STORYMIRROR

ABADHOOT PANDA

Classics

3  

ABADHOOT PANDA

Classics

ଶିବଭକ୍ତଙ୍କ ଭକ୍ତି ପରୀକ୍ଷା

ଶିବଭକ୍ତଙ୍କ ଭକ୍ତି ପରୀକ୍ଷା

3 mins
162

     


ଅନେକ ବର୍ଷ ତଳର କଥା |ଏକଦା ଶ୍ରୀରାମପୁର ଗ୍ରାମରେ ଜନୈକ ଶିବ ଭକ୍ତ ବ୍ରାହ୍ମଣ ନିଜ ପରିବାର ସହିତ ରହୁଥିଲେ | ଆର୍ଥିକ ଅବସ୍ଥା ଖରାପ ଥିବାରୁ ପରିବାର ଭରଣ ପୋଷଣ ନିମିତ୍ତ ବ୍ରାହ୍ମଣ ମହାଶୟଙ୍କୁ ଭୀଷଣ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁ ଥିଲା | କର୍ମ କର୍ମାଣୀରୁ କରୁଥିବା ଆୟ ଯଥେଷ୍ଟ ନ ଥିଲା | କାରଣ ପରିବାରର ଚାହିଦା ଦିନକୁ ଦିନକୁ ଦିନ ବଢ଼ି ଯାଉଥିଲା | ସେ କାୟ ମନ ବାକ୍ୟରେ ପ୍ରତିଦିନ ଶିବ ଆରାଧନା କରୁଥିଲେ | ମହାନ ଶିବ ଭକ୍ତ ଭାବରେ ତାଙ୍କର ସୁଖ୍ୟାତି ଥିଲା | ତାଙ୍କର ପ୍ରଗାଢ଼ ଭକ୍ତି ଓ ନିଷ୍ଠା ଦେଖି ପରମେଶ୍ଵର ଶିବଙ୍କ ମନରେ ଦୟା ଆସିଲା | ଦିନେ କୈଳାଶ ପର୍ବତ ଉପରେ ଶିବ ତାଙ୍କର ଅର୍ଦ୍ଧାଙ୍ଗିନୀ ଜଗତ୍ମାତା ପାର୍ବତୀଙ୍କ ସହିତ ସଂସାର ବିଷୟରେ ଆଲୋଚନା ରତ ଥିଲେ ଓ ସେ ତାଙ୍କର ଦିବ୍ୟଦୃଷ୍ଟି ବଳରେ ଉକ୍ତ ବ୍ରାହ୍ମଣ ଭକ୍ତଙ୍କର ଦୟନୀୟ ଅବସ୍ଥାର ସୂଚନା ପାଇଲେ | ମାତା ପାର୍ବତୀଙ୍କୁ ଏ ବିଷୟରେ କହିଲେ l ନିଜ ଭକ୍ତଙ୍କର ଏତାଦୃଶ ଅବସ୍ଥା ଜାଣି ବିବ୍ରତ ହୋଇ ସ୍ୱାମୀଙ୍କୁ ପରାମର୍ଶ ଦେଲେ, " ଆହେ ଭୋଳାନାଥ! ଆପଣ ଆଶୁତୋଷ l ଆମର ଭକ୍ତ ସନ୍ତାନ ଆପଣଙ୍କର ଏତେ ସେବା କରୁଛି ଅଥଚ ଆପଣଙ୍କ ବିବେକକୁ ବାଧୁନି ! ଆପଣ ଅତି ଶୀଘ୍ର ଭକ୍ତଙ୍କର ମନୋବାଞ୍ଛା ପୂର୍ଣ୍ଣ କରନ୍ତି ବୋଲି ସଂସାରରେ ଆପଣଙ୍କ ସୁନାମ ରହିଛି l ସେଥିପାଇଁ ଆପଣଙ୍କ ସହସ୍ର ନାମ ମଧ୍ୟରୁ ଗୋଟିଏ ନାମ ଆଶୁତୋଷ | ମୋର ଅନୁରୋଧ ଆପଣ ଆଉ ବିଳମ୍ବ କରନ୍ତୁ ନାହିଁ l ଆମର ଶ୍ରୀରାମପୁର ଗ୍ରାମର ସେହି ଦରିଦ୍ର ସନ୍ତାନ ନିମିତ୍ତ ଶୀଘ୍ର କିଛି କରନ୍ତୁ ଓ ତାଙ୍କର ନିର୍ଦ୍ଧନତା ଦୂରୀଭୂତ କରି ତାଙ୍କୁ ସାମାଜିକ ପ୍ରତିଷ୍ଠା ପ୍ରଦାନ କରନ୍ତୁ |


