STORYMIRROR

Sudhir Kumar Mohapatra

Tragedy

4  

Sudhir Kumar Mohapatra

Tragedy

ମୁଁ ତମ ସ୍ତ୍ରୀ

ମୁଁ ତମ ସ୍ତ୍ରୀ

4 mins
670


ଆଜିର ଦିନରେ ସରକାରୀ ଚାକିରିଆ ଜୋଇଁଟିଏ ପାଇବା କ’ଣ ଏତେ ସହଜ କଥା କି ମା’ । ଦେଖ୍ ମା’ ଗୋଟିଏ ଝିଅ ସୁନ୍ଦରିଆ ସ୍ୱାମୀ ଖୋଜିଥାଏ ; ଏକଥା ସତ । କିନ୍ତୁ କହିଲୁ, ବିନୟ କ’ଣ ଏତେ ଅସୁନ୍ଦର ? ମୁଁ ତୋ’ ମାଆ , ତୋ’ ଶତ୍ରୁ ନୁହଁ କି ଭଗାରି ନୁହଁ ଯେ, ତୋ’ର ଅମଙ୍ଗଳ ପାଂଚିବି । ତୋ’ ପାଇଁ ଅସୁନ୍ଦରିଆ ବରଟିଏ ଖୋଜିଥିଲେ ଆମ ମନ କ’ଣ ମାନିଥାନ୍ତା କହିଲୁ ? 


ବାପା କହିଲେ, ଛିଃ ଝିଅ - ସେମିତି ଭାବିବା ଠିକ୍ ନୁହଁ । ତୁ ପରା ପାଠ ପଢିଚୁ । ଶିକ୍ଷିତା ହିସାବରେ ତତେ ତୋର କଥା କେମିତି ଲାଗୁଚି ମୁଁ ଜାଣିନି, ହେଲେ ସତ କହୁଚିରେ ମା’ ତୋର ଏ କଥା ମତେ ଆଦୌ ଭଲଲାଗୁନି । ଆଉ ଗୋଟେ କଥାରେ ମା’ ବର୍ତମାନ ପରିସ୍ଥିତିରେ ବେକାରଙ୍କ ସଂଖ୍ୟା ବଢିବାରେ ଲାଗିଚି । ଆଉ ଯଦି କେହି ପ୍ରସ୍ତାବ ଆଣି ଆସୁଚି ତେବେ ସେ ଦୂରରେ ଚାକିରି କରିଚି । ଯାହା ପାଟିରୁ ଶୁଣିବୁ ଖାଲି - ଏତିକି ପ୍ୟାକେଜ୍ରେ ରହୁଚି । ଆସନ୍ତା ବର୍ଷକୁ ଆହୁରି ଆଧିକ ପ୍ୟାକେଜ୍ରେ ଅନ୍ୟ କମ୍ପାନୀକୁ ଯିବାପାଇଁ ଇଂଟର୍ଭ୍ୟୁ ଦେଇଚି ; ଇତ୍ୟାଦି ଇତ୍ୟାଦି । ଶୁଣି ଶୁଣି କାନ ବଧିରା ହେଇଗଲା । ହେଲେ, ସରକାରୀ ଚାକିରିଆଟିଏ ପାଇବାକୁ ବେଶି ଆଶା ରଖି ଶେଷରେ ସଫଳ ହେଲି । ଭଲ ଘର, ଭଲ ବର ଦେଖି ତ ତତେ ଦେଇଚୁରେ ମା’ । ଏଥିରେ ତୁ ମନ ଊଣା କରିବା ଠିକ୍ ନୁହଁ । 


ମା’ ପୁଣି ଥରେ କହିଲେ ଦେଖ୍ ସୁନୀତା ! ହୁଏତ ତତେ ଏଇଥି ପାଇଁ ଭଲ ଲାଗୁ ନଥିବ ଯେ, ଢେଙ୍କାନାଳ ପରି ଏକ ସହରରୁ ତୁ ଯାଇଚୁ ମଫସଲକୁ । ସହରୀ ଅବହାୱା ଭିତରୁ ଯାଇ ମଫସଲରେ ଖାପଖୁଆଇ ଚଳିବାକୁ କିଛି ଦିନ ସମୟ ଲାଗିପାରେ । ମାତ୍ର ତୁ ଦେଖିବୁରେ ମା’ କିଛି ଦିନ କଟେଇଦେଲା ପରେ ତତେ ସେ ଯାଗା ଏତେ ଭଲ ଲାଗିବ ଯେ, ଶେଷରେ ତୁ ଏ ସହରକୁ ବି ଭୁଲିଯିବୁ ।

