ପ୍ରେମିକା ନା ପ୍ରତାରଣା !
ପ୍ରେମିକା ନା ପ୍ରତାରଣା !


ବିଦ୍ୟାଳୟ ସ୍ତରୀୟ ତର୍କ ପ୍ରତିଯୋଗିତାରେ ରାଜ୍ୟ ସ୍ତରରେ ଖୁବ ନାଁ କରିଥିଲା ସୂଚନା l ଏଥିପାଇଁ ସେ ମଧ୍ୟ ଅନେକ ଅନୁଷ୍ଠାନ ଦ୍ୱାରା ବହୁବାର ସମ୍ମାନିତ ହେଇଚି l ସ୍ୱତନ୍ତ୍ରତା ଦିବସ ଉପଲକ୍ଷେ ସେ ଦେଇପାରେ ଦମଦାର ବକ୍ତବ୍ୟ, ଗାନ୍ଧୀ ଜୟନ୍ତୀ କିମ୍ବା ଶିଶୁ ଶ୍ରମିକ - ଏସବୁ ବିଷୟରେ ଖୁବ ବଳିଷ୍ଠ ତଥା ଅକାଟ୍ୟ ଯୁକ୍ତି ଉପସ୍ଥାପନରେ ମାହିର ସେ l ଏବେ କିନ୍ତୁ ସେ ଯେଉଁ ବିଷୟ ଉପରେ ତର୍କ କରିବାକୁ ଯାଉଚି, ସେଥିପାଇଁ ସେ ନିଜ ଭିତରେ ସାହସ ଜୁଟେଇ ପାରୁନି l
ସୂଚନା, ଟିକେ ସମୟ ମାଇକ ଆଗରେ ନୀରବ ରହିବା ପରେ ବିଚାରକ ମାନଙ୍କୁ ପ୍ରଣାମ ପୂର୍ବକ କହିଲା - ମୋର ତର୍କ ପୂର୍ବରୁ ମୁଁ ପ୍ରଥମେ ଆପଣମାନଙ୍କୁ କ୍ଷମା ମାଗିନେଉଚି l ବିଷୟ ଭିତ୍ତିକ ହେଲେ ମଧ୍ୟ, ଗୁରୁଜନଙ୍କ ଆଗରେ ଏମିତି କିଛି ଶବ୍ଦ ପ୍ରୟୋଗ କରିବା ଉଚିତ ନୁହଁ - ମାତ୍ର ମୁଁ କହିବାକୁ ବାଧ୍ୟ ହଉଚି, ତେଣୁ...ମୋତେ କ୍ଷମା କରିଦେବେ l
ଦିନ ଥିଲା ଦକ୍ଷିଣ ଭାରତ ଓ ଉତ୍ତର ଭାରତ ମଧ୍ୟରେ ଯୋଗାଯୋଗ କରିହେଉନଥିଲା l କିନ୍ତୁ ଆଜି ଦେଶ ଦେଶ ମଧ୍ୟରେ ସମ୍ପର୍କ ପାଇଁ ଦୂରତା ବାଧକ ନୁହେଁ l ସେମିତି ବିଦେଶରୁ ପବନ ଆସିବା ପାଇଁ ଅନେକ ବାଧା ରହିଚି, କିନ୍ତୁ - ସଂସ୍କୃତି, ବେଶଭୁଷା ଅବିଳମ୍ବେ ଅନାହୁତ ପ୍ରବେଶ କରୁଚି l ଯେମିତି ଆସିଚି " ଭାଲେଣ୍ଟାଇନ ଡେ " l କାଇଁ ଭାରତ ବର୍ଷରେ କ’ଣ " କେଦାରଗୌରୀ ", " ଲାଇଲା-ମଜନୁ " ଆଉ " ହୀର-ରାଁଝା " ଯୋଡିର ଅଭାବ ରହିଚି ? ଆହୁରି କେତେ କେତେ ଯେ ଉଦାହରଣ କାଳ ଗର୍ଭରେ ଲୀନ ହେଇଯାଉଚି ତାର ହିସାବ କାହା ପାଖରେ ନାଇଁ l
ପ୍ରେମିକା ତିଆରି ହେବାରେ ଖୁବ ଯତ୍ନବାନ ଏବେ ବିଦେଶୀ ସଂସ୍କୃତି l ଲୁଚି ଛପି ପ୍ରେମିକର ମୋଟର ସାଇକେଲ ପଛରେ ମୁହଁରେ ରୁମାଲ ବାନ୍ଧି ବୁଲିବା, ନିରୋଳା ସ୍ଥାନରେ ବସି ସମୟ କାଟିବା ପରେ ଲିଭିଂ ପାର୍ଟନର ନାଁରେ ଅବିବାହିତ ଅବସ୍ଥାରେ ଏକାଠି କିଛିଦିନ ଛଦ୍ମ ପରିଚୟରେ ରହିବା - ଖୁବ ଲାଜ ଲାଗେ ଏକଥା ଭାବିଲେ l
ଗୋଟିଏ ଭଲ ଝିଅ ହେଉ ବା ଭଉଣୀ, ସେ କେବେ ଏମିତି କିଛି କରିବା ଆଗରୁ ଅନେକ ଥର ତା’ ବଂଶ ମର୍ଯ୍ୟାଦା କଥା ଚିନ୍ତା କରେ l ମୁଁ ଗୋଟିଏ ଝିଅ ହୋଇ ଆଜି ଝିଅଙ୍କ ଦୋଷ ଗାନ କରୁଚି l ଆପଣମାନେ ହୁଏତ ମତେ କେମିତିକା ଝିଅଟିଏ ବୋଲି ଭାବୁଥିବେ !
କିନ୍ତୁ ମୁଁ ପ୍ରେମିକା ନୁହେଁ ପ୍ରେମିକାର ପରିଭାଷାକୁ ଘୃଣା କରେ l କାରଣ ପ୍ରେମିକାର ଅନ୍ୟନାମ ପ୍ରତାରଣା l ନା, ମୁଁ ପ୍ରେମିକା ହେବାକୁ ଚାହେଁନା l ମୁଁ ଚାହେଁ ଏକ ପ୍ରେମଶିକ୍ତ ଭାରତୀୟ ସମାଜ, ଏକ ଶାଳୀନ ରୀତିନୀତି ସମ୍ପର୍ଣ୍ଣ ସୁଖଦାୟୀ ସମାଜ ଓ ନିରୁତା ଶୁଦ୍ଧ ସମାଜ l