Sudhir Kumar Mohapatra

Tragedy

3.5  

Sudhir Kumar Mohapatra

Tragedy

ବହି

ବହି

4 mins
370



 ବୋଉର ସ୍ୱାସ୍ଥ୍ୟ ଟିକେ ବିଗିଡି ଯିବା ପରଠୁ ଏବେ ସାନ୍ତନୁର ଅବସ୍ଥା ବି କିଛି ଭଲନାହିଁ କହିଲେ ଚଳେ । କାରଣ , ସେ ଆଉ ଆଜିକାଲି ଠିକ୍ ଭାବରେ କଲେଜ ଆସି ପାରୁଚି ନା ଘରେ ବି ପଢି ପାରୁଚି । ବାପା,ମାଆଙ୍କର ଗୋଟିଏ ବୋଲି ସନ୍ତାନ ସେ । ଆଗକୁ କି ପଛକୁ ଗୋଟେ ଦି’ଟା ଭାଇ -ଭଉଣୀ ଥିଲେ ହୁଏତ ସେ ଟିକେ ରକ୍ଷା ପାଇ ଯାଇଥାନ୍ତା । 

ବାପା , ଗଲା ଆଠ ମାସ ଧରି ପକ୍ଷାଘାତ ରୋଗରେ ଆକ୍ରାନ୍ତ ହେବା ପରଠୁ ବୋଉ ଖୁବ୍ ସମ୍ଭାଳି ନଉଥିଲା ତାଙ୍କୁ । ହେଲେ , ବିଚିତ୍ର ବିଚାର ଏ ଉପରବାଲାର । ରୋଗୀର ସେବା କରି କରି ଶେଷରେ ସେବିକା ଯେ ଅସାଧ୍ୟ ରୋଗର ଶିକାର ହେବ - ଏକଥା ଆଦୌ କଳ୍ପନା କରିପାରୁ ନଥିଲା ସାନ୍ତନୁ । ଘରର ଆର୍ଥିକ ଅବସ୍ଥା ଖରାପ ଜାଣି ସେ ଖୁବ୍ ଅଂଟା ଭିଡିଥିଲା ପାଠ ପଢିବାକୁ । ହେଲେ, ଶେଷରେ ପରାସ୍ତ ସୈନିକ ପରି ପଛଘୁଂଚା ଦବାରେ ସେ କୁଣ୍ଠା ପ୍ରକାଶ କଲା । ବାପା,ବୋଉଙ୍କୁ ସାମାନ୍ୟ କିଛି ଘର କାମରେ ସାହାଯ୍ୟ କରି ସେ ନିଜେ କେତୋଟି ପିଲାଙ୍କୁ ଟିଉସନ୍ ପଢାଇ ନିଜର ପଢା ଖର୍ଚ୍ଚ ତୁଲାଉଥିଲା । ଏମିତିକି ବାପାଙ୍କ ଔଷଧ ବାବଦକୁ କିଛି ତ , କିଛି ଘର ଚଳିବାକୁ ଆବଶ୍ୟକ ଜାଣି ସେ ଆହୁରି ଅଧିକ ସମୟ ଦେଲା ଟିଉସନ୍ କରିବାରେ । 

ସାନ୍ତନୁ , ଛାତ୍ର ଥାଇ ବି ତା’ ସମାନ ଶ୍ରେଣୀର ପିଲାଙ୍କୁ ପାଠ ପଢାଇ ପାରିବାର ଦକ୍ଷତା ଥିଲା । ତେଣୁ ଏମିତି ଏକ ମେଧାବୀ ଛାତ୍ରକୁ ନିଜର ପିଲାର ଟିଉସନ୍ ଶିକ୍ଷକ ରୂପେ ପାଇବାକୁ ଅନେକ ଅଭିଭାବକ ଚେଷ୍ଟା କରୁଥିଲେ ମଧ୍ୟ ସେ ପ୍ରାୟତଃ ମନା କରିଦେଉଥିଲା ଘରର; ପରିସ୍ଥିତି କଥା କହି । କିନ୍ତୁ, ତା’ର ନିଜର ପାଠପଢାରେ ବହୁତ ଅସୁବିଧା ହେଉଥିବା ଜାଣି ସୁଦ୍ଧା ସେ ସେ ରାସ୍ତାରୁ ହଟି ପାରୁ ନ ଥିଲା । କାରଣ , ସେ ଭଲଭାବରେ ଜାଣିଥିଲା ଯେ, ତା’ର ପରିବାରର ଭରଣ ପୋଷଣର ଏକମାତ୍ର ମାଧ୍ୟମ ହଉଚି ତା’ର ଟିଉସନ୍ରୁ ଉପାର୍ଜିତ କିଛି ଟଙ୍କା । ଯଦି ସେ ବନ୍ଦ୍ କରିଦିଏ ତେବେ ତା’ର ପରିବାର ଉଚ୍ଛନ୍ନ ହେଇଯିବ । 