+   +   +   +   +   +   +   +   +   +

ସୁନୀତା ! ତମେ ମତେ ଛାଡପତ୍ର ଦେବାକୁ ସ୍ଥିର କରିଥିଲ । କାରଣ ମୁଁ ଅସୁନ୍ଦର । ମୋର ଚାକିରି ଏକ ପଲ୍ଲୀଯାଗାରେ । ତମେ ସହରରେ ବଢିଥିବା ଝିଅ । ତେଣୁ ମୋ’ ସହ ଖାପଖୁଆଇ ଚଳିବା ତୁମପାଇଁ କଷ୍ଟ ହେଲା । ସେଥିପାଇଁ ତ ମୁଁ ଏବେ ସହରରେ ଘରନେଇ ତମର ଖୁସି ପାଇଁ ରହିଲି । ଝିଅକୁ ଇଂଲିଶ୍ ମିଡିଅମ୍ ସ୍କୁଲ ରେ ପଢେଇବାକୁ ତମର ସ୍ୱପ୍ନକୁ ତ ମୁଁ ସମ୍ମାନ ଦେଲି । ହେଲେ ଏବେ ମୁଁ କ୍ୟାନ୍ସର୍ ରୋଗୀ । ଝିଅର ପାଠ ଅଧାରୁ ଛଡାଇ ଅଜାଘରକୁ ପଠେଇ ଦେବା ପରେ ତମେ ବି ଚାଲିଯାଇ ପାରିଥାନ୍ତ । ମୋର କଳା ରଙ୍ଗର ଚେହେରା ତମକୁ ଭଲ ଲାଗି ନ ଥିଲା ବୋଲି ଖୁବ୍ ଦୁଃଖ କରିଥିଲ , ବାପା-ମାଆଙ୍କ ପାଖରେ ଅଭିଯୋଗ କରିଥିଲ । ଏବେ ତ ତମେ ଦେଖିପାରୁଥିବ ସୁନୀତା - ମାଉଥ୍ କ୍ୟାନସର୍ ପେସେଂଟ୍ ମୁଁ । ମୋର ଏ କଳାରଙ୍ଗର ଚେହେରାଟା ବି ଆହୁରି କଦାକାର ହେଇଗଲାଣି । ତମକୁ କେତେଥର ଅନୁନୟ ବିନୟ ହୋଇ କହିଲି, ହେଲେ ତମେ ମୋ’ କଥା ମାନିଲନି । କୋଉଠି ଛାଡିଦେଲ ତମ ଯିଦ୍ଦି, ତମ ଅଝଟ ପଣିଆ ? ଏ ସୁନୀତା , ଏବେ ହଉଚି ତମପାଇଁ ସୁବର୍ଣ୍ଣସୁଯୋଗ । ଏଇ ବାହାନାରେ ତମେ ତମର ଉଜ୍ଜଳ ଭବିଷ୍ୟତ ପାଇଁ ମତେ ଛାଡି ଚାଲିଯାଅ, ପ୍ଳିଜ୍ ! 


ସୁନୀତାର ପାଟିରୁ ଉତ୍ତର କିଛି ବାହାରିଲାନି । ବିନୟର ପାଦତଳେ ପଡି କଇଁକଇଁ ହୋଇ କାନ୍ଦିଚାଲିଲା । କହିଲା, ତମକୁ ମୋ’ରାଣ । ତମେ ସେମିତି କହନି । ଗୋଟେ ଯୁବତୀ ମନର ଫୁଲାଫୁଲା ଖିଆଲରେ ହୁଏତ ମୁଁ ସେଦିନ ତୁମକୁ ପସନ୍ଦ କରିପାରି ନ

