Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Kalyani Hota

Tragedy Classics


4.5  

Kalyani Hota

Tragedy Classics


🥀ମଉଳା ଗୋଲାପ 🥀

🥀ମଉଳା ଗୋଲାପ 🥀

6 mins 780 6 mins 780

ରୂପ, ଗୁଣ ଆଉ ବିଭବ ସଂପନ୍ନା ନିର୍ମଳା ଏକ ଉଚ୍ଚ ସମ୍ଭ୍ରାନ୍ତ ପରିବାର ରେ ଜନ୍ମ ଗ୍ରହଣ କରିଥିଲେ। ଗୋଟିଏ ନାରୀ ସେହି ରକ୍ଷଣଶୀଳ ପରିବାର ରେ ରହି ତା ମନ ମୁତାବକ କିଛି ବି ପଦକ୍ଷେପ ନେଇ ପାରୁନଥିଲା। କଳୁଷିତ ସମାଜ ର କୁସଂସ୍କାର କରାଘାତ ରେ ନିଜ ଶରୀର ମନ କୁ ବଳି ଦେବାପାଇଁ ଜଣେ ନାରୀ କେବେ ବି କୁଣ୍ଠାବୋଧ କରି ପାରୁନଥିଲା। ସମାଜ ତା ପାଇଁ ଯାହା କୁନୀତି ଗଢୁଥିଲା, ତାକୁ ମୁଣ୍ଡପାତି ସହିବା ବ୍ୟତୀତ ଅନ୍ୟ କୌଣସି ଚାରା ହିଁ ନ ଥିଲା।

                         ଛଅ ଭାଇ,ବାପା ମାଁ, ଶସ୍ୟଶ୍ୟାମଳା ଭରା କ୍ଷେତ,ନୀଳ ପୋଖରୀ,ଆମ୍ବ ତୋଟା ର ପରିବେଷ୍ଟନି ରେ ବଢିଥିବା ନିର୍ମଳା ଯେ ଦିନେ ଅସହାୟ ହୋଇ ନିର୍ମମ ସମାଜ ର ଯୂପକାଠ ରେ ବଳି ପଡିବେ ,ଏ କଥା କଳ୍ପନା ସୁଦ୍ଧା କରିନ ଥିଲେ।

                           ସମୟକ୍ରମେ ପ୍ରଥାନୁଯାୟୀ ରୀତିନୀତି ର ସହ ତାଙ୍କ ପଡୋଶୀ ଗ୍ରାମ ର ଏକ ଯୁବକ ଙ୍କୁ ନିର୍ମଳା ମାତ୍ର ନଅ ବର୍ଷ ବୟସ ରେ ବାଲ୍ୟବିବାହ କରିଥିଲେ। ସେ ସମୟ ରେ ରଜସ୍ବଳା ହେବା ପୂର୍ବରୁ ଏକ ନାରୀ ର ବିବାହ ସଂପନ୍ନ ହେଉଥିଲା ଆଉ ଗୃହଯୋଗ୍ୟ ହେବାପରେ ସେ ଶାଶୂଘର କୁ ଯାଉଥିଲା।ଅବଶ୍ୟ ନିର୍ମଳା ଏପରି ଅପରିଣତି ବୟସ ରେ ବିବାହ ର ଗୂଢ ରହସ୍ୟ କୁ କିପରି ବା ବୁଝିପାରିଥାନ୍ତେ। ତାଙ୍କୁ କଣ୍ଢେଇ ଖେଳ ପରି ଲାଗୁଥାଏ।ହସି ନାଚି ଖେଳି ଖେଳି ବାହାଘର କୁ ଉପଭୋଗ କରୁଥାନ୍ତି ନିର୍ମଳା। ବାହାଘର ସରିବା ପରେ କନ୍ୟା ମାଁ ଘରେ ରହିଯାଏ ଓ ବର ତା ନିଜ ଘର କୁ ଫେରିଯାଏ।ତାପରେ ସମସ୍ତେ ଅପେକ୍ଷା ରେ ଥାଆନ୍ତି କନ୍ୟା ର ରଜଃସ୍ଵଳା କୁ। କିନ୍ତୁ ନିର୍ମଳା ଙ୍କ ଭାଗ୍ୟ ରେ ଆସିଯାଇଥିଲା ଏକ ଅହେତୁକ ବିଡମ୍ବନା।ବିବାହ ର କିଛି ମାସ ପରେ ତାଙ୍କ ସ୍ଵାମୀ ଙ୍କ ଫୁସ୍ ଫୁସ୍ ସଂକ୍ରମଣ ଯୋଗୁଁ ଦେହାନ୍ତ ଘଟିଥିଲା।ସତେ ଯେପରି ଗୋଟେ ଅବୋଧ ଶିଶୁ ଗୋଲାପ କଢି ଟିକୁ ଫୁଟିବା ଆଗରୁ ଛିଣ୍ଡାଇ ଫୋପାଡ଼ି ଦେଇଛି। ଅବୋଧ ଶିଶୁ ର ଅବୋଧ ପଣିଆ ଅବା ସମାଜ ର କୁସଂସ୍କାର,ଯାହା ବି ହେଉ କିନ୍ତୁ ନିର୍ମଳା ଙ୍କୁ ଶେଷ ନିଃଶ୍ୱାସ ଯିବା ପର୍ଯ୍ୟନ୍ତ ଏ କଷ୍ଟ କୁ ମୁଣ୍ଡପାତି ସହିବାକୁ ପଡିଥିଲା।

