Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Banasmita Panda

Tragedy


3  

Banasmita Panda

Tragedy


ଶେଷ ଚିଠି

ଶେଷ ଚିଠି

6 mins 12K 6 mins 12K


ଝିଅଟେ ଜନ୍ମ ହେବା ଆମ ସମାଜରେ ଅନେକ ବ୍ୟକ୍ତିତ୍ବଙ୍କ ନକାରାତ୍ମକ ଚିନ୍ତାଧାରାର ଅଂଶ ଅଟେ l ଜନ୍ମ ରୁ ମୃତ୍ୟୁ ଏ ଜୀବନ ପଥରେ ଗୋଟେ ନାରୀକୁ ଅନେକ ପରୀକ୍ଷା ଦେବାକୁ ପଡେ l ତାର ଗନ୍ତବ୍ୟ ପଥରେ କାହିଁ କେଜାଣି ତାକୁ ସମାଜର ଅନେକ ବିକୃତ ମାନସିକତାର ସମ୍ମୁଖ କରିବାକୁ ପଡିଥାଏ l ତା ମଧ୍ୟରେ ଏ ଗଳ୍ପର ନାୟିକା ଶିଖାର ଜୀବନୀ ଅନ୍ୟତମ l ହଁ ଶିଖା ଅପା ଆମ ଯୋଗୀ ମଉସାଙ୍କ ଏକ ମାତ୍ର କନ୍ୟା l ମୋ ଠାରୁ ଚାରି ବର୍ଷ ବଡ l


ମୁଁ ଯେତେବେଳେ ଅଷ୍ଟମରେ ସେ ସେତେବେଳେ ପ୍ଲୁସ ଟୁ ସେକେଣ୍ଡ ୟର l ଭାରୀ ଖୁସି ଲାଗେ ଶିଖା ଅପାକୁ ଦେଖିଲେ l ବାପା, ମାଙ୍କ ପ୍ରିୟ ସର୍ବଗୁଣା ସମ୍ପୂର୍ଣ୍ଣା କନ୍ୟା l ମାଉସୀଙ୍କ କୌଣସି ମେଡିକାଲ ଅସୁବିଧା ଜନିତ ଆଉ ତାଙ୍କର ପିଲାପିଲି ନାହିଁ, ସେଥିଲାଗି ସମସ୍ତଙ୍କ ପ୍ରିୟ ଏବଂ ସ୍ନେହର ଅଧିକାରିଣୀ ଆମ ଶିଖା ଅପା l ଶିଖା ଅପା ମଧ୍ୟ୍ୟ ବହୁତ ସଂସ୍କାରି । ବଡ଼ଙ୍କୁ ଯେମିତି ସମ୍ମାନ ଛୋଟ ମାନଙ୍କ ପ୍ରତି ତାର ସେମିତି ଅସରନ୍ତି ସ୍ନେହ, ପାଠରେ ବହୁତ ମେଧାବୀ ଛାତ୍ରୀ l ଟିକେ ଟିକେ କଥାରେ ବାପା ବୋଉ ମୋତେ ଶିଖା ଅପାର ଉଦାହରଣ ଦିଅନ୍ତି l ଖାଲି ମୋ ବାପା ବୋଉ କଣ ଆମ ସାହିର ପ୍ରତ୍ୟେକ ବ୍ୟକ୍ତି ଶିଖା ଅପା ଉଦାହରଣ ତାଙ୍କ ପିଲାଙ୍କୁ ଦିଅନ୍ତି l ମାନେ କି ସଂସ୍କାରି ଝିଅଙ୍କ ରୋଲ ମଡେଲ ସେ ଆମ ସାହିର l ପ୍ରତ୍ୟେକ ବ୍ୟକ୍ତି ଅପା ପ୍ରତିଭା ଲାଗି ଗର୍ବିତ ଅନୁଭବ କରନ୍ତି l ଅପା ଆମର ଅପୂର୍ବ ସୁନ୍ଦରୀ l ଲମ୍ବା ଲମ୍ବା ବେଣୀ ଆଣ୍ଠୁ ତକ, କଳା କଳା ବଡ ବଡ଼ ମୟୂରୀ ଆଖି, ସୁବର୍ଣ୍ଣ ରଙ୍ଗ ତାର ସୁନ୍ଦରତାକୁ ଆହୁରି ବଢ଼ାଇ ଦିଏ l ଘର ପାଖ ପଡିଶା ଘର ହୋଇଥିବାରୁ ସବୁବେଳେ ମୋର ପଡା ଶିଖା ଅପା ଘରେ l ରାତି ପାହିଲେ ଅପା ମୋର ବେଣୀ ପାରିଲେ ମୁଁ ସ୍କୁଲ ଯିବା ନିତିଦିନିର ନିୟମାବଳୀ ଭିତରେ ଥିଲା ମୋ ଜୀବନ ଚର୍ଯ୍ୟା l