ଛାତ୍ର ଅବସ୍ଥାରେ ସାନ୍ତନୁ କିଛି ଲେଖାଲେଖି କରୁଥିଲା । କେତେଟି ପତ୍ରପତ୍ରିକାରେ ତା’ର ଲେଖା ବାହାରିବା ଓ କିଛି ପ୍ରତିଯୋଗୀତାରେ ତା’ର ଲେଖା ନିର୍ବାଚିତ ହେବା ପରେ ତା’କୁ ବିଭିନ୍ନ ସାହିତ୍ୟିକ ମହଲରୁ ଅଜସ୍ର ଅଭିନନ୍ଦନ ଓ ପ୍ରଶଂସାପତ୍ର ଅଜାଡି ହେଇ ପଡିଚି । କିଛି ଆଗଧାଡିର ଲେଖକ ଖୁବ୍ ଉତ୍ସାହିତ କରିଛନ୍ତି ତା’କୁ । ହେଲେ, ଦାରିଦ୍ର‌୍ୟ ତା’କୁ ପିଛା ଛାଡି ନ ଥିବା ଯୋଗୁଁ ସେ ଯେ ଏ ଦିଗରେ ଯାଇ ପାରୁନି , ସେକଥା ସେ କାହାରିକୁ କହି ପାରୁ ନ ଥିଲା । କେତୋଟି ନାମିଦାମୀ ପତ୍ରିକାରେ ଏ ମାସରେ ତା’ର କିଛି ଅକୁହା କଥା ଆତ୍ମ ପ୍ରକାଶ କରିବା ପରେ ପାଠକ ମହଲରେ ଖୁବ୍ ହଇଚଇ ସୃଷ୍ଟି ହେଇଚି । ରାଜଧାନୀ ପୁସ୍ତକ ମେଳାରେ ସାନ୍ତନୁର ଲୋକପ୍ରିୟ ଗଳ୍ପଟି ପାଇଁ ବହୁତ ବହି ମଧ୍ୟ ବିକ୍ରୀ ହେଇଚି । ସାନ୍ତନୁ ରାଜଧାନୀ ପୁସ୍ତକମେଳା ଆୟୋଜକଙ୍କ ତରଫରୁ ସମ୍ମାନୀତ ହେବାର ଯୋଜନା ଥିଲେ ହେଁ ସେ ଯାଇପାରିନି ତାହା ସଂଗ୍ରହ କରିବାକୁ । କାରଣ , ଆଜି ତା’ ବାପାଙ୍କର ଦେହ ଖୁବ୍ ଖରାପ ।

