STORYMIRROR

Bharatabandhu Biswal

Tragedy Inspirational

3  

Bharatabandhu Biswal

Tragedy Inspirational

ପୋକା ବାଇଗଣ

ପୋକା ବାଇଗଣ

2 mins
178


ସକାଳ ନଅଟା ସମୟ । ଅଗଣାର କଅଁଳ ଖରା ପଡୁଥିବା ଏକ ଖୋଲା ଜାଗାରେ ବନ୍ଧୁ ଅଜୟଙ୍କ ସହିତ ବସି ମୁଁ ଚାହା ପିଉଥାଏ । ସକାଳୁ ଏକାଠି ଚାହା ପର୍ବ, ଖବରକାଗଜ ପଢା ଓ ଦେଶବିଦେଶ କଥା ଆଲୋଚନା ଆମର ନିତିଦିନିଆ ଅଭ୍ୟାସ । ହଠାତ୍ ଗଳିରାସ୍ତାରେ "ବାଇଗଣ ନେବ, ବାଡି ବାଇଗଣ" ବୋଲି ପାଟି ଶୁଭିଲା । ଆମ ଖୁବ୍ ନିକଟକୁ ଆସି ପ୍ରାପ୍ତ ବୟସ୍କ ଗାଉଁଲୀ ଲୋକଟି ବାଇଗଣ ନିଅନ୍ତୁ ବାବୁ ବୋଲି ଅନୁରୋଧ କଲା ।

 ମୁଁ ତାକୁ ଦରକାର ନାହିଁ କହି ଚାଲିଯିବାକୁ କହିଲି । ସେ ଅଜୟଙ୍କ ଆଡକୁ ବିକଳ ହୋଇ ଚାହିଁ କହିଲା-ବାବୁ ଆପଣ ଏଇ ଦୁଇକିଲୋ ହେବ ବାଇଗଣ ସବୁତକ ନେଇ ଯାଆନ୍ତୁ, ଦାମ ଷାଠିଏ ଟଙ୍କା ହେଉଛି, ଯାହା ଆପଣଙ୍କ ଖୁସି ଦିଅନ୍ତୁ । ଅଜୟ ପଚାରିଲେ କେତେ ନବୁ କହୁନୁ, ମୋ ଖୁସି କଥା କାହିଁକି ଯୋଡୁଛୁ । ହେଉ ତୋ ବ୍ୟାଗ ଖୋଲି ଆଗେ କେମିତି ବାଇଗଣ ଦେଖା । 

ଲୋକଟି ବ୍ୟାଗ ଭିତରୁ ବାଇଗଣ ସବୁ ବାହାର କଲା। ତାକୁ ଓଲଟପାଲଟ କରି ଅଜୟ ନିରିଖେଇ ଦେଖିଲେ ଓ କହିଲେ, ଆରେ ଅନେକ ଗୁଡାଏ ତ ପୋକା । ଆକୁ ଖାଲିଟାରେ କିଏ କିଣିବ?

ବିଚରା ଲୋକଟି କହିଲା - ବାବୁ ଅବେଳରେ ମେଘ ପବନ ହେବାରୁ ବାଇଗଣରେ ପୋକ ଲାଗିଗଲା । ହେଲେ କେବଳ ଖତ ସାର ଦେଇ ମୋ ନିଜ ବାଡିରେ ଏହି ବାଇଗଣ ଫଳାଇଛି । ଖୁବ୍ ସ୍ୱାଦ ଲାଗିବ ।

ତାଛଡା ମୁଁ ଟିକେ ତରବର ହେଉଛି, ଶୀଘ୍ର ଗଲେ ଜରୁଆ ପୁଅଟାକୁ ଡାକ୍ତରଖାନା ନେଇ ଯିବି । ବେଶୀ ବୁଲାବୁଲି କରିବାକୁ ବେଳ ନାହିଁ ।

ତା କଥା ଶୁଣି ଅଜୟ ପକେଟରେ ଷାଠିଏଟି ଟଙ୍କା ବାହାର କରି ଦେଲେ ଓ ବାଇଗଣତକ ରଖିଲେ । 

ମୁଁ ବୁଝିପାରୁଥିଲି, ଅଜୟ କେବଳ ଲୋକଟିକୁ ସାହାଯ୍ୟ କରିବା ପାଇଁ ଅନିଚ୍ଛା ସତ୍ତ୍ଵେ ବାଇଗଣ ସବୁ ରଖିନେଲେ । ଏପରିକି ମୋ ମନରେ ବି ଲୋକଟି କଥା ଶୁଣି ଦୟା ଆସିଗଲା । ମୁଁ ତାକୁ ପକେଟରୁ ପଚାଶ ଟଙ୍କା କାଢି ବଢେଇଲି, କହିଲି ନିଅ, ଏହା ବି ତୁମର କାମରେ ଆସିବ ।

ଲୋକଟି କିନ୍ତୁ ଟଙ୍କା ନେବାକୁ ମନା କଲା । ବିନମ୍ରତାର ସହିତ କହିଲା, ବାବୁ ଆପଣଙ୍କ ସଦିଚ୍ଛା ଟିକକ ପାଇଁ ଅଶେଷ ଧନ୍ୟବାଦ । କାହା ଠାରୁ ବିନା ମୂଲ୍ୟରେ ଭିକ୍ଷା ନେବା ଦ୍ୱାରା ସମସ୍ୟା ବଢେ ସିନା କମେ ନାହିଁ । ଆକାଶ କଇଁଆ ଚିଲିକା ମାଛକୁ ଭରସା କଲେ କଣ ପେଟ ପୂରିଯିବ ?

  ଜଣେ ସାଧାରଣ ଗାଉଁଲୀ ଚାଷୀର ଏପରି ଉଚ୍ଚ ନୈତିକ ଜୀବନବୋଧ ନିକଟରେ ଖବର କାଗଜର ବଡ଼ବଡ଼ ବିଜ୍ଞାପନ, ସମ୍ପାଦକୀୟ ଆଲୋଚନା,ଯୋଜନାସବୁର ବାସ୍ତବ ରୂପରେଖ କଥା ଭାବି ମୁଣ୍ଡ ଗୋଳମାଳ ହୋଇଯାଉଥିଲା । ପାହାଡରୁ ଝରିପଡୁଥିବା ନିର୍ଝରିଣୀର କୁଳୁକୁଳୁ ନିନାଦ ପରି ସେହି ଗାଉଁଲୀ ଲୋକଟିର ଅଙ୍ଗେ ନିଭା କେଇପଦ କଥା ମୋ କର୍ଣ୍ଣ ଗହ୍ୱରରେ ବାରମ୍ବାର ନିନାଦିତ ହୋଇ ଉଠୁଥିଲା ।

   -----



Rate this content
Log in

Similar oriya story from Tragedy