଦେଲେ ଯେ ଠାକୁରଙ୍କୁ ଘରେ ରଖି ଠିକ୍ ଭାବରେ ତାଙ୍କର ଯତ୍ନ ନେଇ ନପାରିଲେ ତାହା ଖୁବ୍ ଦୋଷ ଯୁକ୍ତ । ତେଣୁ ତାଙ୍କୁ ମନ୍ଦିରକୁ ପଠାଇଦେବା ଉଚିତ୍।

 ବାସ୍, ଶୁଭ ବେଳ ଦେଖି ଦମ୍ପତ୍ତିଙ୍କ ଦ୍ଵାରା ଗୋପାଳ ମନ୍ଦିରରେ ପ୍ରତିଷ୍ଠା ହେଲେ । ଏଣିକି ଲୋକ ମାନେ ଗୋପାଳଙ୍କୁ ପ୍ରାର୍ଥନା କରୁଥିଲେ ଏବଂ ଗୋପାଳ ଆଶୀର୍ବାଦ ଦେଉଥିଲେ ' ତଥାସ୍ତୁ' ଏବଂ ତାହା ହିଁ ହେଉଥିଲା।



Rate this content
Log in

Similar oriya story from Inspirational