Padmini Barik

Abstract

2  

Padmini Barik

Abstract

ନାରୀ କାହାର?

ନାରୀ କାହାର?

6 mins
522


ବେଳେ ବେଳେ ମନରେ ଅଜବ ପ୍ରଶ୍ନ ଆସେ,ନାରୀ କାହାର ?ସେ ଏ ସ୍ରଷ୍ଟା ର ନା ଏ ସୃଷ୍ଟିର ? ମନ ଭାରାକ୍ରାନ୍ତ ହୁଏ,ହୃଦୟ ଆନ୍ଦୋଳିତ ହୁଏ। ଜୀବନର ଆରମ୍ଭ ଓ ଜୀବନର ଶେଷ ମଝି କାଠଗଣ୍ଡି ଉପରେ ଠିଆହୋଇ ଭାରି କ୍ଲାନ୍ତ ଲାଗେ । ଏକ ଅସମ୍ଭବ ଯନ୍ତ୍ରଣା ପ୍ରାଣତନ୍ତ୍ରୀକୁ ଦୋହଲାଇ ଦିଏ । ଜୀବନଟା ମିଛ ଲାଗେ । ଆତ୍ମସତ୍ତା ହଜିଯାଏ କେଉଁଏକ ଅପହଞ୍ଚ ଅନ୍ଧାରୀ ମୁଲକରେ । ମନେପଡେ ବେଳେ ବେଳେ ପିଲାଦିନ କଥା। ପଡୋଶୀ ଭାଉଜଙ୍କ ଦୁଃଖ। ସ୍ବାମୀ ସହିତ କଳି ଲାଗିବା ସମୟର କଥା । କେଉଁ ଏକ ଛୋଟିଆ ଘଟଣା । ସମ୍ପର୍କୀୟ ଭାଇ ରାଗିଯାଇ ବହୁତ ମାରନ୍ତି ଓ ଘରୁ ବାହାରିଯା କହି କବାଟ ବନ୍ଦ କରିଦିଅନ୍ତି। ତୁ ଖରାପ୍ ,ତୁ ଏମିତି ,ତୁ ସେମିତି ଇତ୍ୟାଦି ।ଚାଳିଶି ବର୍ଷର ବିବାହିତା ଜୀବନ ,ସେ କଣ୍ ଫେରିବ ତା ବାପ ଘରକୁ ? ଜୀବନ ସାରା ଖଟି ଖଟି ତା ଚର୍ମ ଧୁଡୁ ଧୁଡୁ । ସେ କଣ ଆପଣେଇ ପାରିବ ଆଉ କାହାକୁ ? ପିଲାମାନେ ବଡହୋଇ ନିଜ ନିଜ ରାସ୍ତାରେ । ଘରତ ସେ ସଜେଇ ଥିଲାନା ? ପୁଅ ତ ତାହାର ,ଝିଅ ତ ତାହାର ।ତାହେଲେ ପୁରୁଷ କାହିଁକି କହେ ମୁଁ ତୋତେ ରଖିବିନି ? 

