STORYMIRROR

ayiswarya maharana

Tragedy Inspirational Others

4  

ayiswarya maharana

Tragedy Inspirational Others

ରଘୁ ପିଅନ

ରଘୁ ପିଅନ

5 mins
521

ସିନ୍ଦୁରା ଫାଟିଲା।ବାଳୁତ ସୂର୍ଯ୍ୟ ଆପଣାପର ଭେଦ ଭାବରୁ ଉର୍ଦ୍ଧ୍ବରେ ରହି ସମଗ୍ର ଜୀବଜଗତକୁ ବିଛାଡି ଦେଲେ ନିଜର ସ୍ବର୍ଣ୍ଣିମ କିରଣକୁ।ନିମିଷେକ ମଧ୍ୟରେ ଜୀବଜଗତ ଆଲୋକିତ ହୋଇଗଲେ।ପକ୍ଷୀମାନେ ଆହାର ଅନ୍ୱେଷଣରେ ଡେଣା ଝାଡ଼ି ଉଡି ଗଲେ ଅକାଶ ବୁକୁରେ।ନିଶିକାନ୍ତର ବୋଉ ଆଜି ଭୋର ହେବା ପୂର୍ବରୁ ଉଠିସାରିଛି।କାହିଁ କେତେଦିନରୁ ଏହି ସୂର୍ଯ୍ୟୋଦୟକୁ ସେ ଅପେକ୍ଷା କରିଥିଲେ।ଆଜି ତାଙ୍କ ନିଶି ବ୍ୟାଙ୍କ ମ୍ୟାନେଜର ଭାବେ ଯୋଗ ଦେବ ।ସଂଯୋଗ ବଶତଃ ନିଶିର ବାପା ସେହି ବ୍ୟାଙ୍କରେ ପିଅନ ଭାବେ କାର୍ଯ୍ୟରତ ।ଆଜି ବାପା ପୁଅ ଦୁହେଁ ମିଶି ଅଫିସ୍ କୁ ବହାରିଯିବେ।କେତେ ସମ୍ମାନ ଜନକ କଥାଟିଏ।ସେମାନଙ୍କ ପାଇଁ ଖାଇବା ପିଇବାର ବ୍ୟବସ୍ଥା କରିବାକୁ ପଡିବ।ପିଲାଟି ପ୍ରଥମ କରି ଅଫିସ୍ ଯିବ ,ପୂଜା କାମ ତ ସରିଲେ ତ ଈଶ୍ୱରଙ୍କର ଆଶୀର୍ବାଦ ନେଇ ଯିବ।ପୁଣି ଦୁଇ ଦୁଇଟି ଗାଈ ଅଛନ୍ତି ,ଗାଈ ନୁହଁନ୍ତି ତ ଦୁଇଟି ଛୋଟ ପିଲା....ଯେ କି ପ୍ରତି କାର୍ଯ୍ୟ ପାଇଁ ନିଶିକାନ୍ତର ବୋଉ ଉପରେ ନିର୍ଭରଶୀଳ।ତେଣୁ ଶୀଘ୍ର ଉଠି ସବୁ କାମ ଠିକ୍ ସମୟରେ ଶେଷ କରିବାର ଥିଲା।

ସକାଳ ୮ଟାରେ ବସ୍ ଛାଡ଼ିଦେବ।ତେଣୁ ବାପା ପୁଅ ଦୁହେଁ ଶୀଘ୍ର କରୁଥାନ୍ତି।ନିଶିର ବାପା ଅଧିକ ଉତ୍ସାହିତ ଥାଆନ୍ତି ,ପ୍ରଥମ ଥର ପାଇଁ ବ୍ୟାଙ୍କକୁ ଗର୍ବର ସହିତ ପ୍ରବେଶ କରିବେ।କିନ୍ତୁ ନିଶିକାନ୍ତ କିଛିଟା ଉଦାସ ଜଣାପଡୁଥାଏ।ଖିଆପିଆ ସରିବା ପରେ ନିଶିର ବାପା ନିଶିକୁ ପଚାରିଲେ,"ଆଜି ପରି ଦିନରେ ତୁ ଉତ୍ସାହର ସହ ବାହାରିବା କଥା କିନ୍ତୁ ଗଲା କିଛିଦିନ ହେବ ତୁ ଉଦାସ ଜଣା ପଡୁଛୁ।କିଛି ସମସ୍ୟା ଅଛି କି?"ବାପାଙ୍କର ଏହି ପ୍ରଶ୍ନ ଶୁଣି ନିଶି ବିରକ୍ତ ହୋଇ କହିଲା ,"କିଛି ନାହିଁ।ଚାଲ ଯିବା ବସ୍ ସମୟ ହେଉଛି।"

