STORYMIRROR

Sudhir Kumar Mohapatra

Others

3  

Sudhir Kumar Mohapatra

Others

ଆତ୍ମକାହାଣୀ- ଏକ ଦରଦୀ ଗଛର

ଆତ୍ମକାହାଣୀ- ଏକ ଦରଦୀ ଗଛର

5 mins
442



ସୂର୍ଯ୍ୟ ଅସ୍ତ ହେବାକୁ ଯାଉଥିଲେ । ଘରବାହୁଡା ପକ୍ଷୀଗୁଡାକ ସବୁଦିନ ପରି ଆଜି ମଧ୍ୟ ଗଛ ଉପରେ ଖୁବ୍ କିଚିରି ମିଚିରି ହଉଥିଲେ । ଦିନସାରା ଘରୁ ଦୂରକୁ ଯାଇଥିବା ମା ତା ଥଂଟରେ ବୋହି ଆଣିଥିବା ଚିମୁଟାଏ ସ୍ନେହର ଆହାର ଖାଇବାକୁ ଆଁ କରି ଦଉଥିଲେ କୁନିକୁନି ଛୁଆମାନେ । ମା ଥଂଟରୁ ବଳେଇ ଦଉଥିବା କିଛି ଖାଦ୍ୟକୁ କୁନିର ଥଂଟ ଭିତରେ ଗଳେଇ ଦେବାବେଳେ ହୁଏତ ବାହାରକୁ ଚାଲି ଯାଉଥିବା କିଛି ଖାଦ୍ୟ ଖସି ପଡୁଥିଲା ଗଛ ତଳକୁ । ସେ ଖାଦ୍ୟକୁ ମାଳ ମାଳ ହୋଇ ଜନ୍ଦା,ପିମ୍ପୁଡି ବେଢି ଯାଉଥିଲେ ସେସବୁ ଦେହରେ ।

ସବୁ ଦେଖୁଥିଲା ଗଛ । ତା ଉପରେ ଘଟୁଥିବା ଘଟଣାକୁ ,ଆଉ ତା ତଳର ଘଟଣାକୁ ବି । ଆଉ କିଛି ସମୟ ପରେ ମାଛି ଅନ୍ଧାର ମାଡିଗଲେ ସାରା ବଣ ଇଲାକାରେ ଖୁବ୍ ରାଉ ରାଉ ହେବେ ରାତ୍ରିଚରମାନେ । ବଣଭୁଆ ବି ମାଡି ଆସିବ ଲୁଚେଇ ଚୋରେଇ ଗୋଟିଏ ଦୁଇଟି ପକ୍ଷୀ ଛୁଆଙ୍କୁ ବୋହିନେବାକୁ । ବିଲୁଆମାନେ ମଧ୍ୟ ଗଛ ତଳେ ଆଶା କରି ରହିବେ କାଳେ ମାଆ ପାଖରେ ଢୁଳେଇ ପଡୁଥିବା ଛୁଆଟିଏ କଡ ଲେଉଟଉ ଲେଉଟଉ କେତେବେଳେ ଖସିପଡିବ , ଛୁଆ ବିଲୁଆ ପାଇଁ । ଏମିତି ଚାଲିଥିଲା ସବୁଦିନ ପରି ଦିନ ଶେଷ ଆଉ ରାତି ଅଧିଆ କେତେକଣ କାମ । ତଥାପି ନୀରବରେ ଦେଖୁଥିଲା ଗଛ । ଭାବୁଥିଲା ଅନ୍ୟମାନଙ୍କ ପରି ମୁଁ ଯଦି ଚଳନ୍ତି ଜୀବଟିଏ ହୋଇଥାନ୍ତି , ତେବେ କେଜାଣି କିଛି କରିପାରିଥାନ୍ତି ପରା ! 