ସେଦିନ ସନ୍ଧ୍ୟାରେ ମଧ୍ୟ ମୁଁ ଏବଂ ଶିଖା ଅପା ପାଠ ପଢ଼ୁଥିଲୁ, ଯୋଗୀ ମଉସା ତାଙ୍କ ତେଜରାତି ଦୋକାନ ବନ୍ଦ କରି ଆସି ପହଁଚିଲେ l ମାଉସୀ ଆମର ଚା ଦଉ ଦଉ ପଚାରିଲେ ଆରେ ଶିଖା ବାପା ତୁମେ କଣ ଆଜି ଏତେ ଶୀଘ୍ର ? ଦୋକାନରେ ସବୁ ଠିକ ଅଛି ତ? ମଉସା ଟିକେ ଗମ୍ଭୀର ହୋଇ କହିଲେ ନାହିଁ ସେମିତି କିଛି ନାହିଁ । ହେଇଟି ଶିଖା ବୋଉ ଆମ ଶିଖା ଲାଗି ଗୋଟେ ବହୁତ ଭଲ ପ୍ରସ୍ତାବ ଆସିଛି l କଟକରୁ ଉମେଶ ବାବୁ ଏବଂ ବସୁଧା ଦେବୀଙ୍କ କନିଷ୍ଠ ପୁତ୍ର ସୋମେଶ ଲାଗି l ଯାହା ଖବର ନେଇଛି ବହୁ ବଡ଼ଘର, ବଡ଼ ପରିବାର, ଭଲ ଚାଲିବା, ଖୁବ୍ ଜମିବାଡ଼ି, ପିଲାଟି ସରକାରୀ ଚାକିରୀ କରିଛି, ବାକି ଦୁଇ ଭାଇ ଏବଂ ଦୁଇ ବୋହୂ ମଧ୍ୟ ଚାକିରୀ l ଆମ ଶିଖାର ଭାଗ୍ୟ ମଧ୍ୟ ବଦଳିଯିବ l ନ ହେଲେ ମୋ ପରି ସାଧାରଣ ତେଜରାତି ଦୋକାନୀ ଘରେ ଏତେ ବଡ଼ ପ୍ରସ୍ତାବ କିଏ ଦେବ l ସବୁ ଶୁଣି ମାଉସୀ କହିଲେ ହେଇଟି କହି ଦଉଛି ମୁଁ ହେଲି ଗାଁ କନିଆ ସିଙ୍ଗାଣି ନାକି, ମୋର ଏତେ ବଡ ଲୋକଙ୍କୁ ବିଚାରିବାକୁ ମୋର ଯୋଗ୍ୟତା ନାହିଁ l ତୁମକୁ ଯାହା ଠିକ ଅନୁଭବ ହେଉଛି ତାହା କର କିନ୍ତୁ ଥରେ ଶିଖା ସହ ଆଲୋଚନା କରିବା ଉଚିତ ହେବ l ଏହା ଶୁଣି ମଉସା ହସିକି କହିଲେ ଶିଖା ଆମର ବହୁ ଗୁଣୀ ଝିଅ ସେ କଣ ବାପା, ମା କଥାକୁ ଅବହେଳା କରିବ ତଥାପି ତୁମେ ତା ସହ କଥା ହୋଇଯିବ l ଆମର ଆର୍ଥିକ ସ୍ଥିତି ଯାହା ଏପରି ପ୍ରସ୍ତାବ ଆଉ ମିଳିବ କି ନାହିଁ l ଆର ଘରେ ମୁଁ ଆଉ ଶିଖା ଅପା ସବୁ ଶୁଣୁଥିଲୁ ଏବଂ ଅନୁଭବ କରୁଥିଲି ଅପା ମନ ମନେ ଦୁଃଖୀ ହେଉଥିଲା କାରଣ ତାର ଆଗକୁ ଆହୁରି ପଢିବାକୁ ଇଚ୍ଛା ଥିଲା l ପରିସ୍ଥିତିକୁ ଚାହିଁ ସେ ମାଉସୀ ପଚାରିବାରୁ ନା ନକହି ହଁ ମଧ୍ୟ କହିଦେଲା l ବାସ କଥା ଆଗକୁ ବଢିଲା l

