Satyabati Swain

Tragedy

3  

Satyabati Swain

Tragedy

ରଜ୍ଜୁ

ରଜ୍ଜୁ

5 mins
27



ବିରେନ ବାବୁ ;


ଆଜି ଇଣ୍ଟରନ୍ୟାସନାଲ୍ ବିଜିନେସ୍ ମେଳା ଜନତା ମୈଦାନରେ ତୁମକୁ ଦେଖିଲି । ତୁମେ ବୋଧେ ତୁମ ମିସେସ୍ ଓ ପିଲା ମାନଙ୍କ ସହ ମେଳା ବୁଲି ଆସିଥିଲ । ମୁଁ ଗୋଟିଏ ମଲଟିନ୍ୟାସନାଲ୍ କମ୍ପାନୀର ମାର୍କେଟିଙ୍ଗ୍ ଆଡ଼ଭାଇଜର ଭାବେ ସେଠି ଉପସ୍ଥିତ ଥିଲି । ମୁଁ ତୁମକୁ ଦେଖୁ ଦେଖୁ ଚିହ୍ନି ନେଲି । ଅଥଚ ତୁମେ...


ହଁ ତୁମ ଆତ୍ମା ବୋଧେ ଚିହ୍ନି ପାରିଥିଲା । ଯେଉଁଥି ପାଇଁ ତୁମ ଆଖିପତା କେଇ ଥର ଉଠିଥିଲା ଓ ପଡିଥିଲା ସଂଶୟରେ,ସନ୍ଦେହରେ । କିବା ଡରୁଥିଲ?ତୁମ କିନ୍ତୁ ଗୁରୁତ୍ୱ ଦେଇ ନଥିଲ ହୃଦ ସ୍ପନ୍ଦନ କି ଆଖିର ପ୍ରଗଳ୍ଭତାକୁ । ମୋ ଠାରୁ ଆଖି ଫେରେଇ ନେଇ ମଜଗୁଲ୍ ହୋଇଥିଲ ନିଜ ମିସେସ୍ଙ୍କ ସହ ହସ ଖୁସିରେ । ବିରେନ ବାବୁ!ତୁମେ ସତରେ ଭୁଲି ଯାଇଛ ସବୁ! ମୋ କଥା । ସେଦିନ କଥା । ତୁମେ ସଂସାର କଲ ସବୁ ଭୁଲିଲ । ହେଲେ ମୁଁ କିଛି ଭୁଲି ପାରୁନି କାହିଁକି?


ମନେ ଅଛି ଭିଡ଼ ବସ୍ ରେ ସେଦିନ ଜଣେ ପୌଢ ମୋତେ ଅଶ୍ଳୀଳ ଇଙ୍ଗିତ କରି ମୋ ଉପରେ ବାରମ୍ବାର ବାଡେଇ ହୋଇ ଯାଉଥିଲେ ଗାଡି ଯେତେ ଥର ବ୍ରେକ ଦେଉଥିଲା । ଭାରି ବିରକ୍ତି ଲାଗିଲେ ବି କିଛି କହି ପାରୁ ନ ଥିଲି କି ଗାଡିରୁ ଓହ୍ଲେଇ ପାରୁ ନଥିଲି । କାରଣ ମୋର ଏଣ୍ଟ୍ରାନ୍ସ ପରୀକ୍ଷା ଅଛି । ମୋତେ ଯେମିତି ହେଉ ସେଣ୍ଟ

ରରେ ଠିକ୍ ସମୟରେ ପହଂଚିବାର ଅଛି । ମାତ୍ରାଧିକ ଭିଡର ସୁଯୋଗ ନେଇ କିଛି ଅଭଦ୍ର ପରିଣତ ବୟସ୍କ ଲୋକେ ଝିଅଙ୍କ ଉପରେ ନିଜ ଶରୀର ଏପରିକି..ଛିଃ ସେମାନଙ୍କ ଅବୟବକୁ ଚାପୁଥାଆନ୍ତି । କଣ ମିଳେ କେଜାଣି ଏପରି ବିକୃତ ଓ ଦୁଃସ୍ଥ ମାନସିକତା ରୁ ।


