STORYMIRROR

Sudhir Kumar Mohapatra

Tragedy Fantasy

3  

Sudhir Kumar Mohapatra

Tragedy Fantasy

କଲମ

କଲମ

5 mins
526



ସ୍ୱାତୀ.... ସ୍ୱାତୀ , ଡାକି ଡାକି ଗମ୍ଭୀରି ଘର ଭିତରୁ ବାଟଘରକୁ ଚାଲି ଆସିଲା କେଶବ । ବାଟ ଘରର ଚାରିଆଡ ଖୁବ୍ ଖୋଜା ଖୋଜି କରିବା ପରେ ସ୍ୱାତୀ ଉଦ୍ଦେଶ୍ୟରେ ପଚାରିଲା , ଆରେ ତମକୁ ମୋ ଡାକ ଶୁଭୁଚି କି ନାଇଁ । କଣ ଯେ ସେଇଠି କରୁଚ କେଜାଣି । ଆରେ ବାବା ମୋ କଥା ଟିକେ ଶୁଣିଦେଇ ଗଲେ ହନ୍ତାନି ? 

ତଥାପି ନିରୁତର ସ୍ୱାତୀ । ଅଗତ୍ୟା ସ୍ୱାତୀ ନିକଟକୁ ନିଜେ ଯାଇ କେଶବ କହିଲା, କିହୋ ! ଏତେ ଡାକିଲିଣି ହେଲେ , ଟିକେ ଶୁଣିଦେଲେ କଣ ମହାଭାରତ ଅଶୁଦ୍ଧ ହେଇଯାଇଥାନ୍ତା ଯେ ? କେଶବ କଥାର ଉତ୍ତର ଦେବାକୁ ଯାଇ ସ୍ୱାତୀ କହିଲା, ହଁ ତ ସେଇକଥା । ମୁଁ ଯଦି ନ ଶୁଣି ପାରିଲି ତେବେ ତମେ କଣ ପାଖକୁ ଟିକିଏ ଆସିଥିଲେ କିଛି ଅସୁବିଧା ହେଇଯାଇଥାନ୍ତା , କହିଲ ? ହଁ, ବୁଢୀ ହେଇଗଲିଣି , ମୁଣ୍ଡର ଚୁଟି ବି ପାଚିଗଲାଣି । ସେଥିପାଇଁ ଆଉ ଶରଧା ଆସୁନି ପରା । ହେଲେ ହେଲା , ମାତ୍ର ଏ ଚୁଟିରେ କଳା ମାରିି - ଓଠଟାକୁ ଗୋଲାପି ପଚ ପଚ କରି ମୁଁ ତମ ଆଗରେ ଠିଆ ହେଇ ପାରିବିନି । କହି, ଫେଁ କିନା ହସିଦେଲା ସ୍ୱାତୀ । ମାତ୍ର ସ୍ୱାତୀର କଥା ଆଦୌ ଭଲ ଲାଗୁନଥିଲା କେଶବକୁ । ସେ ଆଉ ପଦେ ବି କିଛି ନ କହି ଚାଲିଗଲା ପୁଣିଥରେ ଗମ୍ଭୀରି ଘରକୁ । ଚାରିଆଡ ଆହୁରି ଖୋଜିଲା । ଖୋଜି ଖୋଜି ନୟାନ୍ତ ହେଇଗଲା ପଛକେ - ଆଉ ପଚାରିଲାନି ସ୍ୱାତୀ ତମେ ଏଠି ଥୁଆ ହେଇଥିବା କଲମଟିଏ ଦେଖିଚ କି ବୋଲି । 