ସୋମେଶ ଭାଇ ପରିବାର ସହ ଶିଖା ଅପାକୁ ଏକା ଥରେ ଦେଖୀ ରାଜି ହୋଇଗଲେ l ଯୋଗୀ ମଉସାଙ୍କ ସ୍ଥିତି ଏତେ ସୁଦୃଢ ନ ଥିଲେଭି ଯେନତେଣେ କରି ଧାର ଉଧାର କରି, ଜମିବାଡ଼ି ବିକି ଗୋଟେ ମାତ୍ର କନ୍ୟାର କିଛି ଅଭାବ ଯେମିତି ନ ହୂଏ ସବୁ ଯୋଗାଡ଼ କଲେ l ବିଭାଘର ପୁରା ଦିନ ମୁଁ ଅପା ସହ ଥିଲି l ବିଦାୟୀ ସମୟରେ ଅପା ସମସ୍ତଙ୍କୁ ଧରି ଖୁବ୍ କାନ୍ଦି ଥିଲା, ମୁଁ ମଧ୍ୟ୍ୟ ଅପାକୁ ଧରି କାହିଁ କେଜାଣି ଜୋରେ କାନ୍ଦିଥିଲି । ଖାଲି ଯୋଗୀ ମଉସା, ମାଉସୀ ନୁହେଁ ପୁରା ସାହି ଅପା ବିଦାୟୀ ବେଳେ ଜୋରେ କାନ୍ଦି ଥିଲେ l ଶିଖା ଅପା ଚାଲି ଯାଇଥିଲା ସବୁ ଖାଲି ଖାଲି ଲାଗୁଥିଲା l


କିଛି ଦିନ ପରେ ପୁଣି ଖୁସିରେ ଆମ ସାହି ଝୁମି ଉଠିଥିଲା l ଅପା ଅଷ୍ଟ ମଙ୍ଗଳାରେ ସୋମେଶ ଭାଇଙ୍କ ସହ ଆସିଥିଲା l ଉଭୟେ ରାମ ସୀତା ଯୋଡି ପରି ଦେଖା ଯାଉଥିଲେ l ଅପା ଗୋରା ମୁହଁକୁ ଲାଲ ବଡ଼ ସିନ୍ଦୁର ଟୋପା, ଲାଲ ସିନ୍ଦୁରର ଲମ୍ବା ସିନ୍ତି, ଲାଲ ବନାରସ ପାଟରେ ସେ ଦେବୀ ପରି ଦେଖା ଯାଉଥିଲା l ପୁରାଦିନ ମୁଁ ଅପା ପଛେ ପଛେ ଗୋଡାଉ ଥିଲି l ସୋମେଶ ଭାଇଙ୍କ ସହ ଅପା ଭାରୀ ଖୁସି ଜଣା ପଡୁଥିଲା l ଭାଇ ମଧ୍ୟ ଭାରୀ ଶାନ୍ତ ସରଳ ଲୋକ ଥିଲେ l


