ଶେଷ ସଂଳାପ
ଶେଷ ସଂଳାପ


ନୂଆ ନୂଆ କଲେଜ। ସିନିୟର ରାଗିଂ, ମାଡ଼ପିଟା ପିଟି, ଅଧ୍ୟାପକ,ପୁଣି ପିଅନ,ଏ ସମସ୍ତଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଉଥିଲା ରମା।ସିନୀୟର୍ସ ମାନଙ୍କୁ ଆଜ୍ଞା ସର ଓ ମାଡ଼ମ ବୋଲି ସମ୍ବୋଧନ କରିବାକୁ କୁହାଯାଉଥିଲା। ଆଉ ସୁପର ସିନିୟର ମାନେ ତ ଅଧ୍ୟାପକଙ୍କ ଠୁ ବି ଉପରେ। ଏମିତିକି ପିଅନ ମାନେ ମଧ୍ୟ ଭାରି ଟାଇଁଆ ।ତାଙ୍କୁ ଟିକେ କଡା କଥା କହିଲେ ଆଉ ଶୁଣନ୍ତି ନାହିଁ,କି କରୁଥିବା କାମ ବି ଛାଡିଦିଆନ୍ତି। ରାଗିଙ୍ଗ ଏକ ରକମ ଅତ୍ୟାଚାର ବି କୁହାଯାଇପାରିବ। କେତେବେଳେ ଅଧ୍ୟାପକ ନଥିଲେ ସିନିୟର ମାନେ ପଶି ଆସି ଇଣ୍ଟ୍ରୋ ନିଅନ୍ତି ତ କେତେବେଳେ ବାହାରେ ଛିଡ଼ାହୋଇ ଥିଲେ ତାକୁ ଘୋଷାରି ଟାଣି ଝୁଣି ପକାନ୍ତି । ଜୀବନଟା ଖଣ୍ଡା ଧାରରେ ଚାଲୁଥାଏ।
ଏକୁଟିଆ ରୁମ ରେ ଥିଲା ବେଳେ ସେ ଡାଏରି ଲେଖେ,ନହେଲେ ଗୀତ ବୋଲୁଥାଏ ନହେଲେ କିଛି ଗୋଟେ ପଢୁଥାଏ ପାଠ ବହି ନହେଲେ ଗପ ବହି। ଯେମିତି ଧୀର ଶାନ୍ତ ନଦୀ ବୋହିବୋହି ଯାଉଛି।
କିଛି ଦିନ ଏମିତି ବିତିଗଲା କିଛି ଦିନ। ରମା ଚଗଲା ମଳୟ ଚୋରା ଚଇତିର ପଳାଶ ଗନ୍ଧରେ ନିଜକୁ ପୁଲକିତ କରି ନିଜକୁ ପ୍ରକୃତି ଥରେ ସମର୍ପି ଦେଉଥାଏ। ଗୋରା ଦେହରେ ଶିଶିର ବିନ୍ଦୁ ଯେମିତି ମୁକ୍ତା ଝଲସିବା ପରି ଦେଖାଯାଏ। ଜୀବନରେ ଏମିତି ସଂଯୋଗ ହେବ ବୋଲି ତାର ଅନୁମାନ ବାହାରେ ଥିଲା। ଯେମିତି ସେ ଯାହା ଚାହୁଁଥିଲା,ତାର ପ୍ରତିଫଳନ ଜୀବନ ଦର୍ପଣ ତାକୁ ଦେଖେଇଦେଲା। ହେଲେ କଣ କରିବ ସେ ଜାଣି ନଥିଲା ଯେ ଏମିତି ଭାବେ ଦେଖାହେବ ରୋହନ ସହ। ଜୀବନ ପାଦ ଚଲା ରାସ୍ତାରେ ସେ ପ୍ରଥମ କରି ଦେଖାହେଲା ରୋହନ ସହ କଲେଜ କ୍ୟାଣ୍ଟିନରେ।
ହେଲେ କଣ ହେବ ରମା ଏକ ଭୟଙ୍କର ରକ୍ତ କର୍କଟରେ ଆକ୍ରାନ୍ତ ହୋଇଥିଲା ଯାହାକୁ ସେ ନିଜେ ବି ଜାଣିନଥିଲା । ଆଉ ତା ଜୀବନରେ ଏହା ଥିଲା ଶେଷ ବସନ୍ତ। ଯାହାକୁ ସେ ମନଭରି ଉପଭୋଗ କରିବାକୁ ଇଚ୍ଛାଥିଲା। ପ୍ରତିଦିନ ରାତିରେ ସ୍ବପ୍ନ ଦେଖେ କେହି ରାଜକୁମାର ଆସି ଛୁଇଁ ଦେଇଯାଉଛି ଏବଂ ସେ ରୋଗରୁ ମୁକ୍ତି ପାଉଛି। ହେଲେ ସକାଳୁ ସେହି କଷ୍ଟ ସେଇ ଦୁଃଖ, ଭାବେ କେବେ ସତ ହେବ,ନା ହେବନାହିଁ?