ସକାଳ ହେବାକୁ ଆଉ ଅଳ୍ପ ସମୟ ବାକି ଥିଲା । ପୂର୍ବ ଆକାଶରେ ପାହାନ୍ତି ତାରା ତାର ଶେଷ ଆଲୋକ ବିଛେଇଦେବାକୁ ଚେଷ୍ଟା କରୁଥିଲା , ଦିନର ଆଗମନ ପଟୁଆର ଦେଖି । ଯେ ଯାହାର ବସାରେ ଭିଡି ମୋଡି ହେଇ ଅଳସ ଭାଂଗୁଥିଲେ ପକ୍ଷୀମାନେ । ପିଲାମାନେ ମଧ୍ୟ ମାଆ କୋଳର ଉଷୁମ୍ ଛାଡିବାକୁ ସଜ ହଉଥିଲେ, ହେଲେ ଆଖି ଖୋଲୁ ନ ଥିଲା ତାଙ୍କର । ମାଆମାନେ କିନ୍ତୁ ସିନ୍ଦୁରା ଫାଟିବା ଜାଣି ବସା ଛାଡି ଉଡି ଯାଉଥିଲେ ଅନିର୍ଦ୍ଦିଷ୍ଟ ଲକ୍ଷ୍ୟରେ । 


ସବୁକିଛି ଏମିତି , ନିତିଦିନ ସକାଳରୁ ରାତି,ଚାଲିଥିଲା ନିର୍ଦ୍ଦିଷ୍ଟ ଧାରାରେ । ସୂର୍ଯ୍ୟ ଉଦୟ ହେଇଥିଲେ , ଅସ୍ତବି ହଉଥିଲେ । ସଞ୍ଜ ହଉଥିଲା । ସଞ୍ଜ ହେବା ଆଗରୁ ପକ୍ଷୀମାନେ ବସାକୁ ଫେରୁଥିଲେ । ସବୁ ଦିନ ପରି ଛୁଆମାନଙ୍କୁ କିଛି ଦରବ ଆଣି ଦଉଥିଲେ ମା’ମାନେ । ଅନ୍ଧାର ବଢୁଥିଲା । ରାତ୍ରୀଚରମାନେ ତାଙ୍କର ଉପଦ୍ରବ ଆରମ୍ଭ କରିଦଉଥିଲେ । 


ସନିଆ , ଟାଙ୍ଗିଆ ଧରି କିନ୍ତୁ ଗଛ ମୂଳରୁ ଏମିତି ନିଇତି ଫେରୁଥିଲା । ଭାବୁଥିଲା , ମୋ’ ପେଟପାଇଁ ଚୋଟେ ମାରିଦେଲେ ଏ ଗଛଟା ମରିଯିବ । ଗଛ ମରିଗଲେ ଉପରେ ଆଉ ତଳେ କେତେକେତେ ଜୀବ ବି ଅକାଳରେ ମରିଯିବେ । ହେଲେ, ମୁଁ କାହିଁକି ଟାଙ୍ଗିଆଟା ଟେକିଦେଲା ପରେ ଚୋଟେ ପକେଇ ପାରୁନି - ସେ କଥା ଜାଣିପାରୁନି । ନିଜ ମନକୁ ନିଜେ ପ୍ରଶ୍ନ କରୁଥିଲା ସନିଆ । ତା’ ଅନ୍ତରାତ୍ମା ତାକୁ ସୂଚେଇ ଦଉଥିଲା , ତୁ କ’ଣ ଏତେ ଦୁର୍ବଳ ସନିଆ ? କାଇଁ ଆଗରୁ ତ ତୁ ଏମିତି କେତେକେତେ ଗଛଙ୍କୁ କାଟି ପଦା କରିସାରିଲୁଣି ଏ ଗାଆଁ ପାଖ ଜଙ୍ଗଲକୁ । ଆଜି କାହିଁକି ଏତେ ଗଛ ପ୍ରୀତି ତୋର ? ଏ ଗଛକୁ କାଟିଦେଲେ ତ ତୋର ପନ୍ଦର ଦିନର କାମ ମିଳିଯିବ , ଆଉ ବଜାରରେ କାଠ ବିକି ବୋହି ଆଣିବୁ କେତେ କେତେ ଟଙ୍କା । ଯା’ ଆଉ ଚିନ୍ତା କରୁଚୁ କ’ଣ , ଏ ସୁଯୋଗ ବାରମ୍ବାର ଆସେନି । ଜାଣିଚୁ , କାଲିକି କାଗଜକଳ ପାଇଁ କାଠ ଦରକାର ବୋଲି ଟ୍ରକ୍ ଆଉ ମେସିନ୍ ଆସିବ । ତୋର ଆଖିର ପଲକ ନ ପଡୁଣୁ ଦେଖିବୁ ଆକାଶକୁ ଛୁଉଁଥିବା ଗଛଟା କେମିତି ନିମିଷକ ମଧ୍ୟରେ ଭୂଇଁରେ ଢଳିପଡିବ । 