ୟା ଭିତରେ ଦେଢ଼ ବର୍ଷ ବିତି ଯାଇଥିଲା, ଅପାର ଗୋଟେ ଝିଅ ମଧ୍ୟ ହୋଇ ଯାଇଥିଲା l ଅପା ସେତେଟା ଘରକୁ ଆଉ ଆସୁ ନ ଥିଲା l କିନ୍ତୁ ସାହି ପଡିଶା, ଘରେ ବାପା, ବୋଉ କଥା ହବାର ଅନେକ ଥର ଶୁଣିଛି ଅପା କୁଆଡେ ଭଲରେ ନାହିଁ l ବହୁତ କଷ୍ଟ ପାଉଛି ଶାଶୁଘରେ l ତା ଶାଶୁ ବସୁଧା ମାଉସୀ ଏବଂ ଦୁଇ ଯା ତାକୁ ବହୁତ ଖଟାଉଛନ୍ତି l ଶୁଣିଛି ଅପା ସବା ସାନ ବୋହୂ ଏବଂ ଝିଅ ଗୋଟେର ମା ହେବା ତା ଲାଗି ଅଭିଶାପ ହୋଇଯାଇଛି l ବସୁଧା ମାଉସୀ ଅପା କୁ କମ ଯୌତୁକ ଲାଗି ସବୁବେଳେ ଗଞ୍ଜଣା ଦିଅନ୍ତି ଏବଂ ସୋମେଶ ଭାଇର ଆଉଥରେ ବାହାଘର ଲାଗି ଧମକ ଦିଅନ୍ତି, କିନ୍ତୁ ଅପା ଏ ସବୁ କିଛି ସୋମେଶ ଭାଇଙ୍କୁ କିଛି କୁହେନି ପଚାରିଲେ କଥାକୁ ଆଡେଇ ଯାଏ l ଗରିବ ଘରର ଝିଅ ଯେମିତି ତା ଲାଗି ଗୋଟେ ଗାଳି ବନି ଯାଇଥିଲା l କଣବା କରି ପାରିଥାନ୍ତା ସେ ତା ବାପା, ମାଙ୍କ ସଂସ୍କାର ତାର ସବୁଠୁ ବଡ଼ କମଜୋରୀ ବନି ଯାଇଥିଲା ଯାହା ଲାଗି ଦିନେ ସେ ଆମ ସାହିର ସବୁଠୁ ପିୟ ଆଦର୍ଶ ଝିଅ ଥିଲା l କେଜାଣି କେତେ କଷ୍ଟରେ ମୋ ଶିଖା ଅପା ସେ ଦିନ ଗୁଡିକ କଷ୍ଟରେ କାଟୁଥିଲା କିନ୍ତୁ ତାର ସେଇ ଶାନ୍ତ,ନମ୍ର,ସ୍ନେହୀ,ସ୍ଥିର ରୂପ ବଦଳି ନ ଥିଲା l ଖାଲି ଯାହା ତା ମୁହଁରୁ ସେ ହସ ଉଡି ଯାଇଥିଲା l କିଛି ଦିନ ପୂର୍ବରୁ ବୋଧେ ଗଲା ମାସ ଶେଷ ରବିବାର ଅପା ଘରକୁ ଆସିଥିଲା. ସୋମେଶ ଭାଇ ମଧ୍ୟ l ପୁରା ଝଡି ଯାଇଥିଲା l ଆଖିତଳେ କଳା ଦାଗ ପଡି ଯାଇଥିଲା l ପୁରା ସୁବର୍ଣ୍ଣ ବୃକ୍ଷଟି ଝାଉଁଳି ପଡି ଯାଇଥିଲା l ମଉସା, ମାଉସୀ, ବାପା, ବୋଉ ଯେତେ ପଚାରିଲେ ଭି ସବୁ ଠିକ ଅଛି ବୋଲି କହିଥିଲା l କୁନି ଝିଅ ପୁରା ଅପା ପରି ଦିଶୁଥିଲା l ସତେକି ଦ୍ୱିତୀୟ ଶିଖା l ଅପା ସେଦିନ ମୋତେ ଭାରୀ ସ୍ନେହରେ ଡାକି ବେଣୀ ପକାଇ ଦେଇଥିଲା l କିନ୍ତୁ ଅପା ଆଉ ଆଗ ପରି ହସୁ ନ ଥିଲା l ସତେ ଯେପରି ସବୁ ପରିସ୍ଥିତି ସହ ଖାପ ଖୁଆଇ ନେଇଥିଲା l ଅପା ସନ୍ଧ୍ୟା ହେବା ପୂର୍ବରୁ ଯିବା ବେଳକୁ ମୋତେ ଧରି ସେପରି କାନ୍ଦି ଥିଲା ଯେମିତି ତା ବିଭାଘରର ମୁଁ ତା ବିଦାୟୀ ସମୟରେ କାନ୍ଦି ଥିଲି l ମୁଁ ମଧ୍ୟ ଅସହ୍ୟ ହୋଇ କାନ୍ଦିବାରୁ ସେ ତା ପଣତରେ ମୋ ଲୁହକୁ ପୋଛି ଦେଇଥିଲା l ସତେ କତେ ଅସହାୟ ହୋଇ ପଡିଥିଲା ମୋ ଶିଖା ଅପା l

