STORYMIRROR

Mamatamanjari Das

Tragedy

2  

Mamatamanjari Das

Tragedy

ମୁଁ ବିଧବା ନୁହେଁ

ମୁଁ ବିଧବା ନୁହେଁ

3 mins
673


ବାପାଙ୍କର ସ୍ୱର୍ଗ ବାସ ପରେ ମୋ ବୋଉ ଆଖିରେ ମୁଁ ଲୁହ ଦେଖି ନଥିଲି । ସତେ ଅବା ସେ ହୃଦୟଟାକୁ ପଥର କରିଦେଇ ଥିଲା । ସମସ୍ତଙ୍କୁ ବୁଝାଉ ଥିଲା ସତ , ହେଲେ ନିଜେ ଭିତରେ ବାହୁନି ବାହୁନି କାନ୍ଦୁଥିଲା । ଦଶାହ କର୍ମ ସାରି ଯେତେବେଳେ ତିଳତର୍ପଣ କରିବା ପାଇଁ ସାହି , ଭାଇ ରୁଣ୍ଡ ହେଲେ କୁଳ ପୁରୋହିତ କହିଲେ ମାଆଙ୍କୁ ଗୋଟେ ଧଳା ଲୁଗା ପିନ୍ଧାଇ ଆଣ । ହେଲେ ବୋଉ ମୋର ରୋକ୍ ଠୋକ୍ ମନା କରିଦଲା "କହିଲା ମୋର ତ ବିଧବା ଦୋଷ ନାହିଁ ମୁଁ ଧଳା ଶାଢ଼ୀ କଣ ପାଇଁ ପିନ୍ଧିବି । ଏକଥା ଶୁଣି ସାହି ପଡିଶା ସବୁ ଟୁପୁରୁ ଟାପୁରୁ ଆରମ୍ଭ କରି କରିଦେଲେ । ସାନ ଭଉଣୀ ମୋତେ ଆସି କହିଲା ଅପା ତୁ ଟିକେ ବୋଉକୁ ବୁଝାଉନୁ ,ଲୋକମାନେ କେତେ ସମୟ ବସିବେ ? ସାହସ ନଥିଲାବୋଉକୁ କିଛି କହିବା ପାଇଁ ,ତଥାପି ସାହସ ସଞ୍ଚୟ କରି ଗଲି । ହେଲେ ବୋଉର ଜିଦି ଆଗରେ ମୁଁ ହାରିଗଲି । ଶେଷରେ ଗୋଟେ ନୂଆ ମଠା ଶାଢ଼ୀ ଥିଲା ଦେବାରୁ ସେ ପିନ୍ଧିଲା । ବାପାଙ୍କ କାମ ସରିଗଲା । କୁଣିଆ ମାନେ ବିଦା ହୋଇଗଲେ । ହେଲେ ମୋ ବୋଉ ଓଠର ହସ ସବୁଦିନ ପାଇଁ ଲିଭି ଯାଇଥିଲା ।


ଘରଟା ପୁରା ଶୁନ୍ ଶାନ୍ ଲାଗୁଥିଲା । ପୂର୍ବ ଭଳି ମୋ ବୋଉ ମଥାରେ ଆଉ ଶୋଭା ପାଉନଥିଲା ଉଦିଆ ସୂର୍ଯ୍ୟ ଙ୍କ ପରି ଲାଲ୍ ସିନ୍ଦୁର ବିନ୍ଦୁ । ଶୁଭୁ ନଥିଲା ତା ହାତର ମାଳେ ମାଳେ ଚୁଡିର ରୁମ୍ ଝୁମ୍ ଶଦ୍ଦ । ଘରଟା ଯେପରି ଖାଁ ଖାଁ ଗୋଡାଉ ଥିଲା । ମୁଁ ବେଶୀ ଦିନ ରହି ପାରିଲି ନାହିଁ , ଏକୁଟିଆ ଘର ପଳେଇ ଆସିଲି । ମନଟା କିନ୍ତୁ ବୋଉ ପାଖରେ ରହିଗଲା ।


ଆସିବାର ଦୁଇଦିନ ଯାଇଛି କି ନାହିଁ ଘରୁ ଫୋନ୍ ଆସିଲା ବୋଉ ଦେହ ଭଲ ନାହିଁ । ମନଟା ଖାଲି ଗୋଳେଇ ଘାଣ୍ଟି ହେଉଥାଏ ,ଗାଁ କୁ ଗଲି ଆଉ ବୋଉକୁ ନେଇଆସିଲି କଟକ । ମେଡିକାଲ ରେ ଦେଖାଇ ଟ୍ରିଟ୍ ମେଣ୍ଟ କଲି ହେଲେ ବୋଉ ମୋର ଦିନକୁ ଦିନ ଅଧିକ ଦୁର୍ବଳ ହୋଇଗଲା । ପ୍ରାଇଭେଟ୍ ରେ ଦେଖାଇଲି ,ହେଲେ ରୋଗ ଭଲ ନ ହୋଇ ବଢିବାରେ ଲାଗିଲା। ଡାକ୍ତର ବି ଜାଣି ପାରିଲେନି ପ୍ରକୃତ ରୋଗଟି କଣ ବୋଲି । ନିଜ ଉପରେ ଖୁବ୍ ରାଗଲାଗୁଥିଲେ ବି ଉପାୟ ଶୂନ୍ୟ ଥିଲି ମୁଁ । କେବଳ ନିଜର କର୍ତ୍ତବ୍ୟ କରିବା ବ୍ୟତୀତ ଆଉ କିଛି ଚାରା ନଥିଲା ମୋ ପାଖରେ ।


ଦିନେ ବୋଉ କହିଲା ,"ମୋତେ ଟିକେ ଗାଁ ରେ ଛାଡି ଦେଇ ଆସେ "। ଇଛା ନଥିଲେବି ତା'ଇଛାକୁ ସମ୍ମାନ ଦେବାକୁ ଯାଇ ଗାଁରେ ବୋଉକୁ ଛାଡି ଆସିଲି । ସବୁଦିନେ ଫୋନ୍ କରି ତାର ଭଲମନ୍ଦ ବୁଝେ । ଦିନେ ସାନ ଭଉଣୀ ଫୋନ୍ କରି କହିଲା ବୋଉ ତତେ ଖୋଜୁଛି ଆସିବୁ ।

ଗାଁ କୁ ଗଲି । ଖାଇ ପିଇ ଆସିଲା ବେଳକୁ ବୋଉ କହିଲା "ମୋ ଦେହ ଟିକେ ଭଲ ଲାଗୁଛି ,ଦଶହରା ତ ପାଖେଇ ଆସିଲିଣି। ଏକାଦଶୀ ରେ ବାପାଙ୍କର ବର୍ଷିକିଆ ସରିଲେ ଯାଇ ମୁ କଟକ ଯିବି । ଆଉ ବାପାଙ୍କ କାମ ପାଇଁ ଯୋଗାଡ କର "। ତାକୁ କହିଲି ତୁ ବ୍ୟସ୍ତ କାହିଁକି ହେଉଛୁ ,ଆଉ ପରା ମାସେ ଅଛି ସବୁ ଠିକ୍ ଠାକ୍ ହେବ ।


କଟକ ଆସିଲି । ଗାଆଁରୁ କଟକ ସତର କିଲୋମିଟର । ସାନ ଭଉଣୀ କୁ କହି ଆସିଲି କିଛି ଅସୁବିଧା ହେଲେ ଫୋନ୍ କରିବୁ । ଘରେ ପହଞ୍ଚି ଛି କି ନାହିଁ ଘରୁ ଫୋନ୍ ଆସିଲା ବୋଉ ଦେହ ବହୁତ ଖରାପ । ପୁଣି ଗାଆଁକୁ ଯାଇ ତାକୁ ନେଇ ଆସି ମେଡିକାଲରେ ଆଡମିଶନ କଲୁ । ଟିକେ ଭଲ ହୋଇ ଆସୁଥାଏ,ଦେଖିଲା ମୋ ସ୍ୱାମୀ ଛିଡା ହୋଇଛନ୍ତି "କହିଲା ସେ ଟିକି ଜୀବୁନିଆଟା ତାକୁ ଟିକେ ଖାଇବାକୁ ଦେଲୁନି" । ବୋଉର କଥା ଶୁଣି ଭାରି କାନ୍ଦ ଲାଗିଲା । ମୋତେ ପାଟିକରି କହିଲା କାହିଁକି କାନ୍ଦୁଛୁ ମୁଁ ଭଲ ହୋଇ ଯିବିନି ।


