STORYMIRROR

MADHU MITA

Tragedy Inspirational

3  

MADHU MITA

Tragedy Inspirational

ରାଧୁଆ ମାଆର ଲଢେଇ

ରାଧୁଆ ମାଆର ଲଢେଇ

3 mins
189

ରାଧୁଆ ମା'ର ଲଢେଇ



            ସକାଳୁ ସକାଳୁ ବୁଢ଼ୀର ଖୁଁ ଖୁଁ କାଶରେ ନିଦ ଭାଙ୍ଗିଗଲା ହେମନ୍ତର।ଓଃ..ଏ ରାଧୂଆ ମା!!କଣ ବା କରା ଯାଇପାରେ?ମନେ ମନେ ବିରକ୍ତ ହେଲା ଓ ଦୁଃଖ ମଧ୍ୟ ଅନୁଭବ କଲା ସେ।ପିଲାଟି ଦିନରୁ ଦେଖି ଆସିଛି ହେମନ୍ତ.. ସ୍ବାମୀ ଥିବା ବେଳେ କିପରି ରାଧୁଆ ମା ଘର ଘର ବୁଲି କାମ କରି ଦିନରାତି ଲାଗି ପଡ଼ିଥିଲା ସେ ବେମାର ମଣିଷକୁ ବଞ୍ଚେଇବା ପାଇଁ।କିନ୍ତୁ..ହାର ମାନି ଯାଇଥିଲା ବିଧି ବିଧାନ ଆଗରେ।ସେତିକିରେ ତା ଦୁଃଖ ସରି ନ ଥିଲା ଯେ ନିଜେ ମଧ୍ୟ ଅନେକ ସମୟ ବେମାର ରହୁଥିଲା।ଛୁଆପିଲା କେହି ନ ଥିଲେ ବିଚାରୀର..ରାଧୂଆ ଜନ୍ମ ହେବାର ଦୁଇ ମାସ ପରେ ଆଖି ବୁଜି ଦେଇଥିଲା।କିନ୍ତୁ ବୁଢୀର ନା ଏଇୟା ରହି ଯାଇଥିଲା..ଏକା ପଡି ରହିଥାଏ ସେ ବିକଳ ହୋଇ ଚାହିଁ..ସେ ହାତକୁ..ଯାହା ବେଳେ ବେଳେ ପଡୋଶୀ ହୋଇ ଦୟାରେ ଲମ୍ବି ଆସେ ତା କୁଡିଆକୁ..କିଛି ଖାଦ୍ୟ ପଦାର୍ଥ ନେଇ।ବାସ୍..ସେତିକି ହିଁ ସମ୍ବଳ ଏ ବୃଦ୍ଧାର..


ଓଃ..ଆଜି ଦିନଟା ହିଁ ଖରାପ୍..ହେମନ୍ତ ଘଣ୍ଟା ଦେଖି ବ୍ୟସ୍ତ ହୋଇ ଉଠିଲା।ଏ ବୁଢ଼ୀ ବିଷୟ ଭାବୁ ଭାବୁ କେତେବେଳେ ଆସି ଦିନ ନ’ ଟା ବାଜି ଗଲାଣି..!!??



         ତରତର ହୋଇ ବାହାରି ଗଲା..ପାର୍ଟି କାର୍ଯ୍ୟାଳୟକୁ।ଆଜି ମହାମହିମ ମିଟିଂ ରଖିଛନ୍ତି।ପ୍ରତି ତିନି ମାସରେ ଥରେ ହୁଏ ଏ ମିଟିଂ।କୋଣ ଅନୁକୋଣରୁ ପାର୍ଟି କର୍ମଚାରୀ ଆସି ଯୋଗ ଦିଅନ୍ତି।ବିଭିନ୍ନ ବିଷୟ ଉପସ୍ଥାପନା ହୁଏ।ବହୁତ ଆଇଡିଆ ନେବା ପରେ ମହାମହିମ ନିଷ୍ପତ୍ତି ନିଅନ୍ତି ଆଗାମୀ ତିନି ମାସ କେଉଁ ବିଷୟ ଉପରେ କାର୍ଯ୍ୟ କରାଯିବ..।ଆଜି ସେହି ପରି ଏକ ମହତ୍ତ୍ୱପୂର୍ଣ୍ଣ ଦିନ…



            ଅବଶ୍ୟ ସମୟରେ ପହଁଚିଗଲା ହେମନ୍ତ।ପ୍ରାୟ ଦଶ ଜଣ ସ୍ଥାନୀୟ ସମସ୍ୟା ଓ ବ୍ୟକ୍ତିଗତ ସମସ୍ୟା କହିବା ପରେ ମଧ୍ୟ ମହାମହିମ କୌଣସି ବିଷୟ ପସନ୍ଦ କରି ପାରିଲେନି।