ସୋମବାର ସକାଳୁ ଫୋନ ଆସିଲା ଅପା ଆଉ ନାହିଁ l ଶୁଣି ଯୋଗୀ ମଉସା, ମାଉସୀ,ମୁଁ, ବାପା, ବୋଉଙ୍କ ଉପରେ ଚଡକ ପଡି ଯାଇଥିଲା l ସାହି ସାରା ଆଶ୍ଚର୍ଯ୍ୟ ଜନକ କୋଳାହଳ l କାଲି ତ ଆସିଥିଲା ଅପା l ରାତିକ ଭିତରେ କଣ ହେଲା, ଜାଣିବା ପ୍ରୟାସରେ ସବୁ ଦୌଡ଼ିଲୁ କଟକ ଅପା ଶାଶୁ ଘରକୁ l ଯାଇ ଦେଖୁ ଅପାର ଶବ ପଡିଛି l ଫାସୀ ଦେଇ ଦେଇଛି କୁଆଡେ ଅପା କଣ କୁନି ଝିଅ ବିଷୟରେ ଟିକେ ଚିନ୍ତାକଲାନି l ଅପା ବଡ଼ ସିନ୍ଦୁର ଟୋପା ଟା ମଳିନ ପଡିଯାଇ ଥାଏ, ତା ଲମ୍ବା ବେଣୀ ଫିଟି ଯାଇଥିଲା ଆଉ ତା ମୟୂରୀ ଆଖି ସବୁଦିନ ଲାଗି ବନ୍ଦ ହୋଇ ଯାଇଥିଲା l କାନ୍ଦ ବୋବାଳିରେ ଘର ଉଛୁଳି ପଡୁଥିଲା,ଯୋଗୀ ମଉସା, ମାଉସୀ ଛାତି ଫଟାଇ କାନ୍ଦୁଥାନ୍ତି,ଦୂରରେ ସୋମେଶ ଭାଇ ମୁଣ୍ଡରେ ହାତ ଦେଇ ଚୁପ ବସିଥାନ୍ତି l ପୋଲିସ ଘର ସାରା ବୁଲୁଥାନ୍ତି l ବସୁଧା ମାଉସୀ ଗୋଟେ କୋଣରେ ବସି ଦୁଇ ବୋହୂ ସହ କାନ୍ଦୁଥାନ୍ତି l ପୋଲିସ ବାବୁ ସୋମେଶ ଭାଇଙ୍କୁ ଖଣ୍ଡେ କାଗଜ ଆଣି ଦେଲେ ଏବଂ କହିଲେ ଆପଣଙ୍କ ସ୍ତ୍ରୀଙ୍କର ଏ ଶେଷ ଚିଠି ଆପଣଙ୍କ ଲାଗି ସେ ଛାଡି ଯାଇଛନ୍ତି l ଆମେ ସମସ୍ତେ ଚାହିଁ ଥାଉ ସୋମେଶ ଭାଇ ଚିଠି ଟି ପଢିବା ଆରମ୍ଭ କଲେ.......


