ସଚ୍ଚାପ୍ରେମ
ସଚ୍ଚାପ୍ରେମ
ସାଧନାର ସେଦିନ ଶୋଭିତ ସହିତ ମାର୍କେଟରେ ଦେଖା ହୋଇଗଲା। ଶୋଭିତ ସାଧନାର ଝିଅ ନିରଜାର କ୍ଲାସମେଟ୍ ଓ ତା ସହିତ ବାଙ୍ଗାଲୋର୍ ରେ ମଧ୍ୟ ଚାକିରୀ କରିଛି। ଉଭୟ ଗୋଟିଏ କମ୍ପାନୀ ଓ ଗୋଟିଏ ଯାଗାରେ ରହିଥିବାରୁ ଶୋଭିତ ଆସିଲେ ସାଧନା ଘରକୁ ଆସେ। ସେ ଦିନ ତାକୁ ମାର୍କେଟରେ ଦେଖି ସାଧନା ପଚାରିଲା,
-ଆରେ ଶୋଭିତ କେବେଠୁ ଆସିଲାଣି କାଇଁ ଘର ଆଡେ ତ ଆସିନ।
-ନା ଆଣ୍ଟି କାମ ଥିବାରୁ ଯାଇ ପାରିନି।
କିଛି ସମୟ କଥା ହେବା ପରେ ଶୋଭିତ ଥଙ୍ଗଥଙ୍ଗ ହୋଇ କହିଲା
-ଆଣ୍ଟି ଆପଣ ନିରଜା ବିଷୟରେ ଗୋଟେ କଥା ଯାଜାଣିଛନ୍ତି!!
-କ'ଣ ଶୋଭିତ! କି କଥା।
-ଆପଣ ମତେ ଭୂଲ ବୁଝିବେ ନି ଯଦି ଗୋଟ କଥା କହିବି ।
-କୁହ କ'ଣ ହେଲା ! ଭୂଲ କାହିଁକି ବୁଝିବି।
-ଆପଣ ଜାଣିଛନ୍ତି ।ନିରଜା ଗୋଟେ ଗୁଜୁରାତି ପୁଅ ସହିତ ରହୁଛି।
-ତୁମେ ସତ କହୁଛ ଶୋଭିତ !
-ଏତେ ବଡ଼ କଥା ମିଛ କେମିତି କହିବି ଆଣ୍ଟି।
ଶୋଭିତ ଠାରୁ ଏକଥା ଶୁଣିବା ପରେ ସାଧନା ଏକ ମୁହାଁ ହୋଇ ଘରକୁ ଅଣନିଃଶ୍ବାସୀ ହୋଇ ଧାଇଁଲା। ସ୍ବାମୀଙ୍କ ଆଗରେ ସମସ୍ତ କଥା କହି କଇଂ କଇଂ କାନ୍ଦି ଉଠିଲେ।
ଗୋଟିଏ ମଧ୍ୟବିତ୍ତ ପରିବାର ପିଲାଙ୍କୁ ନେଇ ଯେଉଁ ସ୍ବପ୍ନ ଦେଖିବା କଥା ସେ ସେଥିରୁ ଭିନ୍ନ ନଥିଲେ। ଉତ୍ତମ ଶିକ୍ଷା-ସଂସ୍କାର-ରୋଜଗାର କ୍ଷମ କରି ବିବାହ ଦେବା ଥିଲା
ତାଙ୍କ ଉଦ୍ଦେଶ୍ୟ। କିନ୍ତୁ ନିରଜା ତାଙ୍କୁ ଶେଷରେ ଲୋକହସା କଲା। ସ୍ବାମୀ ସୁରେଶ ସାଧନାକୁ ପ୍ରବୋଧନା ଦେଲେ।
-ପିଲାମାନେ ବଡ଼ ହୋଇଗଲା ପରେ ସେମାନଙ୍କ ଉପରେ ବାପା ମା'ଙ୍କର କୈାଣସି କର୍ତ୍ତୁତ ରହେନି ସାଧନା । ସେମାନେ ବୋଧେ ଭାବନ୍ତି ସେମାନଙ୍କ ଜୀବନରୁ ବାପା ମା'ଙ୍କ ଆବଶ୍ୟକତା ସରିଗଲା । ତେଣୁ ମନ ଦୁଃଖ ନକରି ଭାବି ନିଅ ଆମେ ଆମର କର୍ତ୍ତବ୍ୟ ସାରି ଦେଇଛେ। ଯଦି ତା'ର ବାହାଘର ସୁଯୋଗ ସେ ନଦେଲା ନଦେଉ।
ଏଥିପାଇଁ ମନଦୁଃଖ କରି ନିଜକୁ କଷ୍ଟ ଦିଅନି।
ଦୁଇ ତିନି ଦିନ ମା କୁ କୈାଣସି ଫୋନ ନପାଇବାରୁ ଓ ମା ବାପାଙ୍କଠାରୁ କୋୖଣସି ଫୋନ୍ ନପାଇବାରୁ ବ୍ୟସ୍ତ ହୋଇ ନିରଜା ଘରକୁ ଆସିଲା । ପୂର୍ବତନ ପରି ନିରଜାର ଆସିବା ରେ ମା ବାପା ଖୁସୀ ହୋଇପାରି ନଥିଲେ। ମା ପାଞ୍ଚ ପ୍ରକାର ମନ ପସନ୍ଦିଆ ତରକାରୀ କରୁନଥିଲେ,
କି ବାପା ମାର୍କେଟଟା ଉଠାଇ ଆଣୁ ନଥିଲେ। ତା ଉପରେ ଅଭିମାନ କରୁଥିବାର କାରଣ ମାକୁ ନିରଜା ବହୁତ ପଚାରିବାରୁ ମା କହିଲେ,
-ଶୁଣିଲି ଗୋଟେ ପୁଅ ସହିତ ତୁ ରହୁଛୁ।
ମା'ର ଅପ୍ରତ୍ୟାଶିତ ପ୍ରଶ୍ନର ଅପ୍ରତିଭ ନିରଜା ମୁଣ୍ଡ ଟୁଙ୍ଗାରି କେବଳ 'ହଁ' ମାରିଥିଲା।
-ତୁ ଏତେବଡ଼ ସାହାସ କେମିତି କଲୁ ନିରଜା। ଚାକିରୀ କରିବାକୁ ଆମେ ଛାଡିଥିଲୁ, ଅଥଚ ତୁ ଆମ ମୁହଁ କଳା କଲୁ। ମୁଁ କ'ଣ ତତେ ଏଇ ସଂସ୍କାର ଦେଇଥିଲି।ଶେଷରେ ନା ପକେଇଲୁ।
-କି ସଂସ୍କାର କଥା କହୁଛୁ ମା ! ତୁମେମାନେ ଯାହାକୁ ପସନ୍ଦ କରିବ ମୁଁ ନଜାଣି ନଶୁଣି ତାକୁ ବାହା ହୋଇଯିବି ।ତା ସହିତ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଥିବି ଆଡ୍ଜଷ୍ଟ କରି ରହିବାକୁ। ମୁଁ ସେମିତି ବଞ୍ଚି ପାରିବିନି ମା। ଲିଭିଙ୍ଗ୍ ଟୁଗେଦର ତୁମକୁ ନୂଆ ଲାଗୁଛି ପାଶ୍ଚା
ତ୍ୟ ଦେଶ ମାନଙ୍କରେ ଏଗୁଡାକ ସାଧାରଣ କଥା। ବାହା ହେବା ପୂର୍ବରୁ ଜଣଙ୍କ ବିଷୟରେ ଜାଣିବାର ଅଧିକାର ମଧ୍ୟ ଆମର ଅଛି।
-ଏଇଟା ଫରେନ୍ ନୁହେଁ ନିରଜା,ଭାରତ। ଏଠି ସମସ୍ତେ ରକ୍ଷଣଶୀଳ।
-ସମୟ ବଦଳି ଗଲାଣି ମା ! ସମସ୍ତଙ୍କ ଦୃଷ୍ଟିଭଙ୍ଗୀ ବିସ୍ତୃତ ହୋଇଗଲାଣି।
-ସେ ପୁଅକୁ କ'ଣ ତୁ ବାହ ହେବୁ !!ତା ଘରେ ତତେ ଗ୍ରହଣ କରିବେ ତ !
-ମୁଁ ତାକୁ ଭଲଭାବରେ ଜାଣେ।ତାକୁ ତୁ ଚିହ୍ନି ନୁ ମା! ସେ ବହୁତ ଭଲ ପିଲା । ସେ ମତେ ନିଶ୍ଚୟ ବାହା ହେବ।ଏ ବିଷୟରେ ମୁଁ ପ୍ରଥମରୁ ତା ସହିତ କଥା ହୋଇଥିଲି।
-ତାହେଲେ ତୁ ତାକୁ କହ ମୋ ବାପା ମା ଚାହୁଁଛନ୍ତି ତୋ ସହିତ ମୋର ବାହାଘର କରିବାକୁ। ଏ ବିଷୟରେ ତା ବାପା ମା 'ଙ୍କ ସହିତ କଥା ହେବାକୁ ଚାହୁଁଛନ୍ତି।
ସାଧନା ଜବରଦସ୍ତ କଲା ପରେ ନିରଜା ବାଧ୍ୟ ହୋଇ ସୈାରଭକୁ ଫୋନ୍ ଲଗାଇଲା କହିଲା,
-ସୈାରଭ ଘରେ ଆମର ବହୁତ ଅଶାନ୍ତି। ମୋ ମା ଚାହୁଁଛନ୍ତି ଆମର ବାହାଘର ହୋଇଯାଉ।
ନିରଜା ର ଏପରି ଅପ୍ରତ୍ୟାଶିତ କଥାରେ ହଠାତ୍ ସୈାରଭ କ'ଣ ଉତ୍ତର ଭାବି ହଡବଡେଇଗଲା।
- ମୋର ତୁମ ଉପରେ ଅଖଣ୍ଡ ବିଶ୍ଵାସ। ତୁମେ କିଛି କହୁନ କାହିଁକି?