ସେମିତି ରାଜକୁମାର ହୋଇ ଆସିଥିଲା ରୋହନ । ପ୍ରଥମ ଦେଖାରୁ ରୋହନ ପ୍ରେମରେ ପଡିଯାଇଥିଲା ରମାର। କମେଣ୍ଟ ମାରିବା ସହ ତାକୁ ଲାଗିବା,ଏମିତି କିଛି ବି ହଇରାଣ ହରକତ କରେନି ଅନ୍ୟ ମାନଙ୍କ ପରି।
ବାସ ଖାଲି ଦେଖୁଥାଏ ସେଇ ଧୋବଫର ଫର ଚଢେଇକୁ । ରୋହନ କିନ୍ତୁ ଜାଣିନଥିଲା ସେ ଚଢେଇର ମାତ୍ର ଅଳ୍ପ ଦିନ ଆଉ ଅତିଥି। ନିଡ଼ ରଚିବାକୁ ହେଲେ ବି ତାର ସମୟ ଦରକାର । ସେତକ ବି ତା ପାଖରେ ନାହିଁ।
ଫେବୃଆରୀ୧୪ ତାରିଖ , ଥିଲା ସେଦିନ। ସବୁ ଯୋଡି ନିଜ ପ୍ରେମକୁ ଇସ୍ତାହାର କରୁଥାନ୍ତି। ଏକୁଟିଆ ବସିଥିବା ରୋହନକୁ ଦେଖି ରମା ତା ପାଖକୁ ଆସି କହିଲା, ତୁମ ଭଲେଣ୍ଟାଇନ କୋଉଠି ଅଛି। ଦେଖୁଚି ମୁଁ ତୁମେ କେଉଁ ପରୀକୁ ଅପେକ୍ଷା କରି ବସିଛ। କଥା କଣ ।
ରୋହନ ତ ଏଇ ମୌକାକୁ ଅପେକ୍ଷା କରିଥିଲା। ପାଖରେ ଥିବା ଗୋଲାପ ଗଛରୁ ଫୁଲଟେ ଛିଣ୍ଡେଇ ରୋହନ ଜାଣିଛ ମୋ ସ୍ୱପ୍ନର ପରୀ କିଏ ହୋଇପାରେ,
ରମା-କିଏ(ଆଶ୍ଚର୍ଯ୍ୟ ର ସହ)
ରୋହନ -ସେ ଥିଲା କେହି ଜଣେ। ଗୋରା ଦେହ, ଧଳା ଚଷମା ,ଆଉ ମୋ ପ୍ରଥମ ପ୍ରେମ । ତା ଘରେ ଜାଣିବାରୁ ଏକଥା ତାକୁ ଘରୁ ବାହାର କରିଦେବେ ବୋଲି ଧମକଦେବେ। ୧୭ବର୍ଷ ର ନାବାଳିକାକୁ ୩୫ବର୍ଷ ଲୋକ ସହ ବାହାଘର କରିଦେଲେ। ଆମ ଭିତରେ ବହୁତ ଭଲ ବୁଝାମଣା ଥିଲା। ମୁଁ ତା ସହ ଏକା ସାଥିରେ ପଢ଼ୁଥିଲି, ଘର ପାଖରେ ତ ଆମ ଘର ଥିଲା। ଆଉ ସେ ଯେବେ ବାହା ହୋଇଗଲା, ମୁଁ ସେ ଦୃଶ୍ୟ ନ ଦେଖି ଘର ଭିତରେ କାନ୍ଦୁଥିଲି। ଆଉ ତା ପରେ ଭୁଲି ଗଲି ମଧ୍ୟ। ଆଜି ତ ମନେ ପଡେ ସିନା ତା କଥା ହେଲେ ତୁମକୁ ଦେଖିଲେ ତା କଥା ଆହୁରି ମନେ ପଡ଼ିଯାଏ। କାରଣ ମୁଁ ତୁମ ପ୍ରତି ଆକର୍ଷିତ । ତୁମ ପରି ସେ ମଧ୍ୟ ଠିକ ଦେଖାଯାଏ। ମନେ ହୁଏ ତୁମେ ତ ତା ପ୍ରତିରୂପ। ତୁମର ସ୍ୱୀକୃତି ଥାଏ ଯଦି ମୁଁ ତୁମକୁ ମୋର ବୋଲି କହି ପାରନ୍ତି। ଆଇ ଲଭ ୟୁ ରମା ।
