ଶେଷ ଆଶା
ଶେଷ ଆଶା
ନିଧି ମଉସାଙ୍କ ଦୋକାନ ରେ ଭାରି ଭିଡ଼ ଲୋକଙ୍କର. କାରଣ ହୁଏତ ଆଖପାଖରେ ଏଇ ଏକମାତ୍ର ଜଳଖିଆ ଦୋକାନ.ଆଉ ଗୋଟେ କାରଣ ମଉସାଙ୍କ ଦୋକାନରେ ପଞ୍ଜୁରୀ ଭିତରେ ରହୁଥିବା ଘରଚଟିଆ ପକ୍ଷୀଟି,ଶୁଆ ଶାରୀ, ବଣି ଆଦି ପକ୍ଷୀ ପରି ଯଦିଓ ସବୁ ଶବ୍ଦ କହିପାରେନା ଘରଚଟିଆ କିନ୍ତୁ ବନ୍ଧୁ ବୋଲି ପରିସ୍କାର ଡାକେ. ମଉସାଙ୍କ ଜଳଖିଆ ଦୋକାନ ହୁଏତ ଏଇ ଘରଚଟିଆ ପକ୍ଷୀର ବନ୍ଧୁ ଡାକ ପାଇଁ ଖୁବ ଚର୍ଚିତ. ସେଇଥିପାଇଁ କି କଣ କେଜାଣି ଆଉ ଦ୍ୱିତୀୟ କି ତୃତୀୟ ଜଳଖିଆ ଦୋକାନ ନାହିଁ ଏଇ ପାଖାପାଖି ପାଞ୍ଚଖଣ୍ଡ ଗାଁରେ. ସେଦିନ କାରଟିଏ ଲାଗିଗଲା. ଓଲ୍ହେଇ ପଡି ଆଗେଇ ଆସୁଥିଲେ ବୟସ୍କ ଓ ଯୁବକ ପରି ଦୁଇଜଣ ସୁଟ ସାଟ ପିନ୍ଧା ଭଦ୍ରଲୋକଙ୍କ ସାଙ୍ଗକୁ ଦୁଇଜଣ ଭଦ୍ରମହିଳା ଓ ଯୁବତୀ. ସେମାନଙ୍କୁ ଦେଖି ଦୋକାନକୁ ସବୁଦିନ ଆସି ଜଳଖିଆ ଖାଉଥିବା ସମସାମୟିକ ଗରାଖମାନେ ମଉସାଙ୍କ ଉଦେଶ୍ୟରେ କହୁଥାନ୍ତି ଆଜି ତୋ କପାଳ ଫିଟିଲା ଜାଣ ନିଧି .ଆଜି ଆଉ ବଳକା ରହି ଗନ୍ଧିଆ କି ବାସି ହେବନି ତୋ ଜଳଖିଆ. ସତକୁ ସତ ଆସିଥିବା ଆଗନ୍ତୁକ ଚାରିଜଣ ଖୁବ ଭୋକିଲା ଥିଲା ପରି ଖାଉଥାଆନ୍ତି ପୁରୀ, ବରା, ପିଆଜି, ଅଲୁଚପ ସାଙ୍ଗକୁ ଘୁଗୁନି.ନିଧି ମଉସାଙ୍କ ହାତ ଛାଣିବାରେ ଯେମିତି ଚଞ୍ଚଳ ଥାଏ ମାଉସୀଙ୍କ ହାତ ପରଷା ମଧ୍ୟ ଘରୋଇ ମନେହେଉଥାଏ.