ହେଲେ ବୋଉ ମୋର ଆଉ ଭଲ ହେଲାନି । ଡାକ୍ତର କହିଲେ ଆଉ ଅତି ବେଶୀରେ ସାତ ଆଠ ଦିନ ବଞ୍ଚିବେ । ତାଙ୍କର ଦୁଇଟି ଯାକ କିଡନୀ ନଷ୍ଟ ହୋଇ ଯାଇଛି । ଯେତିକି ଦିନ ଡାଏଲେସିସ କରିବ ସେତିକି । ବୋଉର ଦୁଇ ଥର ଡାଏଲେସିସ ହେଲାପରେ ସେ ଆଉ କରିବନି ବୋଲି ରୋକ୍ ଠୋକ୍ ମନା କରି ଦେଲା । ଡାକ୍ତର ବି କହିଲେ କିଛି ଲାଭନାହିଁ । ସମସ୍ତେ କହିଲେ ମେଡିକାଲ ରେ ଥାଉ। ହେଲେ ମୁଁ ମନାକଲି। କାହିଁକି ନା ତା ହାତ ତିଆରି ଘରେ ସେ ଯଦି ମରିବ ସେଇଟା ହିଁ ତାର ଆତ୍ମ ତୃପ୍ତି ।


ବୋଉକୁ ଘରକୁ ନେଇଗଲୁ । କୁଣିଆ ମାନେ ଆସି ଦେଖିଦେଇ ଚାଲିଯାଉଥାନ୍ତି । ବୋଉ ମୋର ସେମିତି ଶୋଇଥାଏ । ଇଛା ହେଲେ କିଛି କହେ । ଦଶହରା ପୂର୍ବ ଦିନ ମୁଁ ତା ପାଖରେ ବସିଥାଏ ,କହିଲା ଖିରି ଟିକେ କରିବୁ ଖାଇବି । ଖିରି କଲି ,ଦୁଇ ଚାରି ଚାମଚ ଖାଇଲା । ମୋ ମୁଣ୍ଡରେ ହାତ ବୁଲାଇ ଆଣି କହିଲା ଦେଖିଲୁ "ତୋ ବାପାଙ୍କର ବର୍ଷିକିଆ ଆଉ ଦୁଇଦିନ ଅଛି ,ହେଲେ ମୁଁ ତ ଆଜି ତାଙ୍କ ପାଖକୁ ଯିବି । ବିଧବା ହେଲି କେମିତି ? ଆର ବର୍ଷକୁ ଆମ ଦୁଇଜଣ ଙ୍କର ବର୍ଷକିଆ ଏକାଠି କରିଦେବ "। ଆଖିର ଲୁହ ବାଧା ମାନୁ ନଥିଲା। ଇଛା ହେଉଥିଲା ମୁଣ୍ଡ ପିଟି କାନ୍ଦିବା ପାଇଁ । ସତରେ ସେଇଦିନ ହିଁ ମୋ ବୋଉ ଆମକୁ ଛାଡି ଚାଲିଗଲା ସବୁଦିନ ପାଇଁ । ହେଲେ ମୋ ବୋଉର ଦୃଢୋକ୍ତି "ମୁଁ ବିଧବା ନୁହେଁ " ଏବେବି ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ଶେଷରେ ପଣ୍ଡିତ ବି କହିଲେ ଯେହେତୁ ତାଙ୍କ ସ୍ୱାମୀ ଙ୍କର ବର୍ଷେ ପୁରିନି ,ସେ ବିଧବା ନୁହନ୍ତି ।


Rate this content
Log in

Similar oriya story from Tragedy