ନିସ୍ତବ୍ଧର ଅଦେଖା ଲୁହ
ନିସ୍ତବ୍ଧର ଅଦେଖା ଲୁହ
ଭାଙ୍ଗି ପଡିଥିଲା ଅନାମ. ତାକୁ ବୁଝିବାକୁ କେହି ନଥିଲେ. ସେ ପାପ କରୁ କି ପୁଣ୍ୟ, ରୋଜଗାର କରିବା ତାର ନିଶ୍ଚିନ୍ତି. ନିଜେ ବଞ୍ଚି ପାଞ୍ଚ ପ୍ରାଣୀଙ୍କୁ ବଞ୍ଚାଇବାକୁ ହେବ ତାକୁ ତ ସେ ସଂଘର୍ଷ କରୁ କରୁ ଚୋର ପାଲଟି ଗଲା. ଚୋର ଘର ସବୁଦିନ ଅନ୍ଧାର ନଥିଲା କି ଅନାମକୁ ମରା ମରା କହୁ କହୁ ରାମ ରାମ କହି ବାଲ୍ମୀକି ହେବାର ନଥିଲା. ସେ ଚୋରୀ କରୁଥିଲା ସତ ହେଲେ ଭୁଲ ମାଗୁଥିଲା ପ୍ରଭୁଙ୍କୁ. ସେ ଚୋରୀ କରୁଥିଲା ସତ ହେଲେ କୌଣସି ନାରୀ ବେକ କାନରୁ ଭିଡି ନେଇ କ୍ଷତାକ୍ତ କରୁନଥିଲା ତାକୁ. ଅନେକ ଥର ଭାବିଥିଲା ପୁଣି ଫେରିଯାଇ ରାଜମିସ୍ତ୍ରୀ ସହ ଶ୍ରମିକ ହେବ କିନ୍ତୁ ଦିନଜାକାର ଖଟଣୀ ଓ ପରିଶ୍ରମର ପ୍ରାପ୍ୟ କେଇଟାରୁ ଠିକାଦାର ବସି ବସି ଭାଗ ନେବ, ସହି ପାରିନଥିଲା ସେ. ସିଧା ମନା କରିଦେଇଥିଲା ଦେବାକୁ ତ ତା ଆରଦିନଠୁ କାମ ମିଳିଲାନି ତାକୁ ବରଂ ଗାଳି ଅପମାନ ଓ ଚୋର ଆଖ୍ୟା ମିଳିଲା. ଚୋରୀ ନକରି ହକ ଓ ନ୍ୟାର୍ଯ୍ୟ ଦାବୀ ପାଇଁ ଯଦି ସେ ଚୋର ହେଲା ତେବେ ପେଟ ପୋଷ ନାହିଁ ଦୋଷ ନ୍ୟାୟରେ ସେ ସତରେ ଯେବେ ଚୋର ହୋଇଗଲା କେବେ ଆଖିମୁଜି ଦୌଡୁଥିଲା ପୋଲିସ ହାବୁଡରୁ ରକ୍ଷା ପାଇବାକୁ ତ କେବେ ଛେଚା ଖାଉଥିଲା ନିର୍ଧୁମ. ଶରୀର ସାରା ବଥାକୁ ନା ନିଜ ପେଟ ଅବା ପିଠି ବୁଝୁଥିଲେ ନା ନିଜ ପରିବାରରେ ବାପା,ମାଆ,ସ୍ତ୍ରୀ,ଅବା ପୁତ୍ର! ।
ବାର୍ଦ୍ଧକ୍ୟରେ ପଡି ବାପା ମାଆ ଚାଲିଗଲେ. ଦାନା କାନା ଅଭାବରୁ ସ୍ତ୍ରୀ ମଧ୍ୟ ଛାଡ଼ି ଚାଲିଗଲା. ପୁଅକୁ କେମିତି ମଣିଷ କରିବ ପାଠ ପଢେଇବ ଭାବୁ ଭାବୁ ସେଦିନ ବ୍ୟାଙ୍କରୁ ବାହାରି ଆସୁଥିବା ଗୋଟେ ବୁଢା ବାବୁଙ୍କ ବ୍ୟାଗ ଛଡେଇ ଦୌଡ଼ିଲା. ଘରେ ଦେଖିଲା ପଚିଶ ହଜାର ଟଙ୍କା ସହ ଝିଅ ବାହାଘର ନିମନ୍ତ୍ରଣ ପତ୍ର ଗୁଡିଏ. ବୁଝିବାକୁ ବାକି ନଥିଲା ବୁଢାବାବୁର ଝିଅ ବାହାଘର ଟଙ୍କା ସେ କେମିତି ତାକୁ ହଜମ କରିବ. ଦୌଡ଼ିଲା ସନ୍ଧାନରେ. ବୁଲିଲା ଗଳି କନ୍ଦି. ଯେତେ ଯୋଉଠି ଝିଅ ବାହାଘର ମଣ୍ଡପ ଖୋଜି ବୁଲୁଥିଲା ବୁଢା ବାବୁଙ୍କ ଟଙ୍କା ଫେରାଇ ଦେବାକୁ. ଶେଷରେ ଜାଣିପାରିଲା ହେଲେ ବୁଢାବାବୁଙ୍କ ପ୍ରତି ସହାନୁଭୂତି ତା ପାଇଁ କାଳ ହେଲା. ଜେଲରେ ସଢୁ ଥିଲା ବେଳେ ପୁଅ କେମିତି ଥିବ ଭାବି ତା ପିତୃ ହୃଦୟ ହା ହା କାର କରୁଥିଲା ବେଳେ ବୁଢାବାବୁ ଜେଲରେ ଦେଖା ହୋଇ ତୋ ପୁଅ ମୋ ପାଖେ ଅଛି ତୁ ଜେଲରୁ ଫେରିଲେ ପୁଅକୁ ନେଇଯିବୁ କହିଥିଲେ. ଅନାମ ଦୀର୍ଘାନିଶ୍ୱାସ ଛାଡ଼ି ଭାବୁଥିଲା ତା ପାପ ଭାର ଭିତରେ କେତେ ପୁଣ୍ୟ.
ସେଦିନ ରାତିରେ ସେ ସ୍ବପ୍ନ ଦେଖିଲା. ନୀଳକାନ୍ତି, ନୀଳନୟନ, ନୀଳମଣି ତାକୁ କହୁଥିଲେ ଥରେ ମରା କହିବା ଆରମ୍ଭ କର ଅନାମ ଦେଖିବୁ ରାମ ହେଇଯିବୁ. ତୋ ଦୁଇ ବାହୁରେ ତାକତ ଅଛି, ହୃଦୟରେ ପୁଣ୍ୟ ଅଛି, ଛାତିରେ କଷ୍ଟ ସହିବାର ଅନୁଭବ ଅଛି. ତୁ ପାରିବୁ ଅନାମ, ନିଶ୍ଚୟ ପାରିବୁ କହି ସେହି ନୀଳପୁରୁଷ ଉଭାନ ହୋଇଗଲା ପରେ. ଅନାମ ସ୍ଥିର କଲା ଏଣିକି ସେ ପୁଣି ସେହି ଠିକାଦାର ପାଖକୁ ଫେରିଯିବ. ଭୁଲ ମାଗିବ, ଦରକାର ପଡିଲେ ତା ଗୋଡ଼ ଧରି କାମ ମାଗିବ. କାମରୁ ମିଳୁଥିବା ପଇସାରୁ ତାକୁ ଭାଗ ଦେଇ ଯାହା ବଳିବ ତା ପୁଅ ସହ ରୁଟି କିଣି ଖାଇବ. କିଛି ସଞ୍ଚୟ କରି ପୁଅକୁ ପାଠ ପଢେଇବ. କାଳ ରାତି ପାହିଗଲା. ଅନାମ ଖଲାସ ହେଲା କିନ୍ତୁ ନା ପୁଅ ଥିଲା ନା ସେ ବୁଢାବାବୁ ପରିବାର. ସେମାନେ ସବୁ ଯେମିତି ପବନରେ ମିଳେଇ ଯାଇଥିଲେ. କାହାକୁ ପଚାରିବ ସେମାନେ କୁଆଡେ ଗଲେ କାହିଁକି ଗଲେ ଆଉ ଯିବା ପୂର୍ବରୁ ତାକୁ ତା ପୁଅକୁ ଦେଇ ଯିବାକୁ ଭାବିଲେନି କେମିତି? କାନ୍ଦୁଥିଲା ଅନାମ ବୁକୁ ଫଟେଇ. ଲୁହ ପୋଛି ଯିଏ ତାକୁ ଉଠେଇଲା ସେ ଥିଲା ତା ସ୍ତ୍ରୀ. ସେ ପୁଣି ଫେରି ଆସିଥିଲା ଆଉ ତା କୋଳରେ ଥିଲା ଛୋଟ ପୁଅଟିଏ. ପୁଅ କାହାର ନବୁଝି ତିନି ପ୍ରାଣୀଙ୍କ ପେଟ ପାଇଁ ନାଟ କରିବାକୁ ଅନାମ ଅଣ୍ଟା ସଳଖିଲା ବେଳେ ଛୋଟ ପୁଅ ମୁନା ଡାକୁଥିଲା ବାପା, ତ ଅନାମ ଭୋ ଭୋ ହୋଇ କାନ୍ଦୁଥିଲା ମୁନାକୁ କୋଳକୁ ନେଇ.ନିସ୍ତବ୍ଧ ପରିବେଶର ବୁକୁ ଚିରି ଅନାମ ହୃଦୟର ଦୀର୍ଘାନିଶ୍ୱାସକୁ ମାପିବା ପାଇଁ ନୀଳମଣି ଥିଲେ କି ନଥିଲେ ବୁଝିବାକୁ ଅନାମ ଅସମର୍ଥ ଥିଲେ ମଧ୍ୟ ତା ପାଟିରୁ ଦୁଇଟି ଶବ୍ଦ ଉଚ୍ଚାରିତ ହୋଇଥିଲା ହେ ପ୍ରଭୁ. ଆଉ ଅନ୍ତର ଭିତରୁ ଶୁଭୁଥିଲା ମୋ ପୁଅ ଭଲରେ ଥାଉ.।
ସାରିଆ ଆଖିରେ ଅଶ୍ରୁର ଝରଣା.ସ୍ବାମୀ ପୁଅ ପାଖକୁ ଫେରିଆସିବା ପରେ ଖୋଜୁଥିଲା ଆତ୍ମା ପୁଅ ରାଜୁକୁ. କାହାକୁ ଅବା ଦୋଷ ଦେବ!ଖସିଗଲା ପାଦ ତଳକୁ ତଳକୁ. ଥରେ ମନ ଭାଙ୍ଗିଗଲେ ପୁଣି ଯୋଡି ହେବା କେତେ କଷ୍ଟ ସାରିଆ ବୁଝି ସାରିଥିଲା. ବାବୁଘର ମାନଙ୍କୁ ପାଇଟି କରିବାକୁ ଯାଇ ଖୋଜୁଥିଲା ରାଜୁର ଠିକଣା ଓ ପତ୍ତା କିନ୍ତୁ ସବୁ ବୃଥା. ଛୋଟ ପୁଅ ମୁନା ମୁଁହଙ୍କୁ ଚାହିଁ ସ୍ୱାମୀ ସ୍ତ୍ରୀ ଯେତେ ଅତୀତ ଭୁଲିବାକୁ ଚାହିଁଲେ ମଧ୍ୟ ଭୁଲିପାରୁନଥିଲେ. ଶେଷକୁ ଦିନେ ଜେଲର ବାବୁ ଆଣି ଚିଠି ଖଣ୍ଡେ ଦେଇଥିଲେ ସାରିଆକୁ. ଚିଠି ପଢିବାକୁ ସ୍ୱାମୀ ସ୍ତ୍ରୀ ଦୁହେଁ ଅକ୍ଷମ ଥିଲେ ତ ଠିକାଦାରକୁ ପଢ଼ାଇଥିଲେ ଚିଠି. ଠିକାଦାର କହିଥିଲେ କିଏ ଜଣେ ତୋ ପାଖକୁ ଲେଖିଛନ୍ତି ଯେ ତୋ ପୁଅ ଭଲରେ ଅଛି, ଭଲ ପାଠ ପଢୁଛି. ବ୍ୟସ୍ତ ହେବନାହିଁ. ଏତକ ଶୁଣି ସାରିଆ ଓ ଅନାମଙ୍କୁ ନିସ୍ତବ୍ଧ ପରିବେଶ ଲାଗିଥିଲା କୋଳାହାଳ ପୂର୍ଣ୍ଣ. ମନ ହୃଦୟ ନାଚି ଉଠିଥିଲା ତ ଠିକାଦାରକୁ ଘରକୁ ଖାଇବାକୁ ଡାକିଥିଲା ଅନାମ. ଅତିଥି ଦେବୋ ଭବ ପରି ସମ୍ମାନ ଓ ଭାବନାର ସୁଫଳ ପରିବର୍ତ୍ତେ କୁଫଳ ମିଳିଲା. ଯୋଉଦିନ ଅନାମ ଘରକୁ ଫେରିଲା ପରେ ଠିକାଦାର ସହ ସାରିଆକୁ ଅସଂଯତ ଅବସ୍ଥାରରେ ଦେଖିଲା. ପାଗଳ ହୋଇଗଲା ପରି ବିବେକ ଶୁନ୍ୟ ହୋଇ ହତ୍ୟା କଲା ଠିକାଦାରକୁ ଆଉ ପୁଣି ଫେରିଗଲା କାଳ କୋଠରୀକୁ. ଅଳ୍ପ ହେଉ ବହୁତ ହେଉ ନିଜ ଦୋଷରୁ ସଂସାର ବସିବାକୁ ଯାଉଥିବା ବେଳେ ପୁଣି ଭାଙ୍ଗିଗଲା. ଲଜ୍ୟା ଅପମାନରେ ସାରିଆ ଯାଉନଥିଲା ଜେଲରେ ଦେଖା କରିବାକୁ ଅନାମକୁ. ଅନାମ ନିଜ ସହରରେ ଦଶ ବର୍ଷ ରହିବା ପରେ ଅନ୍ୟ ସହରର ଅନ୍ୟ ଜେଲକୁ ଚାଲିଯାଇଥିଲା ଏ ଭିତରେ. ସେଠୁ କୋର୍ଟକୁ ପଠାଗଲା ତାକୁ. ସାକ୍ଷୀ ପ୍ରମାଣ ସହ ସେ ନିଜେ ମାନିଯାଇ ଥିଲା ସେ ହତ୍ୟାକାରୀ. ତାକୁ ଆଜୀବନ ଜେଲ ଦଣ୍ଡ ମିଳିବା ପୂର୍ବରୁ ଜେଲର ଆସି ଦେଖାକରି ପଚାରିଥିଲେ ରାଜକ୍ଷମା ଚାହୁଁଛ ନା ନାହିଁ ଜାଣିବାକୁ ତ ଜେଲରଙ୍କୁ ଦେଖି ଚମକି ପଡିଲା ଅନାମ. ଏ ଭିତରେ ତା ପୁଅ ଏତେ ବଡ଼ ହୋଇଗଲାଣି. ଜେଲର ରାଜେନ୍ଦ୍ର ବାବୁ ମଧ୍ୟ ଅତୀତ ଅନ୍ଧାରୀ ସ୍ମୃତିରୁ ମନେ ପକାଉଥିଲେ ଏହି ଅଭିଯୁକ୍ତଙ୍କୁ ସେ କୋଉଠି ଭେଟିଛନ୍ତି ଜୀବନରେ?
ସେଦିନ ରାତିରେ ନା ଅନାମ ଶୋଇପାରିଥିଲା ଖୁସିରେ ନା ତାର ଆଉ ଆଜୀବନ ଜେଲହେବା ବା ଫାଶୀହେବାକୁ ଡର ଥିଲା. ଯୋଉ ପୁଅକୁ ମାଆ ସାରିଆ ଛାଡ଼ି ଚାଲିଯିବା ପରେ କେତେ ଦୁଃଖ କଷ୍ଟକରି ସେ ବଡ଼ କରିଥିଲା, ସେହି ପୁଅକୁ ଆଜି ଜେଲର ସାହେବ ରୂପେ ଦେଖି ଅନାମର ପ୍ରଥମ କରି ସାରିଆ ମନେ ପଡୁଥିଲା. ବିଚାରି ତାକୁ ଓ ରାଜୁ ପୁଅକୁ ଛାଡ଼ି ଚାଲିଯିବା ପରେ ମୁନାର ମାଆ ହେଲା ସତ ହେଲେ ଯାହା ସଙ୍ଗେ ସୁଖ ପାଇବ ଭାବି ଚାଲି ଯାଇଥିଲା ତା ପାଖରୁ ତା ପୁଅ ମୁନା ସହ ଫେରିଆସିଥିଲା ନିର୍ଯ୍ୟାତିତ ହୋଇ ପୁଣି ତା ପାଖକୁ ନହେଲେ ବି ପୁଅ ରାଜୁପାଖକୁ. ସାରିଆ ଫେରି ଆସିବା ପରେ ଅନାମ ତାକୁ ସ୍ତ୍ରୀର