ଭାରି ଅନ୍ୟମନସ୍କ ଜଣା ପଡୁଥିଲା କେଶବ । ସ୍ୱାତୀ ଖାଇବାକୁ ବାଢିଦେଇ କହିଲା, ହେଇଟି ଆଗ ଟିକେ ଏ ଗିନାରୁ ଖାଇକି କହିଲ, କେମିତି ହେଇଚି - ଆଇଟମ୍ ଟା । ନୂଆ ପ୍ରକାରର କିଛି ଗୋଟେ ଯୋଉଦିନ କରିଥିବ ସ୍ୱାତୀ, ସେଦିନ ସେ ଭାରି ଫୁଲେଇ ହବ ନିଜେ ନିଜେ । ବାରମ୍ବାର ପଚାରୁଥିବ କେଶବକୁ କେମିତି ହେଇଚି, କେମିତି ହେଇଚି ବୋଲିି । ହେଲେ, ପ୍ରାୟତଃ କେଶବ କିଛି ଉଁ ଚୁଁ କରେନି । କାହିଁକି କେଜାଣି, ସେକଥା ଜାଣି ହୁଏନି । ମାତ୍ର କେବେ ସେ କେଉଁ ଖାଦ୍ୟକୁ ଭଲ ହେଇଚି ବୋଲି କହେନି , କି ମନ୍ଦ ହେଇଚି ବୋଲି ଥାଳିରେ ଛାଡି ଦିଏନି । ଭଲ, ମନ୍ଦ ସବୁ ତା ପାଖରେ ସମାନ । ମିଠାକୁ ଆଦର କରେନି କି ପିତାକୁ ଥୁ ଥୁ କରେନି । ମାତ୍ର ସ୍ୱାତୀ ଖୁବ୍ ଅଭିମାନ କରେ ତା ଉପରେ । ସେ ମନେ ମନେ ଭାବେ , କେମିତି କା ଅଣ୍ଡିରା କେଜାଣି ଦିନକ ପେଇଁ କହିବେନି ଏଇଟା କି ସେଇଟା କରିକି ଦିଏ ବୋଲି ; ଆଉ ଯଦି ମୋ ମନରୁ କିଛି ଗୋଟେ କରିକି ଦେଇଥିବି ତେବେ କହିବେନି ଯେ ଭଲ ହେଇଚି କି ନାହିଁ ବୋଲି । 


କେଶବର ଗୋଟିଏ ନିଘା, ସେ କଲମଟା ଉପରେ । ଆଉ ସେ ଖୋଜା ଖୋଜି କରିପାରିବନି ଭାବିଲା । ବହୁତ ଖୋଜା ଖୋଜି କରି ତା ମୁଣ୍ଡ ବୁଲେଇ ଦେଲା । ମନେ ମନେ ଭାରି ବିରକ୍ତ ହଉଥାଏ । ଇଚ୍ଛା ହଉଥାଏ ଘରର ସବୁ କିଛି ବାଡେଇ ଭାଂଗିଦବାକୁ । ନିଜକୁ ନିଜେ ବହୁତ ସଂଯତ କଲା । ରାଗିବା ବଦଳରେ ହସି ହସି କହିଲା, ସତରେ ସ୍ୱାତୀ ତମେ କେତେ ସହନଶୀଳ । ବେଳେ ବେଳେ ମୁଁ କିଛି ଗୋଟେ ଭୁଲ୍ ଭାଲ୍ କରିଦେଲେ, ତମ ଉପରେ ଖୁବ୍ ରାଗିଯାଏ, ନୁହଁକି ? ତମେ କାହିଁକି ମୋ ଉପରେ ସେତେବେଳେ ରାଗନି , ସେକଥା ମୁଁ ଜାଣିପାରେନି । ଉଷୁନା ହାଣ୍ଡି ପରି ମୁହଁକୁ ଫଣ ଫଣ କରି ସ୍ୱାତୀ କହିଲା, ହଁ ତମେ ସିନା ଜାଣିପାରନି , ହେଲେ ତା ପରେ ପରେ ଭିତର ଘରେ ହାଣ୍ଡିଶାଳରେ କିଛି ଶବ୍ଦ ତମେ ଶୁଣିପାର କି ନାହିଁ ? କିଛି ନ ବୁଝିଲା ପରି ଅଭିନୟ କରି କେଶବ କହିଲା ମାନେ ! ସ୍ୱାତୀ କହିଲା, ସେ ମାନେ ଫାନେ କିଛି ନାଇଁ । ମାନେଟା ଭାରି ସିଧା ଆଉ ସାଧା । ଯୋଉ ଥାଳି ଗିନା ସବୁ ଭାଙ୍ଗେ, ସେଇଟା କ’ଣ ମୋ’ ଶାନ୍ତ ଅ

ବତାର ବୋଲି ଭାବୁଚ ? ଆରେ , ନାଇଁ ମ । ତମେ ଯୋଉ କ୍ରିୟା କର , ତା’ର ପ୍ରତିକ୍ରିୟା ମୁଁ ସାଙ୍ଗେ ସାଙ୍ଗେ ଲୁଚେଇ ଲୁଚେଇ କରିଥାଏ - ହେଲା ! 