ଖାଇବା ସମୟରେ ସେମାନେ କଥାବାର୍ତ୍ତା ହେଉଥାଆନ୍ତି ପରିବେଶ ଦୃଷ୍ଟିକୋଣରୁ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଏହି ସ୍ଥାନଟି ଫିଲିମ ପାଇଁ ଉପଯୁକ୍ତ ସତ ହେଲେ ଗୋଟେ ଅସୁବିଧା ହେଲା ନେଟ ରହୁନି. ନିଧି ମଉସା କହିଲେ ଏବେ ସିନା ନେଟ ଯୁଗ ହୋଇଗଲାଣି ଆଜ୍ଞା ଆଗରୁ କିନ୍ତୁ ଏଇ ମୁଣ୍ଡିଆ ତଳେ ଶ୍ରୀଜଗନ୍ନାଥ ଓ ନୀଳମାଧବ ଭଳି କେତେ ଫିଲ୍ମ ସୁଟିଂ ଏଇ ଆଖି ଦେଖିଛି ବାବୁ. ଆଜି ଯୁଗ ବଦଳିଗଲା ଓ ନୂଆ ନୂଆ ଟେକନୋଲୋଜି ବାହାରିଗଲା ବୋଲି ସ୍ନେହ, ସୌହାର୍ଦ୍ୟ, କର୍ତ୍ତବ୍ୟ ତଥା ମମତାପୂର୍ଣ୍ଣ ଆନ୍ତରିକତା କଣ କମିଯିବ!ତ ମାଉସୀ ଯୋଡି ଦେଇ କହୁଥିଲେ ଏଇ ଗାଁର ଝରଣା, ପାହାଡ଼, ନଈପଠାରେ ବଡ଼ ହୋଇଥିବା ପୁଅ ଆମର ପରା ପାଠ ପଢି ବଡ଼ବାବୁ ହେଇଗଲା ଯେ ଭୁଲିଗଲା ଗୀତ ଗାଇ ପ୍ରତିଧ୍ୱନି ଶୁଣୁଥିବା ଏ ପାହାଡକୁ, ଆଉ ଭୁଲିଗଲା ପହଁରା ଶିଖିଥିବା ନଈକୁ ଓ ଭୁଲିଗଲା ଗାଁର ପାଣି,ପବନ, ଗୋଡି ଓ ମାଟିକୁ କିନ୍ତୁ ଆମ ପରି ବୁଢା ବୁଢ଼ୀ ବାପ ମାଆ ଦୁଇଟାଙ୍କୁ ଭୁଲି କହୁଛି କଣ ନା ଅନଲାଇନ ରେ ସଂସ୍କାର କରିନେବ!ଘରଚଟିଆ କହୁଥିଲା ବ...ନ୍ଧୁ. ତ ଚୁପ ହୋଇଗଲେ ଦୁହେଁ. ବାବୁ ବାବୁଆଣୀ ମାନଙ୍କ ଖାଇବା ସରିଥାଏ ତ ସେମାନେ ପଇସା ଦେବାକୁ ଫୋନ ପେ ନମ୍ବର ମାଗୁଥାଆନ୍ତି ନିଧି ମଉସାଙ୍କୁ. ସେ ଆକାଉଣ୍ଟ, ଫୋନ୍ ପେ, ଗୁଗୁଲ ପେ ଇତ୍ୟାଦି ମତେ ଜଣା ନାହିଁ ବାବୁ ବାବୁଆଣି. ତୁମର ଏଇ କେଇଟା ଟଙ୍କା କି ପଇସା ଦେବା ଦରକାର ନାହିଁ ବରଂ ତୁମେ ଜନ୍ମ ହୋଇଥିବା ଗାଁ ଓ ତୁମକୁ ଜନ୍ମ କରିଥିବା ବାପା ମାଆ ଙ୍କୁ ଚିହ୍ନ, ଭୁଲନାହିଁ. ସେତିକି କରିପାରିବତ ଆମେ ବୁଢା ବୁଢ଼ୀ ଦୁହେଁ ଆମ ପାଉଣା ପାଇଯିବୁ. ଏମାନଙ୍କ କଥୋପକଥନ ଭିତରେ ଘରଚଟିଆ ଡାକ ବନ୍ଧୁ ବନ୍ଧୁ ଖୁବ ମଧୁର ମନେହେଉଥିଲା. କିଛି ଦିନ ପରେ ଦେଖାଗଲା ଫିଲ୍ମ ସୁଟିଂ ଚାଲିଛି ଓ ନିଧି ମଉସାଙ୍କ ଜଳଖିଆ ପାଉଣା ରେ ତାଙ୍କ ପକେଟ ଭରା ସାଙ୍ଗକୁ ଘରଚଟିଆର ବନ୍ଧୁ ଡାକ ଫିଲ୍ମ ରେ ସୁଟିଂ ହୋଇ ରହୁଛି. ନିଧି ମଉସା ପଇସା ପାଇଁ ଯେତିକି ଖୁସି ନୁଁହଁନ୍ତି ବରଂ ତାଙ୍କ ଗାଁ ଓ ଗାଁର ପାହାଡ଼, ନଈ, ବଣ, ଗଛ, ଫୁଲ ସହ ଦେବାଳୟ ସବୁ ପିଲ୍ମ ରେ ଦେଖିବାକୁ କେବେ ମିଳିବ ଭାବି ହେଉଥିଲା ବେଳେ ମାଉସୀ ମନ ଜାଣିଲା ପରି କହୁଥିଲେ ଘରଚଟିଆ ର ବନ୍ଧୁ ଡାକ ଫିଲ୍ମ ରୁ ଶୁଣି ଏ ଗାଁ କୁ ଦେଖିବାକୁ କେତେ ଲୋକ ଆସିବେ ଆଉ ଆସିବ ନିଶ୍ଚୟ ଆମ ପୁଅ ଏଥର .