ସୈାରଭ ।ତୁମେ ମତେ ବିବାହ କରିବ ତ !
-ଏତେ ବ୍ୟସ୍ତ କାହିଁକି ନିରଜା। ବାହାଘର ତ ହେବ।ଟିକେ ବୁଝାଇ ଦିଅନା ତୁମେ ମାଙ୍କୁ। ଆଉଟିକେ ଅପେକ୍ଷା କରନ୍ତୁ।
-ନା ସୈାରଭ ମା ଜମା ବି ରାଜି ନୁହଁ, ବରଂ ତୁମେ ରାଜି ହୋଇଯାଅ।
ସେପଟୁ ସୈାରଭର ଏକ କୁଟିଳ ହସ ଶୁଣି ପାରୁଥିଲା ନିରଜା ।
- ବାହାଘର ପୁଣି ତୁମ ସାଥିରେ। ଯେଉଁ ଝିଅ ବାହାଘର ପୂର୍ବରୁ ଗୋଟେ ପୁଅ ସହିତ ନିର୍ଦ୍ଵନ୍ଦରେ ରହି ପାରୁଛି ତାକୁ କ'ଣ ବିଶ୍ଵାସ !
ବରଂ ତୁମେ ଅନ୍ୟ କୋଉଠି ବାହା ହୋଇଯାଅ ନିରଜା।
-ହେଲେ ତୁମେ ତ ମତେ କହିଥିଲା ବାହା ହେବ ବୋଲି।ତୁମେ କ'ଣ ଭୂଲିଗଲ। ମୋ ସହିତ ଏତେ ବଡ଼ ବିଶ୍ଵାସ ଘାତକତା କରି ପାରୁଛ କେମିତି !!
-ନା ନିରଜା ଆମ ଗୁଜୁରାଟି ପରିବାରରେ ତୁମକୁ କଦାପି ବୋହୂ ଭାବେ ସ୍ବୀକାର କରିବେନି। ନିରଜା ପାଟିରୁ କଥା ହିଁ ବାହାରୁ ନଥିଲା।ସେ ଲଥ କିନା ବସିଗଲା। ମୁଣ୍ଡ ତା'ର ଘୂରି ଯାଉଥାଏ।କେତେ ସହଜରେ ସୈାରଭ ତା'ର ସଂପର୍କକୁ ଅବିଶ୍ବାସରେ ପରିଣତ କରିଦେଲା।
ପାଖରେ ଠିଆ ହୋଇ ସାଧନାଙ୍କ ଆଖିରୁ ଝର ଝର ଲୁହ ବୋହୁ ଥିଲା।ଉଚ୍ଚ ଶିକ୍ଷିତା ନିରଜା ଯାହା ବୁଝି ପାରୁନଥିଲା ,ସାଧନା କିନ୍ତୁ ସାଂସାରିକ ଜ୍ଞାନରୁ ତାକୁ ଅଧିକ ବୁଝି ପାରୁଥିଲେ। ମୁଁ କ'ଣ କରିବି ମା!! ସୈାରଭ ଏମିତି ମୋ ବିଶ୍ଵାସରେ ବିଷ ଦେବ ମୁଁ ଭାବି ପାରୁନି।
-କୋଉ ବିଶ୍ଵାସ କଥା କହୁଛୁ ନିରଜା। ସେ ଯଦି ସଚ୍ଚା ପ୍ରେମିକ ହୋଇଥାନ୍ତା ସେ କେବେବି ବାହାଘର ପୂର୍ବରୁ ତୋ ସହିତ ରହି ନଥାନ୍ତା। ଅନ୍ଧ ଭାବରେ ପାଶ୍ଚାତ୍ୟ ସଂସ୍କୃତି କୁ ଅନୁକରଣ କରି ଆଜି ତୁ ଠକି ଗଲୁ।ତୁମ ମାନଙ୍କ ପାଇଁ ଏପରି ଲୋକ ଫାଇଦା ନେଉଛନ୍ତି। ତୁ ଚାହିଁଲେ ବି ତାର କିଛି କରି ପାରିବୁନି। ବରଂ ତାକୁ ଭୂଲିଯା।ଏଥି ପାଇଁ ସେ ଯେତିକି ଦାୟୀ ,ତାଠୁ ଅଧିକ ମୁଁ ତତେ ଦାୟୀ କରୁଛି।
ନିରଜା କେବଳ ମା ମୁହଁ କୁ ଜୁଳୁଜୁଳୁ ଚାହୁଁଥିଲା।