ନିଜସ୍ୱ ଅଭିବ୍ୟକ୍ତି
ନିଜସ୍ୱ ଅଭିବ୍ୟକ୍ତି
ଅମାବାସ୍ୟା ଅନ୍ଧାର ରାତିରେ, ଆକାଶରେ ଚାନ୍ଦ ନଥିଲା, ତଥାପି ଶ୍ରାବଣୀ ସେହି ଅନ୍ଧାର ଆକାଶରୁ କାହାକୁ ଖୋଜୁଥିଲେ କେଜାଣି ତାଙ୍କ ମନ ସ୍ମୃତି ଅଗଣାରେ ଅନେକ ସ୍ମୃତି ଉଙ୍କି ମାରୁଥିଲା. ଗୋଟିଏ ଗୋଟିଏ ସ୍ମୃତି ଗୋଟିଏ ଗୋଟିଏ ଗଳ୍ପ ପୃଷ୍ଠା ପରି ଲାଗୁଥିଲା ତାଙ୍କୁ ଆଜି. ସମାଜର ଦୌଡ଼ ଭିତରେ ତାଙ୍କୁ ଲାଗୁଥିଲା ସେ ଅଣନିଶ୍ୱାସୀ ହୋଇଯାଇଛନ୍ତି. ପିଲାଦିନ,ଯୌବନ,ମଧ୍ୟାର୍ଣ୍ଣ ପାର ହୋଇ ସେ ପାଦ ଥାପିଛନ୍ତି ଶେଷ ପାହାଚରେ. ପରିବାର, ସମାଜ, ବନ୍ଧୁବାନ୍ଧବ ସହଦୋର, ସମସ୍ତେ ଆଜି ବିଭିର୍ଣ୍ଣ ପ୍ରତିଯୋଗିତାରେ ଆଗକୁ ବଢୁଥିବା ବେଳେ ସେ ତାଙ୍କ ଜୀବନର ଅନ୍ଧାରକୁ ଆକାଶର ଅନ୍ଧାର ଭିତରେ ଦେଖିପାରୁଛନ୍ତି ସ୍ପଷ୍ଟ ଭାବେ.
ଅବସର ପରେ ଗୋଟେ ଅଲଗା ଦୁନିଆଁ ତିଆରି କରିବାକୁ ଯାଇ ପିଲାମାନଙ୍କୁ ସେ କହିଦେଇଥିଲେ ତୁମ ଦୁହିଁଙ୍କୁ ମୁଁ ଯେମିତି ବଢ଼େଇ କୁଢେଇ ବଡ଼ କଲି ତୁମେ ମଧ୍ୟ ତୁମମାନଙ୍କ ପିଲାମାନଙ୍କୁ ସେହିଭଳି, ତାଙ୍କ ପ୍ରତି କର୍ତ୍ତବ୍ୟ ଓ ଦାଇତ୍ୱ ନିଭେଇ ବଡ଼ କର, ମତେ ଟାଣ ନାହିଁ ସେ ଭିତରକୁ. ବାପା ମା ଗଲା ପରେ, ଦୁଇପଟର ବନ୍ଧୁ ବାନ୍ଧବ ପରିଜନମାନଙ୍କଠୁ ମଧ୍ୟ ସେମିତି କିଛି ଆଶା କରୁଥିଲେ ଶ୍ରାବଣୀ, ଟିକେ ଭଲପାଇବା. କିନ୍ତୁ ଭଲପାଇବା ପାଇବାକୁ ହେଲେ ସ୍ୱାମୀଙ୍କ ପାଇଁ ଥିଲା ଖାଲି କର୍ତ୍ତବ୍ୟ, ସେହି ପୁରୁଣା ଦିନରୁ ଏଯାଏଁ ଓ ଆହୁରି ଆଗକୁ ଆଗକୁ ଯେତେ ଦିନ ବଞ୍ଚିଥିବେ ଶ୍ରାବଣୀ. ପିଲାମାନଙ୍କ ପାଇଁ ମଧ୍ୟ ଯେତେ କରୁଥିବୁ, ସେମିତି ଯେମିତି କରିଆସୁଥିଲୁ. ପରିଜନଙ୍କ ପାଇଁ ମଧ୍ୟ ଠିକ ସେମିତି ଯେମିତି ଆଗରୁ ଭଲପାଇବା ଦେଇ ଆସୁଥିଲୁ. ଶ୍ରାବଣୀ ନିସ୍ତେଜ ହୋଇଯାଆନ୍ତି ଆଶାକରନ୍ତି କ୍ଷଣେ ହେଲେ ବସିଯାଆନ୍ତି, ଫୁଲର ସୁରଭି ମାପି, ଜହ୍ନର ଆଖିଠାର ଦେଖି, ଆକାଶରେ ଟୂଟା ତାରା ଗଣି , ଚଢେଇଠୁ କିଛି ଶିଖି ଖାଲି କବିତା ଲେଖନ୍ତେ କିନ୍ତୁ ନା ସେମିତି କଲେ ଭଲପାଇବା ମିଳିବନି ସ୍ୱାମୀଙ୍କ ଠୁ, ମମତା ଓ ଆଦର ମିଳିବନି ପିଲାଙ୍କ ଠୁ, ସମ୍ମାନ ଓ ନିବିଡ଼ତା ମଧ୍ୟ ମିଳିବନି, ଉଭୟ ପଟର ସଖା ସହୋଦରଙ୍କଠୁ. ଆଉ ଯୋଉମାନେ ରହିଲେ ବିଶ୍ୱାସ ଓ ଭରସା ବଦଳରେ ସ୍ୱାର୍ଥ ଓ ସର୍ତ୍ତ ଭିତରେ କୁହୁଳିବେ ଓ ପଚାରୁଥିବେ ଆଖିରେ,ମତେ କଣ ଦେଇଛୁ ତା ବଦଳରେ ମୁଁ ତତେ ଦେଇପାରେ ଟିକେ ଖୁସି ଟିକେ ଆନ୍ତରିକତା ବା ଟିକେ ଲୁହ ଓ ଟୋପେ ଅଶ୍ରୁ.