    ଏ ସବୁତ ପୁରୁଣା କଥା । ନୂଆ କଥା କିଛି ଆଲୋଚନା କରିବା। ଆଧୁନିକ ସମାଜର ପରିପାଟୀ ବଦଳି ଯାଇଛି । ନାରୀ ପାଠ ପଢୁଛି , ଚାକିରୀ କରୁଛି ,ଗାଡ଼ି ଚଳାଉଛି ଇତ୍ୟାଦି। କିନ୍ତୁ ତାକୁ କଣ କେହି ନିଜର ଭାବୁଛି? ସେ ଚାଲିଲେ ବି ଖରାପ ,ସେ ଚାକିରୀ କଲେ ବି ଖରାପ , ସେଯାହା କଲେ ବି ଖରାପ । ସବୁଠାରେ କେବଳ ନାରୀ ହିଁ ଖରାପ । କିନ୍ତୁ ଏ ନାରୀ ଖରାପ କାହିଁକି ? ତାକୁ ଖରାପ କହେ କିଏ ?ତାକୁ ଖରାପ କରେ କିଏ? ଏକ ଅନୁଷ୍ଠାନ କୁ ଲକ୍ଷ କରନ୍ତୁ ,ଯେଉଁଠି ସେ କର୍ମୀ ସେଠାରେ ସେ ଅଶ୍ଳୀଳତାର ଇଙ୍ଗିତ ର ଶରବ୍ୟ ହୁଏ । ଗୋଟେ ପୁରୁଷକୁ ତ ଏ ସବୁର ଶରବ୍ୟ ହେବାକୁ ପଡେନାହିଁ? ଯିଏ ଏ ଅନନ୍ତ ସୃଷ୍ଟିର ସ୍ରଷ୍ଟା,ସେ ଆଜି ରାସ୍ତା ଖୋଜୁଛି ବଞ୍ଚିବା ପାଇଁ, ରାଜ ରାସ୍ତାରେ ଚାଲିବା ପାଇଁ। ସମାଜ ଯେପରି ତାର ପୌାରୁଷତାର ଚାବି କାଠିଟି ହଜାଇ ଦେଇଛି। ସେଥିପାଇଁ ନାରୀ ଆଜି ପଙ୍ଗୁ ହେବାକୁ ବସିଲାଣି । ଚତୁର୍ଦ୍ଦିଗ ରୁ ଯନ୍ତ୍ରଣା ର ଚାପ ତାକୁ ବ୍ୟତିବ୍ୟସ୍ତ କରି ଦେଉଛି ।

    ବାପା ମାଆଙ୍କ କଥା ଦେଖନ୍ତୁ ,ଝିଅଟିଏ ଜନ୍ମ ନେଇଛି ଶୁଣିବା ମାତ୍ରେ ବ୍ୟସ୍ତ, ବିବ୍ରତ । କିନ୍ତୁ କାହିଁକି ?ମୁଁ କହୁଛି....ଏଠି ପରମ୍ପରା ମୋହ,ଏଠି ସୌନ୍ଦର୍ଯ୍ୟ ର ମୋହ,ଏଠି ଅର୍ଥର ମୋହ ,ଏଠି ପୁରୁଷାର୍ଥ ର ମୋହ ।ସବୁ କିଛି ଆଜି ଅନ୍ଧ କରି ଦେଇଛି ଏ ସମାଜକୁ । ଆମେ ନିଜର ଚିନ୍ତାଶକ୍ତିକୁ ଏତେ ନୀଚ କରି ଦେଇଛେ ,ଏଠି ଗୋଟିଏ ନାରୀ ନିଶ୍ୱାସ ନେଇ ପାରୁନି,ଝିଅଟିଏ ରାସ୍ତାରେ ଅନ୍ଧାରରେ ଏକାକୀ ଘରକୁ ଫେରି ପାରୁନି,ଗୋଟିଏ ସ୍ତ୍ରୀ ସ୍ୱାଧୀନ ଭାବରେ ବଞ୍ଚି ପାରୁନି ,ମାଆ ଟିଏ ତାର ଅଧିକାର ପାଇପରୁନି ,ଗୋଟିଏ ନିଃସ୍ଵ ବୃଦ୍ଧା ତାର ନିଃସଂଗତାର ଜୀବନର ସାହାରା ଖୋଜି ପାଉନି । ଏସବୁ କଣ ସମାଜର ଅଧୋଃଗତି ନୁହେଁ କି? ଛୋଟିଆ ନିଷ୍ପାପ କନ୍ୟାରତ୍ନ ଟିକୁ ରାସ୍ତା କଡ଼ରେ ଫୋପାଡି ଦିଆ ଯାଇଛି । ଅସଂଖ୍ୟ ନାବାଳିକା ବଳାତ୍କାର ର ପଶା ଖେଳରେ ବନ୍ଦୀ। ସୃଷ୍ଟିକୁ ଯେ ସୁନ୍ଦର କରିବ ତାର ମୁହଁରେ କଳା ବୋଳା ଯାଉଛି । ତାର ହସ୍ତ ପଦକୁ ଛେଦନ କରା ଯାଉଛି । ନାରୀ ଆଜି ଶିକ୍ଷିତ ହେଉଛି ,ନାରୀ ସ୍ୱାଧୀନତାର ବହୁତ ସ୍ୱର ଶୁଣା ଯାଉଛି ,କିନ୍ତୁ କେହି ଜଣେ ମୋତେ କହି ପାରିବେ କି କେଉଁ ଅଞ୍ଚଳର ନାରୀ ପୂର୍ଣ୍ଣ ସୁରକ୍ଷିତ ? ପୂର୍ଣ୍ଣ ସ୍ୱାଧୀନ? ଘରୋଇ ଶୋଷଣ ବିହୀନ ? ମୁଁ କହିବି କେହିବି ଜଣେ ନୁହେଁ । ଶୋଷଣ ତ ପ୍ରଥମେ ଘରୁ ଆରମ୍ଭ ହୁଏ । ଶେଷ ହୁଏ ବାହାରେ । ତାହେଲେ କିଏ ଭଲ ଆମେ କହିବା? ଏଠି ପ୍ରଶ୍ନ ଉଠୁଛି ନାରୀ କାହାର ? କାହାକୁ ଆଜିର ଏ ନାରୀ ନିଜର କରିବ? ପୁଅକୁ ତା ସ୍ତ୍ରୀ ମିଳିଗଲା ପରେ ମା ତାହାର ନୁହେଁ , ଝିଅକୁ ତା ସ୍ବାମୀ ମିଳିଗଲା ପରେ ସେ ମା ତାର ନୁହେଁ । ନିଜେ ଖୁଦ ଜାଉ କରି ଖାଇ ଯିଏ ପୂର୍ଣ୍ଣ ଭାତ ଥାଳିଟିଏ ବାଢିଥାଏ ତାର ପିଲାଙ୍କ ପାଇଁ,ତାର ସ୍ବାମୀ ପାଇଁ,ସେ ଆଜି ଏତେ ନିଃସହାୟ କାହିଁକି ?

