ଓଡିଆ ଶିଶୁ ଗପ

Children

0  

ଓଡିଆ ଶିଶୁ ଗପ

Children

ଶାଶୁଙ୍କ ଜୋଇଁ ଡାକରା

ଶାଶୁଙ୍କ ଜୋଇଁ ଡାକରା

3 mins
627


ଦିନେ ଗୋପାଳ ଭାଣ୍ଡର ସ୍ତ୍ରୀ ଗୋପାଳଙ୍କୁ କହିଲେ – ଆହେ ଅନେକ ଦିନ ହେଲା ଜୋଇଁ ଆସି ନାହାଁନ୍ତି । ଏ କଥାରେ କ’ଣ ଜୋଇଁଙ୍କ ମନରେ ଦୁଃଖ ହେଉ ନଥିବ? ସଂସାରର ଭଲ ମନ୍ଦ ତ କିଛି ବୁଝିଲ ନାହିଁ । ତୁମ୍ଭେ ଘରଠୁ ରାଜା ଦୁଆର ଓ ରାଜ ଦୁଆରଠୁ ଘର ଏହାହିଁ ତୁମ୍ଭ ପକ୍ଷରେ ଯଥେଷ୍ଟ ହୋଇଛି । ମୁଁ କେତେ ଥର ଏ କଥା କହିଲିଣି ହଁ ମାରି ନିଶ୍ଚିନ୍ତ । ଯାହା ହେଲେ କାଲି ଦିନରେ ଜୁଆଇଁକି ନିଶ୍ଚେ ଆଣିଲେ ତେବେ ଯାଇ ସବୁ କଥା । ଗୃହିଣୀର ଏଭଳି ଜିଦ୍ କଥା ଗୋପାଳ ବୁଝି ପାରି ଭାବିଲା ଜୋଇଁ ଆସିଲେ କେତେ ଖରଚ ତାହା ତ ଜାଣନ୍ତି ନାହିଁ । ଆଚ୍ଛା ଏଥର ଅକଲ ଦେବାକୁ ହେବ । ଏକ ଢେଲାରେ ଦୁଇଟି ଚଢେଇ ମାରିବାକୁ ହେବ । ଯେପରିକି ଶାଶୁ ଆଉ ଥରେ କହିବ ନାହିଁ, କି ଜୋଇଁ ସହଜରେ ଆସିବ ନାହିଁ । ଏହା ଭାବି କରି ଗୋପାଳ କହିଲେ –

ଆଚ୍ଛା ଭଲ ଭଲ ଖାଦ୍ୟ ପଦାର୍ଥ ଯୋଗାଡ କର । ମୁଁ ଯାଉଛି ଜୋଇଁ କି ନେଇ ଆସିବି । ଗୋପାଳ ଜୋଇଁଙ୍କ ଘରକୁ ଯାଇ ଜୋଇଁକି ନେଇ ଆସିଲେ । ଜୋଇଁ ଦି’ ଦିନ ରହିଲେ ଶାଶୁ ମଧ୍ୟ ଜୋଇଁକୁ ଖୁବ୍ ଯତ୍ନ କରି ମାଛ, ମାଂସ, ଖିରୀ, ପୁରୀ, ମିଠେଇ ନାନା ପ୍ରକାର ପିଠା ପଣା ଖୋଇଲେ । ଦିନକୁ ଦୁଇ ଦିନ ହୋଇ ଗଲା ତଥାପି ଜୋଇଁବି ବିଦାୟ ନେଇ ଗ୍ରାମକୁ ଯିବାକୁ ଆଉ ମନ କଲେ ନାହିଁ ।

ଗୋପାଳ ଭାଣ୍ଡର ଛୋଟ ବଗିଚାଟିଏ । ଅନେକ ପ୍ରକାର ଫୁଲ ଫଳର ଗଛ ଅଛି, କିନ୍ତୁ ଗୋଟିଏ ଲେମ୍ବୁ ଗଛରେ ଅନେକ ଲେମ୍ବୁ ହୋଇ ଥିଲା । ଗୋପାଳ ଚତୁରତା କରି ଦିନେ ଜୋଇଁକୁ ଡାକି କହିଲେ – “ବାବୁ ଏ ବଗିଚାରୁ ଚୋର କିଏ ଲେମ୍ବୁ ଗୁଡାକ ଚୋରୀ କରି ନେଇ ଯାଉଛି । ଆଜି ମୁଁ ଘରେ ରହିବି କି ନାହିଁ ସନ୍ଦେହ । ଯାହା ହେଉ ତୁମ୍ଭେ ଆଜି ସଂନ୍ଧ୍ୟା ପୂର୍ବରୁ ବାଡିକି ଯାଇ ଗୋଟିଏ ଗଛ ମୂଳରେ ଲୁଚି କରି ବସି ଅନେଇ ଥାଅ ।” ଏଣେ ଗୋପାଳ ସଂନ୍ଧ୍ୟା ହେବା ଦେଖି ଘର ଭିତରକୁ ଯାଇ ତାର ସ୍ତ୍ରୀକି କହିଲା –