ଯଥା ସମୟରେ ଦୁହେଁ ଘରୁ ବାହାରି ଯାଇ ବସ୍ ଧରିଲେ।ବସ୍ ରେ ଯିବା ସମୟରେ ମଧ୍ୟ ନିଶିର ବାପା ନିଶିକୁ ପୁଣି ଥରେ ସେହି ପ୍ରଶ୍ନ ପଚାରିଲେ।ନିଶି କହିଲା ,"ବାପା ମୁଁ ଏବେ ଚାକିରୀ କଲିଣି।ତୁମେ ଏ ଚାକିରୀ ଛାଡିଦିଅ।ଏ ବୟସରେ ଆଉ ତୁମର ଦୌଡ଼ିବା ଦରକାର ନାହିଁ।ପିଅନ ଦରମା ବା କେତେ।ତୁମେ ଏବେ ଘରେ ବସ।" ନିଶିର ଏହି କଥା ଶୁଣି ତା ବାପାଙ୍କ ମନ ଖୁସିରେ ଘର ଧରୁନଥାଏ। ମନେ ମନେ ଈଶ୍ୱରଙ୍କୁ ଧନ୍ୟବାଦ ଜଣାଉଥାଏ ଯେ ତାକୁ ଏତେ ଯୋଗ୍ୟ ଏବଂ ଦରଦି ପୁଅର ବାପା କରିଥିବାରୁ।ନିଶିର ମଥାରେ ହାତ ବୁଲେଇ ଆଣି କହିଲେ ,"ଭଗବାନ ତୋର ମଙ୍ଗଳ କରନ୍ତୁ। ଏ ବାପା କଥା କେତେ ଚିନ୍ତା କରୁଛୁ।ହଉ ଛାଡିଦେବି ଏ ଚାକିରୀ।ଏମିତିରେ ମୋର ଆଉ ଦିନ କେଇଟା ଚାକିରୀ ଥିଲା।କିନ୍ତୁ ଆଜି ଯାଇ ସମସ୍ତଙ୍କୁ ମିଠା ଦେଇ କହିବି ଏଇ ରଘୁ ପିଅନର ପୁଅ ଆଜି ବ୍ୟାଙ୍କ ମ୍ୟାନେଜର ନିଶିକାନ୍ତ ପଟ୍ଟନାୟକ।ସତରେ ତୁ ମୋ ଗର୍ଵ।ପିଅନ ହୋଇ କାଲି ସମସ୍ତଙ୍କୁ ଯୁହାର ହେଉଥିଲି।ଆଉ ଆଜି ମୋ ପୁଅକୁ ସମସ୍ତେ ଜୁହାର ହେବେ।"ଏତିକି କହୁକହୁ ଖୁସିରେ ତାଙ୍କ ଆଖିରୁ ଲୁହ ବୁନ୍ଦା ଝରିଗଲା।

ନିଶିକାନ୍ତ କିନ୍ତୁ ବିଚଳିତ ହୋଇ କହିଲା ,"ନା, ନା ବାପା ....ତୁମେ ସେ ଭୁଲ୍ କରିବନି।କେହି ଯେପରି ନଜାଣନ୍ତି ଯେ ମୁଁ ତୁମ ପୁଅ ବୋଲି। ନହେଲେ ମୋର ସମ୍ମାନ ରହିବନି। ଲୋକେ ଆଗରେ ନହେଲେ ପଛରେ କହିବେ ରଘୁ ପିଅନର ପୁଅ ବୋଲି।ମୋ କଥା ବୁଝିବାକୁ ଚେଷ୍ଟା କର ବାପା।"