     ଏସବୁ କଥା ଛାଡନ୍ତୁ ଆମେ କହିବା ଯେ ,ଆଜିର ଚାକ ଚକ୍ୟ ଦୁନିଆ ,ସେ ମା ହିଁ ସମସ୍ତ ଅଶ୍ଳୀଳତା ,ସଂସ୍କାରହୀନତା ପାଇଁ ଦାୟୀ । ପୌରାଣିକ ବିଷୟ ବସ୍ତୁ ଉପରକୁ ଟିକିଏ ଆଲୋକପାତ କରିବା। ପ୍ରଥମେ ଆମେ ଆର୍ଯ୍ୟ ପରମ୍ପରା ର ଆଦର୍ଶମୟୀ ନାରୀ ସୀତା ଙ୍କ କଥା ଆଲୋଚନା କରିବା। ସେ କଣ ସଂସ୍କାର ସମ୍ପନ୍ନ ନଥିଲେ ? ସେ କଣ ସ୍ବାମୀ ,ପିତା, ମାତା ଙ୍କ ର ଅନାଦର କରୁଥିଲେ?କିନ୍ତୁ ସେ ଏତେ ଯନ୍ତ୍ରଣା କାହିଁକି ପାଇଲେ ? ତାଙ୍କୁ ଏ ଯନ୍ତ୍ରଣା ଦେଲା କିଏ ? ସେତ ପତିଭକ୍ତି ର ଜୀବନ୍ତ ପ୍ରତିମୂର୍ତ୍ତୀ ସ୍ୱାରୁପା ଥିଲେ। କବି ମେହେର ଙ୍କ ଭାଷାରେ ,