ମହାପ୍ରଭୁ ମାତା ପାର୍ବତୀଙ୍କ ବଚନ ଶୁଣି କିଛି ସମୟ ପାଇଁ ଧ୍ୟାନରେ ବସିଲେ ଏବଂ ଧ୍ୟାନ ଭଙ୍ଗ ହେଲାପରେ କହିଲେ, " ହେ ଆଦିମାତା! ଅପଣଙ୍କ ପରାମର୍ଶ ଯୁକ୍ତି ଯୁକ୍ତ l ମାତ୍ର ମୁଁ ଜାଣି ପାରିଲି ଯେ ତାଙ୍କର ଭାଗ୍ୟରେ ଧନ ଲାଭର କୌଣସି ଆଶା ନାହିଁ l ଯେହେତୁ ଆପଣ କହିଲେ ଆପଣଙ୍କ କଥା ରଖି ମୁଁ ଏହି ସୁନା ମୋହର ପରିପୂର୍ଣ୍ଣ ଥଳିଟି ତାଙ୍କୁ ଦେବି l ମୋର ଯୋଗ ଶକ୍ତି ବଳରେ ଏହାକୁ ଯୋଗାଡ଼ କରିଛି l ଚାଲ ଆମେ ଦୁହେଁ ସୁକ୍ଷ୍ମ ଶରୀରରେ ତାଙ୍କ ଗ୍ରାମକୁ ଯିବା l" ତାପରେ ଶିବପାର୍ବତୀ କୈଳାସପୁରୀ ପ୍ରସ୍ଥାନ କରି ଶ୍ରୀରାମପୁର ଅଭିମୁଖେ ଯାତ୍ରା ଆରମ୍ଭ କଲେ l ସେଠାରେ ପହଞ୍ଚି ବ୍ରାହ୍ମଣଙ୍କ ଗୃହ ନିକଟସ୍ଥ ଏକ ପ୍ରାଚୀନ ବଟବୃକ୍ଷ ଉପରେ ସମାସୀନ ହେଲେ | ରାତି ପାହିଗଲା l ସକାଳୁ ବ୍ରାହ୍ମଣ ଗୋସାଇଁ ନିତ୍ୟକର୍ମ ଶେଷ କରି ନିଜର ଜୀବିକା କେନ୍ଦ୍ର ଶିବ ମନ୍ଦିରକୁ କଠାଉ ପିନ୍ଧି ବାହାରିଲେ l ଯିବା ବାଟରେ ବଟ ବୃକ୍ଷ l ମହାପ୍ରଭୁ ଶିବ ସୁନା ପୁଟୁଳିଟି ବ୍ରାହ୍ମଣଙ୍କ ସମ୍ମୁଖସ୍ଥ କିଛି ଦୂରରେ ନିକ୍ଷେପ କଲେ l କୌତୁହଳୀ ହରପାର୍ବତୀ ମନ ଧ୍ୟାନ ଦେଇ ଦେଖୁଥାନ୍ତି | ଇତି ମଧ୍ୟରେ ବ୍ରାହ୍ମଣ ଭକ୍ତଙ୍କ ହଠାତ ପିଲାବେଳର ଅନ୍ଧପୁଟୁଳି ବନ୍ଧା ଖେଳ କଥା ମନେ ପଡ଼ିଗଲା ଓ ଆଖିରେ ଗାମୁଛା ଘୋଡ଼ାଇ ହୋଇ ଅନ୍ଧ ପରି ଚାଲିବା ଅଭିନୟ କଲେ l ମହାପ୍ରଭୁ ଶିବ ପାର୍ବତୀଙ୍କୁ କହିଲେ, "ହେ ମହାସତୀ! ଲକ୍ଷ୍ୟ କରନ୍ତୁ ମୋ ଭକ୍ତ କିପରି ଅନ୍ଧ ନ ହୋଇ ଅନ୍ଧ ପରି ଆଖି ଘୋଡ଼ାଇ ଚାଲିଛନ୍ତି l ଆଗରେ ସୁନା ପୁଟୁଳି ପ୍ରତି ଦୃଷ୍ଟି ନାହିଁ l " ସତକୁ ସତ ବ୍ରାହ୍ମଣ ଗୋସାଇଁ ପୁଟୁଳିଟିକୁ ଅତିକ୍ରମ କରି ଚାଲିଗଲେ l ତତକ୍ଷଣାତ ମହାପ୍ରଭୁ ସଦାଶିବ ମାତାଙ୍କୁ କହିଲେ, "ଦେଖିଲ ମୋ ଭକ୍ତ ଭାଗ୍ୟଚକ୍ରରେ ଧନ ଲାଭ ଯୋଗ ନାହିଁ l କପାଳ ଲିଖନ କେ କରିବ ଆନ l ସମସ୍ତଙ୍କ ଲଲାଟରେ ସୁନା ଜମି ଗୋରୁ ପ୍ରାପ୍ତି ଯୋଗ ନ ଥାଏ l ଚାଲ ଆମେ ଫେରିଯିବା l ମୁଁ ତା ପାଇଁ ଅନ୍ୟ ବ୍ୟବସ୍ଥା କରିବି |"


