STORYMIRROR

Lipi Sahoo

Horror Thriller

4.5  

Lipi Sahoo

Horror Thriller

ଶାପିତ ନଗରୀ

ଶାପିତ ନଗରୀ

4 mins
290


ପ୍ରାୟ ଛଅଶହ ବର୍ଷ ତଳର ପ୍ରାଚୀନ କାହାଣୀ। କନକପୁର ବୋଲି ଏକ ଛୋଟିଆ ସମୃଦ୍ଧ ରାଜ୍ୟ ଥିଲା।ଏହା ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ହେଇଥିବାରୁ ସେ ସମୟର ବାଣିଜ୍ୟ କେନ୍ଦ୍ର ବି ଥିଲା।ସେଇ ରାଜ୍ୟ ର ରାଜାଥିଲେ କନକବର୍ଦ୍ଧନ। ଖୁବ୍ ଉନ୍ନତ ସଭ୍ୟତା। ଧନଧାନ୍ୟ ରେ ପରିପୂର୍ଣ୍ଣ ଥିଲା ରାଜ୍ୟ।ପ୍ରାୟ ସମସ୍ତେ ବିଳାସପୂର୍ଣ୍ଣ ଜୀବନ ଯାପନ କରୁଥିଲେ। ଏଠାରେ ବଣିକ ଶ୍ରେଣୀ ର ଲୋକମାନେ ବହୁଳ ଭାବରେ ବସବାସ କରୁଥିଲେ। ସେମାନେ ବଡ଼ବଡ ବୋଇତରେ ବେପାର ପାଇଁ ବିଦେଶକୁ ବି ଯାଉଥିଲେ। ଖୁବ୍ ବିଶାଳ ରାଜ ନଆର ସୁନା ହୀରା ନିଳାରେ ସଜା ହେଇଥିଲା ବୋଲି ଶୁଣାଯାଏ। ହେଲେ ଆଜି ତାହା ଏକ ନିର୍ଜନ ଧ୍ୱଂସସ୍ତୂପରେ ପରିଣତ ହେଇ ଯାଇଛି। ସେଠାରେ ବି ଏବେ କୌଣସି ଜନବସତି ନାହିଁ। କେବଳ ରହିଛି ଏକ ବିରାଟ ଭଗ୍ନ ମନ୍ଦିର ।ଏକଦା ସେଠାରେ ନାରାୟଣ ଙ୍କ ବିଶାଳ ମୂର୍ତ୍ତି ପୂଜା ପାଉଥିଲା।ସେ ସବୁ ଏବେ ଇତିହାସ ପାଲଟି ଯାଇଛି। ବାଲିର ପାହାଡ଼ ଭିତରେ ସଂପୂର୍ଣ୍ଣ ପୋତିହେଇ ଯାଇଛି ନଗର। 

    ଏବେ ସେଠାରୁ ଏକ କୋଶ ଦୂରରେ ଏକ ଛୋଟିଆ ଗାଁ ଅଛି ଯାହାର ନାମ କନ୍ତରା। ସେଠାରେ ଏବେ ବିଶେଷ କରି କେଉଟ ମାନେ ହିଁ ବସବାସ କରନ୍ତି।ଏଇ ନିର୍ଜନ ଅଞ୍ଚଳ କୁ ଲୋକମାନେ ଦିନରେ ବି ଯିବାକୁ ଡରନ୍ତି। ସେଠାରେ କେଉଟମାନେ ମାଛ ଆଉ ଜାଲ ଶୁଖାନ୍ତି।ସେ ବି ଦଳବଦ୍ଧ ହୋଇ ଯାଆନ୍ତି।ଖରା ଲେଉଟିବା ଆଗରୁ ଫେରି ଆସନ୍ତି।ଲୋକ ବିଶ୍ୱାସ ସେଠି ଲଳିତାର ଆତ୍ମା ଘୂରିବୁଲେ। ଅର୍ଦ୍ଧରାତ୍ରିରେ ଭଗ୍ନ ମନ୍ଦିର ଭିତରୁ ତା'ର ଘୁଙ୍ଗୁର ର ଶବ୍ଦ ଶୁଭେ।ଲୋକ କହନ୍ତି ଆଜି ବି ସେ ରାତିରେ ଦେବତାଙ୍କ ଆଗରେ ନୃତ୍ୟ ପରିବେଷଣ କରେ।କିଏ ସେଇ ଲଳିତା??