ରମା ମୁଣ୍ଡରେ ଯେମିତି ପାହାଡ଼ ଖସି ପଡ଼ିଲା।ଆଜି ପରି ଦିନରେ ସେ ରୋହନକୁ ଧକ୍କା ଦେଇ ପାରିବନି ।
ନିଜ ଦୁଃଖ କୋହକୁ ଚାପି କହିଲା , ବେଟର ଲକ ଫର ନେକ୍ସଟ ଟାଇମ। କାନ୍ଦି କାନ୍ଦି ଚାଲିଗଲା।
ଛିଃ କହି ନିଜ ଭାଗ୍ୟକୁ ଧିକ୍କାରିଲା । କଣ ହେଲା।ତା ପାଖରେ ଆଉ ୬ମାସ ସମୟ ଅଛି। ଛୋଟ ବେଳୁ ସେ ନିଜ ସାବତ ମା ଓ ବାପା ଠୁ କେବେ ବି ସ୍ନେହ ପାଇନି। ଛୋଟ ଭାଇ କେବେକେବେ ଏକୁଟିଆ ହୋଇ ଆସି ତା ଦିଦି ମାନେ ରମା ପାଖେ କହିଦିଏ ସବୁ କଥା। ମା ମରିଗଲା ପରେ ତା ବାପା ଆଉ ଗୋଟେ ମା କୁ ଆଣିଲେ। ସେ ପୁଅଟେ ଦେଇଥିବାରୁ ତା ସାବତ ମା ଓ ଭାଇକୁ ବେସି ଭଲ ପାଇ ରମାକୁ ଅବହେଳା କଲେ ତା ବାପା। ତେଣୁ ଯେନ ତେନ ପ୍ରକାରେଣ ଆସି ଏହି କଲେଜରେ ପଢୁଛି।
ରୋହନ ଏକଥା କହି ଦେଇ ଭାବିଲା ମୁଁ କିଛି ତାକୁ ଅଧିକା କହି ଦେଇନି ତ। ପୁଣି ଫୋନ କଲା ରମାକୁ। ଏ ଭିତରେ ରୋହନ ୮ ଥର କରି ସାରିଲାଣି ଫୋନ । ହେଲେ ରମା ଫୋନ ଉଠେଇ ନଥିଲା ସେଦିନ।
ତାପରେ ଆରମ୍ଭ ହେଲା ଦୁଃଖମୟ କାହାଣୀ ଦୁଇ ଜଣଙ୍କ। ରମା ଭାବିଲା ମୁଁ ଯେତେ ଦିନ ବଞ୍ଚିବି ସେତେ ଦିନ ଖୁସିରେ ତ ବଞ୍ଚେ । କିନ୍ତୁ ପୁଣି ଯଦି ମୋର କିଛି ହୋଇଯାଏ ତେବେ ତାକୁ କେମିତି ମୁଁ ...ସମ୍ଭାଳିବି। ନା ମୁଁ କିଛି କହିବିନି ।
ଏଥର ଯେତେବେଳେ ବି ସେମାନଙ୍କ ମଧ୍ୟରେ ଦେଖା ଦିଏ, ରମା ଓ ରୋହନ ମଧ୍ୟେ ଏକ ପ୍ରକାର ପ୍ରଶ୍ନ ଓ ଉତ୍ତର ଦ୍ୱନ୍ଦର ୟୁଦ୍ଧ ଦେଖାଦିଏ। ହେଲେ ଆଗ ଭଳି ହସ ଖେଳ ଓ ଚୁଟି ଟଣା ଟଣି । କେବଳ ଦୁଃଖ ଓ ଅବଶୋଷର ଏକ ଅଭୂତ ମିଳନ ।
କିଛି ମାସ ଏମିତି ଚାଲିଗଲା। ହେଲେ ରୋହନ କିଛି କିଛି ଜାଣିଲାଣି ତା ବିଷୟରେ । ରମା ପ୍ରତିଦିନ କିଛି ନା କିଛି ବାହାନା ଦେଖାଇ ହସ୍ପିଟାଲ ଯାଏ । ହେଲେ ରୋହନ ଜାଣିନଥାଏ ଏକଥା।
ଟିକେ ଟିକେ କରି ସେମାନଙ୍କ ମଧ୍ୟେ କିଛି ଆତ୍ମୟତା ଆସିଥିଲା। ହେଲେ ଦିନେ ରୋହନ -ଟିକେ ବସୁନ ମୋ ପାଖେ । ଖାଲି ସବୁଦିନ ୪ଟା ବେଳକୁ ଚାଲିଯାଉଛ । କଥା କଣ କହୁନ ।