କିଛି ସମୟ ପୂର୍ବରୁ ବହିଥିବା ଖୁସିର ଲୁହ ଧାର ଦୁଃଖର ଲୁହରେ ପରିଣତ ହୋଇଥିଲେ।ପ୍ରଥମ ଥର ପାଇଁ ରଘୁ ପିଅନ ନିଜ ବୃତ୍ତିକୁ ନେଇ ଲଜ୍ଜିତ ହେଉଥିଲା ସେ ପୁଣି ନିଜ ଜନ୍ମିତ ସନ୍ତାନ ପାଖରେ।କର୍ମକୁ ଦୋଷ ଦେବ କି ଭାଗ୍ୟକୁ ନିନ୍ଦିବ ସ୍ଥିର କରି ପାରୁନଥିଲା ଏକ ଅସହାୟ ବାପା।ଏତେ ଖୁସି ହୋଇ ଘରୁ ବାହାରି ଆସିଥିଲେ ଏକ ଯୋଗ୍ୟ ସନ୍ତାନର ବାପା ବୋଲି ସମ୍ମାନ ପାଇବା ପାଇଁ,କିନ୍ତୁ ପାଇଲେ ଅଯୋଗ୍ୟ ସନ୍ତାନର ଅପମାନ।ନିଜ ଲୁହ ନିଜେ ପୋଛିଦେବା ବ୍ୟତୀତ ଅନ୍ୟ କୌଣସି ରାସ୍ତା ନଥିଲା ତାଙ୍କ ପାଖରେ।ରାସ୍ତା ସାରା ଉଭୟେ ନିରବ ଥିଲେ।

ବ୍ୟାଙ୍କରେ ପହଞ୍ଚିବା ପରେ ସମସ୍ତ କର୍ମଚାରୀ ମିଶି ନୂଆ ମ୍ୟାନେଜର ନିଶିକାନ୍ତ ପଟ୍ଟନାୟକଙ୍କୁ ସ୍ୱାଗତ କଲେ।ପରେ ଜଣେ ନିଶିର ବାପାଙ୍କୁ ଡାକି କହିଲେ ,"ରଘୁ ଭାଇ ,ଆଜି ନୂଆ ମ୍ୟାନେଜର ଆସିଲେ।ତୁମେ ଟିକିଏ ଆଗରୁ ଆସି ସଫା ସୁତୁରା କରିଥାନ୍ତ।ତୁମେ ଆସିବ ମ୍ୟାନେଜରଙ୍କ ସମୟରେ।ବାଃ।"

ଭିତରେ ଭାଙ୍ଗି ପଡିଥିବା ବାପା ଆଉ କଅଣ ଉତ୍ତର ଦେଇଥାନ୍ତେ....କହିଲେ,"ମୋ ଗାଁରୁ ବସ୍ ଏହା ପୂର୍ବରୁ ଆସେନାହିଁ।"

କର୍ମଚାରୀ ଜଣଙ୍କ କହିଲେ ,"ହଉ ....ଏବେ ଯାଇ ମ୍ୟାନେଜରଙ୍କର ଚା କି ଥଣ୍ଡା ପାନୀୟ କଥା ବୁଝିଆସ।" ରଘୁ ପିଅନ ସେଠାରୁ ଚାଲିଗଲା।ସମସ୍ତ କର୍ମଚାରୀଙ୍କ ପାଇଁ ଚା ଆଣି ପ୍ରତ୍ୟେକଙ୍କର ଟେବୁଲ ପାଖେ ଚା ଦେଇସାରିବା ପରେ ମ୍ୟାନେଜରଙ୍କର ଚାମ୍ବର ନିକଟରେ ଅନୁମତି ମାଗିଲା।ଅନୁମତି ମିଳିବା ପରେ ଚାମ୍ବର ଭିତରକୁ ଯାଇ ଚା କପ୍ ରଖିଦେଇ ଫେରିଆସିବାକୁ ବାହାରିଲା।ସେତେବେଳେ ନିଶି ତାଙ୍କୁ ଚେୟାର ଉପରେ ବସାଇଲା।ରଘୁ କହିଲା ,"ବାବୁ ଏ କ'ଣ କରୁଛନ୍ତି।ସମସ୍ତେ ଦେଖିଲେ କଅଣ ଭାବିବେ?ଛାର ପିଅନ ମୁଁ। ଆପଣଙ୍କ ଆଗରେ ଚେୟାରରେ ବସିବାର ହକ ନାହିଁ ମୋର।"ଏତିକି କହି ଉଠିବାକୁ ବାହାରିଥାଏ.....ନିଶି ତାଙ୍କ ହାତଧରି କହିଲା ,"ଏଭଳି ପରିସ୍ଥିତି ଆସିବ।ମୁଁ କିପରି ସେସବୁ ସାମ୍ନା କରିବି ? ପୁଅ ମ୍ୟାନେଜର ହୋଇଥିବ,ତେଣେ ବାପାକୁ ସମସ୍ତେ ପିଅନର ବ୍ୟବହାର ଦେଖାଇବେ।"