        ଜୀବନେ ନ ପାରିଲେ 

           ମୋତେ ମରଣେ,

        ସେବିକା କରିଦେବ

            ପ୍ରଭୁ ଚରଣେ ।

ତାଙ୍କର ସୁନ୍ଦରତା କଣ ତାଙ୍କର କଳଙ୍କ? ତାଙ୍କର ଉଦାରତା କଣ ତାଙ୍କର ଅପରାଧ ? ତାଙ୍କର ଆଦର୍ଶ ପତିଭକ୍ତି କଣ ତାଙ୍କର ଔଧତ୍ୟ କୁ ବୁଝାଇବ କି ? ଶେଷ ମୁହୂର୍ତ୍ତରେ ସେ କାହାର ହେଲେ ? ତାଙ୍କୁ କିଏ ଆପଣେଇଲା ? ତାଙ୍କର ଜୀବନ ଯନ୍ତ୍ରଣା ଯେତେବେଳେ ଅଗ୍ନି ଠାରୁ ବି ଅସହ୍ଯ ହେଲା,ସେତେବେଳେ ସେ ମାଟିରେ ପଶି ଗଲେ । ମାଟି ଛଡା ତାଙ୍କୁ କେହି ବି ଆପଣାର କରି ନଥିଲେ।

     ମହାଭାରତର ଦ୍ରୌପଦୀ ଙ୍କୁ ଲକ୍ଷ୍ୟ କରନ୍ତୁ । କେତେ ସୁନ୍ଦର ତାଙ୍କର ଚିନ୍ତା ଓ ଚେତନା । କେତେ ଆଦର୍ଶ ତାଙ୍କର ଭାବନା ।ନିଜ ଶାଶୁ କୁନ୍ତୀ ଙ୍କ ର ପଦେ କଥାକୁ ସେ କାଟି ପାରି ନ ଥିଲେ । ସେ ତାଙ୍କର ନାରୀତ୍ଵ କୁ ମଧ୍ୟ ବାଜି ଲଗେଇ ଦେଇଥିଲେ । ଜଣକୁ ବିବାହ କରି ମଧ୍ୟ ସେ ପାଞ୍ଚାଳୀ ସାଜିଲେ। ସ୍ବାମୀ ମାନେ କଣ ତାଙ୍କୁ ନିଜର କରି ପାରି ଥିଲେ ? ତଥାପି ଜୀବନର ଶେଷ ପର୍ଯ୍ୟନ୍ତ ନିଜ ସ୍ଵାମୀ ମାନଙ୍କ ସାଥିରେ ଥିଲେ କେବଳ ଗୋଟିଏ ମାଇଲ ଖୁଣ୍ଟ ହୋଇ । ମହାଯାତ୍ରା ର ମହାନ୍ କର୍ତ୍ତବ୍ୟ ସାଧନାରେ ଦ୍ରୌପଦୀ ଥିଲେ ସାଥିରେ । ପ୍ରଥମେ ଯେତେବେଳେ ଦ୍ରୌପଦୀ ଙ୍କ ର ପତନ ହେଲା,କେହିବି ତାଙ୍କୁ ଚାହିଁଲେ ନାହିଁ । କେବଳ ବୃକୋଦର ହିଁ ଆହାଃ କରିଥିଲେ । ସ୍ତ୍ରୀ କୁ ବାଜି ଲଗାଇଥିବା ସ୍ବାମୀମାନେ ପଳାୟନ ପନ୍ଥୀ ସାଜି ଥିଲେ । ଆପଣମାନେ ଏବେ ଚିନ୍ତା କରନ୍ତୁ ,ଦ୍ରୌପଦୀ କାହାର ହେଲେ?

