ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ଓଟ ଓ ବିଲୁଆ -୧

ଓଟ ଓ ବିଲୁଆ -୧

3 mins
7.1K


ଗୋଟିଏ ମରୁଭୂମିରେ ଗୋଟିଏ ଓଟ ରହୁଥିଲା । ସେ ବହୁତ ସରଳ ବିଶ୍ୱାସୀ ଥିଲା । ହଠାତ୍ ତା ଶରୀର ଓ ମନ ଧିରେ ଧିରେ ଖରାପ ହେବାକୁ ଲାଗିଲା । ଭାବିଲା ଏ ମରୁଭୂମିରେ ମୁଁ ବା ଆଉ କେତେଦିନ ରହିବି । କେତେ ଦିନ ବଂଚିବି । ଜୀବନରେ ନା ଭଲ କରି ଟିକେ ଖାଇ ପାରିଲି ନା ଏ ମରୁଭୂମି ଛଡା ମୁଁ ଅନ୍ୟତ୍ର କିଛି ବି ଦେଖିପାରିଲି । ଏକଥା ଭାବୁ ଭାବୁ ସେ ନିଶ୍ଚୟ କଲା କାଲି ସକାଳ ହେବା କ୍ଷଣି ସେ ମରୁଭୂମି ଛାଡି ଚାଲିଯିବ । ସକାଳ ହେଲା । ତାପରେ ସେ ଓଟ ମରୁଭୂମି ଛାଡି ବାହାରକୁ ବାହାରିଲା । କିଛି ଦିନ ଚାଲିବା ପରେ ସେ ଓଟ ଯାଇ ଏକ ଜଙ୍ଗଲରେ ପହଁଚିଲା । ଜଙ୍ଗଲରେ ପହଁଚିବା କ୍ଷଣି ସେ ଓଟକୁ ବିଭିନ୍ନ ପ୍ରକାର ଘାସ ପତ୍ର ଖାଇବାକୁ ମିଳିଲା । ଗଛରେ ଝୁଲୁଥିବା ମିଠା ମିଠା ଫଳ ଖାଇ ବହୁତ ଆନନ୍ଦ ପାଇଲା ସେ ଓଟ । ଏହିପରି କିଛି ଦିନ ବିତିଗଲା ।

ସେ ଜଙ୍ଗଲରେ ଗୋଟିଏ ବିଲୁଆ ରହୁଥାଏ । ସେ ବହୁତ ଚତୁର ଓ ଦୁଷ୍ଟ ଥିଲା । ସେ ଓଟକୁ ପଚାରିଲା – ହେ ମିତ୍ର, ତୁମେ କ’ଣ ଏଠାକୁ ନୂଆ ଆସିଛ । ତହୁଁ ସେ ଓଟ କହିଲା – ହଁ ମିତ୍ର । ମରୁଭୂମିରେ ରହି ରହି ମୁଁ ତ କିଛି ବି ଖାଇପାରିଲିନି । ତେଣୁ ଭାବିଲି ଟିକେ ବାହାର ଦୁନିଆ ଦେଖି ଆସେ । ଏକଥା ଶୁଣି ସେ ବିଲୁଆ କହିଲା – ବହୁତ ଭଲ କଲ, ଏଠାରେ ତୁମର କିଛି ବି ଅସୁବିଧା ହବନି । ଆମ୍ଭେ ଦୁହେଁ ସାଙ୍ଗ ହୋଇ ରହିବା, ସାଙ୍ଗ ହୋଇ ଖାଇବା, ସାଙ୍ଗ ହୋଇ ଯିବା । ତୁମେ ଆଜିଠାରୁ ମୋର ଜଣେ ପ୍ରକୃତ ଭଲ ମିତ୍ର ହେଲ । ଏକଥା ଶୁଣି ସେ ଓଟ ବି କହିଲା – ହଁ ବିଲୁଆ ଭାଇ, ମୁଁ ତୁମ ଭଳି ଜଣେ ମିତ୍ରକୁ ହିଁ ଖୋଜୁଥିଲି । ଏମିତି ହସି ଖେଳି ସେମାନେ ସମୟ କଟାଇଲେ ।