ରଘୁ ପିଅନ କହିଲା ,"ବୁଝିଲ ବାବୁ, ମୋ ବୃତ୍ତିକୁ ନେଇ ସେମାନେ ଯେଉଁ ବ୍ୟବହାର ଦେଖାଇବେ ତାହା ମୋ ପାଇଁ ଲଜ୍ଜା ଜନକ ନୁହେଁ। କିନ୍ତୁ ପୁଅ ହୋଇ ବାପାର ପରିଚୟ ନେବାକୁ ତୁମକୁ ଲଜ୍ଜା ଲାଗିଲା ତାହା ମୋର ଅବଶୋଷ।ଏଇ ପିଅନ ବୃତ୍ତି ପାଇଁ ତୁମେ ଆଜି ଏଇ ଚେୟାର ପାଇଛ।"ଏହା ପରେ ସେ ଅନ୍ୟ କୌଣସି ଉତ୍ତରକୁ ଅପେକ୍ଷା ନକରି ଚାମ୍ବର୍ ରୁ ବାହାରି ଚାଲି ଆସିଲା।

ଉଭୟେ ଘରକୁ ଫେରିଲେ।ନିଶିର ବୋଉ ବାପାପୁଅଙ୍କୁ ଦେଖି କହିଲେ ,"ତୁମେ ଦୁଇଜଣ ଆସିଗଲ।ଆଜି ଦିନଟି କିପରି ଥିଲା।"ନିଶିର ବାପା କିଛି ନକହି ଘର ଭିତରକୁ ଚାଲିଗଲେ।ପଛେ ପଛେ ନିଶି ମଧ୍ୟ ଚାଲିଗଲା। ନିଶିର ବୋଉ ଦୁଆର ମୁହଁରେ ଛିଡା ହୋଇ ଭାବୁଥାନ୍ତି ଏ ଦୁହିଁଙ୍କର କଅଣ ହେଲା? ଠିକ୍ ଅଛି ଖିଆ ପିଆ କରନ୍ତୁ ବିଶ୍ରାମ କରିବା ବେଳେ ବୁଝିନେବି।

ସଂନ୍ଧ୍ୟା ପ୍ରାର୍ଥନା ସାରି ନିଶିର ବାପା ଘର ଅଗଣା ମଝିରେ ଚୌକିଟିଏ ପକାଇ ବସିଥାନ୍ତି।ନିଶିର ବୋଉ ଯାଇ ପଚାରିଲେ କଅଣ ହୋଇଛି ତୁମର?ଆଜି ଦୁଇଜଣ ଯାକ ମୁହଁ ଶୁଖେଇ ଫେରିଲ।ନିଶିର ବାପା ସକାଳର ସବୁ ଘଟଣା ବର୍ଣ୍ଣନା କଲେ।ସବୁ ଘଟଣା ଶୁଣିବା ପରେ ନିଶିର ବୋଉ ସ୍ଵାମୀଙ୍କୁ ବୁଝାଇ କହିଲେ ,"ନିଶି ଠିକ୍ କହିଛି।ପୁଅ ବ୍ୟାଙ୍କରେ ମ୍ୟାନେଜର ଥିବ ଆଉ ସମସ୍ତେ ବାପାକୁ ପିଅନର ବ୍ୟବହାର ଦେଖାଇବେ ତାକୁ କଅଣ ଭଲ ଲାଗିବ।ତା ଛଡା ତୁମର ତ ଆଉ ଦିନ କେଇଟାରେ ଚାକିରୀ ସରିବ।ଜୀବନ ସାରା ଅନେକ କଲଣି।ଏବେ ବିଶ୍ରାମ ନେବ।"