ବାପାଙ୍କ ଅବସ୍ଥା ଗୁରୁତର ଜାଣି ସେ ଖୁବ୍ ମର୍ମାହତ । ସରକାରୀ ଡାକ୍ତରଖାନାରେ ଶଯ୍ୟାରେ ଶୋଇଥିବା ଅବସ୍ଥାରେ ମୁମୂର୍ଷୁ ଅବସ୍ଥାରେ ବାପା କହିଲେ, ସନ୍ତୁ ! ଗରିବ ବାପାର ସନ୍ତାନ ହେଲେ ଖୁବ୍ କଷ୍ଟ ସହିବାକୁ ହୁଏ ବାପା । ଏକା ସାଙ୍ଗରେ ଦୁଇଦୁଇଟା ମୂର୍ଦ୍ଦାରକୁ ତୁ କାନେ୍ଧଇ କେମିତି ଏ କଅଁଳ ବୟସରେ ସଂସାର ସମ୍ଭାଳି ଚାଲିଚୁ ମୁଁ ହତଚକିତ ହଉଚି । କିଛି ତ ଦେଇ ପାରିଲିନି ତତେ - ନା ଭଲ ଗଣ୍ଡେ ଖାଇବାକୁ , ନା ଭଲ ଖଣ୍ଡେ ପିନ୍ଧିବାକୁ । ସଂସାର ଜାକର ଜଂଜାଳ ମୁଂଡେଇ ମୁଂଡେଇ ତୁ ଥକିଗଲୁଣି ପୁଅ । ଆଉ କିଛି ଗୋଟାଏ କହିବାକୁ ଇଚ୍ଛା କରି ବି ପାରୁନି । 

ବାପାଙ୍କ ପାଦ ଧରି ବସି ପଡିଲା ସାନ୍ତନୁ । ଝର ଝର ହେଇ ଆଖିରୁ ତା’ର ଲୁହଧାର ଗଳି ଯାଉଥିଲା । ଆର ପାଖ ଶେଯରେ ଶୋଇ ବଲ ବଲ କରି ଦେଖୁଥିଲା ବୋଉ । ମଝିରେ ମଝିରେ ବାତଟା ମାରି ଦଉଥିଲା ଯେ, ସାରା ଶରୀର ଲୋଚା ହେଇ ଯାଉଥିଲା ତାଙ୍କର । ଡାକ୍ତର କହିଦେଲେଣି , ସେ ଆଉ ବେଶିଦିନ ନୁହେଁ । ଖାଲି ଆତ୍ମସନ୍ତୋଷ ପାଇଁ କେତେଦିନ ଏମିତି ମେଡିକାଲରେ ନର୍ସମାନଙ୍କ ହେପାଜତରେ ତାଙ୍କୁ ରଖିଦିଅ । ସେବା,ଶୁଶ୍ରୂଷାରେ ଯେତେଦିନ ଯାଏଁ ସେ ବଂଚି ରହିବେ ଯଥେଷ୍ଟ । 

ବୋଉର ପାଟିରୁ ଆଉ ପଦେ ବି କଥା ଶୁଣି ହେଉ ନଥିଲା । ଖାଲି ବଲ ବଲ କରି ଦେଖୁଥିଲା ସମସ୍ତଙ୍କୁ । ଆଖିଟା ପେଜୁଆ ଦିଶିବାକୁ ଲାଗିଲା । ବୋଉର ହାତକୁ ଧରି ସାନ୍ତନୁ ଖୁବ୍ ବିକଳ ହେଇ ଡାକୁଥିଲା । ବୋଉ , କହ ବୋଉ ତୁ କ’ଣ କହିବାକୁ ଚାହୁଁଚୁ , କହ । ବୋଉ ଶୁଣି ପାରୁଥିଲା ବୋଧେ । କିଛି ନ କହି ବହୁ କଷ୍ଟରେ ତା’ ହାତ ଉଠାଇ ସାନ୍ତନୁର ମୁହଁକୁ ଟିକେ ଆଉଁସି ଦେଲା । ଆଖି କୋଣରେ କିନ୍ତୁ ଢେଉ ଖେଳୁଥିଲା ମମତାର ଲୁହ । ତା’ପରେ ସବୁ ଶେଷ ।

ବୋଉ ଚାଲିଯିବା କଥା ବାପାଙ୍କୁ କହି ନଥିଲା ସାନ୍ତନୁ , କି ଅନ୍ୟକେହି ତାଙ୍କୁ କହି ନ ଥିଲେ କିଛି । ତାଙ୍କୁ ଡାକ୍ତରଖାନାରୁ ଘରକୁ ବି ଫେରାଇ ନିଆ ଯାଇ ନ ଥିଲା । ହେଲେ, ବୋଉର ଶେଯ ଖାଲି ଥିବା ଜାଣି ଥଙ୍ଗଥଙ୍ଗ ହୋଇ ପଚାରୁଥିଲେ ବାପା, ନୀଳିମା କାଇଁ ? ସାନ୍ତନୁ ବାପାଙ୍କୁ କିଛି ଜିନିଷ ଲୁଚେଇବାକୁ ଯାଇ କହିଲା, ବୋଉ ପାଖ ୱାଡ୍ରେ ଅଛି । ସେପାଖକୁ ନେଇ ଯିବାକୁ ଡାକ୍ତର କହିଲେ । ତମେ ବ୍ୟସ୍ତ ହୁଅନି । ବୋଉ ପାଖରେ ମୋ ସାଙ୍ଗ ହିମାଂଶୁ ଅଛି । ସେ ବୋଉର ଠିକ୍ ଦେଖାରଖା କରୁଛି । ତମେ ଟିକେ ଭଲ ହେଇଯ । ମୁଁ ତା’ ପାଖକୁ ବୁଲେଇ ନେବି । 

ବାପା କିନ୍ତୁ ବାରି ପାରୁଥିଲେ ସାନ୍ତନୁ କଥାରେ କେତେ କୋହ ଭରି ରହିଥିଲା । ସେ କହିଲେ, ବାବାରେ ! ଶେଷରେ ଏ ମଉଳା ଫୁଲ ଲାଗିିଥିବା ଗଛଟାରୁ ପାଚିଲା ପତ୍ର ବାଛି ଯତ୍ନ ନଉ ନଉ ମାଲ୍ୟାଣୀଟା ଝରିପଡିଲା ନା ? ଦେଖ୍ ବାବା ମୁଁ ସବୁ କିଛି ଜାଣିପାରୁଚି । ମୁଁ ଅନୁଭବ କରୁଚି ବହିର ମୁଖବନ୍ଧ ପୃଷ୍ଠା ଛିଡି ଯାଇଚି । କେତେବେଳେ ଶେଷ ପୃଷ୍ଠାକୁ ଉଇକାଟି ଗୁଣ୍ଡ କରିଦେବ - ତା’ରି ଅପେକ୍ଷାରେ ମୁଁ । 

ଜୀବନ ଯନ୍ତ୍ରଣାକୁ ଖୁବ୍ ଆପଣେଇ ନେଇ ବିଦିର୍ଣ୍ଣ ମୁଖବନ୍ଧକୁ ଦେଖି , ସହି ପାରି ନ ଥିଲେ ବାପା । ତେଣୁ ଅନ୍ତିମ ପୃଷ୍ଠାରୁ ପୁଣି ଥରେ ବହିର ଅୟମାରମ୍ଭ ହେଉ ଏ ସୂଚନା ଦେବାକୁ ଚାହିଁଥିବା ମୋର ସ୍ୱର୍ଗତ ପିତାଙ୍କ ବହିକୁ ଆଜି ମୁଁ ଆପଣମାନଙ୍କ ହାତରେ ଟେକିଦଉଚି । ନିଶ୍ଚୟ ପଢିବେ । ପଢି ମତାମତ ରଖିବେ ନିଶ୍ଚୟ , ଏଇ ଆଶା ରଖି ମୋର ବକ୍ତବ୍ୟ ଶେଷ କରୁଚି - ସାନ୍ତନୁର ଏଇ ଅଭିଭାଷଣ ପରେ ଉପସ୍ଥିତ ସାହିତ୍ୟିକ ତଥା ସଜ୍ଜନମଣ୍ଡଳୀ ଆତ୍ମବିଭୋର ହୋଇ ତାଳି ମାରୁଥିଲେ । 

ବହିର ପ୍ରଚ୍ଛଦ ପୃଷ୍ଠାରେ ବାପାଙ୍କ ଛବି ଓ ଉତ୍ସର୍ଗ ପୃଷ୍ଠାରେ ବୋଉର ଛବିକୁ ବାରମ୍ବାର ଦେଖୁଥିଲା ସାନ୍ତନୁ । 



Rate this content
Log in

Similar oriya story from Tragedy