ବିଚରା କେଶବ । ଆଉ କିଛି ଉତ୍ତର ଦେଇ ପାରିଲାନି । ଲୁଚେଇ ଲୁଚେଇ ମନେମନେ ନିଜ ଗାଲକୁ ନିଜେ ଢାଏ ଢାଏ କରି ସତେ ଯେମିତି ଚାପୁଡା ମାରି ଚାଲିଥିଲା । 

ସ୍ୱାତୀ ଚାଲିଗଲା ତା’ କାମରେ । କେଶବ କିଛି ଲେଖିବାକୁ ବସିଲା । ପାଖରେ କିନ୍ତୁ ସେ କଲମଟିକୁ ନ ପାଇ ଆଜି ତା’ ହାତରୁ ଗୋଟେ ବି ପଦ ବାହାରୁ ନ ଥିଲା । ଦେଖିଲା, ଅଦୂରରେ ତା’ କୁନି ପୁଅ ଲିପୁନ୍ ବସି ଖେଳୁଚି । ପାଖରେ କେତେ କେତେ ଖେଳଣା ଧରି ସେ ଖେଳୁଥିଲା । ହାତରେ ଗୋଟେ କଲମ ଧରି ଧାଇଁ ଆସିଲା କେଶବ ପାଖକୁ । କହିଲା, ବାବା ମୁଁ ଏଥିରେ ଲେଖିଚି । ଦେଖିବ ଆସ , କହି କେଶବର ହାତ ଧରି ଟାଣି ଟାଣି ନେଲା ଲିପୁନ୍ । 

ପାଖକୁ ଯାଇ କେଶବ ଦେଖିଲା ଲିପୁନ୍ ଖୁବ୍ ଲେଖିଚି । ହେଲେ ସେ ଲେଖିଥିଲା ସିମେଣ୍ଟ ଚଟାଣ ଉପରେ । କଲମର ନିବ୍ଟା ପୁରା ମୁଣ୍ଡା ହେଇଯାଇଥିଲା । କଲମର ଏ ଅବସ୍ଥା ଦେଖି ହଠାତ୍ ମୁଣ୍ଡକୁ ରାଗ ଚଢିଗଲା କେଶବର । ଆଉ କିଛି ଭାବିବା ଚିନ୍ତିବା ଆଗରୁ ଲିପୁନ୍ କୁ ଦି’ ଚାରିଟା ଲଗେଇଦେଲା । ଶେଷରେ ଆଉ କାନ୍ଦିପାରିଲାନି ଲିପୁନ୍ । ଧକେଇ ଧକେଇ ନ ଖାଇ ନ ପିଇ ଶୋଇପଡିଲା କେତେବେଳ ଯାଏଁ । 


ସାମାନ୍ୟ ଗୋଟାଏ କଲମ ପାଇଁ ମୋ’ ପିଲାକୁ ମାରିଲ ବୋଲି ଖୁବ୍ ଝଗଡା କରିଥିଲା ସ୍ୱାତୀ । ସ୍ୱାମୀ , ସ୍ତ୍ରୀଙ୍କ ମଧ୍ୟରେ ଲଙ୍କାକାଣ୍ଡ ଲାଗିଗଲା । ସ୍ୱାତୀ ଖୁବ୍ ବିରକ୍ତ ହୋଇ କହିଲା କହ - ତମର ଏ କଲମର ମୂଲ୍ୟ କେତେ , ମୁଁ ଦେଇଦେବି ତମକୁ । ମାତ୍ର ଏ ଛାର କଲମଟେ ପାଇଁ ତମେ ମୋ’ ପିଲାକୁ ମାରିମାରି ଗଇଁଆ କରିଦେଲ ?