ରମା- ତୁମକୁ ମୋ ରାଣ,ମୁଁ କହିବିନି । କି ସେକଥା ଆଉ ପଚାରିବନାହିଁ । ପ୍ଲିଜ଼ ମୋତେ କ୍ଷମା କର । ନା ରୋହନ କହିଲା।ମୁଁ ରାଣ କି ନିୟମ କିଛି ମାନିବିନି। ତୁମକୁ କହିବାକୁ ବାଧ୍ୟ।ମୁଁ ଶୁଣିବାକୁ ଚାହେଁ।କଣ ହୋଇଛି।
ରମା ମୋ ସହ କାହିଁ ଏତେ ମିଶିବାକୁ ଚାହୁଁଛ ? ମୁଁ ଅଦିନିଆ ଝଡ଼ ଗୋଟେ ।ଯିଏ ଆସେ ଓ ପଛକୁ ନ ଚାହିଁ ଫେରିଯାଏ।
ରୋହନ ଆଁ କରି ଚାହିଁଥାଏ।ହଁ ରୋହନ ମୁଁ ବ୍ଲଡ଼ କ୍ୟାନ୍ସରରେ ପୀଡିତ। ମୁଁ ଆଉ କିଛି ସମୟର ଅତିଥି ଏ ଦୁନିଆ ର। ହେଲେ ତୁମେ ମନଦୁଃଖ କରିବନି। ତୁମ ପାଖେ ମୁଁ ଅଛି କହି କୁନି ଡାଏରିଟିକୁ ବଢ଼େଇଦେଲା। ଏଥର ମୋ ରାଣ ତୁମ ପାଖେ ଏ ଡାଏରି ଥିଲେ ଆଉ କାନ୍ଦିବନି ଏମିତି କି ମୋର ଯଦି କିଛି ହୋଇଯାଏ। ମୁଁ ଆସୁଛି। ମୋତେ ବ୍ଲଡ଼ ନେବାର ବି ଅଛି।
ବୋଧ ହୁଏ ଏହା ଥିଲା ସେମାନଙ୍କ ଶେଷ ସଂଳାପ। ତା ପର ଦିନ ରୋହନ ରମାକୁ ହସ୍ପିଟାଲରେରେ ଭେଟି ଥିଲା। ରକ୍ତ ଦିଆଯାଉଥିଲା ତାକୁ।ହେଲେ ତଥାପି ସେ ଖୁସି ହୋଇ ଶୋଇଥିଲା ଇନ ଡୋର ବେଡ଼ରେ। ମୃତ୍ୟୁ ତାକୁ କୋଳଗ୍ରତ କରିନେଇ ଯିବାକୁ ବସିଥିଲା। କିଛି ଅବଶୋଷ କି କିଛି ଭୟ ମନରେ ନଥିଲା।ସେଦିନ ଥିଲା ୩ ମାର୍ଚ୍ଚ ଆଉ ୮ ଦିନ ପରେ ରମାର ଜନ୍ମଦିନ ଥିଲା।
ରମା -କଣ ଦେଖୁଛ ରୋହନ ।ମୁଁ ମରିଯିବି କିଛି ସମୟ ପରେ ।ଶୋଇପଡିବ ଗୋଟେ ପ୍ରେମର ଅଧ୍ୟାୟ ।ତୁମେ ମୋ ଡାଏରି ଆଣିଛ ନା ।ପଢିବ। ମୁଁ ଜାଣିସାରିଥିଲି ଯେ ମୋ ଅସମ୍ପୂର୍ଣ୍ଣ ଡାଏରିକୁ ତୁମେ ପୂରଣ କରିବ। ତୁମେ କରିବ ନା। କଣ ପ୍ରମିଜ଼ ତ। ରୋହନ କାନ୍ଦି କାନ୍ଦି ହାତ ବଢ଼େଇଲା।
ନା ରୋହନ ତୁମେ କାନ୍ଦ ନାହିଁ।ମୋ ଆତ୍ମା ଶାନ୍ତି ପାଇବନି।ତୁମେ ମୋତେ ହସି ହସି ବିଦାୟ ଦିଅ ।ଆଉ କଥା ଦିଅ ମୋ ଭାବନାକୁ ତୁମେ ନ ଲେଖି,ତୁମେ ତୁମ ଭାବନାର ପୃଷ୍ଠାକୁ ନେଇ ଆଗେଇବ।କଣ ହଁ କହିଛତ?