              ଦେବଦାସୀ ବୃନ୍ଦାର ଝିଅ ଥିଲା ଲଳିତା।ଅପରୂପା ଲାବଣ୍ୟମୟୀ ପୂର୍ଣ୍ଣଯୌବନା।ବୃନ୍ଦା ବି କିଛି କମ୍ ସୁନ୍ଦରୀ ନଥିଲା।ସେ ନାରାୟଣ ଙ୍କ ପ୍ରତି ସଂପୂର୍ଣ୍ଣ ସମର୍ପିତ ଯୋଗିଣୀ ଟିଏ।ଦିନରାତି ତାଙ୍କରି ସେବାରେ ନିଯୁକ୍ତା।ସେ ସମୟରେ ଏଇ ମନ୍ଦିର ର ଡାକ ବହୁତ ଥିଲା। ବହୁ ଦୂରରୁ ଭକ୍ତମାନେ ବି ଏଠାକୁ ଦର୍ଶନ ପାଇଁ ଆସୁଥିଲେ।ସବୁ ଦିନ ଏଠି ଗହଳି ଲାଗି ରହିଥାଏ।ରାତି ଅଧରେ ବୃନ୍ଦା ମନ୍ଦିରର ଗର୍ଭଗୃହରେ ପ୍ରବେଶ କରି ନୃତ୍ୟ ପରିବେଷଣ କରେ। ଲୋକମାନେ କେବଳ ତା'ର ନୁପୂର ଶବ୍ଦ ହିଁ ଶୁଣିଥାଆନ୍ତି।ସେ ଶବ୍ଦର ମାଧୁରି ଯେ ଶୁଣିଛି ସେ ମୁଗ୍ଧ ହେଇଛି।କେବେ କେହି ତା'ର ନୃତ୍ୟ ଦେଖି ନାହାନ୍ତି। କନକବର୍ଦ୍ଧନ ଙ୍କ ପିତା ଜନକବର୍ଦ୍ଧନ ଖୁବ୍ ପ୍ରଜା ବତ୍ସଳ ରାଜାଥିଲେ।ସେ ନାରାୟଣଙ୍କ ଭକ୍ତିରେ ସଦା ମଜ୍ଜିତ ରହୁଥିଲେ। ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମନ୍ଦିର ସୁପରିଚାଳିତ ହୋଉଥିଲା। ଆଦର୍ଶ ନଗରୀ ହିସାବରେ ଏହାର ନାଁ ଡାକଥିଲା।

