ମୁକ୍ତି
ମୁକ୍ତି


ଏ ନୀଳ ଆକାଶ କେତେ ଯେ ସୁନ୍ଦର, ଆକାଶର ଏହି କାନି ତଳେ ଫୁଲ ପରି ଛୋଟ ବଡ ସୁନ୍ଦର ବାଦଲ, ସକାଳର ମୃଦୁ ପବନ ଓ ସୂର୍ଯ୍ୟର ଶୀତଳତା ଠୁ ସନ୍ଧ୍ୟାର ସେହି ମୃଦୁ ପବନ ସହ ଚନ୍ଦ୍ରର ଶୀତଳତା ପ୍ରତ୍ୟକ ଦିନ ଉପଭୋଗ କରେ ରିଦ୍ଧିମା !ସତେ ଅବା କିଏ ଖୋଜୁଛି ତାକୁ ଏବଂ ସେ କାହାକୁ. କେତେ ଯେ ବର୍ଷର ଏ ଲୁଚକାଳି ଖେଳ ତାର ଅନ୍ତରର !
ମା, ଛୋଟ ମା ଭିତରକୁ ଆସ, କେତେ ଦିନ ଏହିପରି ଏଠି ବସିବ? ପଚାରିଲେ ରାଘବ ମଉସା. ବଡ ମା ଯିବାର ଆଜକୁ ମାସେ ଉପରେ ହେଲାଣି ପ୍ରତିଦିନ ତୁମେ ଆସି ଏ ଗଛ ମୂଳେ ପୁରା ପୁରା ଦିନବସି ତାଙ୍କ କଥା ମନେ ପକାଇ କାନ୍ଦୁଛ, ମୁଁ ଆଉ ତୁମର ଏ ଅବସ୍ଥା ଦେଖି ପାରୁନି ଘରକୁ ଚାଲ, ଚାକର ହେଲେ କଣ ମୁଁ ଏଇ ହାତରେ ତୁମକୁ ଛୋଟରୁ ବଡ କରିଛି. ରିଦ୍ଧିମା ମଉସାଙ୍କ ମୁହଁକୁ ଚାହିଁଲା ଆଖିରେ ତାର ଲୁହ ଆଉ ନାହିଁ ସମୟର ସ୍ରୋତ ତାକୁ ଶୁଖାଇ ଦେଲାଣି ସତେ ଅବା ପଥର ପାଲଟି ଯାଇଛି ତାର ଅସ୍ତିତ୍ବ. କିଛି ନ କହି ଘର ଭିତରକୁ ମୁହାଁଇଲା ରିଦ୍ଧିମା.
ଏଇଯେ କାଲି ପରି ଲାଗୁଛି ତାର ପ୍ରତ୍ୟକ ସ୍ମୃତି. ଏଇ କଦମ୍ବ ଗଛ ତଳେ ତାର ପ୍ରତିଟି ବାଲ୍ୟ ଖେଳ ବିତାଇଛି ମା ର କାନି ଧରି. ଧରିଛି ଯୁବା ଅବସ୍ଥାର ହାତ । ଭଲ ପ୍ରସ୍ତାବ ସରକାରୀ ଚାକିରୀ ,ଅଭିଜାତ୍ୟ ପରିବାରର ପୁଅ ଅଭିନାଶ ସହ ବାନ୍ଧି ହୋଇଛି ବିବାହର ବନ୍ଧନର. ବିବାହର କିଛି ଦିନ ପରେ ଜାଣି ପାରିଥିଲା ଅଭିନାଶର ପରକୀୟା ପ୍ରୀତି ସମ୍ପର୍କରେ । ଚାହିଁ କରି ମଧ୍ୟ୍ୟ ବାପା ମାଙ୍କ ସଂସ୍କାର ସମାଜରେ ଥିବା ପାରିବାରିକ ପ୍ରତିଷ୍ଠା ବାଧ୍ୟ କରିନେଲା ତାକୁ ସବୁ ସହିବାକୁ.
ମାତୃତ୍ୱର ସ୍ୱାଦ ଦେଇଛି ତାକୁ ସମ୍ବିତ, ଆଜିକାଲି ଲଣ୍ଡନରେ ରହୁଛି ସେ ତାର ପରିବାରକୁ ନେଇ. ଅଭିନାଶ ଆଜିଭି ସର୍ବଦା କାର୍ଯ୍ୟରତ ଏବଂ ସମାଜରେ ଏକ ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ. ରିଦ୍ଧିମା ମଧ୍ୟ ସୁ ଗୃହିଣୀ ଏକ ଆଦର୍ଶ ସ୍ତ୍ରୀ ଏବଂ ମା.ସବୁ ତ ଅଛି, ତଥାପି ଏକ ଖାଲିପଣ.
ମା ଅନ୍ତଅକାଳରେ ଆସିଥିଲା ରିଦ୍ଧିମା ଘରକୁ, ଫେରିବାର ଇଛା ନାହିଁ ତାର ସତେ ଅବା ଥକି ପଡିଛି.
ଏଇଯେ ଚାହୁଁ ଚାହୁଁ ପୁଣି ସନ୍ଧ୍ୟା, ପୁଣି ସେ ମୃଦୁ ପବନ, ସେ ଜହ୍ନର ଶୀତଳତା, ରାଘବ ମଉସା... ମା, ରିଦ୍ଧିମା ମା ଉଠ ଘରକୁ ଚାଲ, ସନ୍ଧ୍ୟା ଗଡିଗଲାଣି, କିନ୍ତୁ ରିଦ୍ଧିମା ର ସରି ଯାଇଛି ସବୁ କର୍ତବ୍ୟ, ସରି ଯାଇଛି ତାର ବର୍ଷ ବର୍ଷର କୋହମୟ ଆର୍ତ୍ତରଣ, ଆଜି ଆଉ ଏକ ସୀତା ଶୋଇ ପଡିଛି ମା ର କୋଳରେ. ବଢ଼ି ଯାଇଛି ରିଦ୍ଧିମାର ଆକାଶରେ ଆଉ ଏକ ତାରା . ପାଇଛି ସେ ତାର ନାରୀତ୍ୱରୁ ମୁକ୍ତି.