ହଁ ରମା।ମୁଁ ସତ କହୁଛି।ମୁଁ ଆଉ କାନ୍ଦିବିନି ଲୁହ ପୋଛିଦେଲି ।ତୁମେ ମୋ ହସ ମୁହଁ ଦେଖିବ ତ ।ଏଇ ଦେଖ କହି ଏକ କୃତ୍ରିମ ଲୁହ ଭରା ହସରେ କୋଳେଇନେଲା ରୋହନ। ଜୀବନଟାର ଅନ୍ତିମ କ୍ଷଣରେ ନିଜ ପ୍ରେମକୁ ପାଖରେ ପାଇ ରମା ଖୁସି ହୋଇ ନିଜ ସବୁ କଷ୍ଟକୁ ଭୁଲି ଗଲା।
ଏତେ ସୁଦ୍ଧା ରୋହନ ଜାଣି ନଥିଲା ରମା ତାକୁ ଭଲ ପାଏ ବୋଲି।ଯେତେବେଳେ ସେ ରମାକୁ କୋଳେଇଲା ରମା ହସି ହସି କହିଲା ମୁଁ ଯାଉଛି ସିନା କିନ୍ତୁ ଏତିକି ଜାଣ ମୁଁ ତୁମକୁ ଭଲ ପାଏ । ଧକେଇ ହେଲା ।
ତାପରେ ରମା ସବୁଦିନ ପାଇଁ ଆଖି ବନ୍ଦକରି ଦେଲା।
.
.
ରୋହନ ହସିବ କି କାନ୍ଦିବ ଦ୍ୱନ୍ଦ ମଧ୍ୟେ ୟୁଦ୍ଧ ଲଢୁଥାଏ।ମନର କୋହ ଯେମିତି ଫାଟି ପଡୁଥାଏ। ଭାବିଲା କେହି ଆପଣାର ନୁହେଁ।ଏମିତି ବି ପ୍ରେମ ବି ନୁହେଁ।ମୃତ୍ୟୁର କରାଳ ଛାୟାକୁ ସ୍ୱଚକ୍ଷୁରେ ଦେଖିଆସିଲା ପରେ।
ଆଉ ତା ପର ଠାରୁ କେହି ରୋହନକୁ ହସିବାର ଦେଖିନାହାନ୍ତି ।ଗୁମସୁମ ,ଚୁପ ଚାପ ହୋଇଗଲା ନଦୀ ସମୁଦ୍ରରେ ନ ମିଶି ବାର ଦୁଃଖ କେବଳ ନଦୀ ଜାଣେ, ଠିକ ସେପରି ଅଵସ୍ଥା ରୋହନର ହୋଇଥିଲା ।
ଜୀବନ ଡାଏରିରେ ଯେମିତି କାଳି ଅଛି କିନ୍ତୁ କାଗଜ ନାହିଁ ଲେଖିବାକୁ। ମନ ଦୁଃଖ ଯେତେ ହେଉଥିଲା ରୋହନ ସେତେ ଯେମିତି ଶେଷ ସଂଳାପକୁ ସେ ସବୁଦିନ ପରି ମାଳା ଗୁନ୍ଥୁଥିଲା।