ଥିଲି । ମାତ୍ର ମନରେ ଦୁଃଖ ଥାଇ ତ ,ତମ ପାଖେ ରହିଲି । 

: ହଁ , ଛାଡପତ୍ର ଦେବାକୁ ପ୍ରସ୍ତୁତ ହେଉଥିଲ ସେଦିନ । 

; ସେ ଗଲା କଥାକୁ ମନେପକେଇ ଆଉ ମତେ କଷ୍ଟ ଦିଅନି ବିନୟ । ମୁଁ ଆଉ ଅଝଟ ହେବିନି । ମୁଁ ସତ କହୁଚି ତମେ ବହୁତ ସୁନ୍ଦର । ମୋ’ ହୃଦୟରେ ତୁମ ବିନା ଆଉ କାହାରିକୁ ସ୍ଥାନ ଦେଇ ପାରୁନି । ତୁମ ମନରେ ଦେଇଥିବା ଆଘାତ ପାଇଁ ମୁଁ ତୁମକୁ କ୍ଷମା ମାଗୁଚି , ତମ ପାଦ ଧରି ନେହୁରା ହଉଚି- ଆଉ , ସେକଥା କହି ମତେ କଷ୍ଟ ଦିଅନି । ମୁଁ ଯାହା କହିଚି , ତାହା ମୋ’ ମନର କଥା ନୁହଁ ବିନୟ ! ସେଦିନ ଦଶମଙ୍ଗଳାକୁ ଆମେ ଯେତେବେଳେ ଆମ ଘରକୁ ଯାଇଥିଲେ , ତମକୁ ଦେଖି ମୋ’ ମକର ତମର ନିନ୍ଦାକରି ମୋ’ ମନ ଭାଙ୍ଗିଦେଇଥିଲା । କାହିଁକି କେଜାଣି , ମୁଁ ତମକୁ ତାରି କଥାରେ ପରପୁରା ଭଳି ବ୍ୟବହାର କଲି । ଭାବିପାରିଲିନି ଯେ, ଯେତେହେଲେ ବି ତୁମେ ମୋ’ ସ୍ୱାମୀ । ଏବେ କେହି କହିପାରିବେନି ବିନୟ, ମୋ’ ସ୍ୱାମୀ ଅସୁନ୍ଦର ବୋଲି । ସତ କହୁଚି , ମୋ’ ମକର ଆଜି ଯଦି କିଛି ବି ପଦେ କହିବାକୁ ସାହସ କରେ , ଦେଖିବ ତାକୁ ଏମିତି ଶୁଣେଇବି ଯେ, ତା’ ଜୀବନରେ ସେ ଆଉ ମୋ’ ମୁହଁକୁ ଆସିପାରିବନି । 


ଦୀର୍ଘଶ୍ୱାସ ଛାଡି ଉପରକୁ ଚାହିଁ ବସିଲା ବିନୟ । ଟିକେ ହସିବାକୁ ଚେଷ୍ଟା କଲା । ହେଲେ, ପାରିଲାନି । ହସିବାବେଳେ ଗାଲର କ୍ଷତ ଉପରେ ବୋଧେ ଲୋଚା ଆସିବା ଯୋଗୁଁ ସେ ଖୁବ୍ ଯନ୍ତ୍ରଣା ଅନୁଭବ କରୁଥିଲା । ଧିରେ ଧିରେ ବିନୟର କଥା କହିବା ଶକ୍ତି ଶେଷ ହେଇ ଆସୁଥିଲା । ସୁନୀତା ବିନୟକୁ ଭଲପାଇବା ଆହୁରି ଦ୍ୱିଗୁଣିତ ହେଉଥିଲା । ବିନୟ କିନ୍ତୁ ଚାହୁଁଥିଲା , ସୁନୀତା ଏ ପରିସ୍ଥିତିରେ ମତେ ଛାଡି ଚାଲିଯାନ୍ତା କି ! ବିଚାରି ! କି ସୁଖ ପାଇବାକୁ ଆଉ ଜଗି ରହିଲା ଯେ ! 