       ନିର୍ମଳା ସାଙ୍ଗ ମାନଙ୍କ ସହ ବାଲିଗଦା ରେ ବସି ବାଲିଘର ବନାଇ ଖେଳୁଥିଲେ।ସେ କଣ ଜାଣିଥିଲେ ଯେ ଆଜି ତାଙ୍କ ବାସ୍ତବ ଘର ଟି ଭାଙ୍ଗି ଯାଇଛି। ହଠାତ୍ ମାଁ ଓ ଭାଉଜ ମାନେ ଆସି ନିର୍ମଳା ଙ୍କୁ ଟାଣିଭିଡି ପୋଖରୀ କୁ ନେଇଗଲେ।ତାଙ୍କ କୋମଳ ହାତ ରୁ ଦିମୁଠା ଚୁଡି, ସ୍ନିଗ୍ଧ ପାଦରୁ ଅଳତା ,ଅସଜଡା ମୁଣ୍ଡ ରୁ ସିନ୍ଦୂର ଓ ଅମାନିଆ କେଶ ରୁ ଫୁଲମାଳ ଟି ବାହାର କରି ଧଳାଲୁଗା ଖଣ୍ଡେ ପିନ୍ଧାଇ ଦେଇଥିଲେ। ନିର୍ମଳା ଭାବୁଥାନ୍ତି ଇଏ ପୁଣି ଆଉ ଗୋଟିଏ କି ପ୍ରକାର ଖେଳ ହୋଇଥିବ।ସବୁଜ ଦରିଆ ର ଉଷ୍ମ ଲହଡି ରେ ନିଜ ମୁହଁ ର ପ୍ରତିବିମ୍ବ କୁ ଦେଖି ନିର୍ମଳା ଖୁସିରେ ନାଚୁଥାନ୍ତି ଏବଂ ହାତ ପାପୁଲି ରେ ଜୋର୍ ଜୋର୍ କରି ପାଣି କୁ ଥାପୁଡାଇ ମଜ୍ଜା ନେଉଥାନ୍ତି।ସେ କଣ ଏ ନିଷ୍ପାପ ମନ ରେ ଏତେ ହୃଦୟ ବିଦାରକ କରୁଣ ଦୁଃଖ କୁ ବୁଝିପାରିଥାନ୍ତେ ?ନିଜ ଚାରିପାଖରେ ବିଞ୍ଚି ହୋଇ ପଡିଥିବା ଅଜସ୍ର ସ୍ନେହ, ଶ୍ରଦ୍ଧା , ଭୋଗବିଳାସ ଓ ସମ୍ମାନ କୁ ଅଣ୍ଟିରେ ସାଉଁଟି ସାଉଁଟି ନିର୍ମଳା ଦୁଃଖ ର ପରିଭାଷା କୁ କେବେ ଅନୁଭବ ହିଁ କରିପାରିନଥିଲେ।କେତୋଟି ଆଙ୍ଗୁଳି ଗଣା ଦିନ ଯିବାପରେ ନିର୍ମଳା ଗୃହଯୋଗ୍ୟା ସାଜ୍ଜିଥିଲେ। ନିର୍ମଳା ଙ୍କ ଜୀବନରେ ଆରମ୍ଭ ହୋଇଗଲା କଳୁଷିତ ସମାଜ ର କ୍ରୂର ଶାସନ। ପରବର୍ତ୍ତୀ ପଦକ୍ଷେପ ରେ ନିର୍ମଳା ଙ୍କୁ ଶାଶୂଘର କୁ ଯିବାପାଇଁ ପ୍ରସ୍ତୁତ କରିଦିଆଗଲା।ବାଃ ରେ ବିଧାତା !!!ଧନ୍ୟ ତୋର ଲୀଳା !! କାହିଁକି ଏକ ନିପ୍ପାପ ହୃଦୟ ଟିଏ ସୃଷ୍ଟି କରୁଛୁ ଆଉ କମାର ଲୁହା କୁ ନିଆଁ ରେ ଗରମ କରି ବାରମ୍ଵାର ପ୍ରହାର କରିବା ପରି ତା ହୃଦୟ କୁ ଦୁଃଖ ଦାଉ କଷ୍ଟର ପ୍ରହାର ଦେଇ ଦେଇ ଲୁହା ଠାରୁ ବି ଟାଣ କରି ଦେଉଛୁ।ସତରେ ନାରୀ ସଂଘର୍ଷ ର ଝଡ କୁ ସାମ୍ନା କରି ପାରୁଥିବା ପାଚେରୀ ଟିଏ ଆଉ ସମସ୍ୟା ସହ ଲଢି ପାରୁଥିବା ଖଡ୍ଗ ଟିଏ ମଧ୍ୟ।ତା ଚାରିପଟେ ଦରପୋଡା ଦରଜର କଥା ଆଉ ଆଗକୁ କିଟିକିଟି ଅନ୍ଧାର ର ନିଚ୍ଛାଟିଆ ନିବିଡତା।ଆଉ ତା ଆଗକୁ ଆଗକୁ ରୁଟିନ୍ ବନ୍ଧା ଜୀବନର ଅଟ୍ଟହାସ୍ୟ। ନିର୍ମଳା ଦିନକୁଦିନ ସ୍ନେହ,ପ୍ରେମ,ମମତାର ଜୀବନ୍ତ ପ୍ରତିମୂର୍ତ୍ତି ହୋଇ ଠିଆ ହେବାକୁ ଚେଷ୍ଟା କଲେ,ହେଲେ ଏ ହତଭାଗିନୀ ଙ୍କର କିଏ ହେବ ସନ୍ତାନ ?ଦିନକୁ ଦିନ ତାଙ୍କର ବିଭ୍ରାନ୍ତ ମନରେ ପ୍ରଶ୍ନବାଚୀ ହୋଇ ଦଣ୍ଡାୟମାନ ହେଲେ ଗୁଡାଏ ପ୍ରଶ୍ନ ।ସମାଜ ସେତେବେଳକୁ ପୁରୁଷ କୈନ୍ଦ୍ରିକ ଥିଲା ବୋଲି ଏତେ ନିଷ୍ଠୁର ରାୟ !!!