ଅନେକ ଯୁବକ ସେଇ ବସ୍ ରେ ଠିଆ ହୋଇ

ଥିଲେ । କିନ୍ତୁ କେହି ତ ମୋତେ ସାହାଯ୍ୟ କରିବାକୁ ଆଗେଇ ଆସିଲେ ନାହିଁ?ତୁମେ କିନ୍ତୁ ସେ ପୌଢ଼ ଲୋକ ପାଖକୁ ଆସି ଆଖି ତରାଟି ଚାହିଁଲ । ତୁମ ଦୁଇ ହାତ ସୁରକ୍ଷା ବଳୟଭିତରେମୋତେ ରଖି ମୋ ପାଖେ ଠିଆ ହେଲ । ମୋ ମୁଣ୍ଡ ଯେତେଥର ବସ୍ ବ୍ରେକ ଦେଉଥିଲା ସେତେଥର ତୁମ ଛାତି,

ବେକରେ ବାଡେଇ ହୋଇ ଯାଉଥିଲା । ପୁଣି ବସ୍ ଏତେ ଜୋରେ ବ୍ରେକ ଦେଲା ଯେ ମୁଁ ପଡି ଯାଉ ଯାଉ ତୁମେ ମୋତେ ତୁମ ସହ ଜାବୁଡି ଧରିଲା । କେଇ କ୍ଷଣ ଆମେ ଭୁଲି ଯାଇଥିଲେ ଦୁଇଜଣ ଅଚିହ୍ନା ଝିଅ ପୁଅ ବୋଲି ।


ମୁଁ ତ ଏମିତିରେ ଗୋଟେ ସରଳ,ବଣ,ଜଙ୍ଗଲ ଘେରା ଆଦିବାସୀ ବୋକି ଝିଅ । ତୁମର ମୋ ପ୍ରତି ଏତେଟା ଆପଣା ପଣ ମୋତେ ମୋଠୁ ଛଡାଇ ନେବାକୁ ଯଥେଷ୍ଟ ଥିଲା । ମୁଁ ବରମୁଣ୍ଡାରେ ଓହ୍ଲାଇଲି । ତୁମେ ବି । ମୋ ବ୍ୟାଗ ନେଇ ତୁମେ ଆଗେ ଆଗେ ଚାଲିଲ । ମୁଁ କହିଲି ତେଣିକି ନୁହେଁ ମୁଁ ଏକ୍ସ କଲେଜ ଯିବି । ମୋ ସାଙ୍ଗ କଟକ ରେଭେନ୍ସା କଲେଜରେ ପଢେ । ଛୁଟି ଥିଲା ତ ତା ହଷ୍ଟେଲ ଯାଇଥିଲି । ଏବେ ମୋତେ ମୋ ହଷ୍ଟେଲ ଫେରିବାର ଅଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ନ ପହଞ୍ଚିଲେ ଅନେକ ପ୍ରଶ୍ନର ସମ୍ମୁଖୀନ ହେବା ସହ ଆଉ କେବେ ମୋ ସାଙ୍ଗ ପାଖକୁ ଯିବାକୁ ଅନୁମତି ଦେବେ ନାହିଁ ।


ଅନ୍ୟ କେଉଁ ଷ୍ଟପେଜରେ ଓହ୍ଲାଇ ମୋ କଲେଜ ଯାଇ ହେବ । ମାତ୍ର ମୁଁ ଜାଣି ନାହିଁ ଏ ବରମୁଣ୍ଡା ଷ୍ଟପେଜ ବ୍ୟତୀତ କେଉଁ ରାସ୍ତା ଦେଇ ଯିବାକୁ ପଡିବ । ସାଙ୍ଗ ମାନେ ହସନ୍ତି । କୁହନ୍ତି ଏତେ ଦିନ ରହିଲେ ବି ତୁ ସେଇ ବଣୁଆ ହୋଇ ରହିଗଲୁ ରେ ରଜ୍ଜୁ । ମୋ ଲେଖା ନାମ ରଜନୀ କର୍ଜି । ସମସ୍ତେ ଡାକନ୍ତି ରଜ୍ଜୁ ବୋଲି । ତୁମେ କିନ୍ତୁ ମୋ କଥା ଶୁଣୁ ନଥିଲ । ମୁଁ ଗଦ ଶୁଙ୍ଘିଲା ପରି ତୁମକୁ କେବଳ ଅନୁସରଣ କରୁଥିଲି । କାରଣ ମୋ ବ୍ୟାଗ୍ ତୁମ ହାତରେ ଥିଲା । ଅଳ୍ପ ବାଟ ପରେ ତୁମେ ଗୋଟିଏ ଫ୍ଲାଟ ଗେଟ୍ ଖୋଲି ତା ଭିତରକୁ ଗଲ । ମୁଁ ଗେଟ୍ ପାଖରେ ଅଟକି ଗଲି,ଭିତରକୁ ଯିବାକୁ ସାହସ ହେଲା ନାହିଁ । ଦୁଇ ମିନିଟ୍ ହୋଇଛି କି ନାହିଁ ଜଣେ ମାଉସୀ ଆସି ମୋ ହାତ ଧରି ଭିତରକୁ ନେଇ କହିଲେ ବାହାରେ କାଇଁ ଠିଆ ହୋଇଛୁ ଝିଅ ଆ ଘର ଭିତରକୁ ।


