ପରିବେଶ ଆମ ଜୀବନ
ପରିବେଶ ଆମ ଜୀବନ
ସେଦିନ ସ୍କୁଲ ଛୁଟି ପରେ ନିଲୁ ଓ ରାଜ ପାଟି କରି କରି ଘର ଭିତରକୁ ପଶିଲେ --"ମା’ ,ମା’ ,ଶୀଘ୍ର କିଛି ଖାଇବାକୁ ଦିଅ ,ଭୀଷଣ ମୁଣ୍ଡ ବଥା ହେଲାଣି ।
--କାହିଁକି ,କ’ଣ ହେଲା ??ରାସ୍ତାରେ କିଛି ଅସୁବିଧା ହେଇଛି ନା’ ,ସ୍କୁଲରେ ??
ଖାଇବାକୁ ଦେଉଦେଉ ମାଆ ପଚାରିଲେ ।
---"ରାସ୍ତା କଡ ଗଛ ସବୁ କାଟି ଦେଉଛନ୍ତି ,ଟିକିଏ ବି ଛାଇ ନାହିଁ ।ସେପଟୁ ବଡବଡ ଟ୍ରକ ପଛକୁପଛ ଲାଗି ଥାଆନ୍ତି ପାରେଇବା ପାଇଁ । ଆମେ ରାସ୍ତା କଡରେ ଅପେକ୍ଷା କରି ରହିଲୁ । ଗାଡିଗୁଡିକରୁ ଏତେ ଧୁଆଁ ବାହାରୁଥିଲା ଯେ ,ଆମେ ନିଶ୍ୱାସ ନେଇ ପାରୁ ନ ଥିଲୁ । ଓଃ କି କଷ୍ଟ !!! ଆଖି ଗୁଡାକ ପୋଡି ପୋଡ଼ି ମୁଣ୍ଡ ବିନ୍ଧିଲାଣି ପରା !! "
ଖାଉଖାଉ ଜଣେ ପରେ ଜଣେ କହି ଚାଲିଥିଲେ ।
ମାଆ ନୀରବ ରହିଲେ କ୍ଷଣକ ପାଇଁ ।ପିଲା ମାନେ ଯାହା କହିଲେ ସେସବୁ ସମ୍ପୂର୍ଣ୍ଣ ଠିକ୍ ଲାଗୁଥାଏ ତାଙ୍କୁ ।ହେଲେ , ସିଏ ବା କ'ଣ କରିପାରିବେ ?
ରାତିରେ ଶିକ୍ଷକ ଆସିଲେ ପଢ଼ାଇବା ପାଇଁ ।ଏସବୁ ଶୁଣି ସେ କହିଲେ --ତେବେ କହିଲ ଦେଖି ଗଛ ନ ରହିଲେ ଆମର କ’ଣ ଅସୁବିଧା ହେବ ?