              ଏକଦା ବୃନ୍ଦା ନୃତ୍ୟ ଶେଷକରି ମନ୍ଦିର ଭିତରୁ ବାହାରି ଆସିବା ସମୟରେ ପାହାଚରେ ଏକ ଶିଶୁକନ୍ୟାକୁ କେହି ଶୋଇଦେଇ ଚାଲିଯାଇ ଥିବାର ଦେଖିଲା।ସେ ବହୁତ ସମୟ ଅପେକ୍ଷା କଲା ତା'ର ପିତା କି ମାତା ଆସି ତାକୁ ନେବେ।ହେଲେ କେହି ଆସିଲେ ନାହିଁ।ସେ ଡାକ ବି ପକେଇଲା ଏଠି କାହା ପିଲା ଶୋଇଛି ଆସି ନେଇଯାଅ କିଛି ବି ଉତ୍ତର ମିଳିଲାନି।ସେ ବାଧ୍ୟ ହୋଇ ତାକୁ ନେଇ ଘରକୁ ଫେରିଲା। ଧୀରେଧୀରେ ସେଇ ଶିଶୁର କୋମଳତାର ମୋହରେ ପଡ଼ିଗଲା।ସେ ତାକୁ ପାଳିବାକୁ ଲାଗିଲା।ଯେତେ ଯେତେ ସେ ବଢ଼ିବାକୁ ଲାଗିଲା ତା'ର ସୌନ୍ଦର୍ଯ୍ୟ ସେତିକି ସେତିକି ବଢ଼ିବାକୁ ଲାଗିଲା।ତେଣୁ ତା'ର ନାଁ ରଖିଲା ଲଳିତା। ବୃନ୍ଦା ତାକୁ ନୃତ୍ୟ ଶିକ୍ଷା ଦେବା ଆରମ୍ଭ କଲା।ସେ ମା ସହ ମିଶି ମନ୍ଦିରରେ ନାରାୟଣ ଙ୍କ ସେବା କରିବା ଆରମ୍ଭ କରିଦେଲା। ଯେମିତି କି ଫୁଲତୋଳା, ଫୁଲଗୁନ୍ଥା ଠାକୁର ଙ୍କର ବାସନ ମଜା ଶେଜ ସଜା ଆଦି କାମ। ଯେଉଁ ଦିନ ସେ ଷୋଳ ବର୍ଷ ରେ ପଦାର୍ପଣ କଲା ରାଜାଙ୍କ ସହ ପରାମର୍ଶ କରି ତାକୁ ପାରମ୍ପରିକ ଭାବେ ଦେବଦାସୀ ବନେଇ ଦେଲା।ଏଥର ବୃନ୍ଦା ବଦଳରେ ଲଳିତା ଯାଏ ନୃତ୍ୟ ପାଇଁ। ଲୋକେ କହିଲେ ବୃନ୍ଦା ଠାରୁ ଆହୁରି ମାଧୁର୍ଯ୍ୟ ଭରା ଲଳିତାର ନୁପୂର ନିକ୍ୱଣ।ତା ନୃତ୍ୟ ରେ ଅର୍ଦ୍ଧ ରାତ୍ରି ରେ ବି ଆଲୋକମୟ ହୋଇ ଉଠେ ମନ୍ଦିର। ସତେଯେମିତି ନାରାୟଣ ବିରାଜିତ ହୋଇ ତା'ର ନୃତ୍ୟ ଦେଖନ୍ତି। ବୃନ୍ଦା ଲୋକମୁଖରେ ଲଳିତାର ପ୍ରଶଂସା ଶୁଣି ଖୁବ୍ ଖୁସି ହୁଏ। ମନେ ମନେ ଭାବେ ଏଥର ସେ ନିଶ୍ଚିନ୍ତରେ ମରିପାରିବ। ଠାକୁର ଙ୍କ ସେବା କମ୍ ସେ କମ୍ ବନ୍ଦ ହେବନାହିଁ।ଏଇ ପରି ଦିନ ଗଡି ଚାଲିଥାଏ।

              ହେଲେ ନିୟତିର ବିଧାନ ଥିଲା ଭିନ୍ନ। କନକପୁର ର ଖ୍ୟାତି ଦିନ କୁ ଦିନ ବଢି ଚାଲିଥାଏ। ହଠାତ୍ ରାଜାଙ୍କର ମୃତ୍ୟୁ ହୁଏ।ତାଙ୍କ ପୁଅ କନକବର୍ଦ୍ଧନ ରାଜ ଭାର ନେଲେ।ହେଲେ ସେ ପିତାଙ୍କ ଠାରୁ ବିପରୀତ ସ୍ୱଭାବର ଥିଲେ।ପ୍ରଜାଙ୍କ ଉପରେ ଅତ୍ୟାଚାର କରିବା ବହୁ ନାରୀ ଉପଭୋଗ କରିବା ଆଦି ବଦଗୁଣର ଅଧିକାରୀ ଥିଲେ। ଧୀରେଧୀରେ ରାଜ୍ୟ ନିଜର ଶ୍ରୀ ହରାଇ ବସିଲା।ପ୍ରଜା ବି ବିଶୃଙ୍ଖଳିତ ହେବାକୁ ଲାଗିଲେ। ଯେଉଁ ରାଜ୍ୟବାସୀ ଭକ୍ତି ସାଗରରେ ବୁଡି ରହୁଥିଲେ ଏବେ ବିଳାସ ବ୍ୟସନରେ ଲିପ୍ତ ରହିଲେ।ଦିନେ ଲଳିତା ସାଗରରେ ତର୍ପଣ କରି ଫେରିବା ସମୟରେ ରାଜାଙ୍କ ନଜରକୁ ଆସିଲା। ସେତେବେଳେ ସେ ପୂର୍ଣ୍ଣଯୌବନା। ଓଦା ସୂକ୍ଷ୍ମ ବସ୍ତ୍ର ଭିତରୁ ତା'ର ସୌନ୍ଦର୍ଯ୍ୟ ଫୁଟି ଉଠୁଥିଲା।ସତେ କି ଅପସରା ପୃଥିବୀ କୁ ଓହ୍ଲେଇ ଆସିଛି।କାମୁକ ରାଜା ତାକୁ ଦେଖିଦେବା ପରେ ନିଜର ହିତାହିତ ଜ୍ଞାନ ହରେଇ ବସିଲେ।ତାକୁ ସମ୍ଭୋଗ କରିବାର ଇଚ୍ଛା ତାଙ୍କ ଭିତରେ ପ୍ରବଳ ହୋଇ ଉଠିଲା।ସେ ବୃନ୍ଦା କୁ ଖବର ପଠେଇଲେ ଲଳିତାକୁ ତାଙ୍କ ପାଖକୁ ପଠେଇବା ପାଇଁ। ବୃନ୍ଦା ୟେ ରାଜାଙ୍କ ର ସ୍ୱଭାବ ଭଲଭାବରେ ଜାଣିଥିଲା।ତେଣୁ ସେ ପ୍ରମାଦ ଗଣିଲା। ବାରମ୍ବାର ରାଜା ଖବର ପଠେଇବାକୁ ଲାଗିଲେ।ଏକଦା ରାଜା ନିଜେ ଯାଇ ବୃନ୍ଦା ଘରେ ପହଞ୍ଚି ଗଲେ।କାମାନ୍ଧ ରାଜା ଲଳିତା ଉପରେ ଆକ୍ରମଣ କରିବା ଆରମ୍ଭ କରିଦେଲେ।ହେଲେ କେଉଁ ଠାରେ ଥିଲା ବିରାଟ ଏକ ନାଗ ସାପ ଆସି ତାଙ୍କୁ ଦଂଶନ କରିବାକୁ ଗୋଡେଇଲା।ସେ ପ୍ରାଣ ବିକଳରେ ସେ ଜାଗା ଛାଡି ଚାଲିଗଲେ।ହେଲେ ତାଙ୍କ କ୍ରୋଧ ତାଙ୍କୁ ହିତାହିତ ଜ୍ଞାନ ଶୂନ୍ୟ କରିଦେଲା।ସେ ପୂଜାରୀ ମାଧ୍ୟମରେ ନାରାୟଣ ଙ୍କ ଅଳଙ୍କାର ଚୋରି କରେଇ ଆଣି ବୃନ୍ଦା ଘରେ ରଖେଇ ଦେଲେ। ପର ଦିନ ସହରରେ ଚର୍ଚ୍ଚା ହେଲା ନାରାୟଣ ଙ୍କ ଅଳଙ୍କାର ଚୋରି ହେଇଛି।ରାଜା ସିଧାସଳଖ କହିଲେ ଯେହେତୁ ମନ୍ଦିର ଦ୍ୱାର ଭଙ୍ଗା ହେଇନି ଚୋର ପୁଜାରୀ କିମ୍ବା ଦେବଦାସୀ । ସେମାନଙ୍କ ଘରେ ଖୋଜା ହେଲା। ଶେଷରେ ଅଳଙ୍କାର ବୃନ୍ଦା ଘରୁ ମିଳିଲା।ମା ଝିଅ ଙ୍କୁ ରାଜା ବାନ୍ଧି ନେଲେ।ସେଇ ସମୟରେ ବୃନ୍ଦା ରାଗି ଯାଇ ଅଭିଶାପ ଦେଇଥିଲା ଯେ,ଏଇ ଅନ୍ୟାୟ ପାଇଁ ନଗରୀ ରେ ବଡ଼ ବିପତ୍ତି ପଡ଼ିବ। ବନ୍ଦୀଶାଳାରେ ରହିଲେ ସେ ଦୁହେଁ।ରାଜା କହିଲେ କାଲି ସମସ୍ତ ଙ୍କ ଆଗରେ ସେ ଦୁହିଁଙ୍କର ବିଚାର ଓ ଦଣ୍ଡ ବିଧାନ ହେବ।

