STORYMIRROR

Sunanda Mohanty

Tragedy Others

4  

Sunanda Mohanty

Tragedy Others

ନଷ୍ଟ ଚନ୍ଦ୍ରରେ ସୂର୍ଯ୍ୟଙ୍କ ଛାଇ

ନଷ୍ଟ ଚନ୍ଦ୍ରରେ ସୂର୍ଯ୍ୟଙ୍କ ଛାଇ

3 mins
11

  ପିଲାଦିନେ ବୋଉ ଯେତେବେଳେ କାନ୍ଧରେ ପକେଇ ଆ ଜହ୍ନମାମୁଁ ଶରଗଶଶୀ ମୋ କାହ୍ନୁ ହାତରେ ପଡ଼ରେ ଖସି ଗୀତ ବୋଲୁଥାଏ ମିଲନର ଜହ୍ନମାମୁଁଙ୍କୁ ଛୁଇଁବାକୁ ଖୁବ ଇଛା ହୁଏ। ବଡ଼ ହେଲା ପରେ ଜହ୍ନକୁ ଛୁଇଁ ହୁଏ ନାହିଁ ଜାଣିବା ବୁଝିବା ବୟସରେ ବାପା କୁହନ୍ତି ପାଠ ପଢିଲେ ଜହ୍ନଙ୍କୁ କଣ ସୂର୍ଯ୍ୟ ତାରା ସମସ୍ତଙ୍କୁ ଛୁଇଁ ହେବ। ସେତେବେଳେ ବାପାଙ୍କ କଥା ଶୁଣି ତାକୁ ଲାଗୁଥିଲା ଘରର ମୁରବୀ ବାପାଙ୍କ ଗର୍ଜ୍ଜନ ସିନା ବାଘ ଭଳି ହେଲେ ଟିକେ ବି ମୂଲ୍ୟ ନାହିଁ। ସୂର୍ଯ୍ୟଙ୍କୁ କଣ କେହି ଛୁଇଁ ପାରିଲାଣି ନା ପାରିବ ! ବୋଉ କୁହେ ଆରେ ବୋକା ସୂର୍ଯ୍ୟଙ୍କୁ ଛୁଇଁବା ଅର୍ଥ ଟିକେ ବୁଝୁ। ସେତେବେଳେ କିନ୍ତୁ ମିଲନ ଭାବେ ବୋଉଟା ବାପାଙ୍କ ଦଳର। ବାପା ଯୁଆଡେ ବୋଉ ସିଆଡେ। ସେ ଭାବେ ପାଠ ପଢିଲେ ଯଦି ସୂର୍ଯ୍ୟଙ୍କୁ ଛୁଇଁ ହେଉଥାଆନ୍ତା ଏତେ ଗରମ ହୁଅନ୍ତାନି କି ବୋଉକୁ ବିଞ୍ଚଣା ବୁଲେଇବାକୁ ପଦନ୍ତାନି। ବାପାତ ଏତେ ପାଠ ପଢ଼ିଛନ୍ତି। ନିଜ ମାତୃଭାଷା ସହିତ ଆଉ କେତେ ଭାଷା ଆପଣେଇ ସରକାରୀ ଚାକିରୀ କରିଛନ୍ତି ଆଉ ଏସି ଟିଏ କିଣିପାରୁନାହାଁନ୍ତି କିନ୍ତୁ ପୁଅ ମିଲନ ପାଠ ପଢିଲେ ସୂର୍ଯ୍ୟଙ୍କୁ ଛୁଇଁ ପାରିବ କେମିତି ଯେ କହୁଛନ୍ତି ମୁଣ୍ଡ ଗୋଳମାଳିଆ ହୋଇଯାଏ ମିଲନର। ଆଜି ପାଠ ନପଢି ମଧ୍ୟ ସେ ମୁଠା ମୁଠା ପଇସା ଟଙ୍କା ପାଇ ସମାଜରେ ଖୁବ ମାନ ସମ୍ମାନ ପାଉଛି। ସୂର୍ଯ୍ୟଙ୍କ ପରି ତେଜ ତା ଭିତରେ ନିଜେ ଅନୁଭବ କରୁଛି। ସହରର ବଡ଼ ବ୍ୟବସାୟୀ ହିସାବରେ କେତେ ସରପଞ୍ଚ,ବିଧାୟକ, ମନ୍ତ୍ରୀ ତାକୁ ସମ୍ମାନ ଜଣାଉଛନ୍ତି। ଘରେ ଟଙ୍କା ଗଣି ଗଣି ହାଲିଆ ହେବାରୁ ବଡ଼ ବଡ଼ ସହରରେ ଦି ଚାରିଟା ଲେଖାଏଁ କୋଠା ତାର ଭଡା ଲାଗିଛି। ବାପା ବୋଉ ସିନା ଦେଖିବାକୁ ନାହାଁନ୍ତି ହେଲେ ସ୍ୱର୍ଗରେ ଥାଇ ନିଶ୍ଚୟ ବାପା ଭାବୁଥିବେ ଯେ ବାପସେ ବେଟା ଜ୍ୟାଦା, କାରଣ ସେ ହିନ୍ଦୀ ଇଂରାଜି, ତେଲୁଗୁ ଭାଷାର ଗଳ୍ପ ଉପନ୍ୟାସକୁ ଓଡ଼ିଆରେ ଅନୁବାଦ କରୁଥିଲେ।ପାଠ ଶାଠ ଜ୍ଞାନ ସବୁ ଥାଇ ସେ ଯାହା କରିପାରିନଥିଲେ ମିଲନ ସେସବୁ ପାଇଛି।

