ନୀଳ ଘୁଷୁରୀ ଗୋଲାପୀ ଘୁଷୁରୀ
ନୀଳ ଘୁଷୁରୀ ଗୋଲାପୀ ଘୁଷୁରୀ


ଆଖି ଝଲସି ଗଲା ମିନୁର I ଦ୍ଵିତୀୟ ଥର ଲାଗି ଆସିଛି ସିଏ ରଥ ଯାତ୍ରା ଦେଖିବାକୁ ପାଖ ସହରକୁ I ରଥ ଟଣା ସରିଲାଣି ଆଉ ଠାକୁରେ ପହଣ୍ଡି ସାରି ମାଉସୀମା ଘରକୁ ଗଳେଣି I ଯାତ୍ରା କୁଆଡେ ନଅ ଦିନ ଯାଏଁ ଚାଲିବ I ପୁଣି ନଅ ଦିନ ପରେ ଆସିବେ ବୋଲି ବାପା କହୁଛନ୍ତି I ସାନ ଭାଇକୁ ଜ୍ୱର ହୋଇଥିବାରୁ ବୋଉ ସହ ଘରେ ଅଛି I ରାତି ହେଇଯିବ ଆଉ ଗାଆଁକୁ ଫେରିବାକୁ ଡେରି ହେବI କିନ୍ତୁ ତାହା ପୂର୍ବରୁ ଯାତ୍ରାରେ ବୁଲିକି ମଜା କରିବା ଲାଗି ଘଣ୍ଟାଏ ସମୟ ଅଛି I ମିନୁ ସହ ତାହାର ସାଙ୍ଗ ମାନେ ମଧ୍ୟ ଆସିଛନ୍ତି ନିଜର ପରିବାର ସହିତ I ସମସ୍ତେ ଗୋଟିଏ ପାଖରେ ମେଳ ହୋଇ ରହିଛନ୍ତି, ଗହଳି ଟିକିଏ କମିଲେ ଯାତ୍ରା ପଡିଆରେ ଟିକିଏ ବୁଲା ବୁଲି କରିବେ ଆଉ ଗାଆଁକୁ ଫେରିବେ I କେତେ ପ୍ରକାର ଖେଳନା ଆଉ ବାଜା ସବୁ ଧରି ବିକାଳି ମାନେ ଆସିବାକୁ ଲାଗିଲେ ସେମାନଙ୍କ ପାଖକୁ I ପିଲାମାନେ ବ୍ୟସ୍ତ ହେଇଗଲେ ସବୁ କିଣିବାରେ I ପିଙ୍କି ସୁନ୍ଦର କଣ୍ଢେଇଟିଏ କିଣିଲା ଯାହା କେବଳ ଗୋଟିଏ ବାକି ଥିଲା I ସୁନି ମନ ଦୁଃଖ ହେଇଗଲା I ତା ପାଖରେ ଆଉ ଟଙ୍କାଟିଏ ଅଧିକ ଥିଲେ ସିଏ କିଣି ପାରି ଥାଆନ୍ତା ସେଇଟିକୁ I ଖେଳନା ଵାଲା କିନ୍ତୁ ବହୁତ ବଢିଆ ଲୋକ I ଆଉ ଗୋଟିଏ ସୁନ୍ଦର କଣ୍ଢେଇ ସୁନି କି ଦେଲା ଟିକିଏ କମ ଦରରେ I ମିନୁ ଚାହିଁଥାଏ ଧୀରେ ଧୀରେ ସବୁ ସାଙ୍ଗ ମାନେ ତାହାର ଖେଳନା ଆଉ ଅନ୍ୟ ଜିନିଷ କିଣି ଖୁସିରେ ଘରକୁ ଫେରିବାକୁ ଅପେକ୍ଷା କରିବାକୁ ଲାଗିଲେ I ସତରେ ରଥ ଯାତ୍ରାଟି ପ୍ରତି ମାସରେ କରିଲେ ହୁଅନ୍ତା ନାହିଁ ? କେତେ ମଜା ହେଇଥାଆନ୍ତା !