                ସ୍ଵାମୀ ଙ୍କ ଦଶାହକ୍ରୀୟା ଓ ଶୁଦ୍ଧି କର୍ମ କରିବାକୁ ନିର୍ମଳା ଙ୍କୁ ଶାଶୂଘର କୁ ଯିବାକୁ ପଡିଥିଲା।ଏପଟେ ବାପା ଭାଇ ଦୁନିଆ ର ନିନ୍ଦା କୁତ୍ସାରଟନା ଶୁଣିବା ଭୟ ରେ ନିର୍ମଳା ଙ୍କୁ ନିଜ ଘରକୁ ଆଣି ନ ଥିଲେ।ଆଣିକି ମଧ୍ୟ କଣ କରିଥାନ୍ତେ ତାଙ୍କୁ?କଣ ଗୋଟେ ନବପଲ୍ଲବୀତ ଜୀବନରେ ସେ ପଦାର୍ପଣ କରିପାରିଥାନ୍ତେ ? ସମ୍ଭ୍ରାନ୍ତ ପରିବାର ର ମାନସମ୍ମାନ କୁ କିପରି ତଳେ ପକାଇଥାନ୍ତେ ? ଶାଶୂଙ୍କ କଟୂବଚନ,ଖଟଣୀ ତଥା ବୃଥା ଅପବାଦ ସହି ଶାଶୂଘରେ ପଡିରହିଲେ ନିର୍ମଳା। ଦିନେ ଦିନେ ଏକାନ୍ତ ରେ ବସି ଭାବପ୍ରବଣ ର ତରଙ୍ଗ ରେ ତରଙ୍ଗାୟିତ ଚକ୍ଷୁ ଦ୍ଵୟ ରୁ ଅନବରତ ଅଶ୍ରୁ ର ଧାରା ଛୁଟି ଆସୁଥିଲା ଆଉ ନିର୍ମଳାଙ୍କ ମନ କୁ ବହୁତ ଆଶ୍ୱସ୍ତି ମିଳୁଥିଲା। ଧିରେ ଧିରେ ଅଶ୍ରୁ ହିଁ ତାଙ୍କ ଜୀବନର ସାହାରା ହୋଇଗଲା।ତାଙ୍କ ଜୀବନରେ ସୁଖ ପାଇବାର ବ୍ୟାକୁଳତା ଓ ନିଃସବ୍ଧ ନିଃସଙ୍ଗତା ର ସାମାନ୍ୟ ସୁରାକ୍ ମଧ୍ୟ ସେ କାହାକୁ ଜାଣିବାକୁ ଦେଇ ନ ଥିଲେ।ସବୁ ଅଭାବପଣ କୁ ଗୁପ୍ତ ରଖୁଥିଲେ ନିଜ ଭିତରେ।ଏକ ଅବ୍ୟକ୍ତ ଯନ୍ତ୍ରଣା ରେ ବାଷ୍ପରୁଦ୍ଧ ହୋଇ ବଂଚିଥିଲେ ନିର୍ମଳା।କ୍ରମେ ନିଜ ଶାଶୂଙ୍କର ଦେହାନ୍ତ ପରେ ଦୁଃଖିଆରୀ ନିର୍ମଳା ତାଙ୍କ ସ୍ଵାମୀ ଙ୍କ ଭିଟାମାଟି ରେ ରାଧାକୃଷ୍ଣ ମନ୍ଦିର ଟିଏ ସ୍ଥାପନା କରି ନିଜ ବଂଶ ର ସନ୍ତକ କୁ ବଜାୟ ରଖି ନିଜର ର ସୁରକ୍ଷା ପାଇଁ ମାଁ ଘର ପାଖରେ ଏକ ଘର ବନାଇ ଚାଲିଯାଇଥିଲେ।ହେଲେ ସେ ସମ୍ପତ୍ତି ବାଡି କୁ ଚାହିଁ ଚାହିଁ କେମିତି ବିତାଇବେ ଏ ଅସରନ୍ତି ଲମ୍ବାଜୀବନ।