କର୍ଣ୍ଣ ଙ୍କୁ ପସନ୍ଦ କରି ଥିଲେ ମଧ୍ୟ ଉଚ୍ଚ ନିଚ ର ଭେଦ ଭାବ ମଧ୍ୟରେସେ ନିଜର ଇଛାଶକ୍ତି କୁ ନିଜେ ହିଁ ହତ୍ୟା କରି ଥିଲେ । କେବଳ ଏ ସମାଜ ପାଇଁ ।ସେ ବଂଶ ପରମ୍ପରା କଣ ଦ୍ରୌପଦୀ ଙ୍କୁ ଆପଣାର କରି ପାରିଲା ?ତେବେ ଏ ନାରୀ କାହାର ?

     ନାରୀ ନିଜେ ଜାଣେ ତା ର ଅନ୍ତରର କ୍ଷୋଭ , ତାର ଭାବନା କେତେ କ୍ଷତାକ୍ତ ,ତାର ଚିନ୍ତାଶକ୍ତି ଯେତେ ଶାଣିତ ହେଲେମଧ୍ୟ ସମାଜର କ୍ରୁର ମାନସିକତା ସମ୍ମୁଖରେ ସେ ଅଧୋଃ ମୁଖୀ । ଘର ଠାରୁ ବାହାର ପର୍ଯ୍ୟନ୍ତ ତାର ନିର୍ଯ୍ୟାତନାର ସୁଅ ଲମ୍ବି ଚାଲିଛି । ଉପେକ୍ଷା ଆଉ ଆକ୍ଷେପ ଯେମିତି ତାର ହସ୍ତରେଖା ପାଲଟି ସାରିଛି ।

     ସୁତାରା° ଏ ନାରୀ ଜାତି ଏକ ସଙ୍କା ଓ ଆଶଙ୍କା ଭିତର ଦେଇ ଗତି କରୁଛି । ସେ ସବୁରୁ ତାକୁ ବାହାର କରିବା ନିହାତି ଚିନ୍ତା ଜନକ । କୁସଂସ୍କାରୀ ,ଅତ୍ୟାଚାରୀ ,ବ୍ୟାଭିଚାରୀ ଓ ନାରୀ ମାଂସଲୋଭୀ ମଣିଷ ମାନଙ୍କର କୁରାଳ ଦୃଷ୍ଟିକୁ ରକ୍ତାକ୍ତ କରିବାକୁ ପଡ଼ିବ,ନଚେତ୍ ଏ ନାରୀ ସମାଜ ସବୁ ଦିନ ପାଇଁ ବିଲୁପ୍ତ ହୋଇଯିବ। ନାରୀର ଅଧୋଃଗତି ଏ ସମାଜକୁ ଏକ ନଂପୁସକ ସର୍ବସ୍ବ ସମାଜରେ ପରିଣତ କରିଦେବ। ଏହାର ସମାଧାନ ଏକ ଯୁଗାନ୍ତକାରୀ ବିପ୍ଲବ। ଏହାର ରାସ୍ତା ଏକ ସଂଘର୍ଷମୟ ଚେତନା । ମାନସିକତାର ପରିବର୍ତ୍ତନ ହିଁ ଏହାର ଏକ ମାତ୍ର ପରିବର୍ତ୍ତନ ।

