STORYMIRROR

SURENDRA NATH SAHU

Abstract

3  

SURENDRA NATH SAHU

Abstract

ପ୍ରେମ ଚିରସବୁଜ

ପ୍ରେମ ଚିରସବୁଜ

2 mins
462

ପ୍ରୌଢା ଜଣକ ପ୍ରତିଦିନ ଏଇବାଟେ ଯାଆନ୍ତି ଅଫିସକୁ। ଫେରନ୍ତି ମଧ୍ୟ ଏହି ବାଟେ। ରାଜପଥ ପାର କରିବାପାଇଁ ଆଗରେ ଗୋଟେ "ଜେବ୍ରାକ୍ରସିଂ"! ସକାଳ ୯ ବାଜିଲେ ସେ ଆସି ଠିଆ ହୁଅନ୍ତି "ଜେବ୍ରାକ୍ରସିଂ" ପାଖରେ। ପରେପରେ ପହଞ୍ଚନ୍ତି ଜଣେ ଦୃଷ୍ଟିହୀନ ପ୍ରୌଢ଼ବ୍ୟକ୍ତି।ମହିଳା ତାଙ୍କ ହାତଧରି ଜେବ୍ରାକ୍ରସିଂ ସେପାଖେ ଛାଡ଼ିଦିଅନ୍ତି। ସେଠୁ ଦୁହେଁ ନିଜନିଜ ରାସ୍ତାରେ ଚାଲିଯାଆନ୍ତି। ପୁଣି ଠିକ ଅଫିସଫେରନ୍ତା ସମୟ। ମହିଳାଆସି ଅପେକ୍ଷା କରନ୍ତି ଜେବ୍ରାକ୍ରସିଂ ପାଖରେ। ପଛେ ପଛେ ସେ ଦୃଷ୍ଟିହୀନ ବ୍ୟକ୍ତି ଆସନ୍ତି। ମହିଳା ତାଙ୍କ ହାତଧରି ଏପାଖକୁ ଆଣନ୍ତି। ଏଇଟା ସେ ଛକର ଗୋଟେ ନିତିଦିନିଆ ଦୃଶ୍ୟ।


ପ୍ରୌଢାଙ୍କ ନାଁ ଚାରୁଲତା। ପ୍ରୌଢ଼ ପ୍ରେମାନନ୍ଦ। ସେ ଜନ୍ମାନ୍ଧ ନୁହନ୍ତି, ଯୁବାବସ୍ଥାରେ ସ୍ବ-ଇଚ୍ଛାରେ ବରଣ କରିଛନ୍ତି ଅନ୍ଧତ୍ବ।

ଘଟଣା ଚାଳିଶି ବର୍ଷ ତଳର। ପ୍ରେମାନନ୍ଦ ସହରତଳି ବସ୍ତିର ଯୁବକ। ଚାରୁଲତା ତ୍ରିତଳ ପ୍ରାସାଦର କନ୍ୟା। ପ୍ରଚଣ୍ଡ ସୁନ୍ଦରୀ। ସେତେବେଳେ ବି ସିଏ ଏହି ରାସ୍ତାରେ ଯାଆନ୍ତି ଅଫିସକୁ।


ଦିନେ ଅକସ୍ମାତ ପ୍ରେମାନନ୍ଦଙ୍କ ଦୃଷ୍ଟିପଥାରୁଢ଼ ହେଲେ ଚାରୁଲତା। ପ୍ରଥମ ଦେଖାରେ ହିଁ ପ୍ରେମାନନ୍ଦ ଅନୁଭବ କଲେ ଛାତିତଳୁ ତାଙ୍କ ହୃଦୟଟି ଅପହୃତ ହେଇଯାଇଛି। ସେଠୁ ସେ ଚାରୁଲତାଙ୍କ ପଛରେ ପାଗଳ ଭଳି ଘୂରିବୁଲିଲେ। ତାଙ୍କ ସାନିଧ୍ୟ ଟିକିଏ ପାଇବା ପାଇଁ ଡହଳ-ବିକଳ ହେଲେ। କିନ୍ତୁ ଚାରୁଲତା ଥିଲେ ତାଙ୍କପାଇଁ ଅପହଞ୍ଚ ଆକାଶର ଜହ୍ନ। ପ୍ରେମାନନ୍ଦ ନିଜ ଆଖିର ଶୋଷ ଓ ମନର ଭୋକ ମେଣ୍ଟାଇବା ପାଇଁ ଜେବ୍ରାକ୍ରସିଂ ଛକରେ ଜଗିବସନ୍ତି।


ଦିନେ ପ୍ରେମାନନ୍ଦ ଆବିଷ୍କାର କଲେ ଗୋଟେ ନୂଆ ତଥ୍ୟ। ସେ ଦେଖିଲେ, ଚାରୁଲତା ବଡ଼ ଆଗ୍ରହରେ ଜଣେ ଅନ୍ଧର ହାତଧରି ଜେବ୍ରାକ୍ରସିଂ ପାର କରାଇଦେଉଛନ୍ତି।

ବାସ୍! ତା ପରଦିନ ପ୍ରେମାନନ୍ଦ ନିଜକୁ ଅନ୍ଧବେଶରେ ସଜେଇ ପହଞ୍ଚିଗଲେ ଜେବ୍ରାକ୍ରସିଂ ନିକଟରେ। ସେଦିନ ସେ ପ୍ରେମିକାର ଅପୂର୍ବ ସାନିଧ୍ୟ ଅତି ନିକଟରୁ ପାଇ ଧନ୍ୟ ହୋଇଗଲେ। ତା ପରଦିନରୁ ରୀତିମତ ଚାଲିଲା ଅନ୍ଧ ସୁଆଙ୍ଗ। କିନ୍ତୁ ବେଶୀଦିନ ତିଷ୍ଠି ପାରିଲାନି। ଦିନେ ଚାରୁଲତା ପ୍ରେମାନନ୍ଦକୁ ରାସ୍ତାକଡ଼କୁ ଡାକିନେଲେ। ଆଖିରୁ କଳାଚଷମାଟା ଉତାରିଦେଇ ଗାଲରେ କଷିଦେଲେ ଗୋଟେ ଚଟକଣି। କହିଲେ, "ମୋ ହାତଧରି ବାଟ ଚାଲିବାର ଯଦି ଏତେ ସଉକ୍, ସତସତିକା ଅନ୍ଧଟେ ଭଲା ହେଇଥାନ୍ତକି! ଜୀବନ ତମାମ ମୁଁ ତମକୁ ଜେବ୍ରାକ୍ରସିଂ ପାର କରାଉଥାନ୍ତି।"

ବାସ୍! ସେଦିନର କଥା ସେତିକି। ପ୍ରେମାନନ୍ଦ ପ୍ରେମପାଇଁ ହସି ହସି ବରଣ କରିନେଲେ ଅନ୍ଧତ୍ବକୁ। ଚାରୁଲତା ବି ପ୍ରେମାନନ୍ଦ ଙ୍କ ପ୍ରେମକୁ ପ୍ରଣାମ ଜଣାଇ ବନିଗଲେ ତାଙ୍କ ପଥପ୍ରଦର୍ଶିକା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract