ଜୀବନ ସଂଘର୍ଷ
ଜୀବନ ସଂଘର୍ଷ


ଘରର ଦାଣ୍ଡ ଝରକା ପାଖରେ ଠିଆ ହୋଇ ଘଟଣାକୁ ଖୁବ୍ ନିକଟରୁ ପରଖିବାକୁ ଚେଷ୍ଟା କରୁଥିଲା ରିୟା l ଗାଁରେ କଙ୍ଗାରୁ କୋର୍ଟ ଚାଲିଚି l ଇତିହାସରେ ସେ ଡକ୍ଟରେଟ କରିଚି l କିନ୍ତୁ, କାଇଁ କୋଉ ଇତିହାସରେ ସେ ପଢିନି କଙ୍ଗାରୁ କୋର୍ଟର ସଂଜ୍ଞା l
ଗାଁ ର ସାମାଜିକ ବ୍ୟବସ୍ଥା ବିଷୟରେ ସେ କିଛି ଜାଣିନି l କାରଣ ପିଲାଦିନରୁ ସେ ବଢିଛି ସହରୀ ସଭ୍ୟତାରେ l ସୁଯୋଗ ପାଇନି ଗାଁ ଦାଣ୍ଡରେ ହସି ଖେଳି ଯୋଡ଼ିଦେବାକୁ ତା ଶୈଶବ, କୈଶୋର କି ଯୌବନର ଫର୍ଦ୍ଦ l ଏବେ କିନ୍ତୁ ସେ ଦେଖୁଚି ଗାଁ ର ପରିବେଶ ଶୁଭ୍ର ସତ କିନ୍ତୁ କାଳିମାର କଳଙ୍କ ଛିଟାରେ ପୁରା କଳୁଷିତ l
ଅନିମେଷ ସହିତ ସାକ୍ଷାତ ବେଳେ ସେ ତା ଠାରେ ଯାହା ଦେଖିଥିଲା ସେତିକି ତା ପାଇଁ ଯଥେଷ୍ଟ ଥିଲା l ଥରୁଟିଏ ଦେଖା ଆଉ କେଇ ପଦ କଥାବାର୍ତ୍ତା ପରେ ଦୁହେଁ ଜୀବନ ସାଥି ହେବାକୁ ସେଦିନ ନିଷ୍ପତ୍ତି ନେବା ଯେ ଏତେ ଭୟଙ୍କର ଦୁଃଖ ଦେବ ସେ ଜାଣି ନଥିଲା l ସେଦିନ ନିରୀହ ନିଃସହାୟ ହୋଇ ଅନିମେଷ ଠିଆହୋଇ ରହିବାକୁ ସହଜରେ ଗ୍ରହଣ କରିପାରୁ ନଥିଲା ରିୟା l ତା'ର ହୃତ୍ସ୍ପନ୍ଦନ ବଢ଼ିବାରେ ଲାଗିଥିଲା l ସେ ମନେପକୋଉଥିଲା ଏମିତି ସେ ମଧ୍ୟ ସେଦିନ ଠିଆ ହେଇଥିଲା ବଳି ପାଇଁ ସଜେଇ ଠିଆ ହେଇଥିବା ନିଷ୍ପାପ ଛେଳିଟିଏ ପରି, ଆଜି ଯେମିତି ଜୟନ୍ତୀ ଆଉ ଉମେଶ ଠିଆ ହୋଇଛନ୍ତି l
ଅନିମେଷର ଫଟୋକୁ ଦେଖି ରିୟା କହୁଥିଲା, " ସତରେ ଅନିମେଷ ! ତୁମ ବିନା ଏ ସଂଘର୍ଷର ମାନେ କିଛିନାଇଁ l" ଜାଣିଚ ଭଲପାଇବାର ଅନ୍ୟନାମ ସଂଘର୍ଷ ନିଶ୍ଚୟ l ଯା ପାଇଁ ମୁଁ ଏବେ ଆହୁରି ସଂଘର୍ଷରତ l ଏବେ ଜୟନ୍ତୀର ପାଳି l ବିଚାରୀ ! କୋମଳ ମନରେ ସାହିପାରୁନି ଏ ନିଷ୍ଠୁର ବ୍ୟବସ୍ଥାକୁ l ତୁମେ ସେପାରିରେ ଥାଇ ତାକୁ ଟିକେ ସାହସ ଦିଅ l ଆଖିରୁ ଲୁହ ପୋଛିଲା ରିୟା l
ବାପାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲା ରିୟା l ବୋଧ ଦେଇ ଧୈର୍ଯ୍ୟ ଧରିବାକୁ ଆଶ୍ୱାସନା ଦେଲା l
କିଏ ଜଣେ କହୁଥିଲା ଦୁହିଁଙ୍କୁ ନଡ଼ିଆ ଗଛରେ ବାନ୍ଧି ନିରଧୁମ ଛେଚ l ଶ ' ଗାଁର ମହତ ମାଟିରେ ମିଶେଇଦେଲା ଏ ଟୋକି l ଏ କଥା ଶୁଣୁ ଶୁଣୁ କେତେଟା ଲଫଙ୍ଗା ଟୋକା ଧାଇଁଗଲେ ଜୟନ୍ତୀ ପାଖକୁ l ଜଣେ ଫୁସୁ ଫୁସୁ ହେଇ ଅନ୍ୟ ଜଣକୁ କହୁଥିଲା, ସେଦିନ ପୋଖରୀ ତୋଠରେ ପଦେ କଣ କହିଦେଲି ବୋଲି ଟୋକି ସତୀ ଦେଖେଇ ହେଲା l ଆଜି ସୁଯୋଗ ମିଳିଚି ଯେତେବେଳେ, ତତେ ପାନେ ଦଉଚି ଥା ' l
ଟୋକାଟା ଏମିତି କିଛି ଚିନ୍ତା କରୁ କରୁ ରିୟା ସେଠାରେ ପହଂଚି ସେମାନଙ୍କୁ ବାରଣ କଲା l କେହି ଜଣେ କହିଲା, ଦଦେଇ ! ସେ ଅନିମେଷ ସେଦିନ ଏ ଅଛୁଆଁ ଟୋକିଟା କୁ ଆଣିଥିଲା ବୋଲି ମଧୁ ମିଶ୍ରେ ଏକଘରିକିଆ ହେଲେ l ନିଆଁ ପାଣି, ଧୋବା ଭଣ୍ଡାରୀ ସବୁ ବନ୍ଦ କରାଗଲା l ଆଜି ନଣନ୍ଦ ପାଇଁ ଓକିଲାତି କରୁଚି l
ରିୟା କହିଲା ଦଦେଇ ! ଗାଁ ଝିଅ ଯଦି କିଛି ଭୁଲ କଲା ତେବେ ତାକୁ ଆପଣ ଆକଟ କରିପାରିଥାନ୍ତେ l ଘରେ ଶାସନ କରିବା ବଦଳରେ ଗାଁ ଦାଣ୍ଡରେ ପିଲା ବଡ ସମସ୍ତଙ୍କ ଆଗରେ କଙ୍ଗାରୁ କୋର୍ଟ ନାଁ ରେ ଯାହା କରୁଛନ୍ତି କିଛି ଭଲ କରୁନାହାନ୍ତି l ଦୟାକରି ଟିକେ ସଦୟ ବିଚାର କରନ୍ତୁ l
ପାନ ଡବା ଭିତରୁ ପାନଖିଲିଟିଏ କାଢି ଚୋବେଇ କିଛି ଵିଚାରଣା କରିବାକୁ ଅଣ୍ଟା ଭିଡୁଥିବା ବେଳେ ନିତିଆ ଧଇଁ ସଇଁ ହେଇ କହିଲା ମାଳତୀ ଦେଈ, ନାଥ ଖରୁଡା ସାନ ପୁଅ ସନ୍ତିଆ ସାଙ୍ଗରେ କୁଆଡେ ପଳେଇଲା l ମା ସାଆନ୍ତାଣୀ କେତେ ଚେଷ୍ଟା କରି ମଧ୍ୟ ଅଟକେଇପାରିଲେନି l
ଉପରେ ପଡିଥିବା ଠେଙ୍ଗା ପାହାରକୁ ଆଉଁସି ଆଉଁସି ଦଦେଇ କହିଲେ, ଆରେ ପିଲେ ! ଆଜି ତମ କଙ୍ଗାରୁ କୋର୍ଟ ବନ୍ଦ l ଦଦେଇ ମନେମନେ ଖୋଜୁଥିଲେ ତାଙ୍କର ଝିଅ ମାଳତୀ ବୋଳିଥିବା କଳା ମୁହଁକୁ ଲୁଚେଇବାକୁ ଗୋଟେ କଙ୍ଗାରୁର ଥଳି l