      କେତେ ଯୁଗ, କେତେ ଶତାବ୍ଦୀ ଗତି କରି ଚାଲିଛି,ସବୁ ଯୁଗରେ ନାରୀ କୁ ନମସ୍ୟା କୁହାଯାଇଛି। ସେ କେବେ ବାଗ୍ ଦେବୀ ସରସ୍ଵତୀ ,ସେ ପୁଣି ଲକ୍ଷ୍ମୀ ,କେବେ ନାରାୟଣୀ ପୁଣି କେବେ ମୋହିନୀ ସାଜି ସୃଷ୍ଟିର ସମତୁଲ ରକ୍ଷା କରିଛି। ମହାନ କବି, ମନିଷୀ ଲେଖନୀ ଶାଣିତ ହୋଇଛି ସେହି ମହିମାମୟୀ ନାରୀଙ୍କ ମହାନ ଗୁଣବତ୍ତା କୁ ସାଉଁଟି ବାରେ,ସୌନ୍ଦର୍ଯ୍ୟ କୁ ପ୍ରସ୍ଫୁଟିତ କରିବାରେ । ନାରୀର ଗତି ଠାରୁ ପ୍ରୀତି ପର୍ଯ୍ୟନ୍ତ ସବୁକିଛି କାବ୍ୟନାୟିକା ସାଜିଛି । ତେବେ ଡେରି କାହିଁକି?ଏ ସୃଷ୍ଟିର ନାରାୟଣୀ ମାନଙ୍କୁ ରକ୍ଷା କରାଯାଉ । ରାଜରାସ୍ତାରେ ଅତ୍ୟାଚାରୀ ବାନା ଉଡାଉ ଥିବା ଧର୍ଷଣକାରୀ ମାନଙ୍କୁ ଉଚିତ ଜବାବ ମିଳୁ । ଯେଶା କୁ ତେସା ନୀତି ସ୍ପଷ୍ଟ କରାଯାଉ । ରାଜନୀତି ଠାରୁ ଦେଶନୀତି ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରକୁ ଆଲୋଚନା ,ପର୍ଯ୍ୟାଲୋଚନା ଓ ସମାଲୋଚନା ସ୍ତରକୁ ନିଆଯାଉ । ଏହା ହିଁ ତ ଆଜିର ବିଷୟ ବସ୍ତୁ ,ଯେଉଁ ଠାରୁ ଆରମ୍ଭ ପୁଣି ସେହି ଠାରେ ଶେଷ । କୁଆଁରୀ ମାତୃତ୍ଵ କୁ ଆବାହନ କରୁଥିବା କଳଙ୍କିତ ଇତିହାସ କୁ ସବୁ ଦିନ ପାଇଁ ସମୁଦ୍ରର ଅଥଳ ଜଳ ରାଶିରେ ମିଶାଇ ଦିଆଯାଉ । ଯୌବନ ର ବେଳାଭୂମିରେ ପର୍ଯ୍ୟଟକ ସାଜୁଥିବା ପ୍ରେମିକ ମାନଙ୍କ ପାଇଁ ବ୍ୟାରିକେଡ଼ ତିଆରି କରାଯାଉ । ନଚେତ୍ ବେଳାଭୂମିର ସୌନ୍ଦର୍ଯ୍ୟ ନଷ୍ଟ ଓ ଅଳିଆ ଆବର୍ଜନାମୟ ଭଳି ପରିବେଶ ସୃଷ୍ଟି ନିହାତି ସ୍ପଷ୍ଟ ।

      ନାରୀ ଯଦି ନିଶାର୍ଦ୍ଧରେ ଚିତ୍କାର କରିବ ,ତେବେ କାବ୍ୟ କବିତା ଲେଖାହେବ କାହାପାଇଁ ?ଗୋଟିଏ ଗୃହକୁ ସୁରକ୍ଷା ଦେବ କିଏ ?ଘରକୁ ସ୍ଵର୍ଗରେ ପରିଣତ କରିବ କିଏ ? ଶ୍ରୀମନ୍ଦିରରେ ଅବଢ଼ା ରାନ୍ଧିବ କିଏ? ସାମାନ୍ୟ କାରଣ ରୁ ଲକ୍ଷ୍ମୀଙ୍କୁ ଗୃହ ତ୍ୟାଗ କରିବାକୁ ପଡ଼ିଥିଲା । ବାରବର୍ଷ ଜଗନ୍ନାଥ ଦଣ୍ଡରେ ବୁଲିଲେ । ଆଜିର ନାରୀ ତ ସେ ତୁଳନାରେ ଢେର୍ ଅତ୍ୟାଚାରିତା, ନିଷ୍ପେସିତା ।