          ହଠାତ୍ ହେମନ୍ତ କହି ଉଠିଲା ରାଧୂଆ ମା ବିଷୟ..କିପରି ସେ ବଞ୍ଚିତ ହୋଇଛି ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ..ଇନ୍ଦିରା ଆବାସ ଯୋଜନାଭୁକ୍ତ ହେବାରୁ.. ଏବଂ ବିପିଏଲ୍ ତାଲିକାରେ ପ୍ରବେଶ କରିବାରୁ।ସବୁ ସୁଖ ସୁବିଧାରୁ ବଞ୍ଚିତ ହୋଇ ସେ କିପରି ଦୟନୀୟ ଜୀବନଟିଏ ବଞ୍ଚିଛି କହିଦେଲା ସେ..!!ଖରା ବର୍ଷା ଶୀତ କାକରରେ ସେ କେମିତି ଅସହାୟ ହେଇ ରହୁଛି ସବୁ ପ୍ରାଞ୍ଜଳ ଭାବରେ କହିଲା ସେ।



          ତାଳିମାରି ଉଠିଲେ ମହାମହିମ.."ବାଃ ହେମନ୍ତ.." କହି ପିଠି ଥାପୁଡେଇ ଦେଲେ ଓ ଘୋଷଣା କଲେ ଏହି ରାଧୁଆ ମା’ ହିଁ ହେବ ଆଗାମୀ ଦଳୀୟ ଏଜେଣ୍ଡା।



           ଚଳ ଚଞ୍ଚଳ ହୋଇ ଉଠିଲା ଦଳ।ସବୁ କର୍ମଚାରୀ ଲାଗି ଗଲେ ବିଶାଳ ରାଲି ଆୟୋଜନରେ। ରାଧୂଆ ମା’ ଆମରଣ ଅନଶନରେ ବସିବ।ସରକାରଙ୍କ ଚୌକି ଏଥର ନିଶ୍ଚୟ ଦୋହଲି ଯିବ।ଏତେ ସମ୍ବେଦନଶୀଳ ବିଷୟ ଅନାୟାସରେ ତାଙ୍କ ନିଦ ହଜେଇ ଦେବ।



          ଧାର୍ଯ୍ୟ ଦିନ ଏକ ବଡ଼ ପେଣ୍ଡାଲ ଉପରେ ସବୁ ଯୋଗାଡ଼ କରା ଯାଇଥିଲା।ମହାମହିମଙ୍କ ତରଫରୁ ପ୍ରଚାର ପ୍ରସାର କାର୍ଯ୍ୟ ମଧ୍ୟ ସରିଥିଲା।ହେଲେ ବ୍ୟସ୍ତ ବିବ୍ରତ ଭୟାତୁର ହୋଇ ହେମନ୍ତ ଫୋନ୍ କଲା.." ସାର୍…ରାଧୂଆ ମା’ଙ୍କୁ ଭୀଷଣ ଜର।ଏବେ ତାଙ୍କୁ ପାଖ ହସପିଟାଲକୁ ନେଇ ଯାଉଛି।ସିଏ ଭଲହେବା ସଙ୍ଗେ ସଙ୍ଗେ ତାଙ୍କୁ ନେଇ ପହଞ୍ଚିବି ସାର୍.."



         ହେମନ୍ତ କଥା ଶୁଣି ଚିନ୍ତାରେ ପଡ଼ି ମହାମହିମ ବିରକ୍ତ ହୋଇ ଉଠିଲା ବେଳେ ତାଙ୍କ ପାଖରେ ଥିବା ତାଙ୍କ ପି ଏ ଦୁବେ କାନରେ କିଛି କହିଦେଲେ। "ବୁଝିଲ ଦୁବେ.."ମହାମହିମ ପି ଏ ଙ୍କ ବୁଦ୍ଧିକୁ ତାରିଫ କରି କହିଲେ "ଏକଦମ୍ ଠିକ୍ କହୁଛ।ସେ ରାଧୁଆ ମା’କୁ କିଏ ଦେଖିଛି?ସବୁ ଆୟୋଜନ ସରିଛି। ବୃଦ୍ଧାଶ୍ରମରୁ ତୁରନ୍ତ ଜଣଙ୍କୁ ଉଠେଇ ଆଣ।ସିଏ ହିଁ ହେବେ ରାଧୁଆ ମା।କାଲିର ସଭାରେ ଯେମିତି କୌଣସି ବିଘ୍ନ ନ ହୁଏ…!!"