ବିନୟର ହାତକୁ ହଲାଇ ମୁହଁ ତା’ ଆଡକୁ ବୁଲାଇବାକୁ ନିବେଦନ କଲା । ବିନୟ କିନ୍ତୁ ଭାରି ସଙ୍କୋଚ କରୁଥିଲା । ସୁନୀତା ଆଖିକୁ ତା’ର ଲୁହ ଛଳ ଛଳ କରି କହିଲା, ବୁଲ ବିନୟ । ମୁଁ ତୁମ କ୍ଷତକୁ ସଫା କରିଦିଏ । 

କ୍ଷତର ଆକାର ବଢୁଥିଲା । ସାଥିରେ ରୋଗ ବି ବଢୁଥିଲା ଖୁବ୍ ତୀବ୍ରଗତିରେ । ନିସ୍ତେଜ୍ ହେଇଯାଉଥିଲା ବିନୟର ଶରୀର । ଶୋକସନ୍ତପ୍ତ ପରିବାର ଖୁବ୍ ମର୍ମାହତ ହେଉଥିଲେ । ନିଶ୍ଚିତ ମୃତ୍ୟୁକୁ ଅତି ନିକଟରେ ଦେଖି ପାରୁଥିଲା ବିନୟ । କିନ୍ତୁ, ମଥାରେ ଆଉ ସିନ୍ଥିରେ ସିନ୍ଦୁର ମେଂଚାର ଆୟତନ ବଢେଇ ଚାଲିଥିଲା ସୁନୀତା । 


ଡାକ୍ତରଖାନା ବାରଣ୍ଡାରେ ବେଂଚ୍ ଉପରେ ବସି ବାହାରକୁ ଦେଖୁଥିଲା ସୁନୀଲ୍ । ତାର ଗେହ୍ଲା ଭଉଣୀ ସୁନୀତାର ପରିବର୍ତୀତ ମନଟା କେତେ ନିଜର କରିଚି ବିନୟକୁ ସେକଥା ଭାବି ଭାବି ସେ ଢାଳି ଦେଉଥିଲା ଲୁହ । ଡାକ୍ତରଖାନା ହତାରେ ଥିବା ଆମ୍ବଗଛଟା ଉପରେ ଖୁବ୍ ଶବ୍ଦ ଶୁଭିଲା । ପକ୍ଷୀମାନେ ଫଡ୍ଫାଡ୍ ହୋଇ ଉଡିବାକୁ ଲାଗିଲେ । କିଚିରି ମିଚିରି ଶବ୍ଦଟା ସାରା ଅଂଚଳକୁ ସ୍ତବ୍ଧ କରିଦେଉଥିଲା । ସମସ୍ତଙ୍କ ଆଖି ସେ ଗଛ ଆଡକୁ ଚାଲିଯାଉଥିଲା । କେହି ଜଣେ କହିଲା- ନା, ଆଉ ସେ ବଂଚିବନି । ଖୁବ୍ ଆଘାତ ଲାଗିଚି ତାକୁ । କ୍ଷତଟା ଏତେ ଗଭୀର ହେଇଚି ଯେ, ତାକୁ ଟୋପେ ପାଣି ପିଆଇଲେ କ’ଣ ସେ ଜୀବନ ଫେରିପାଇବ ?

ସୁନୀଲ୍କୁ ଖୁଜୁବୁଜୁ ଲାଗିଲା । ସେ ଦୌଡିଗଲା ବିନୟ ଶୋଇଥିବା ୱାଡ୍କୁ । ନିସ୍ତେଜ୍ ଭାବରେ ଶୋଇଯାଇଥିଲା ବିନୟ । ତା’ ପାଦଧରି ହୃଦୟ ବିଦାରିଲା ପରି ଉଚ୍ଚ ସ୍ୱରରେ କାନ୍ଦୁଥିଲା ସୁନୀତା । କାହାର ଗୋଟାଏ ସମବେଦନା ପୂର୍ଣ୍ଣ ପ୍ରଶ୍ନର ଉତ୍ତର ଦେଉ ଦେଉ ସନ୍ଦୀପ୍ କହିଲା, ହଁ ସେ କାନ୍ଦୁଥିବା ଝିଅଟି ହେଉଚି ମୃତକର ସ୍ତ୍ରୀ ।



Rate this content
Log in

Similar oriya story from Tragedy