ନିଲୁ - -ଛାଇ ମିଳିବନି ।
ରାଜ--ହଁ ,ଛାଇ ତ ମିଳିବନି ।
ଶିକ୍ଷକ ---କେବଳ ଛାଇ ନା ଆହୁରି କିଛି ଅସୁବିଧା ହେବ ଟିକିଏ ଭାବି କି କୁହ ।
ନିଲୁ ଓ ରାଜ ତୃତୀୟ ଓ ଚତୁର୍ଥ ଶ୍ରେଣୀର ଛାତ୍ର ।
ରାଜ ----ସାର ,ଗଛ ଅଙ୍ଗାରକାମ୍ଳ ଗ୍ରହଣ କରେ ।ଗାଡି ମାନଙ୍କରୁ ନିର୍ଗତ ଧୁଆଁରେ ଅଙ୍ଗାରକାମ୍ଳ ଥାଏ ।
ଶିକ୍ଷକ ---ହଁ ,ରାଜ ...ଠିକ୍ କହିଲ ।ଗଛ ଦ୍ୱାରା ଆମର ଶ୍ବାସକ୍ରିୟା ଠିକ୍ ରୂପେ ହୁଏ ।ସେ ଅମ୍ଳଜାନ ଯୋଗାଇ ଦେଇ ଅଙ୍ଗାରକାମ୍ଳକୁ ଗ୍ରହଣ କରୁଥିବାରୁ ବାୟୁମଣ୍ଡଳରେ ସନ୍ତୁଳନ ରକ୍ଷା କରେ ।ବିଭିନ୍ନ ଉପାୟରେ ବାୟୁମଣ୍ଡଳ ପ୍ରଦୂଷିତ ହେଉଛି ।ତେଣୁ ବର୍ତ୍ତମାନ ଗଛ ଲଗାଇବା ଏକ ପ୍ରଧାନ ଦାୟିତ୍ୱ ଓ କର୍ତ୍ତବ୍ୟ ।ଏକମାତ୍ର ଗଛ ଦ୍ୱାରା ପ୍ରାଣୀ ଜୀବନ ଧାରଣ କରିଥାଏ ।ଅତିରିକ୍ତ ଧୁଆଁରୁ ତୁମ ଆଖି ପୋଡିଲା ।
ନିଲୁ ---ସାର ,ଜାଣିଛନ୍ତି ,ଆମ ସହ ପଢ଼ୁଥିବା ସୋମୁ ,ତା ବାପାଙ୍କ ସହ କିଛିଦିନ ଇଟା ଭାଟିକୁ କାମ କରିବା ପାଇଁ ଯାଇଥିଲା ।ସେଠାରୁ ଫେରିବା ପରେ ତାକୁ ଭୀଷଣ ଜ୍ୱର ଓ ସେ ସେଥିପାଇଁ ସ୍କୁଲ ଆସୁନାହିଁ ।
ଶିକ୍ଷକ --ଛୋଟ ପିଲା ମାନେ ଶ୍ରମିକ ଭାବେ କାର୍ଯ୍ୟ କରିବା ମନା ।ଏ କଥା ସୋମୁର ବାପା ଜାଣିନାହାନ୍ତି କି
?
ତେବେ ତ ବହୁତ ଅସୁବିଧା କଥା । ମୋତେ କାଲି ତାଙ୍କ ଘରକୁ ଯିବାକୁ ହେବ ।
------------------- ------------------
ଶିକ୍ଷକ ଜଗତ ବାବୁ ସୋମୁର ଘର ଅବସ୍ଥା ପର୍ଯ୍ୟବେକ୍ଷଣ କରି ସୋମୁକୁ ଛାତ୍ରାବାସରେ ରଖାଇବାର ବ୍ୟବସ୍ଥା କରିଦେବା ସହିତ ତା'ର ବାପାଙ୍କୁ ଏକ ରେଶମ ସୁତା ଉତ୍ପାଦନ କେନ୍ଦ୍ରରେ ଜଗୁଆଳି ଭାବେ କର୍ମ ନିଯୁକ୍ତି ପାଇଁ ବ୍ୟବସ୍ଥା କରିଦେଲେ ।
ବର୍ତ୍ତମାନ ବାଳଶ୍ରମିକର ସୁବିଧା ଓ ଅସୁବିଧା ଦର୍ଶାଇ ,ଏହା ଯେ ଏକ ସାଂଘାତିକ ଅପରାଧ ସେ ସମ୍ବନ୍ଧରେ ସୂଚନା ଦେଲେ ।ସୋମୁ ଓ ସୋମୁର ବାପାଙ୍କ ମନ ଜଗତ ବାବୁଙ୍କ ପ୍ରତି ଆଜୀବନ କୃତଜ୍ଞତାରେ ଭରିଗଲା ।