                                     ପରିଚୟ ଓ ସାହାରା ପାଇଁ ସେ ସନ୍ତାନ ଟିଏ ଖୋଜି ବୁଲିଲେ। ବହୁତ ପ୍ରଚେଷ୍ଟା ଓ କରୁଣ ନିବେଦନ ପରେ ଗୋଟିଏ ସନ୍ତାନ ପୈାଷ୍ୟ ପୁତ୍ର ଭାବେ ଗ୍ରହଣ କଲେ। ସନ୍ତାନ ବତ୍ସଳା ,ସେନେହ ସରଳା ନିର୍ମଳା ଗର୍ଭକଷ୍ଟ ସହି ସନ୍ତାନ ଜନ୍ମ କରିନାହାନ୍ତି ସତ କିନ୍ତୁ ତାଙ୍କ ହୃଦୟ ସ୍ପନ୍ଦନ ରୁ ସଦାସର୍ବଦା ମାତୃସ୍ନେହ ବାରି ଝରଝର ହୋଇ ଝରିପଡୁଥିଲା। କୁସଂସ୍କାର ଓ ଅନ୍ଧବିଶ୍ୱାସ ର ର ଯୂପକାଠ ରେ ନିଜ ରୂପ ଯୈାବନ କୁ ବଳି ଦେଇଥିବା ନିର୍ମଳା ପୁଣି ଥରେ ତାଙ୍କ କଅଁଳ କାନ୍ଧ କୁ ଭାର କରି ଉଠିଚାଲିବାକୁ ଚେଷ୍ଟା କରିଥିଲେ। ସନ୍ତାନ ବାହାନା ରେ ସେ ସମାଜ ର ସବୁ ରୀତିନୀତି, ପର୍ବପର୍ବାଣୀ, ବନ୍ଧୁବାନ୍ଧବ,ଭଲମନ୍ଦ ସବୁ ପାଳି ଚାଲିଲେ।ଅନ୍ତର ଭିତରେ ପରାସ୍ତ ହୋଇଯାଇଥିଲେ ମଧ୍ୟ ଦୁନିଆ ଆଗରେ ଜଣେ ସୁଖି ମଣିଷ ର ଅଭିନୟ କରିଚାଲିଥିଲେ।ସେ ନଅ ବର୍ଷ ବୟସ ରେ ପାଲଟି ଯାଇଥିଲେ ଗୋଟେ ମଉଳା ଗୋଲାପ।ରଂଗୀନ୍ ଜିନିଷ,ଆମିଷ ଖାଦ୍ୟ ଓ ଅନ୍ୟାନ୍ୟ ଶୁଭ କାର୍ଯ୍ୟରେ ତାଙ୍କ ମନ ଅଜାଣତରେ ବେଳେବେଳେ ଚାଲିଯାଏ ହେଲେ ସେ ପୂର୍ଣ୍ଣ ସଂଯମତା ର ସହ ଟାଣି ଓଟାରି ମନକୁ ବୁଝାଇ ଦିଅନ୍ତି।