   ତଥାପି ସ୍ତ୍ରୀ ନିବେଦିତା ଏତେ ଅସନ୍ତୁଷ୍ଟ କାହିଁକି ତା ଉପରେ ସେ ବୁଝିପାରେନା। କଣ କରିନାହାଁନ୍ତି ସେ ନିବେଦିତାଙ୍କ ପାଇଁ ! ବାହାବେଦୀରୁ ଉଠେଇ ଆଣିଛନ୍ତି ବାହୁବଳରେ। ତାଙ୍କରି ଗାଁର ତାଙ୍କ ପସନ୍ଦର ସୁନ୍ଦରୀ ଶିକ୍ଷିତା ଗୁଣବତୀ ଝିଅ ଆଉ କାହାର ହେବ ଏକଥା ସେ ସହି ଥାଆନ୍ତେ କେମିତି ? କି ଗୋଟେ ଚାକିରୀ କରିଥିଲେ କୁଆଡେ ବାପା ମାଆ ଓ ଦିବ୍ୟାଙ୍ଗ ଭାଇର ସାହାୟତା କରିଥାନ୍ତେ ନିବେଦିତା। ସେଥିପାଇଁ ତ ମୁଠା ମୁଠା ଟଙ୍କା ଗଣିଦିଅନ୍ତି ସେ ତାଙ୍କ ବାପଘର ପାଇଁ। ଖାଲିକଣ ସେତିକି ଯୋଉ ଶାଢୀରେ ଯୋଉ ରଙ୍ଗର ବ୍ଲାଉଜ ଭଳି ସେହି ରଙ୍ଗର ହୀରା ହାର ଓ ତା ସାଙ୍ଗକୁ କାନ ଝୁମୁକା ହାତରେ ମୁଦି ଇତ୍ୟାଦି କଣ ନ ଖଞ୍ଜିଛନ୍ତି ସେ ! ତଥାପି ନିବେଦିତା ଅସନ୍ତୁଷ୍ଟ ସେ କାଳେ ସ୍ୱାମୀଙ୍କୁ ଟିକେ ଛୁଇଁ ପାରୁନାହାଁନ୍ତି। କି ଅମୂଳକ ଅଭିଯୋଗ ଇଏ। ଦୁଇ ଦୁଇଟା ଝିଅ ଓ ଦୁଇ ଦୁଇଟା ପୁଅ ତାଙ୍କ କୋଳରେ ଦେଇ ସେ ତ ପୁଣି ବ୍ୟବସାୟ ବାଣିଜ୍ୟ କଥା ବୁଝିଲେ ଲଷ୍ମୀଭଣ୍ଡାର ବଢିବ ନା ନାଇଁ ? ପୁଅ ଝିଅଙ୍କୁ ବାଟରେ ରଖିବା କଣ ତାଙ୍କ ଦାୟିତ୍ୱ କହିଲା ବେଳେ ସୁଉଁ ସୁଉଁ ହୁଅନ୍ତି ନିବେଦିତା। ପ୍ରଥମ ଝିଅ ନିଜ ପସନ୍ଦର ପୁଅକୁ ବିବାହ କରିଗଲା ତ ତାଙ୍କର ଦୋଷ ନା ଝିଅର ? ଯାଉ ସେ ଶୁଦ୍ଧି ହୋଇପଡିଲେ ଝିଅକୁ। ଶୁଦ୍ଧିଘରେ ଆଇଜି,ଡ଼ିଏସପି, ସ୍ଥାନୀୟ ବିଧାୟକ ଇତ୍ୟାଡି ବହୁ ବଡ଼ ବଡ଼ ନେତା ମନ୍ତ୍ରୀ ଉପସ୍ଥିତ ଥିଲେ। ଦ୍ୱିତୀୟ ଝିଅ ନିଜ କ୍ଳାସମେଟ ପୁଅକୁ ବିବାହ କରିବାକୁ ଜିଦ କରି ଆତ୍ମହତ୍ୟା କଲା। ଏଥିରେ ତାଙ୍କର ଦୋଷ କଣ ? ବରାବାଲା ପୁଅ ସହିତ ତାଙ୍କ ଝିଅକୁ ସେ ବାହା ଦେଇଥାନ୍ତେ କେମିତି। ଗଲା ଯାଉ। ନିବେଦିତା ବୁଝନ୍ତିନି। ମାଆ ମନ ତାଙ୍କର। ସେଥିରେ ଗୋଟେ ପୁଅ ଚରସ ବ୍ୟବସାୟ କରି ଗିରଫ ହୋଇ ଜେଲରେ ତ ଆଉ ଗୋଟେ ପୁଅ ଆଦିବାସୀ ଝିଅର ଇଜ୍ଜତ ନେଇ ଜେଲରେ। ସେମାନଙ୍କୁ ମୁକୁଳେଇବାକୁ ଅର୍ଥବଳ କି ବାହୁବଳର କମତି ନାହିଁ ମିଲନଙ୍କର କିନ୍ତୁ ତାଙ୍କ ପରି ଉଦିତ ସୂର୍ଯ୍ୟ ଦେହରେ କଳଙ୍କ ବୋଳିବାକୁ ସେ ଚାହୁଁନଥିବା ବେଳେ ସ୍ତ୍ରୀ ନିବେଦିତା ତାଙ୍କୁ ନଷ୍ଟ ସୂର୍ଯ୍ୟ ଆଖ୍ୟା ଦିଅନ୍ତି। ନିବେଦିତା ଆଉ ଅଳ୍ପ ଦିନର ଅତିଥି। ଲୁଣ ଖାଏ ହାଣ୍ଡି.. ଚିନ୍ତା ଖାଏ ଗଣ୍ଡି ପରି ତାଙ୍କ ଅବସ୍ଥା ସାଙ୍ଘାତିକ ତେଣୁ ତାଙ୍କୁ ସେ କିଛି କୁହନ୍ତି ନାହିଁ। ଟଙ୍କାର ଗଦି ଶେଜ ଉପରେ ଶୋଇ ଯିଏ ଶାନ୍ତି ପାଇବନି ତା ପାଇଁ ଆଉ କଣ କରାଯାଇ ପାରିବ। ସତକୁ ସତ ନିବେଦିତା ଚାଲିଗଲା ପରେ ମିଲନ ବୁଝିପାରିଲେ ଟଙ୍କା ଗଦିରେ ଶୋଇ ସୂର୍ଯ୍ୟଙ୍କୁ ଛୁଇଁ ହୁଏନା।