କିଛି ଦିନ ବିତିଗଲା । ଖରା ଦିନ ଆସିଲା । ପ୍ରବଳ ଗରମ ହେଲା । ବିଲୁଆ କହିଲା – ‘ଓଟ ଭାଇ, ଚାଲଯିବା ତରଭୁଜ ଖାଇବା । ଏଇ ଜଙ୍ଗଲ ପାଖକୁ ଲାଗି ଏକ ବିଲରେ ବହୁତ ତରଭୁଜ ହୋଇଛି । ସେଗୁଡିକ ସବୁ ବହୁତ ବଡ ବଡ ଓ ମିଠାରେ ଭରପୁର । ଏ କଥା ଶୁଣି ସେ ଓଟର ପାଟିରୁ ଖାଲି ଲାଳ ଗଡିଲା । ତେଣୁ ଓଟ କହିଲା – ଚାଲ ମିତ୍ର! ଆଜି ଅପରାହ୍ନରେ ହିଁ ଯିବା । ତାପରେ ବିଲୁଆ ଓ ସେ ଓଟ ଦୁହେଁ ଯାଇ ତରଭୁଜ ବିଲରେ ପହଁଚିଲେ ।

ବଡ ବଡ ତରଭୁଜ ଦେଖି ଓଟର ମନ ତ ବେଶ୍ ଖୁସି । କାହିଁକିନା ଏପରି ଫଳ ସେ ତ ଆଗରୁ କେବେବି ଦେଖି ନ ଥିଲା କି ଖାଇ ବି ନ ଥିଲା । ତେଣୁ ସେ ଓଟ ତା ପେଟ ଭରି ତରଭୁଜ ଖାଇଲା । ମାତ୍ର ବିଲୁଆର ତ ପେଟ ବହୁତ ଛୋଟ । ଛୋଟ ପେଟରେ ଅବା କେତେ ତରଭୁଜ ଖାଇବ ସେ ବିଲୁଆ । ତେଣୁ ସେ ବିଲୁଆର ପେଟ ଅତି ଶୀଘ୍ର ପୁରିଗଲା । ଏଣେ ସେ ବିଲୁଆର ପେଟ ପୁରିଯିବା କ୍ଷଣି ତା ଅଭ୍ୟାସ ଅନୁସାରେ ସେ ଭୁକିବାକୁ ଲାଗିଲା । ବିଲୁଆର ଏପରି ଭୁକିବା ଶବ୍ଦ ଶୁଣି ବିଲମାଲିକ ହଠାତ୍ ଜାଣିପାରିଲା ଯେ, ତା ତରଭୁଜ ବିଲରେ ବିଲୁଆ ପଶିଛି । ତେଣୁ ସେ ଗୋଟିଏ ଠେଙ୍ଗା ଧରି ତା ବିଲରେ ଯାଇ ହାଜର । ବିଲୁଆଟି ଯେମିତି ସେ ବିଲମାଲିକକୁ ଠେଙ୍ଗା ସହିତ ଆସୁଥିବାର ଦେଖିଛି ସେମିତି ସେ ଚୁପ୍ ଚୁପ୍ ଯାଇ ବୁଦା ଭିତରେ ଲୁଚିଗଲା । କିନ୍ତୁ ଓଟ ଏ ବିଷୟରେ ଆଦୌ କିଛି ବି ଜାଣିପାରିଲା ନାହିଁ । ବିଲମାଲିକ ତା ତରଭୁଜ ବିଲରେ ଓଟକୁ ଦେଖି ତା ହୋଶ୍ ପୁରା ଉଡିଗଲା । ତାପରେ ସେ ଠେଙ୍ଗାରେ ଓଟକୁ ପିଟିବାକୁ ଲାଗିଲା । ଓଟ ଦଶ ବାର ଥର ଠେଙ୍ଗା ମାଡ ଖାଇ ଦୌଡିବାକୁ ଲାଗିଲା । ତା ଗୋଡ ପିଠି ଠେଙ୍ଗା ମାଡ ଖାଇ ପୁରାପୁରି ଦରଜ ହୋଇଗଲା । ସେଥିଲାଗି ବିଚରା ଓଟ ବି ବହୁତ କଷ୍ଟ ପାଇଲା । ଏକଥା ସବୁ ଦେଖି ସେ ବିଲୁଆ କିନ୍ତୁ ବହୁତ ଖୁସି ହେଉଥାଏ ।


Rate this content
Log in

Similar oriya story from Children