ସ୍ଵାମୀଙ୍କୁ ଏତିକି କହିଦେଲେ କିନ୍ତୁ ନିଶି ବୋଉ ମନେ ମନେ ଭାଙ୍ଗି ପଡୁଥିଲେ।ସେ ସ୍ଵାମୀଙ୍କ ପାଖରୁ ଯାଇ ନିଶି ପାଖରେ ପହଁଚିଲେ।ନିଶି ସେତେବେଳେ ବିଶ୍ରାମ ନେଉଥାଏ।ନିଶିକୁ ଉଠାଇ କହିଲେ ,"ନିଶି ତୁ ବାପାଙ୍କୁ ଏପରି କାହିଁକି କହିଲୁ ? ସେ ପିଅନ ଚାକିରୀ ଯୋଗୁ ତ ତୁ ମଣିଷ ହେଲୁ।ଆମ ଦୁହିଁଙ୍କର କିଛି ଅସୁବିଧା ହେବ ବୋଲି ସହରରେ ନ ରହି ଖରା ,ବର୍ଷା,ଶୀତ କାକର ନମାନି ସବୁବେଳେ ଗାଁ ରୁ ସହର ହେଲେ।ସହରରେ ଘର ଭଡା ନନେଇ ତୋ ପାଇଁ ଧନ ସାଇତିବା ପାଇଁ।ଶେଷରେ ତୁ ତାଙ୍କୁ କହିଲୁ ସେ ଚାକିରୀ ପାଇଁ ତୋତେ ଲଜ୍ଜା ଲାଗିଲା।ସମସ୍ତଙ୍କୁ ସେ ତୋ ବାପା ବୋଲି କହିବାକୁ ତୋତେ ଖରାପ ଲାଗିଲା।ଏବେ ମଧ୍ୟ ସମୟ ଅଛି ନିଶି ଯାଇ କ୍ଷମା ପ୍ରାର୍ଥନା କର।ତୋ ତ୍ରୁଟି ସଂଶୋଧନ କର।"

ନିଶିକାନ୍ତ ନିଜର ଭୁଲ୍ ବୁଝୁଥିଲେ ମଧ୍ୟ ନିଜର ଅହଂକାର ତାକୁ କ୍ଷମା ପ୍ରାର୍ଥନା କରିବାରୁ ନିବୃତ୍ତ କରି ରଖିଥିଲା।ତେଣୁ ସେ ତା ବୋଉକୁ କହିଲା ,"ମୁଁ ଥକି ଯାଇଛି ବୋଉ।ପରେ କଥା ହେବା।"ତେଣୁ ନିଶିର ବୋଉ ନିରାଶ ହୋଇ ଫେରିଆସିଲେ।ନିଶି ବୋଉଙ୍କର ନିରାଶ ମୁହଁକୁ ଦେଖି ନିଶିର ବାପା କହିଲେ, "କଅଣ ହେଲା? ବୁଝାଇ ପାରିଲ ନାହିଁ।"ନିଶିର ବୋଉ କହିଲେ ,"କଅଣ ଆଉ କରିବା ?ଆମ ପୁଅ ତ।ଏପରି କଥା ଧରି ବସିଲେ ଚଳିବ?ତୁମେ ବରଂ କାଲି ଠାରୁ ଆଉ ବ୍ୟାଙ୍କ ଯାଅ ନାହିଁ।"ନିଶି ବୋଉର କଥା ଶୁଣି ରଘୁ ରାଗି ଯାଇ କହିଲେ ,"ତୁମେ ଏପରି କହୁଛ!! କାଲି ଯଦି ତୁମ ପୁଅ କଥା ମାନି ମୋ କାମକୁ ନଯାଏ,ତାହେଲେ ମୋ କର୍ମର ଅପମାନ ହେବ।ଏଭଳି ପୁଅର ସମ୍ମାନ ପାଇଁ ମୁଁ ମୋ କର୍ମକୁ ଲଜ୍ଜିତ କରି ପାରିବି ନାହିଁ।ଯେଉଁ କର୍ମ ମୋ ପେଟ ପୋଷିଲା,ମୋ ପରିବାର ଚଳାଇଲା,ବିପଦ ଆପଦରେ ଆଶା ବାଡ଼ି ହେଲା ତାକୁ ମୁଁ ଅପମାନ ଦେଇପାରିବି ନାହିଁ।ତେଣିକି ଏ ପୁଅ ମୋତେ ବାପା ଡାକୁ କି ନ ଡ଼ାକୁ।"