ମୁଁ ଆବା କାବା ହୋଇ ଯାଉଥାଏ । ଏ କି ଜବରଦସ୍ତି । ନାଇଁ ଆଜ୍ଞା ମୋ ବ୍ୟାଗଟି ଦିଅନ୍ତୁ ଡେରି ହେଉଛି । ମୋତେ ଗାଳି ଶୁଣିବାକୁ ପଡିବ । ମାଉସୀ ଜଣକ ହସି ହସି କହିଲେ ତୁ ବ୍ୟସ୍ତ ହଅ ନା,ବିନୁ,ବିରେନ୍ ତୋତେ ନେଇ ଛାଡି ଆସିବ । ଯା ଧୁଆ ଧୋଇ ହୋଇ ବରା ଆଳୁଦମ୍ କରିଛି,

ଖାଇକି ଯିବୁ । ତୁ ଆଳୁଦମ୍ ବରା ଖୁବ୍ ଭଲ ପାଉ !


ମୋତେ ସବୁ ଆଶ୍ଚର୍ଯ୍ୟ ଲାଗୁଥାଏ,ଏ କି କଥା!ଚିହ୍ନା ନାହିଁ,ପରିଚୟ ନାହିଁ ନିଜ ଲୋକ ପରି ବ୍ୟବହାର!ମୁଁ ତ ଆଳୁଦମ୍ ବରା କୁ ଅସନା ବାରେ; ଭଲ ପାଏ କେତେବେଳେ! ମାଉସୀ ପ୍ଲେଟରେ ଆଳୁଦମ୍ ବରା ଥୋଇ ଚା କଲେ । ବିରେନ୍ ବାବୁ କହିଲେ ଖାଉନୁ ରଜ୍ଜୁ । ଯିବୁନି କି ତୋ ହଷ୍ଟେଲ୍ । ମୋ ନାଁ ଏ କେମିତି ଜାଣିଲେ ବୋଲି ମୁଁ ଆହୁରି ବିସ୍ମିତ ହେଲି । ମୁଁ ଧୁଆ ଧୋଇ ହୋଇ ଆସି ଯନ୍ତ୍ରବତ୍ ସୁଇଚି ଟିପିଲା ପରି ନିର୍ଦ୍ଦେଶ ମତେ କାମ କଲି । ବିରେନ୍ ବାବୁ ହଷ୍ଟେଲ୍ ରେ ନେଇ ମୋତେ ଛାଡ଼ି

 ଆସିଲେ । ଫ୍ଲାଟରୁ ଆସିଲା ବେଳେ ମାଉସୀ କହିଲେ ଝିଅ ! ଘର ତ ଦେଖିଲୁ ମନ ଯେତେ

ବେଳେ ହେବ ଆସିବୁ ମା ।


ମୁଁ ହଷ୍ଟେଲ୍ ରେ ଏଇ ଘଟଣା କୁ ନେଇ ଦିନା କେତେ ବିଚଳିତ ହେଲି । ଏ ସ୍ୱାର୍ଥ ସର୍ବସ୍ବ ଦୁନିଆଁରେ ଏପରି ଅମାୟିକ ଲୋକ ପୁଣି ଅଛନ୍ତି,ମୋତେ ଅବିଶ୍ୱାସ ଲାଗୁଥିଲେ ବି ନିହାତି ସତ ଘଟଣାକୁ ଭୁଲି ହେଉ ନଥିଲା । ଏ ଘଟଣା ଟି ମୋ ଜୀବନର ଗତି ପଥ ବଦଳେଇ ଦେବ ଏଇଟି ବି ମୁଁ କଳ୍ପନା କରି ନଥିଲି ।