କିଛିଦିନ ପରେ ବ୍ରାହ୍ମଣ ଗୋସାଇଁଙ୍କ ଅଟଳ ଭକ୍ତିରେ ମହାଦେବ ସନ୍ତୁଷ୍ଟ ହେଲେ l ଜାଗର ଅମାବାସ୍ୟା ବାସୀ ଠିକ ପ୍ରତ୍ୟୁଷ ସମୟରେ ଦେବାଧିଦେବ ମହାଦେବ ଭକ୍ତଙ୍କ ସ୍ୱପ୍ନରେ ଦର୍ଶନ ଦେଇ କହିଲେ, " ହେ ମୋର ଭକ୍ତ ଶିରୋମଣି ତୁମ ଆନ୍ତରିକ ଆରାଧନାରେ ମୁଁ ସନ୍ତୁଷ୍ଟ l ମୁଁ ତୁମକୁ ଧନ ଯାଚିଲି କିନ୍ତୁ ତୁମେ ଆଖିରେ ଅନ୍ଧ ପୁଟୁଳି ବାନ୍ଧିଦେଲ l ଏଇଟା ତୁମର ଭଲ ଗୁଣ ଯେ ଅନ୍ୟ କାହାଠୁଁ ଅଯାଚିତ ସାହାଯ୍ୟ କିମ୍ବା ଧନଗ୍ରହଣ କରିବାକୁ ଆଦୌ ତୁମର ଇଛା ନାହିଁ l ବରଂ ନିଜ ସତ ପରିଶ୍ରମରେ ବଞ୍ଚିବାକୁ ଚାହଁ l ଏହା ତୁମ୍ଭର ମାନବୀୟ ଲକ୍ଷଣ l ଠିକ ଅଛି ଯାହା କହୁଛି ମନ ଦେଇ ଶୁଣି ସେହି ଅନୁସାରେ କାର୍ଯ୍ୟ କର l ଏଠାରୁ ମହାରାଜା ବିକ୍ରମାଦିତ୍ୟଙ୍କ ରାଜବାଟୀ ପ୍ରାୟ ଦୁଇ କୋଶ ବାଟ l ମୁଁ ଜ୍ୟୋତିର୍ଲିଙ୍ଗ ମହାକାଳେଶ୍ଵର ରୂପେ ସେଠାରେ ପୂଜା ପାଉଛି l ମହାରାଜା ସ୍ୱୟଂ ମୋର ପରମ ଭକ୍ତ | ମୋର ସେହି ମନ୍ଦିରରେ ଏକ ମୁଖ୍ୟ ତତ୍ତ୍ୱାବଧାରକ ଓ ମୁଖ୍ୟ ପୁରୋହିତ ପଦବୀ ଖାଲି ପଡ଼ିଛି l ତୁମେ କାଲି ସେଠାକୁ ଯାଅ l ମୁଁ ରାଜାଙ୍କୁ ମଧ୍ୟ ସ୍ୱପ୍ନରେ ନିର୍ଦ୍ଦେଶ ଦେଇଛି l ସେ ତୁମକୁ ମନ୍ଦିରରେ ନିଯୁକ୍ତି ଦେବେ l" ତାପରେ ଶିବ ଠାକୁର ଅନ୍ତର୍ଧ୍ୟାନ ହୋଇଗଲେ l ପରଦିନ ମହାପ୍ରଭୁଙ୍କ ସ୍ୱପ୍ନାଦେଶ ଅନୁଯାୟୀ କର୍ମ କଲେ ଏବଂ ମହାକାଳେଶ୍ଵର ଶିବାଳୟରେ ମୁଖ୍ୟ ପୁରୋହିତ ଭାବେ କାର୍ଯ୍ୟରତ ରହି ରାଜକୃପାରେ ସ୍ୱପରିବାର ସହିତ ସୁଖ ଶାନ୍ତିରେ ଜୀବନଯାପନ ପୂର୍ବକ ସାମାଜିକ ପ୍ରତିଷ୍ଠା ଲାଭ କରି ପାରିଥିଲେ l ସୁତରାଂ କଳିଯୁଗର ଆରାଧ୍ୟ ଏବଂ ମହା ଯୋଗେଶ୍ୱର ମହାଦେବଙ୍କ ମହିମା ଅକଳନୀୟ ତଥା ଅସୀମ ଯାହାକୁ ବର୍ଣ୍ଣନା କରିବା ସାଧାରଣ ମାନବ ପକ୍ଷରେ ଅସମ୍ଭବ l


Rate this content
Log in

Similar oriya story from Classics