ମର୍ଯ୍ୟଦା ଦେଇନଥିଲେ ବି ତା ହୃଦୟରେ ସାରିଆ ପାଇଁ ସ୍ୱତନ୍ତ୍ର ସ୍ଥାନ ଥିଲା ବୋଲିତ ସାରିଆ ଇଜ୍ଜତ ସହ ଖେଳୁଥିବା ଠିକାଦାରକୁ ସେ ହତ୍ୟା କରିଥିଲା. ଜୀବନ ସାରା ଅନ୍ୟ ପାଇଁ କିଛି କରିବାକୁ ଯାଇ ଖାଲି ପାପ ଭାର ମୁଣ୍ଡେଇଥିବା ଅନାମ ଆଜି ନିସ୍ତବ୍ଧ ରାତ୍ରୀରେ ଖାଲି ଡାକୁଥିଲା ହେ ପ୍ରଭୁ ନୀଳମଣି. ମରା ମରା କହୁ କହୁ ରାମ ରାମ କହିବାର ଶକ୍ତି ହାରି ସାରିଛି ପ୍ରଭୁ ମତେ ଥରେ କୋଳକୁ ନିଅ ପ୍ରଭୁ. ସବୁ ଦୁଃଖ ଭୁଲିଯିବି.।
ସେପଟେ ରାଜେନ୍ଦ୍ର ଜେଜେଙ୍କ ଡାଇରୀ ଖୋଜି ଖୋଜି ପାଇଯାଇଥିଲା ତା ଠିକଣା ଓ ଅନାମ ତାର ପିତା ତା ଘର ସୁଦୂର ଓଡିଶା ରାଜ୍ୟର ପୁରୀ ଜିଲ୍ଲାର ଏକ ଅକ୍ଷାତ ପଲ୍ଲୀ ହେଲେ ବି ତା ଗାଁ ଆଜି ବିଖ୍ୟାତ ତା ପାଇଁ. ସେ ଖୋଜିବ ତା ଗାଁକୁ ଖୋଜିବ ତା ମାଆକୁ. ପଚାରିବ ତାର କଣ ଭୁଲ ଥିଲା ବୋଲି ତାକୁ ଛାଡ଼ିଦେଇ ସେ ଯାଇପାରିଲା ପରପୁରୁଷ ସହ. କଣ ଥିଲା ତା ଅପରାଧ କଣ ଥିଲା ତା ବାପାଙ୍କ ଅପରାଧ? କାରଣ ଏ ଭିତରେ ଅନାମର କେଶ ଫାଇଲ ସେ ପଢି ସାରିଥିଲା ଓ ସବୁ ଜାଣି ସାରିଥିଲା.ରାଜକ୍ଷମା ପାଇଁ ଆବେଦନ ପତ୍ର ରେଡି ହୋଇସାରିଥିଲା. ମାଆ ଓ ଭାଇଙ୍କ ସନ୍ଧାନ ମଧ୍ୟ ମିଳିସାରିଥିଲା.ସମସ୍ତେ ସାଙ୍ଗ ହୋଇ ଜେଲକୁ ଆସି ଅନାମଙ୍କୁ ଦେଖା କରିବା ସହ ରାଜକ୍ଷମା ପାଇଁ ଆବେଦନ କରିବାକୁ କାଗଜପତ୍ର, ସାକ୍ଷୀ ପ୍ରମାଣ ସବୁ ଯୋଗାଡି ପହଞ୍ଚିଥିଲେ ଜେଲରେ. ଅନାମ ରହୁଥିବା ସେଲ ଆଡକୁ ଆଗେଇ ଯାଉଥିଲେ ଜାଜେନ୍ଦ୍ର. ଦୁଆର ଖୋଲା ଥିଲା ସେଲର. ବାପା ବାପା ଡାକି ଭିତରକୁ ପଶିଲେ ରାଜେନ୍ଦ୍ର. ଅନାମଙ୍କ ନିସ୍ତବ୍ଦ ଶରୀର ଲୋଟି ପଡିଥିଲା ତଳେ. ନିସ୍ତବ୍ଧ କୋଠରୀରେ ବାପା ଡାକ ଗୁଞ୍ଜରିତ ହେଉଥିଲା.କୟଦୀମାନେ କହୁଥିଲେ ହେ ରାମ ହେ ରାମ ଶବ୍ଦ ଛଡା ସେମାନେ କିଛି ଶୁଣି କି ଜାଣିନାହାଁନ୍ତି.।