" ତୁ କିଛି କିଣିଲୁ ନାହିଁ ତ? ବାପା କିଛି ଯାତ୍ରା ଖର୍ଚ୍ଚ ଦେଇନାହାନ୍ତି କି?ନେ ମୋ ଠାରୁ ପାଞ୍ଚ ଟଙ୍କା, " ପଡିଶା ଘର ରାମୁ ମଉସାଙ୍କ ଡାକ ଶୁଣି ତାଙ୍କ ଆଡକୁ ଚାହିଁ ହସି ଦେଲା ମିନୁ I ପଡିଶା ଘର ମଉସା ପିଲାଙ୍କୁ ବହୁତ ଭଲ ପାଆନ୍ତି I ତା ପରେ ମଉସା ଅନ୍ୟ ପିଲା ମାନଙ୍କୁ ମଧ୍ୟ ପାଞ୍ଚ ତାଙ୍କ ଲେଖାଏଁ ଦେଲେ I ରାମୁ ମଉସା ସବୁ ପିଲାଙ୍କୁ ନିଜର ପିଲା ଭଳି ବ୍ୟବହାର କରନ୍ତି I ଏତିକି ବେଳକୁ ଜଣେ ମିଠେଇ ବାଲା ଆସିଲା I ପିଲା ମାନେ ସବୁ ତାହା ଠାରୁ ମିଠେଇ କିଣିକି ଖାଇବାକୁ ଲାଗିଲେ ରା଼ମୁ ମଉସା ଦେଇଥିବା ଟଙ୍କାରେ I
"ତୁ କିଛି କିଣିବୁ ନାହିଁ କି? ଡେରି ହେଇଯିବ ଆଉ ଟିକେ ପରେ ସବୁ ଫେରିବା ଗାଆଁକୁ, ଘରେ ବୋଉ ଆଉ ତୋର ସାନ ଭାଇ ଜଗିଥିବେ, " ବାପାଙ୍କ କଥା ଶୁଣି ତାଙ୍କ ଆଡକୁ ଚାହିଁଲା ମିନୁ I ବାପା କେତେବେଳ ଆସି ପଛରେ ଠିଆ ହେଇଛନ୍ତି ଜାଣି ପାରିନି I
ନିଜର ଫ୍ରକରେ ଥିବା ଛୋଟ ପକେଟକୁ ଛୁଇଁ ଦେଖିଲା ମିନୁ I ବାପା ଦେଇଥିବା ଦଶ ଟଙ୍କା ସେମିତି ସୁରକ୍ଷିତ ଅଛି I ଗତ ବର୍ଷ ଯାତ୍ରାରେ ହଜିଯାଇଥିଲା ଟଙ୍କା I ବାପା କିଛି କହି ନଥିଲେ କିନ୍ତୁ ବୋଉ ବହୁତ ଗାଳି ଦେଇଥିଲା I କିଛି ଦୂରରେ ଥିବା ବିକାଳୀ ଆଡକୁ ହାତ ଦେଖେଇଲା ମିନୁ I କେତେ ପ୍ରକାରର ମାଟି କଣ୍ଢେଇ ରଖିଛି ସ୍ତ୍ରୀ ଜଣକ I
"ସେଇଥିରୁ ଗୋଟିଏ ନେବି ଯଦି ମିଳିବ ମୋ ପାଖରେ ଥିବା ଟଙ୍କାରେ ସାନ ଭାଇ ପାଇଁ I ଆମ ସ୍କୁଲ ଦିଦି ଗୋଟାଏ ରଖିଛନ୍ତି ସେମିତି ତାଙ୍କ ଘରେ I ମୁଁ ଦିନେ ଯାଇଥିଲେ ତାଙ୍କ ଘରକୁ ଆଉ ଦେଖିଛି I ସେଥିରେ ଟଙ୍କା ରଖି ହୁଏ," ମିନୁ କହିଲା I