ସନିଆ ଭାରି ଭାଙ୍ଗିପଡୁଥିଲା ନିଜେ । ଗଛ ପାଖକୁ ଯାଇ କିଛି ପଚାରିବାକୁ ଲାଗିଲା । ଗଛ ତା’ ଡାଳ

ହଲେଇ କହିଲା, କିଛି ଆପତ୍ତି ନାହିଁ ମୋର । କି ଅଭିଯୋଗ ବା କରିବି ଯେ ! ମୁଁ କ’ଣ ମୋ ପାଇଁ ସନିଆ ଭାଇ ! ମୁଁ ବଂଚିଲେ କି ମରିଲେ ସବୁ ତୁମମାନଙ୍କ ପାଇଁ । ଏତିକି ଯେ, ଚୋଟେ ଟାଙ୍ଗିଆ ମାଡରେ ମୋ’ ଦେହରେ ସୃଷ୍ଟି ହେଉଥିବା କ୍ଷତର କଷ୍ଟ ମୁଁ ଯେତିକି ପାଏନି , କଷ୍ଟ ହୁଏ ମୋ’ ସହ ଭାଂଗିଯାଉଥିବା ଏ ନିରୀହ ପକ୍ଷୀମାନଙ୍କର ବସାସବୁ । କଷ୍ଟହୁଏ ତମେମାନେ ମୋ’ ବିନା ଯେମିତି ହଇରାଣ ନ ହୁଅ । 


ସନିଆ ରାତି ଆଉ ଶୋଇ ପାରିଲାନି । ତାକୁ ଲାଗିଲା , ସତେ ଯେମିତି ପବନର ସାଇଁ ସାଇଁ ତାଳରେ ସେ ଗଛର ଡାଳଗୁଡିକ ତା’ର ଘରର ତାଟି ଆଡେଇ ଭିତରକୁ ପଶିଯିବାକୁ ଚେଷ୍ଟା କରୁଛନ୍ତି । ତାକୁ ନେହୁରା ହେବାକୁ ଆଗେଇ ଆସିଛନ୍ତି । ବିଳିବିଳେଇ ଉଠିଲା ସନିଆ । ପଟି ଉପରେ ବସି ଆଖି ମନ୍ଥିଲା । କାନ୍ଥ କଣାରେ ବାହାରକୁ ଦେଖିଲା । ସକାଳ ହେଇ ଆସୁଚି । ପକ୍ଷୀମାନେ ସବୁଦିନ ପରି ଆଜି ମଧ୍ୟ ତାଙ୍କର କିଚିରି ମିଚିର ଶବ୍ଦ କରିବାର କଥା । କିନ୍ତୁ ଖୁବ୍ ନୀରବ ଶୁଣା ଯାଉଚି । କାଳିଅନ୍ଧାର ଲାଗିଥିଲା । ବାହାରେ ଚାରିଆଡେ କୁହୁଡି ମଧ୍ୟ ମାଡିଯାଇଥିଲା । ହାତରେ ଠେଙ୍ଗା ଧରି କାନ୍ଧରେ ଟାଙ୍ଗିଆଟାକୁ ପକାଇ ବାହାରକୁ ବାହାରି ଗଲା ସନିଆ । ଦେଖିଲା ଗାଢା କୁହୁଡି ଭିତରେ ଦୁଇଟା ଦିପିଦିପି ଆଲୁଅ ଜଳୁଥିବା ଦେଖାଯାଉଚି । ସନିଆର ଦେହ ଶୀତେଇ ଗଲା । ତାକୁ ଟିକେ ଟିକେ ଡର ଲାଗିଲା । ମନେପଡିଗଲା ତାର , ଗଲା ରାତି ପାହାନ୍ତିଆ ବେଳେ ତଳସାଇ ସୁକୁରି ମାଝୀର ମଝିଆଁ ବୋହୂଟା ନାକରେ ନିଆଁ ବଳିତା ଧରି ଘୂଷୁରିଚଣ୍ଡୀ ହେଇ ଘୁଅ ଚରୁଥିଲା । ବେନୁ ଗୁଣିଆ ତାକୁ ଦେଖିଦେଲା ବୋଲି କିଳିକିଳା ରଡି ଛାଡି ଲଙ୍ଗଳା ହେଇ ଦଉଡି ଗଲା ପୋଖରୀ ତୋଠକୁ , ତା’ ପାଲଟା ଲୁଗା ପିନ୍ଧିବ ବୋଲି । 