୨ ପରୀକ୍ଷାରେ ଖୁବ୍ ଭଲ ନମ୍ବର ରଖି ପାସ୍ କଲି । ଇଞ୍ଜିନିୟରିଙ୍ଗ୍ ଏଣ୍ଟ୍ରାନ୍ସରେ ବି ସଫଳତାର ସହ ଉତ୍ତୀର୍ଣ୍ଣ ହେଲି । ମୋତେ ଜଙ୍ଗଲ ଆକାଶ ଛାଡି ଗୋଟିଏ ସୁନ୍ଦର ଆକାଶ ମିଳିଗଲା ଉଡିବାକୁ । ମୋ ପରି ଆଦିବାସୀ ପିଲା ଏତେ ଉଚ୍ଚକୁ ଉଡ଼ିଗଲା ଯେ କଲେଜ କର୍ତ୍ତୃପକ୍ଷ ମୋତେ କାନାଡ଼ା ପଠାଇଲେ ଇଣ୍ଟର ନ୍ୟାସନାଲ ବିଜିନେସ୍ ମାର୍କେଟିଙ୍ଗ ରେ । ଏବେ ମୁଁ ଆଗ ଧାଡ଼ିର ଇଣ୍ଟରନ୍ୟାସନାଲ୍ ବିଜିନେସ୍ ଆଡ଼ଭାଇଜର୍ । ଦିଲ୍ଲୀରେ ଅବସ୍ଥାପିତ । ପୃଥିବୀର ସବୁ ଦେଶକୁ ମୋର ଯାତ୍ରା । ସବୁ ନାମୀ ଦାମୀ କମ୍ପାନୀ ମୋ ପରାମର୍ଶ ନେବାକୁ ଅଫର କରନ୍ତି ଲକ୍ଷ ଲକ୍ଷ ଟଙ୍କା ।


ହେଲେ ତୁମେ କୁଆଡେ ହଜିଗଲ କେଉଁ ଭିଡ଼ ଭିତରେ ଯେ ମୁଁ ଖୋଜି ପାଇଲିନି । ଯେବେ ଓଡିଶା ଆସେ ତୁମେ ରହୁଥିବା ଘରକୁ ଯାଏ । ସେଠି କିନ୍ତୁ ତିନି ଥର ତାଲା ପଡି ଥିବାର ଦେଖି ଆଉ ଯାଇ ନାହିଁ । ତୁମେ ସତରେ କିଏ?ମୁଁ ସେମିତିରେ ତୁମକୁ କେତେ ବା ଜାଣିଛି?କିନ୍ତୁ ଆଖି ବୁଜିଲେ ତୁମେ କାହିଁକି ଦିଶ?ମୋତେ ଆତ୍ମୀୟତା ଦେଖାଇ ଗୁପ୍ତ ହେବା ପଛର କାରଣ ଖୋଜିଛୁ ଆଜିଯାଏ । ମୁଁ କେଡେ ବୋକା ଦେଖତ ତୁମକୁ ଜୀବନରେ ନିଶ୍ଚେ ପାଇବି ଭାବି ଅପେକ୍ଷା କରି ଆଜି ଯାଏ ଏକା ରହିଗଲି । ଆଉ ଆଜି ଦେଖା ହେଲା ତ କେମିତି । ଚିହ୍ନି ବି ଅଚିହ୍ନା ପରି ଚାଲିଗଲ?ତୁମେ ଗଲା ବେଳେ ପଛକୁ ଚାହୁଁଥିଲ;କାହିଁକି?


ଜଣେ ସାଙ୍ଗ କହୁଥିଲା ତୁମେ କୁଆଡେ ଜଣେ ଅସାମାଜିକ ବ୍ୟକ୍ତି ! ଦେଶର ଶତ୍ରୁ! କିନ୍ତୁ ମୋତେ ଯେଉଁ ଲୋକ ଏତେଅମାୟିକ ସ୍ନେହ,ସୁରକ୍ଷା ଦେଇ ଚର୍ଚ୍ଚା କରିଥିଲ, ସେ କଣ ଦେଶ ଦ୍ରୋହୀ ହୋଇ ପାରନ୍ତି !


ତାହେଲେ ନିଜ ପରିଚୟ ଗୋପନ ରଖିବାକୁ ତୁମର ଅଜ୍ଞାତ ବାସ କି?