ତାହାର ହାତ ଧରି ବାପା ନେଇଗଲେ ମହିଳା ଜଣକ ପାଖକୁ I ମାଟିରେ ତିଆରି ହୋଇଥିଲା ବିଭିନ୍ନ ପ୍ରକାରର ପଶୁ ଆଉ ପକ୍ଷୀ ଆଉ ବଲ ମଧ୍ୟ I ସବୁଥିରେ ଗୋଟିଏ ଗୋଟିଏ ଫାଟ ଥିଲା ଠିକ ଯେମିତି ସ୍କୁଲ ଦିଦିଙ୍କ ଘରେ ଥିବା ଘୋଡାର ପିଠିରେ ଥିଲା I
ମିନୁକୁ ଗୋଟିଏ ନୀଳ ଘୁଷୁରୀ ବହୁତ ଭଲ ଲାଗିଲା I କେତେ ସୁନ୍ଦର ଦିଶୁଥିଲା ତାହାର ହସ ହସ ମୁଁହ ଆଉ ବହୁତ ବଡ ପେଟ ଆଉ ପିଠି !
"ସାନ ଭାଇ ଖୁସି ହେଇଯିବ ଏଇଟାକୁ ଦେଖିକି, ତାକୁ ନୀଳ ରଙ୍ଗ ଭଲ ଲାଗେ I ଆଉ କୌଣସି ପଶୁ ନୀଳ ରଙ୍ଗର ନାହିଁ," ମିନୁ କହିଲା I
"ଏଗାର ଟଙ୍କା," ବିକାଳୀ ଜଣକ କହିଲା I
ମିନୁ ତାକୁ ଦେଇଦେଲା ଏଗାର ଟଙ୍କା , ବାପା ଦେଇଥିବା ଦଶ ଟଙ୍କା ଆଉ ମଉସାଙ୍କର ଦେଇଥିବା ପଇସାରୁ ଗୋଟିଏ ଟଙ୍କା I
"ନିଜ ପାଇଁ କିଛି କିଣିଲୁ ନାହିଁ ଯେ," ବାପା କହିଲେ I
"ଏଇଥିରେ ପଇସା ରଖିବି I ଭାଇ ମନା କରିବନି ମୋତେ I ମିଶିକି ରଖିବୁ," ମିନୁ କହିଲା I
ବାପା ଖୁସି ହୋଇଗଲେ ଆଉ ବିକାଳୀକୁ ଗୋଟିଏ ଗୋଲାପୀ ଘୁଷୁରୀ ଆଡକୁ ଦେଖେଇ କହିଲେ, "ଏଇଟାକୁ ଦିଅ I ମିନୁର ଗୋଲାପି ରଙ୍ଗ ପସନ୍ଦ I"
ବାପା ନିଜ ପକେଟରୁ ବାହାର କଲେ ଆଉ ଏଗାର ଟଙ୍କା ଆଉ ବିକାଳିକୁ ଦେଇଦେଲେ I
ଖୁସି ହେଇଗଲା ମିନୁ I ନିଜ ପାଖରେ ଥିବା ଚାରି ଗୋଟି ଟଙ୍କାରୁ ଦୁଇଟା ଗୋଲାପୀ ଘୁଷୁରୀରେ ଆଉ ଦୁଇଟା ନୀଳ ଘୁଷୁରୀରେ ପକେଇଦେଲା I ଏଥର ସବୁ ଟଙ୍କା ଘୁଷୁରୀ ମାନେ ହିଁ ରଖିବେ ସୁରକ୍ଷିତ କରିକି ଆଉ ପକେଟ୍ ରେ ରହିବନି କି ହଜିବାର ଡର ନଥିବ !