ସନିଆକୁ ଲାଗିଲା କାଳେ ସେଇ ଘୁଷୁରୀ ଚଣ୍ଡୀ ହେଇଥିବ ପରା । ସେ ଶୁଣିଥିଲା ତା’ ମାଆଠୁ । ଘୁଷୁରୀ ଚଣ୍ଡୀର ସାମନାରେ ପଡିଗଲେ ସେ କୁଆଡେ ସୁତା ପକେଇ ରକ୍ତ ଶୋଷି ନବ । ଗଛର କଥା ଖୁବ୍ ମନେପଡୁଥିଲା ତାର । ତେଣୁ ସେ ହାତରେ ଟାଙ୍ଗିଆଟା ଧରି ବଳ ସଂଚୟ କରି ମାଡି ଚାଲିଲା ସେ ଆଲୁଅ ଆଡକୁ । 


ଏ , ତମେମାନେ ସବୁ କିଏ ? ଶଳେ ରାତି ଅଧରେ ମେସିନି ଧରି ଗଛ କାଟୁଚ ? ଆରେ ହେ , ରାଧୁ- ମାଧ- ଶୁକୁରା । ଆସିଲରେ , ଦେଖି ଆସିଲ । ଠାଉକାମାନେ କେମିତି ରାତିରେ ଲୁଚି ଲୁଚି ଆମ ଗଛସବୁ କାଟି ନଉଛନ୍ତି । ଆରେ ଠେଙ୍ଗା, କୁରାଢି ଧରି ଆସରେ । ଏ ମହନା- ତୋ କାଣ୍ଡ,ତୀର ଧରି ଆଣେ । ଗୋଟେ ତୀରରେ ତୁ ପରା ହାତୀ ଢୁଳେଇ ଦଉଥିଲୁ । ଆ ଆଜି ବେଳ ଆସିଚି ରେ । ଏ ଖଂଟ,ଖଙ୍ଗାରମାନଙ୍କୁ ମାରି ଢୁଳେଇ ଦେ । 

ପଛରୁ ମୁଣ୍ଡ ଉପରକୁ କିଏ ଗୋଟାଏ ଶକ୍ତ ପ୍ରହାର କଲା । ସନିଆର ପାଟିରୁ ଆଉ ଡାକ ବାହାରିଲାନି । ସକାଳ ହେଇ ଆସୁଥିଲା । ଫାଙ୍କା ଫାଙ୍କା ଲାଗୁଥିଲା ସେ ସ୍ଥାନ । ଲୋକମାନେ ଉଠିଲା ବେଳକୁ ଛିଂଚାଡି ହୋଇ ପଡିଥିଲା ଗଛର କଟା ଡାଳସବୁ । ଆଉ ତା’ ସହ ଛଟପଟ ହଉଥିଲେ ପକ୍ଷୀଛୁଆ ମାନେ । ମାଆ ପକ୍ଷୀମାନେ ଛାତି ଫଟାଇ କାନ୍ଦୁଥିଲେ । ହେଲେ , ସେମାନଙ୍କ କାନ୍ଦ କାହା କାନରେ ପଶୁନଥିଲା । ସନିଆ ମାଟି କାମୁଡି ପଡି ରହିଥିଲା । ମୁଣ୍ଡରୁ ତା’ର ଧାରଧାର ହୋଇ ଝରି ଯାଉଥିଲା ରକ୍ତ । ତାକୁ କିଏ ଉଠାଇ ବଇଦ ପାଖକୁ ନେବାକୁ କହୁଥିଲା ବେଳେ , ସେ ଖନେଇ ଖନେଇ କହୁଥିଲା - ଆଉ ଟିକେ ସବୁର୍ କର୍ ପୁଅ । ମୁଣ୍ଡ ଚାଲିଗଲେ କ’ଣ ହେଲା । ଏ ଗଛର ଚେରଟା କହୁଥିବା ତା’ ଆତ୍ମକାହାଣୀ ଏବେ ବି ମୁଁ ଶୁଣିପାରୁଚି । ଯଦି ପାରୁଚ ଏ ମଲା ସନିଆବୁଢାଟାକୁ ଆଉ ଆଶା କରନି ରେ । 

ଏ ମୁଣ୍ଡ ନ ଥିବା ଗଛ ମୂଳରେ ଟୋପେ ପାଣି ଦିଅ , ହୁଏତ ସେ ବଞ୍ଚିଯିବ ! 



Rate this content
Log in