“ରାଜାଙ୍କ ଘରକୁ ଯିବାକୁ ହେବ । ଚଂଚଳ ଭାତ ଦେବଟି ।” ଏହା ଶୁଣି ଗୋପାଳର ସ୍ତ୍ରୀ ତର ତର ହୋଇ ଭାତ ବାଢି ଦେଲା । ଗୋପାଳ କହିଲା –

ଆରେ ପେଟଟା ଟିକେ ଗରମ ବୋଧ ହେଉଛି ଖାଇ ହେଉ ନାହିଁ । ଯାଆ ତୁ ଗୋଟିଏ ତଟକା ଲେମ୍ବୁ ନେଇ ଆସିବୁ । ଗୋପାଳର ସ୍ତ୍ରୀ ସଙ୍ଗେ ସଙ୍ଗେ ମିଟି ମିଟି ହୋଇ ଜଳୁଥିବା ବଇଠା ନେଇ ବଗିଚାକୁ ବାହାରିଲା । ଦୂଆର ମୁହଁ ଟପି ଯାଇଛି ପବନରେ ବଇଠା ଆଲୁଅଟା ଲିଭି ଗଲା । ସେ ଆଉ ଆଲୁଅ ଲଗାଇ କରି ଆଣିବାକୁ ବିଳମ୍ବ ହେବ ଭାବି ଲେମ୍ବୁ ଗଛ ନିକଟକୁ ଯାଇ ଦରାଣ୍ଡି କରି ଲେମ୍ବୁ ତୋଳୁଛି । ଏହି ସମୟରେ ଜୋଇଁ ତ ଏଣେ ଜଗି ଥିଲା ସେ ଏତେ କଥା କିପରି ଜାଣିବ, ଜୋଇଁ ଶାଶୁକୁ ଚୋର ମନେ କରି (ଜୋଇଁ ଶାଶୁକୁ) ମାଡି ବସି ଡାକ ପକାଇଲା । ଜୋଇଁର ଡାକ ଶୁଣି ଗୋପାଳ ଗୋଟିଏ ଆଲୁଅ ହାତରେ ଧରି ଲେମ୍ବୁ ଗଛ ନିକଟରେ ପ୍ରବେଶ ହେଲା । ଆଗେ ଆଲୁଅ ନେଇ ଜୋଇଁ ମୁହଁ ନିକଟରେ ଦେଖାଇ କହିଲା ବାଃ ଭଲ ଜୋଇଁଟାଏ ତୁମ୍ଭର ଏପରି ପୁଣି ଅନୀତି କାର୍ଯ୍ୟ । ପୁଣି ଶାଶୁ ମୁହଁ ନିକଟରେ ଆଲୁଅ ଦେଖାଇ କହିଲା ବେଶ୍ ବେଶ୍ ଭଲ କଥା, ଏଇଥି ସକାଶେ ଜୋଇଁକି ଡାକ ଡାକ ବୋଲି ଜିଦ୍ କରିଥିଲ ପରା । ଏଣେ ଶାଶୁ ଓ ଜୋଇଁ ଆଲୁଅରେ ମୁହଁ ଦେଖା ଦେଖି ହୋଇ ଦୁଇ ଜଣ ଯାକଙ୍କର ଲାଜରେ ଏକା ବେଳେ ତାଙ୍କ ମୁହଁ ଜଳି ଗଲା । ତା’ପର ଦିନ ଆଉ ଜୋଇଁ କାହାକୁ କିଛି କୁହା ବୋଲା ନକରି ପାହାନ୍ତାରୁ ଉଠି ଗ୍ରାମକୁ ପଳାଇଲା ।

ସେହି ଦିନ ଠାରୁ ମଧ୍ୟ ଶାଶୁ ଜୋଇଁକି ଆଣିବା କଥା ଦୂରେ ଥାଉ ଜୋଇଁ ନାଁ ସୁଦ୍ଧା ଧରିଲା ନାହିଁ, ଗୋପାଳ ମଧ୍ୟ ନିଶ୍ଚିତ ହୋଇ ରହିଲା ।


Rate this content
Log in

Similar oriya story from Children