ଜଗତ ବାବୁ ଜଣେ ପରିବେଶବିତ ।ତାଙ୍କ ଉଦ୍ୟମ ରେ ଅନେକ ପଡିଆ ଜଙ୍ଗଲରେ ପରିଣତ ହୋଇଛି ଅନେକ ଔଷଧୀୟ ବୃକ୍ଷ ସେସବୁ ଜଙ୍ଗଲରେ ମିଳିଥାଏ ।ବିଭିନ୍ନ ପ୍ରକାର ଔଷଧ ତିଆରି ହେବାପାଇଁ ସେ ଜଙ୍ଗଲରୁ ବିଭିନ୍ନ ଜଡ଼ିବୁଟି ସଂଗୃହୀତ ହୋଇଥାଏ ।ଏବେ ତାଙ୍କ ଉଦ୍ୟମରେ କର୍କଟ ରୋଗର ଉପାଦେୟ ବୃକ୍ଷ ଓ ତା'ର ରକ୍ଷଣାବେକ୍ଷଣର ବ୍ୟବସ୍ଥା ହୋଇଛି ।
ସମଗ୍ର ବିଶ୍ୱରେ ଯେଉଁ ତାପମାତ୍ରା ବୃଦ୍ଧି ପାଉଛି ଏସବୁର କାରଣ , ଜନସଂଖ୍ୟାର ଅହେତୁକ ବୃଦ୍ଧି, ଯାନବାହନ ବୃଦ୍ଧି ,ଗଛ କାଟିଦେଇ ଜଙ୍ଗଲର ହ୍ରାସ ଇତ୍ୟାଦିକୁ ଗଭୀର ଅନୁଶୀଳନ ଦରକାର । ଶହେଟି ଗଛ କାଟିବା ପୂର୍ବରୁ ଶହେଟି ଗଛ ଲଗାଇବାର ସଂକଳ୍ପ ନେବାକୁ ହେବ ।ଯାନବାହନରୁ ବିଷାକ୍ତ ଧୁଆଁକୁ କମ କରିବାକୁ ହେବ । ଜନ ସଂଖ୍ୟା ବୃଦ୍ଧିର ଅହେତୁକ କାରଣ ଗୁଡିକୁ ଅନୁଧ୍ୟାନ କରି ଉପଯୁକ୍ତ ପଦକ୍ଷେପ ନେବାକୁ ହେବ । ପରିବେଶକୁ ଉପଯୁକ୍ତ ତତ୍ୱାବଧାନରେ ନ ରଖିଲେ ତାହା ପ୍ରାଣୀର ସର୍ବନାଶର କାରଣ ହେବ ଏଥିରେ ସନ୍ଦେହ ନାହିଁ ବୋଲି ବିଭିନ୍ନ କଥା ବୁଝାନ୍ତି ଲୋକଙ୍କୁ ।
ଜଗତ ବାବୁଙ୍କ ମହାନ ବାର୍ତ୍ତାରେ ଅନୁପ୍ରେରିତ ହୋଇ କେତୋଟି ଯୁବକ ସଂଘ ତିଆରି ହୋଇଛନ୍ତି ।ଶିକ୍ଷିତ ବେକାର ପିଲାଏ କିଛି ଚାନ୍ଦା ସଂଗ୍ରହ କରି ସରକାରୀ ପଡିଆ ପଡିଥିବା ଜମିକୁ ଉପଯୋଗ କରି କୃଷି କାର୍ଯ୍ୟରେ ଲଗାଇ ପାରିଛନ୍ତି ।ନୂତନ ଜଙ୍ଗଲ ତିଆରି କରିଛନ୍ତି ।ସରକାରୀ ପ୍ରୋତ୍ସାହନ ଧୀରେ ଧୀରେ ପାଇ ,ପରିବେଶର ସୁରକ୍ଷା କରିବାର ପ୍ରୟାସ କରୁଛନ୍ତି ।କାରଣ ପରିବେଶ ହିଁ ଜୀବନ ବୋଲି ସେମାନେ ବୁଝିବା ଆରମ୍ଭ କରିଛନ୍ତି ।
ସିପ୍ରା ନାମତା ( ନମ୍ରତା )8249750168
ତୁଳସୀଚୌରା, ବାରିପଦା
ମୟୁରଭଞ୍ଜ