    ଏବେ ମୁଠା ମୁଠା ଟଙ୍କାସବୁକୁ ଛୁଇଁ ମିଲନଙ୍କୁ ସୁଖ, ଶାନ୍ତି, ପ୍ରୀତି, ମୈତ୍ରୀଓ ଜ୍ଞାନର ସୂର୍ଯ୍ୟ ବଦଳରେ ଶୁନ୍ୟତା ଆବୋରି ବସିଥିଲା। ପରିବାର କଣ, ବାପାଙ୍କ ଭୂମିକା କିପରି ହେବା କଥା ଏବେ ସେ ବୁଝିପାରି ବାପାଙ୍କୁ ଖୁବ ମନେପକାଉଥିଲେ। ବୋଉର ସେଇ ଆ ଜହ୍ନମାମୁଁ ଶରଗ ଶଶୀ.. ମୋ କାହ୍ନୁ ହାତରେ ପଡ଼ରେ ଖସି ଗୀତ ତାଙ୍କର ଖୁବ ମନେ ପଡୁଥିଲା। ସେ ଟଙ୍କା ପରି ସୂର୍ଯ୍ୟଙ୍କୁ ନିଜର କରି ଜୀବନର ଆଉ ସବୁ ସୂର୍ଯ୍ୟଙ୍କୁ ହରେଇ ପାଗଳ ହୋଇଯାଇଥିଲେ । ଶାନ୍ତି ଖୋଜି ଖୋଜି ଗାଁକୁ ଫେରିଥିଲେ । ଗାଁରେ ବାପାଙ୍କ ବହୁମୁଖୀ ଜ୍ଞାନର ଭଣ୍ଡାର ବହି ସବୁକୁ ନେଇ ଲାଇବ୍ରେରୀଟିଏ କରିବା ପରେ ସେସବୁକୁ ପଢୁଥିଲା। ଦୁଇ ପୁଅ ଜେଲରୁ ଖଲାସ ହୋଇ ଫେରିଥିଲେ। ଏବେ ଏବେ ମିଲନକୁ ଲାଗୁଥିଲା ସେ ସୂର୍ଯ୍ୟଙ୍କୁ ଛୁଇଁବେ ନିଶ୍ଚୟ। ବାପାଙ୍କ ଆତ୍ମାକୁ ଶାନ୍ତି, ଗତି, ମୁକ୍ତି ଦେବାକୁ ଅନ୍ତତଃ।



Rate this content
Log in

Similar oriya story from Tragedy