କିଛି ସମୟର ବ୍ୟବଧାନ ପରେ , କେଶବ ରାଗକୁ ନିଜର ଆୟତ୍କୁ ଆଣି ମନେମନେ କହୁଥିଲା - ତମେ ଏ କଲମର ମୂଲ୍ୟ ଦେଇ ପାରିବନି ସ୍ୱାତୀ । ହୁଏତ ନିଷ୍ପାପ ପିଲାଟି, ଏ କଲମର ମୂଲ୍ୟ କ’ଣ ବା ବୁଝିଥିବ ଯେ ! ସେ ଖେଳଣା ଭାବି ଖେଳିଦେଲା । ତଳେ ଲେଖି ମୁଣ୍ଡା କରିଦେଲା ତା’ର ମୁନ । ହେଲେ, କଲମଟା ଭଲ ଥିଲେ ବା କ’ଣ ମୁଁ ସେଥିରେ ଧାଡିଏ ଲେଖିଥାନ୍ତି ନା କ’ଣ ? ସେମିତି କିଛି ନୁହେଁ । କିନ୍ତୁ , ସେ କଲମରେ ଯେ କେତେ ଭାବାବେଗ ରହିଚି ସେ କଥା ମୁଁ ଜାଣେ । ମୋ’ ଲେଖକ ଜୀବନର ପ୍ରଥମ ଓଁକାର ତୋଳିଥିଲା ଏ କଲମ । 


କେଶବ ଧାଇଁ ଯାଇ ଲିପୁନ୍ କୁ କୋଳକୁ ତୋଳି ଆଣିଲା । ଲିପୁନ୍ ଭୟରେ ଖସି ଚାଲି ଯିବାକୁ ଚେଷ୍ଟା କରୁଥିଲା । ହେଲେ, ଆହୁରି ଜୋର୍ରେ ଚାପି ଧରି କେଶବ କହିଲା, ନାଇଁ ରେ ଧନ ମୁଁ ଆଉ ତତେ ମାରିବିନି । ନେ ଏଇ କଲମ ନେ ଯା’ ଖେଳିବୁ ଯା’ । ଦୂରରୁ ଦେଖୁଥିଲା ସ୍ୱାତୀ । ମନେମନେ ଭାରି ଅଭିମାନ କରୁଥିଲା ଗାଳି ବି କରୁଥିଲା । କହୁଥିଲା , ହଁ ଦେଖୁନ । କେମିତିକା ବାପା ଏ ! ଗୋଟାଏ କଲମ ପାଇଁ ପିଲାଟାକୁ ମୋର ମାରି ମାରି ଲାଳଗରଳ ବୁହାଇ ଦେଲେ !


କେଶବ ଭାବୁଥିଲା - ଏ କଲମ ମୋ’ ମନରେ ଯେତେସବୁ ସ୍ୱପ୍ନ ଭରି ଦେଇଥିଲା , ଯେତେସବୁ ତାଜ୍ ଗଢି ଦେଇଥିଲା - ସେ ସବୁତ ଖୁବ୍ ଅତୀତ ହୋଇ ସାରିଲାଣି କେଉଁ ଦିନୁ । ଆଜି ମୋର ଯୋଉ ସୁନେଲି ବର୍ତ୍ତମାନ ଚାଲିଚି ତା’କୁ କାହିଁକି କଲମ କାଳିରେ କଳୁଷିତ କରିବି ? ବରଂ ସାଇତି ରଖିବା ଅପେକ୍ଷା ଭାଙ୍ଗିଯାଉ ସେ କଲମ, ଯେମିତି ମୋ’ ମନ ଭାଙ୍ଗି ଚାଲିଗଲା ବେଳେ ମଧୁମିତା ଆମର ସମ୍ପର୍କକୁ ପିଲାଖେଳ, ଧୂଳିଘର ଭାବି ହସି ହସି କହି ଚାଲିଯାଇଥିଲା- କେଶବ , ତୁମେ ତୁମ କଥା ଦେଖ । ମୋ’ ବାହାଘର ଠିକ୍ ହେଇସାରିଲାଣି । 


Rate this content
Log in

Similar oriya story from Tragedy