              ସେଇ ଦିନ ରାତିରେ ରାଜା ମନେ ମନେ ଲଳିତାଙ୍କୁ ଉପଭୋଗ କରିବାର ଯୋଜନା ବନେଇଲେ। ଅର୍ଦ୍ଧରାତ୍ରି ରେ ରାଜା ଦୂତମାନଙ୍କୁ ପଠେଇଲେ ଲଳିତା କୁ ତାଙ୍କ ଶୟନ କକ୍ଷକୁ ନେଇ ଆସିବା ପାଇଁ।ହେଲେ ସେମାନେ ପହଞ୍ଚି ଦେଖିଲେ।ବନ୍ଦୀଶାଳା ଦ୍ୱାର ଉନ୍ମୁକ୍ତ ହୋଇଗଲା। ସେ ଦୁହିଁଙ୍କ ଶରୀରରୁ ଅଦ୍ଭୁତ ଜ୍ୟୋତି ବାହାରୁ ଥିଲା। ସେ ଦୁହେଁ ସେଠୁ ବାହାରି ସମୁଦ୍ର ଅଭିମୁଖେ ଯାତ୍ରା କଲେ। ଏଇ ଖବର ସହରରେ ଖେଳି ଗଲା। ସମସ୍ତେ ସେଇ ଦୁଇ ଜଣଙ୍କ ପଛରେ ଚାଲିଲେ।ରାଜା ବି ଖବର ପାଇ ସାଗର କୂଳରେ ପହଞ୍ଚି ଗଲେ। ସେ ମା ଝିଅ ନିର୍ବିକାର ଭାବରେ ସମୁଦ୍ର ଭିତରକୁ ପଶି ଚାଲିଥାଆନ୍ତି। ସମୁଦ୍ର ପଛ କୁ ପଛ କୁ ଚାଲି ଯାଉଥାଏ। ଲୋକମାନଙ୍କ ହୋସ ପଶିଲା ଯେ ସମୁଦ୍ର ପଛକୁ ଚାଲିଯିବା ଭଲ ସଙ୍କେତ ନୁହଁ।ଏହା ସୁନାମିର ସୂଚନା।ସେଠି ଚହଳ ପଡ଼ିଗଲା।ଲୋକେ ଅନ୍ଧାର ଭିତରେ ଧାଁ ଦୌଡ଼ ଆରମ୍ଭ କଲେ।ସେ ମା ଝିଅ ସେଇ ସମୁଦ୍ର ଭିତରେ କେଉଁଠି ଲୀନ ହେଇଗଲେ।ହେଲେ ସମୁଦ୍ର ଭୟଙ୍କର ରୂପ ନେଇ ମାଡି ଆସିଲା।କ୍ଷଣକ ଭିତରେ ସଂପୂର୍ଣ୍ଣ ନଗରୀ ଜଳମଗ୍ନ ହୋଇଗଲା।ବାଲି ଭିତରେ ପୋତି ହୋଇଗଲା ଏକ ବୈଭବ ପୂର୍ଣ ସଭ୍ୟତା। ତା'ର ମୂକ ସାକ୍ଷୀ ହୋଇ ଆଜି ବି ରହିଛି ସେଇ ଭଗ୍ନ ମନ୍ଦିର।

              ଆଜି ବି ସେଇ ଭଗ୍ନ ମନ୍ଦିର ଭିତରୁ ଗଭୀର ରାତିରେ ଶୁଭେ ନୁପୂର ଶବ୍ଦ..... ଦେବଦାସୀ ଲଳିତାର ଆତ୍ମା ପ୍ରତ୍ୟହ ଆସି ନୃତ୍ୟ ପରିବେଷଣ କରେ। ମନ୍ଦିର ସମ୍ମୁଖ ରେ ଏକ ମଣିଷ ଆକୃତି ର ପଥର ସେଇ କାଳରାତ୍ରି ପର ଠାରୁ ଆସି ଠିଆ ହେଇଛି। ସେଇ ପଥର କୁ ଲୋକମାନେ କହନ୍ତି ବୃନ୍ଦା। ମନ୍ଦିର କୁ ଜଗି ବସିଛି.............


Rate this content
Log in

Similar oriya story from Horror