ରାଧୁଆ ମା’ ଓ ତା’ ପରି ଅବହେଳିତ ପଛୁଆ ବର୍ଗର ବୟସାଧିକ୍ୟ ବ୍ୟକ୍ତିଙ୍କ ପ୍ରତି ହେଉଥିବା ଏ ପ୍ରକାର ଅବହେଳାର ପ୍ରତିବାଦରେ ହୋଇଥିବା ଏ ବିକ୍ଷୋଭକୁ ସମର୍ଥନ କରି ସବୁ ବିରୋଧୀଦଳ ଏକାଠି ହୋଇଛନ୍ତି।ମିଡ଼ିଆ ମଧ୍ୟ ଏକତ୍ରିତ ହୋଇ ଅପେକ୍ଷା କରିଛି ସେ ମୁହୂର୍ତ୍ତକୁ…ଯେତେବେଳେ କିଛି ଅବାଞ୍ଛିତ କାରଣ ବଶତଃ ହୋଇଥିବା ଏ ତ୍ରୁଟିକୁ ସୁଧାରିବା ପାଇଁ ନିଜେ ଜିଲ୍ଲାପାଳ ଆସୁଥିଲେ ମହାମହିମ ଏବଂ ରାଧୁଆ ମା’ କରିଥିବା ଅନଶନକୁ ଭାଙ୍ଗିବା ପାଇଁ।



           ଏସବୁ ସହିତ ଅନଭିଜ୍ଞ ଥିବା ହେମନ୍ତ ଖୁସି ହୋଇ ଫୋନ୍ କରିଲା ପି ଏ ସାରଙ୍କ ପାଖକୁ.."ସାର୍.. ରାଧୁଆ ମା ଏବେ ପୁରା ସୁସ୍ଥ।ମୁଁ ତାଙ୍କୁ ନେଇ ସଭାସ୍ଥଳକୁ ଆସୁଛି ସାର୍।ଅଧଘଣ୍ଟା ଭିତରେ ଆସି ପହଞ୍ଚିଯିବି।"


"ଆରେ ଆରେ ତରବର ହୁଅନି।ସେ ବୁଢ଼ୀକୁ ନେଇ ତା’ କୁଡ଼ିଆକୁ ଯାଅ।ଏଇଠି ଖାଲି ଥରେ ଅନଶନଟା ସରିଯାଉ।ତା’ ପରେ କଥା ହେବା..!!"



         ଭଙ୍ଗା କୁଡିଆଘରେ ପ୍ରବଳ ଶୀତଦାଉରୁ ରକ୍ଷା ପାଇବାକୁ ଏକ ଛିଣ୍ଡା କମ୍ବଳ ଘୋଡେଇ ହୋଇ ମେଡିସିନ ଖାଇ ଶୋଇବାକୁ ଚେଷ୍ଟା କରୁଥିବା ରାଧୁଆ ମା’ ପାଖରେ ବସି ଫୋନ୍ ରେ ଆସିଥିବା ନିଉଜ୍ ପଢ଼ୁଥିଲା ହେମନ୍ତ...


“ବିରୋଧୀଦଳର ଆମରଣ ଅନଶନ ଫଳରେ ନ୍ୟାୟ ପାଇଲେ ରାଧୁଆ ମା..ଗଣତନ୍ତ୍ରର ବିପୁଳ ବିଜୟ ହେଲା।ଅହେତୁକ ଅବହେଳା ପାଇଁ କ୍ଷମା ମାଗିଲେ ପ୍ରଶାସନ।ବରିଷ୍ଠ ନାଗରିକ ମାନଙ୍କ ସୁରକ୍ଷା ପାଇଁ ଆଇନ ଆହୁରି କଡାକଡ଼ି ହେଲା…!!”



          ହଠାତ୍ ଗଳାରେ କଫ ଲାଗିଯିବାରୁ ଜୋରରେ କାଶି ଉଠିଲା ଅସହାୟ ବୁଢୀଟି..ତା’ କୋରଡରେ ପଶି ଯାଇଥିବା ଆଖିରୁ ଯନ୍ତ୍ରଣା ଓ ଦୁଃଖର ଲୁହ ବୋହିବାକୁ ଅସମର୍ଥ ହୋଇ ଲଢେଇ କରୁଥିବା ଦେଖି ହେମନ୍ତ କିନ୍ତୁ ବିକଳରେ କାନ୍ଦି ଉଠିଲା।




Rate this content
Log in

Similar oriya story from Tragedy