ଏମିତି ଖୋଜୁ ଖୋଜୁ ମୁଁ ଜାଣିବାକୁ ପାଇଲି ଯେ ଆପଣଙ୍କ ମୃତ ଧର୍ଷିତା ପ୍ରେମିକା କୁଆଡେ ଠିକ୍ ମୋ ପରି !


ସେଇଥିପାଇଁ ମୋ ପ୍ରତି ତୁମର ପ୍ରଥମ ଦେଖାରେ ଏତେ ଦରଦ ଏତେ ପ୍ରେମ !


ଯିଏ ଧର୍ଷଣ କରିଥିଲା ସେ ଜଣେ ନାମିଦାମୀ ବ୍ୟକ୍ତି । ତାକୁ ମାରିବା ପାଇଁ ତୁମେ ଅସାମାଜିକ ବ୍ୟକ୍ତି ସହ ହାତ ମିଳାଇଛ! ହେଲେ ଲୋକେ କଣ ତୁମକୁ ବୁଝିବେ! କହୁଛନ୍ତି ପରାଅସାମାଜିକ,

ଅପରାଧୀ !

ପ୍ରକୃତ ସତ କଣ ମୁଁ ଜାଣିବାକୁ ଚାହେଁ । କିନ୍ତୁ ମୋତେ ଦେଖି ଅଚିହ୍ନା ହେବା ପଛର କାରଣ ପୁଣି କଣ?


ଯଦି ତୁମ ପ୍ରେମିକା ମୋ ପରି ତେବେ ହଁ ବିରେନ ବାବୁ ତୁମେ ମୋ ପ୍ରେମିକ । ମୁଁ ବି ତୁମକୁ ମନେ ମନେ ଭଲ ପାଉଥିଲି । ମନ କଥା ଖୋଲି କହିଲେନି, ମୁଁ ତ ଖୁସି ଖୁସି ତୁମ ପ୍ରେମିକା ହେବାକୁ ତୟାର ଥିଲି । କିନ୍ତୁ ନିରୁର୍ଦ୍ଦିଷ୍ଟ ହେବା କାରଣ କଣ! ବୋଧେ ଡରିଲ କି ମୁଁ ପାଠୋଇ ବୋଲି । ଓଃ ମୋ ମୁଣ୍ଡ କଣ ହୋଇ ଯାଉଛି । କି କାରଣ ଏତେ ସବୁ ପ୍ରଶ୍ନର!


ବହୁତ କାହିଁକିର ଉତ୍ତର ଖୋଜୁଛି ବୋକା ପରି । ସବୁ ଥାଇ ମୋ ପାଖେ ବେଳେ ବେଳେ ଲାଗୁଥିଲା ମୋର କିଛି ନାହିଁ । ଆଜି ମୋର ଖୋଜିବା ଶେଷ ହୋଇଗଲା । 'ଶୋଷ" ବି ମରିଗଲା । ତୁମେ ଗୋଟେ ଫୋଲିଡିଙ୍ଗ୍ ଡାଇନିଂ ଟେବୁଲ କିଣି ନେଲ ଯେଉଁ ଦୋକାନରୁ ; ସେଠୁ ତୁମ ଠିକଣା ସଂଗ୍ରହ କରି ଏ ଚିଠିଟି ଲେଖି ପଠାଉଛି । ପାରିବ ଯଦି ଉତ୍ତର ଦେବ । ତୁମେ ସେଦିନ ମୋତେ ଘରକୁ କାହିଁକି ନେଇ ଏତେ ଆତ୍ମୀୟତା ଦେଖେଇ ଥିଲ?କୁଆଡେ ଉଭାନ ହୋଇଗଲ ?କାହିଁକି ଉଭାନ ହେଲା?ସତ ରେ ତୁମ ପ୍ରେମିକା କଣ ମୋ ପରି ଥିଲା ?ଚିହ୍ନିଲେ ବି କାହିଁକି ଅଚିହ୍ନା ପରି ବ୍ୟବହାର କଲ । ଚିଠି ପଢି ଉତ୍ତର ଦେବ । ମୁହଁ ବହିରେ ଦେଲେ ମୁଁ ପଢି ପାରିବି । ଅପେକ୍ଷାରେ ରହୁଛି ।


। ଇତି ।


  ରଜ୍ଜୁ



Rate this content
Log in

Similar oriya story from Tragedy