ଜହ୍ନ କିନ୍ତୁ ସେମିତି ନୁହେଁ. ଆକାଶ, ନଦୀ, ପର୍ବତ, ଝରଣା, ଫୁଲ, ମାଗେନା କିଛି ବରଂ ଦିଅନ୍ତି ବଞ୍ଚିବାର ମୋହ, ପ୍ରେରଣା, ଆକାଂକ୍ଷା ଓ ପରିପୂର୍ଣ୍ଣତା. ଯାହା ଖୋଜିଲେ ମିଳେନା ମଣିଷ ଠୁ ତାହା ମିଳିଯାଏ ସେମାନଙ୍କ ପାଖରୁ. ଏମିତିକି ଯାହା ମିଳେନା ପୂର୍ଣ୍ଣମୀ ଆକାଶର ଚନ୍ଦ୍ରମା ଠୁ, ତାହା ମିଳିଯାଏ ଅମାବାସ୍ୟାର ଲୁଚିଥିବା ଜହ୍ନ ଠୁ. ଯେମିତି ମରିଗଲା ପରେ ତା ଗୁଣ ସୁମରି ହୁଅନ୍ତି ପାଖ ପଡୋଶୀ, ବନ୍ଧୁ ପରିଜନ ତଥା ବୋଳାଉଥିବା ନିଜର ଲୋକ କିନ୍ତୁ ବଞ୍ଚିଥିବା ବେଳେ କେବଳ ଇର୍ଷା, ରାଗ, ଦ୍ୱେଷ, ଅଭିମାନ, ଅପମାନ, ଅସମ୍ମାନ ଓ ଅନାଦାର. ସେସବୁ ଉର୍ଦ୍ଧରେ ବଞ୍ଚିବାର ପ୍ରେରଣା ହୋଇ ଟୂଟା ତାରା ଗୋଟେ ଦିଟା ଖସିଯାଆନ୍ତି ଆକାଶରୁ ତ ଝିଟିପିଟି ବୋବେଇଲେ ସତ ସତ କହିବା ପରି ଶ୍ରାବାଣୀ ଭିତରେ ଭିତରେ ଉଜ୍ଜ୍ୱଳି ଉଠନ୍ତି ତାଙ୍କୁ ବଞ୍ଚି ଥିବା ପର୍ଯ୍ୟନ୍ତ ସାହାରା ଓ ଆଶରା ମଣିଷଙ୍କ ପରିବର୍ତ୍ତେ ଏଇ ନିର୍ଜୀଵ, ପାର୍ଥିବ, ସହିଷ୍ଣୁ ସମ୍ପର୍ଣ୍ଣ ପ୍ରତିଟି ପ୍ରାକୃତିକ ପଦାର୍ଥ ଦରକାର ବୋଲି ପ୍ରାର୍ଥନା କଲାବେଳେ ଟୁଟା ତାରା ଦେଖି ମନୋବଳ ବଢେ. କବିତା ଲେଖିବାକୁ ଖୋଜି ବସନ୍ତି ଶ୍ରାବଣୀ, ତା ମଧ୍ୟ କାଗଜ କଲମ ବିହୀନ ମନ ପରଦାରେ ଓ ହୃଦୟ ମୁକୁରରେ ଯାହା ସବୁ ଶାଶ୍ୱତ, ନିର୍ମଳ ଓ ଆଧ୍ୟାତ୍ମିକ. ଆଉ କଣ ଲୋଡ଼ା ଯେ !ତଥାପି ସଂକୁଚିତ ଏ ମନ ଓ ପରାଣ, କିନ୍ତୁ ନା ଆଉ ନୁହେଁ. ସେ ନିଜକୁ ସଜାଡୁ ଥିଲେ ଅନ୍ୟ ଏକ ନିର୍ଭର ପ୍ରତ୍ୟାଶାରେ. ଭଗବତ ବିଶ୍ୱାସରେ ନିଶ୍ୱାସ ନେଇ ହଜିଯିବାକୁ କବିତା ଭିତରେ, ଐଶ୍ଵର୍ଗିକ ମନୋଭାବନେଇ ପରିପୂର୍ଣ୍ଣତା ଆଡକୁ,ଭାବରେ ଭଗବାନଙ୍କ ସାନିଧ୍ୟ ଭିତରେ.