    ଭାବ ର ଶୁଷ୍କ ବାଲୁକା ଶଯ୍ୟା ରେ ପ୍ରତିଦିନ ଅସଂଖ୍ୟ ଜୁଆର ଆସେ ହେଲେ ସାଗର ନିକଟରେ ଥାଇ ମଧ୍ୟ ନିର୍ମଳା ଯେ ତୃଷ୍ଣା ମେଣ୍ଟାଇ ପାରି ନ ଥିଲେ। ବେଳେବେଳେ ସାଗର ର ଲବଣ ଜଳ ତାଙ୍କୁ କହେ "ତୋ ଜୀବନ ଜଳ ତ ମଧୁରତା ହରାଇ ସାରିଛି ଆଉ ତୁ କଣ ଖୋଜୁଛୁ?ତରଙ୍ଗର ସ୍ରୋତ ରେ ତୁ ଧୋଇ ହୋଇ ରଙ୍ଗହୀନ ହୋଇଯାଇଛୁ।"

                            ସମୟ ଚକ୍ର ରେ ଧିରେ ଧିରେ ସନ୍ତାନ ବଡ ହୋଇ ବିବାହ ଯୋଗ୍ୟ ହେଲା। ନିର୍ମଳା ବୋହୂ ଟିଏ ଆଣି ପୁଅ ର ଘର ବସାଇଦେଲେ ହେଲେ ପୁଣି ତାଙ୍କର ତ୍ୟାଗ ଆଉ ନିଷ୍ଠା ର ପରାକାଷ୍ଠା

ଆରମ୍ଭ ହୋଇଗଲା। ସନ୍ତାନ ର ସୁଖଶାନ୍ତି ପାଇଁ ନିଜର ସମସ୍ତ ସୃଜନୀ ଶକ୍ତି କୁ ଲଗେଇ ଦେଇଥିଲେ । ଜୀବନ ର ଶେଷ ପାହାଚରେ ମଧ୍ୟ ମାତୃତ୍ବ ର ମହକ ତାଙ୍କଠାରେ ଅବିରତ ଝରିଛି ।ସେ କାଳ ର କଳଙ୍କମୟ ଇତିହାସ ର ଜଣେ ମୂକସାକ୍ଷୀ ହୋଇ ଭାଗ୍ୟ କୁ ଆଦରି ଆରପାରି ର ଯାତ୍ରୀ ପାଇଁ ଇତ୍ସୁକ ହୋଇ ଅପେକ୍ଷାରତ ଭାବେ ପଡିରହିଲେ। ତଥାପି ତାଙ୍କ ମାତୃତ୍ୱ ର ଅନୁଭବ ଅକଳନ୍ତ ଓ ଅସମାପ୍ତ।ତାଙ୍କ ଭିତରେ ଭରି ରହିଥିଲା ଦିବ୍ୟଗୁଣ,ଅନାବିଳ ପ୍ରେମ ଓ ଧୈର୍ଯ୍ୟ ର ହିମାଳୟ।ବକ୍ଷ ରେ ଅମୃତ ର ଧାରା,କୋଳ ରେ ବାତ୍ସଲ୍ୟ ର ଉଷ୍ମତା,ମାତୃହସ୍ତ ର ଅଭୟମୁଦ୍ରା ଓ ମନରେ ସିଂହୀ ର ବଳ କ୍ରମେ ତାଙ୍କୁ ପଥ କଡେଇ ନେଇଥିଲା।