ପରଦିନ ଠାରୁ ସକାଳୁ ଉଭୟେ ନିଜ ନିଜ କର୍ମକ୍ଷେତ୍ରକୁ ବହାରି ଗଲେ। ଅଜଣା ଅଶୁଣା ମଣିଷ ପରି ଉଭୟେ ଉଭୟଙ୍କର କାର୍ଯ୍ୟ କଲେ।ଗୋଟିଏ ଦିନ କେହି ଜଣେ ଅଫିସର ଆସି ମ୍ୟାନେଜର ନିଶିକାନ୍ତଙ୍କ ସହ କଥା ହେଉଥାନ୍ତି।ରଘୁ ପିଅନ ଉଭୟଙ୍କ ପାଇଁ ଚା ନେଇ ଟେବୁଲରେ ରଖିଲା।ଥର ଥର ହାତରେ ଅଫିସରଙ୍କୁ ଚା କପ୍ ଟି ବଢ଼ାଉ ବଢ଼ାଉ ଅଫିସରଙ୍କ ଉପରେ ଚା ଢ଼ାଳିଗଲା।ତେଣୁ ଅଫିସର ରାଗିଯାଇ ରଘୁ ପିଅନକୁ ଚାପୁଡ଼ାଟିଏ ମାରିଲେ।ନିଶି ଏ ଦୃଶ୍ୟକୁ ସହି ନପାରି ଚେୟାରରୁ ଉଠିଯାଇ ସେହି ଅଫିସରଙ୍କୁ ଟାଣି ଟାଣି ଚାମ୍ବର ବାହାରକୁ ନେଇ ଆସିଲା। ସେଠାରେ ସମସ୍ତଙ୍କ ସମ୍ମୁଖରେ ପାଟି କରି କହିଲା ,"ଏ ପିଅନ ହେଲେ ମଧ୍ୟ ଜଣେ ବୟସ୍କ ଗୁରୁଜନ।ଏ ମୋ ବାପା ମଧ୍ୟ।ତାଙ୍କ ଉପରକୁ ହାତ ଉଠାଇ ପାପ କରିଲ ତୁମେ।କ୍ଷମା ମାଗ ତାଙ୍କୁ।ସମସ୍ତେ ଘଟଣାଟିକୁ ବୁଝିପାରିଲେ।ଅଫିସର ଜଣକ ନିଜ କୃତକର୍ମ ପାଇଁ ଅପମାନିତ ହୋଇ ରଘୁ ପିଅନକୁ କ୍ଷମା ମାଗି ସେଠାରୁ ଚାଲିଗଲେ। ନିଶି ବାପାଙ୍କୁ କୋଳେଇ ନେଇ କ୍ଷମା ମାଗିଲା।ଉପସ୍ଥିତ ଥିବା ସମସ୍ତ କର୍ମଚାରୀ କରତାଳି ଦେଇ ବାଃ ବାଃ କହୁଥିଲେ।ରଘୁ ପିଅନ ମଧ୍ୟ ଆନନ୍ଦରେ ନିଶିକୁ ଗ୍ରହଣ କରିଲେ।ମ୍ୟାନେଜର ନିଶିକାନ୍ତ ପଟ୍ଟନାୟକ ଦେଖୁଥିଲେ ରଘୁ ପିଅନ ରୂପେ ଛିଡା ହୋଇଥିବା ବାପାର ଖୋଲା ମନଟିକୁ।

      



Rate this content
Log in

Similar oriya story from Tragedy