ଆମ ଘର
ଆମ ଘର
ନିଅଁ ପଡିଥିବା ଏକ ଆପାର୍ଟମେଣ୍ଟର ଗୋଟିଏ ପାଖ କଣରେ ଠିଆ ହୋଇଥିଲା ନବଘନ।ପାଖରେ ଠିଆ ହୋଇଥିଲା ନବଘନର ପୁଅ ଉଦିଆ।ଉଦିଆ ର ବୟସ ପାଖାପାଖି ଚାରିବର୍ଷ ହୋଇଥିବ ବୋଲି ତାର ଖନ ଖନକଥାବାର୍ତାରୁ ଜଣାଯାଉଥିଲା। ଉଦିଆ ତା ବାପାକୁ ପଚାରୁଥିଲା"ବାପା,ଏଇଟା ଆମଘର?"
"ନା'ରେ ପୁଅ ,ଏଇଟା ଆମ ଘର ନୁହଁ।ଆମଘର ଗାଁ ରେ ଅଛି।"
" ଆମଘର କୋଉଁ ଗାଁ?ତା ହେଲେ ତମେ ଏଇ ଘରଟା ତିଆରି କରୁଛ କାହିଁକି?"ପଚାରିଲା ଉଦିଆ ପୁଅ ପ୍ରଶ୍ନର କି ଉତ୍ତର ଦେବ ଜାଣିପାରୁନଥିଲା ନବଘନ।ଏଣେ କାମ କରିବାର ସମୟ ଗଡିଯାଉଥିଲା। ପୁଅ ସାଙ୍ଗରେ ଗେଲ ହେବାକୁ ନବଘନର ସମୟ ନଥାଏ।ଦିନକର ମଜୁରିରେ ତିନିପ୍ରାଣୀ ଏଇ ସହର ବଜାରରେ ଚଳିବେ ଆଉ ଗାଁରେ ଥିବା ବୁଢା ବାପାମାଆଙ୍କ ପାଇଁ କିଛି ପଠାଇବେ।
ହଁ ଏଇଟା ଆମଘର କହି ନବଘନ କାମକୁ ଚାଲିଗଲା।ଏଥର ଉଦିଆ ଏଇଟା ଆମ ନୁଆଘର କହି ନାଚିବାକୁ ଲାଗିଲା।ଖାଲି ସେତିକି ନୁହେଁ ପାଖବସ୍ତି ରେ ରହୁଥିବା ତା ସାଙ୍ଗମାନଙ୍କୁ ଡାକି କହୁଥିଲା"ଦେଖ!ଏଇଟା ଆମଘର।ମୋ ବାପା ତିଆରି କରୁଛନ୍ତି।"
ଆପାର୍ଟମେଣ୍ଟ କାମ ପାଖାପାଖି ତିନିଚାରିବର୍ଷ ଭିତରେ ସରିଗଲା।ପ୍ରତିଷ୍ଠା ହେବାପରେ କେତେନୂଆନୂଆ ବାବୁମାନେ ଆପାର୍ଟମେଣ୍ଟରେ ଥିବା ନିଜନିଜ ଘର ଆଦରି ନେଲେ। ଆପାର୍ଟମେଣ୍ଟ ପରିସର ମଧ୍ୟରେ ଏକ ଅସ୍ଥାୟୀ ଜରିପାଲ ଘରେ ରହୁଥିବା ନବଘନକୁ ସେ ସ୍ଥାନ ଛାଡିବାକୁ ନିର୍ଦେଶ ଦିଆଗଲା।ନବଘନ ଗୋଟିଏ ଠେଲାଗାଡି ଆଣି ତା ଘରର ସବୁ ଜିନିଷ ଲଦିବାକୁ ଲାଗିଲା।ସେତେବେଳକୁ ଉଦିଆ ଚୁପ୍ ଚାପ୍ ଠିଆହୋଇ ସବୁ ଦେଖୁଥିଲା।
"ଉଦିଆ ତମର କୁଆଡେ ଯାଉଛ କି?"ଉଦିଆର ସାଙ୍ଗମାନେତାକୁ ପଚାରୁଥିଲେ।
ହେଲେ ବୟସର ପ୍ରଭାବରେ ଉଦିଆ ସବୁ ବୁଝିସାରିଥିଲା।ସେ କିଛି ଉତ୍ତର ଦେଇ ପାରୁନଥିଲା କି ଆପାର୍ଟମେଣ୍ଟ ର ଶେଷ ପର୍ଯନ୍ତ ଦେଖିପାରୁନଥିଲା।ଥରେ ସବୁଆଡକୁ ବହେ ଅନେଇଲା ଆଉ ଥରେ ତା ବାପାକୁ ଅନେଇଲା।ତା ପରେ ଉଦିଆ ତା ସାଙ୍ଗମାନଙ୍କୁ ଡାହାଣ ହାତରେ ଇସାରା ଦେଇ ତା ବାପା ସାଙ୍ଗରେ ଚାଲିଗଲା।