                     ହେଲେ ମୋ ମନ ରେ ପ୍ରଶ୍ନ ଆସେ ,ସେ କଣ ପାଇଲେ ? ଯାହାକୁ ବାହା ହେଲେ ସେ ତାର ହୋଇପାରିଲେନି ବା ଆଉ କାହାକୁ ପୁନଃବିବାହ କରିପାରିଲେନି। ସୂର୍ଯ୍ୟ ଙ୍କ ପହିଲି କିରଣ ପଡିବା ଆଗରୁ ଗଙ୍ଗଶିଉଳି ଯେମିତି ଭାରସାମ୍ୟ ହରାଇ ବୃନ୍ତଚ୍ୟୁତ ହୁଏ,ଠିକ୍ ସେପରି ଘଟିଥିଲା ନିର୍ମଳା ଙ୍କ ଜୀବନରେ ।ଅନ୍ୟ ପାଇଁ ଚିନ୍ତା କରି କରି ତାଙ୍କ ଜୀବନ ଆଜି ଶେଷ ସମୟ ରେ ପଦାର୍ପଣ କରିଛି।ନିଜ ପାଇଁ କେବେ କଣ ମନରେ କିଛି ଇଚ୍ଛା ଉଦ୍ରେକ ହୋଇନି ନା ତାଙ୍କ ମନର ଅଙ୍କୁରିତ ସ୍ଵପ୍ନ ସବୁ ରହିଯାଇଛି ଆଜିପଯ୍ୟନ୍ତ ଅପ୍ରକାଶିତ।ଏଇ କ'ଣ ଜୀବନ ???

       (ପାଠକ ଗଣ,ଏଇଟା କାହାଣୀ ନୁହେଁ, ସତ୍ୟପ୍ରକାଶ।ସେ ମହୀୟସୀ ମହିଳା ବାଲ୍ୟବିବାହ କୁ ସମ୍ମାନ ର ସହ ସ୍ଵୀକାର କରି ଜୀବନ ସହିତ ସଂଘର୍ଷ କରିବାର କରୁଣ ଦୃଶ୍ୟ ଗୁଡିକୁ ମୁଁ ଅତି ନିକଟ ରୁ ଦେଖିଛି।)

      ସେ ହେଉଛନ୍ତି ମୋ ଆଇ (ଆଇ ଙ୍କ ଭଉଣୀ),ଏ ପରିଚୟ ଦେବାବେଳେ ମୋ ବିବେକ ମୋତେ ବାଧା ଦେଉଛି।ତେଣୁ କ୍ଷମା କରିବେ ସମ୍ପର୍କ ବ୍ୟକ୍ତ କରିବା ଉଦ୍ଦେଶ୍ୟରେ ମୁଁ ଏହା କହିଛି କିନ୍ତୁ ସେ ମୋ ଜନ୍ମଦାତ୍ରୀ ମାଁ ଠାରୁ ଅଧିକ ପୂଜନୀୟା। କୈାଣସି ପୂଣ୍ୟ ର ଫଳସ୍ଵରୂପ ରୁ ମୁଁ ତା ପାଖରେ ବଢିଛି ଆଉ ତା ମମତା ଭରା ଲାଳନପାଳନ ଶିକ୍ଷା ଦୀକ୍ଷା ଆଜି ପର୍ଯ୍ୟନ୍ତ ମୋ ଦୈନନ୍ଦିନ ଜୀବନରେ ବଂଚିବା ଶିଖାଇଛି। ମୁଁ ମୋ ମାଁ ପାଖରେ ଜନ୍ମାଜନ୍ମାନ୍ତର ର ଋଣୀ ।


Rate this content
Log in

More oriya story from Kalyani Hota

Similar oriya story from Tragedy