STORYMIRROR

Chinmayee Barik

Tragedy

3  

Chinmayee Barik

Tragedy

ପୁଅ ହସୁଛି

ପୁଅ ହସୁଛି

2 mins
14.2K


ମୋବାଇଲ୍ ରିଂ ହେଲା ମାନେ ଜାଣ ପୁଅ ହସୁଛି ।ଏକ ଅମାୟିକ ହସ ମୋବାଇଲ୍ ସ୍କ୍ରିନ ଭିତରୁ ବାହାରି ଆସେ ।ଆଃ...ମନ ପୁରିଯାଏ ବୁଢା ବାପର ।ବାର୍ ବାର୍ ସ୍କ୍ରିନକୁ ପୋଛୁଥାଏ ।କାଳେ ଆଉ ଟିକେ ହସଟା ଜୀବନ୍ତ ଦେଖା ଯିବ କି??ଏମିତି ଏକ ହସଟେ ପୁଅ ମୁହଁରୁ ଦେଖିବାକୁ ବାପ ଆଖିରେ କେତେ ଅପେକ୍ଷା ।ପୁଅ ଆଜିକାଲି ମୋଟେ ହସେନି ।ଯେତେବେଳେ ବି ଘରକୁ ଆସେ କୁସୁଣ୍ଡା ମୁହାଁ କରି ବସେ ।ନିଦରେ ଶୋଇଥିଲା ବେଳେ ବି ତା ମୁହଁରେ ଅଶାନ୍ତିର ଦାଗ ।ଏସବୁର କାରଣ ଏ ଧୁଡୁ ଧୁଡୁ ଚମର ବୁଢାଟା ।ମରୁନି କି ଶାନ୍ତିରେ ରଖେଇ ଦେଉନି ।ଏ ଲେଞରା ବୋହୁଥିବା,ଲାଳ ବୋହୁଥିବା,ଅଧା ଅନ୍ଧ ବୁଢାଟା ଦେହରୁ କେମିତି ଗୋଟେ ଉଷୁମଳିଆ ବି ବାସେ ତ?ବରଦାସ୍ତର ବାହାରେ ।ପୁଅ ହସିବ ବୋଲି ବାପ କେତେଥର ଘୋଡା ହାତୀ ବନିଛି ।ଆଜି ବି ପୁଅ ମୁହଁରେ ହସଟେ ଦେଖିବାକୁ ସେ ଆସିଲେ ବୁଢାବାପଟା ସାବୁନ୍ ଲଗାଇ ଗାଧାଏ ।ମୁଣ୍ଡରେ ତେଲ ଲଗାଇ ଟେରି କାଟେ ।ଯଦିଓ ଟିକେ ସାବୁନ୍ ଲଗାଇଲେ ସପ୍ତାହେ ଯାଏଁ ଖୁଁଖୁଁ ହେବାକୁ ପଡେ ।ଫାଳିକିଆ ରେଜରେ ଦାଢି ବି ସଫା କରେ ।ଖୁବ୍ ସନ୍ତର୍ପଣରେ ପୁଅ ଆଗରେ ଯାଇ ଠିଆ ହୁଏ ।ଜୀବନ ସାରା ତ ସେଇ ଗୋଟିଏ କଥାକୁ ଧ୍ୟାନ ଦେଇଛି ,ତା ହେଲା ପୁଅର ହସ ।ଆଜି ବି ଚେଷ୍ଟା କରୁଛି ।ବୁଢା ହେଲେ ,ଚମ ଲୋଚା କୋଚା ହୋଇଗଲା ପରେ ବାପର ବାପତ୍ୱ ବି କମିଯାଏ ।ଶୋଇବା ଘରୁ ତା ଜାଗା ଡାଇନିଂହଲ୍,ଡ୍ରଇଂହଲ୍ ହୋଇ ଷ୍ଟୋର୍ ରୁମ୍ ଯାଏ ଚାଲିଯାଏ ।

ପୁଅଲାଗି ଏତେ ଏସବୁ କର୍ତ୍ତବ୍ୟ ।ଏକ ଲମ୍ବା ରାସ୍ତା ।ପୁଅ ହସୁ ।ହଁ,ପୁଅ ବୋଧହୁଏ ହସିବା ଶିଖିଗଲାଣି ।ସେ ଆଜିକାଲି ଆଉ ଆସେନା ଘରକୁ ।ହଁ,ମୋବାଇଲ୍ ରେ ଫୋନ୍ କରେ ।ସେ ଫୋନ୍ କଲାମାନେ ତା ଭିତରୁ ପୁଅର ମନ ଫୁଲିଆ ହସର ଛବିଟି ବାହାରି ଆସେ ।ବାସ୍...ଏତିକି ତ!ଏଇ ହସଟେ ଦେଖିବାକୁ ସେ ଆଜିଯାଏଁ ରକ୍ତକୁ ପାଣି କରିଛି ।ଏବେ ପୁଅ ହସିଲାଣି ।ଯେଉଁଠି ବି ରହୁ ଏମିତି ହସୁ ଥାଉ ।ଏବେ ପୁଅ କହିଲେ ଏଇ ଛୋଟ ମୋବାଇଲ୍ ଟି।ଅନବରତ କାନ ଆଉ ଆଖି ସତର୍କ ହୋଇ ରହିଥାଏ ମୋବାଇଲ୍ ଉପରେ ।କେତେବେଳେ ମୋବାଇଲ୍ ରିଂ ହେବ ....ବୁଢାବାପର ପୁଅ ହସିବ ।ଶୌଚ ହେବାକୁ ଗଲେ ବି ଅଣ୍ଟାରେ ଖୋସା ହୋଇଥିବ ମୋବାଇଲ୍ ।ଗାଧୋଇଲା ବେଳେ ପୋଖରୀ ଉଢାରେ ଥିବ ।ଶୋଇଲା ବେଳେ ପେଟ ତଳେ ଜାକି ହୋଇ ଶୁଆଇବ ମୋବାଇଲ୍ କୁ ।ମୋବାଇଲ୍ ଏବେ ତା ଜୀବନ ଧନ ।ନୀତି ଠାକୁରଙ୍କୁ ମୁଣ୍ଡ ମାରି ଜଣାଇବ ଯାହା କିଛି ହେଉ ନ ହେଉ ମୋବାଇଲ୍ ଟା ଖରାପ ନ ହେଉ ହେ କାଳିଆ ଠାକୁର ।ବୁଢା ବାପର ଆଉ କି ସ୍ୱପ୍ନ କି? ଏ ଯନ୍ତ୍ରଣା କାତର ବେସାହାରା ନିଥର ଦେହକୁ ମୃତ୍ୟୁଟେ ନିହାତି ଲୋଡା ଇଶ୍ୱରଙ୍କ ପାଖରୁ ।କିନ୍ତୁ ବୁଢାବାପଟି ଏ ସବୁ କିଛି ଭୂଲିଯାଏ ଇଶ୍ୱରଙ୍କୁ ମାଗିବାକୁ ।ଇଶ୍ୱର ସହ କେବେ ମନ୍ଦିରରେ ଦେଖା ହେଲେ ସେ ମାଗୁଥାଏ ...ମୋବାଇଲ୍ ଟି କେବେ ଖରାପ ନ ହେଉ ।ପୁଅ ଏମିତି ହସୁଥାଉ ।

.........Lucy.......


Rate this content
Log in

Similar oriya story from Tragedy