ପ୍ରିୟ ସୋମେଶ,

ମୋର ବହୁତ ଭଲପାଇବା ତୁମକୁ ଏବଂ ଝିଅକୁ ସ୍ନେହ l କ୍ଷମା କରିବ ମଝି ରାସ୍ତାରେ ତୁମକୁ ଛାଡି ଯାଉଛି l ମୋର ବଞ୍ଚିବାର ଆଉ ଇଚ୍ଛା ନ ଥିଲା l ସେଥିପାଇଁ ଯାଉଛି l ଝିଅକୁ ଭଲରେ ବଡ଼ କରିବ ଜାଣିଛି କଷ୍ଟ ହେବ l ମୋ ବାପା, ମା ତୁମକୁ ଦ୍ୱିତୀୟ ଶିଖା ଗଢିବାରେ ସାହାଯ୍ୟ କରିବେ l ମୋ ବାପା ମୋତେ 10/15 ଭରି ସୁନା ଦେଇଥିଲେ ତୁମ ବୋଉଙ୍କୁ ଦେଇ ଦେବ ଏବଂ କିଛି ପାଟ ଶାଢ଼ୀ ମଧ୍ୟ ବୋଉ ନାଇଲେ ପିନ୍ଧିଲେ ମୋତେ ଖୁସି ଲାଗିବ l ତୁମେ ଦ୍ୱିତୀୟ ବିଭାଘର କରିନେବ ଏ ଥର କୌଣସି ଭିକାରୀ ଘରେ ନୁହେଁ କୋଉ ବଡ଼ ଏବଂ ଶିକ୍ଷିତ ଲୋକଙ୍କ ଘରେ l ଯେତେଦିନ ବଞ୍ଚିଲି ସମସ୍ତଙ୍କ ଖୁସିର ଧ୍ୟାନ ଦେଲି ଯେ ଏହା ଭିତରେ ମୁଁ ମୋ ନିଜ ବଞ୍ଚିବାର ଅର୍ଥ ଭୁଲିଗଲି l ଜୀବନ ବୋଝ ପରି ଲାଗୁଥିଲା l ବୋଧେ ନାରୀ ଜୀବନ ସହନିୟ ବୋଲି ଜନ୍ମ କଲା ବାପା, ମା, ସମାଜ, ସ୍ୱାମୀ,ଶାଶୁଘର ସମସ୍ତେ ଭାବି ନିଅନ୍ତି l କାହିଁକି କେଜାଣି ଭୁଲିଯାନ୍ତି ସେ ଭି ହାଡ଼, ମାଂସର ମଣିଷ ଏବଂ ତାର ମଧ୍ୟ ଗୋଟେ ମନ କିଛି ଆଶା ଥାଏ l ଏଇଟା ମୋର ଶେଷ ଚିଠି ସୋମେଶ, ଗୋଟେ ଶେଷ ଇଚ୍ଛା ସହ l ଜୀବନରେ କେବେ କିଛି ମାଗି ନାହିଁ ଏଇଟା ମୋର ପ୍ରଥମ ଏବଂ ଶେଷ ଇଚ୍ଛା l ମୋ ଝିଅକୁ ମୋ ପରି ସହିବା ଶିଖାଇବ ନାହିଁ ଜୀବନ ବଞ୍ଚିବା ଶିଖାଇବ l ଝିଅ ମାନଙ୍କର କିଛି ବଡ଼ ଆଶା ନ ଥାଏ ଦୟାକରି ତାର ସେ କୁନି କୁନି ଆଶା ଗୁଡିକୁ ଡେଣା ଦେବ l ରହୁଛି...

ତୁମର ଶିଖା


ଚିଠି ପଢିସାରି ସୋମେଶ ଭାଇ କାନ୍ଦି କାନ୍ଦି ମୁଣ୍ଡରେ ହାତ ଦେଇ ବସି ପଡ଼ିଥିଲେ l ବସୁଧା ମାଉସୀ ଅପାକୁ ଧରି ମୋ ସୁନା ବୋହୂ କଣ କଲୁ କହି ଜୋରେ ଜୋରେ କାନ୍ଦୁଥିଲେ l ସୋମେଶ ଭାଇ ତାଙ୍କ ମାଙ୍କୁ ଏକଲୟରେ ଚାହିଁ ଥିଲେ ବୋଧେ ବୁଝିବାକୁ ଚେଷ୍ଟା କରୁଥିଲେ ସେଇଟା ସତ କାନ୍ଦ ନା ଜେଲ ଯିବାରୁ ବଞ୍ଚିବାର ଅଭିନୟ l


Rate this content
Log in

More oriya story from Banasmita Panda

Similar oriya story from Tragedy