      ତଥାପି ନାରୀ ହାରିନାହି । ଏକାକୀ ଚାଲିବାର ଦୁଃସାହସ ସେ କରି ପାରୁଛି । ପୁରୁଷ ବିନା ବଞ୍ଚି ପାରୁଛି। ସେ ପୁଣି କର୍ମବୀରା ,ସେ ପର୍ବତାରୋହିଣୀ ,ସେ ଅଜ୍ଞାନ ନୁହେଁ, ସେ ବିଜ୍ଞାନୀ । ଅଚଳ ପରି ସହନଶୀଳତା ଗୁଣ ତା ମଧ୍ୟରେ ଅଛି। ଏସବୁ ତ ତାର ନାମର ସାର୍ଥକତା। ସେ ନାରୀ ,ସେ କାହାର ଶତ୍ରୁ ନୁହେଁ । ସେ କାହାର ଧ୍ଵଂସ ଚାହେଁ ନାହିଁ । ସେ ବି କଦାପି ଚାହେଁ ନାହିଁ ,ତାର କିଏ ଧ୍ଵଂସ କରୁ । ଯେତେବେଳେ ସେ ଧ୍ଵଂସ ର ସୁରାଗ୍ ପାଏ ,ସେତେବେଳେ ସେ ଦୁର୍ଗା ସାଜେ ,କାଳୀ ସାଜେ ।

    ଏସବୁ ପରେ ବି ସେ ଅସହାୟ । ରାସ୍ତାରେ ଚାଲିପାରୁନି। ନାରୀ ଆଜି ଚିତ୍କାର କରୁଛି ' ମୁଁ କାହାର?' ବାସ୍ତବରେ ନାରୀ କାହାର ? ନୃସଂଶତାର ସାମନା କରୁଛି ସେ ଅତି ଅସହାୟ ପରିସ୍ଥିତି ରେ । କାଳିମାର ମୁଖା ପିନ୍ଧୁଛି କେବଳ ବାଧ୍ୟବାଧକ ତାରେ । ସତୀତ୍ଵ ତାର ଭଗ୍ୟରେଖା ନ ପାଲଟି ବେଶ୍ୟାବୃତି ତାର କର୍ମରେଖା ପାଲଟି ଯାଉଛି । କଣ୍ଢେଇ ଟିଏ ପରି ଅଦୃଶ୍ୟ ଇଙ୍ଗିତରେ ନର୍ତ୍ତକୀ ସାଜିଛି । ସେ ଆଜି ସବୁକିଛି ସହିଚାଲିଛି ସୁଅ ମୁହଁର ପତର ପରି । ସେ ନିଜେ ହିଁ ତାର ଭାଗ୍ୟ ଓ ଆତ୍ୟାଚାରୀ ତାର ଭଗବାନ ପାଲଟି ଯାଇଛି । ବାଡ ଏଠି ଫସଲ ଖାଉଛି ,ସେ ଗୁହାରି କରିବ କାହାକୁ ? ଗୁରୁ ଶିଷ୍ୟ ର ପରମ୍ପରା ବଦଳିବାର ସେ ନିଜ ଆଖିରେ ଦେଖୁଛି । ସମାଜର ଅସ୍ପଷ୍ଟ ଇଙ୍ଗିତ କୁ ସେ ଅନୁଭବ କରୁଛି । ସେ ଆଜି ନିର୍ବିକାର ଅଥର୍ବ ସାଜିବାକୁ ବାଧ୍ୟ । ସମାଜର ରୁଗ୍ ଣ ମାନସିକତା କୁ ଆତ୍ମସାତ କରିବାକୁ ଛାତି ପତେଇ ଦେଇଛି । ପଣତ ତାର ହଜିଯାଇଛି । ସେ ଆଜି ପଣତରେ ଘୋଡେଇବ କାହାକୁ? କିଏ ତାକୁ ଆପଣାର କରିଛି ? ସେ କାହାର? ସେ କାହାର? ନାରୀ କାହାର?



Rate this content
Log in

More oriya story from Padmini Barik

Similar oriya story from Abstract