STORYMIRROR

Chittaranjan Nanda

Inspirational

3  

Chittaranjan Nanda

Inspirational

ମୋହିନୀ ମୋହନ

ମୋହିନୀ ମୋହନ

6 mins
220

*******************************

ଯୁକ୍ତିବାଦୀ ଦାର୍ଶନିକ ମୋହିନୀ ମୋହନ

*******************************

ଯୁବକ ଥିଲେ ୨୩ ବର୍ଷର. ଏବଟ୍ ଲିଖିତ ନେପୋଲିଅନ୍ ବୋନାପାର୍ଟଙ୍କ ଜୀବନୀ ଥିଲା ତାଙ୍କର ପ୍ରିୟ. ଏହି ପୁସ୍ତକ ଦ୍ୱାରା ସେ ପ୍ରଭାବିତ ଥିଲେ ଆଦ୍ୟକାଳରୁ. ପରବର୍ତ୍ତୀ ସମୟରେ ବହୁ ଇଂରେଜୀ ସାହିତ୍ୟ , ଫରାସୀ ବିପ୍ଳବର ଗାଥା , ଭାରତୀୟ ଶାସ୍ତ୍ର ଏବଂ ଓଡ଼ିଆ ସାହିତ୍ୟର ବିଭିନ୍ନ ପୁସ୍ତକ ପଠନର ସ୍ପୃହା ତାଙ୍କୁ ଜଣେ ବିଦ୍ୱାନ ଓ ଦାର୍ଶନିକ ଭାବେ ପରିଚିତ କରାଇ ଥିଲା.

ଭକ୍ତକବି ମଧୁସୂଦନଙ୍କ ସଂସ୍ପର୍ଶରେ ଆସି ବ୍ରାହ୍ମଧର୍ମ ପ୍ରତି ଆକୃଷ୍ଟ ହୋଇଥିଲେ ମୋହିନୀ ବାବୁ. ଉପାସନା ସମୟରେ ମଧୁସୂଦନଙ୍କ ଭାଷାର ଗାମ୍ଭୀର୍ଯ୍ୟ ଓ ମାଧୁରୀ କଟକ ସହରର ଶିକ୍ଷିତ ମଣ୍ଡଳୀଙ୍କୁ କରିଥିଲା ବହୁ ଭାବରେ ଆକର୍ଷିତ. ଈଶ୍ଵର ଓ ପରକାଳ ବିଶ୍ଵାସର ଦାର୍ଶନିକ ଭିତ୍ତି ଜାଣିବା ସକାଶେ, ଦର୍ଶନ ବିଦ୍ୟାରେ ବି .ଏ . ପଢି଼ଲେ ମୋହିନୀ ମୋହନ. ସେତେବେଳେ ବଙ୍ଗଳାର ବ୍ରାହ୍ମଧର୍ମୀ ସାହିତ୍ୟିକ ନଗେନ୍ଦ୍ର ନାଥ ଚଟୋପାଧ୍ୟାୟଙ୍କ 'ଧର୍ମ ଜିଜ୍ଞାସା' ପୁସ୍ତକ ଓ ହିନ୍ଦୁ ଧର୍ମର ଜଣେ ପୃଷ୍ଠପୋଷକ ରାୟବାହାଦୂର ଯତୀନ୍ଦ୍ର ମୋହନ ସିଂହଙ୍କ ' ସାକାର ଓ ନିରାକାର ତତ୍ତ୍ଵ ବିଚାର ' ପୁସ୍ତକ ଦ୍ଵୟ ସାକାର ଉପାସନାର ଯୁକ୍ତି ଯୁକ୍ତତା ଏବଂ ନିରାକାର ଉପାସନାର ଭ୍ରାନ୍ତି ପ୍ରତିପାଦନ କରିବାକୁ ବ୍ୟଗ୍ର. ଏହି ତର୍କ ବିତର୍କ ଦ୍ଵାରା ମୋହିନୀ ମୋହନଙ୍କ ଧର୍ମ ବିଶ୍ଵାସ ହେଲା ଶିଥିଳ. ତାଙ୍କର ବିଶ୍ବାସ ଥିଲା, ବ୍ରହ୍ମବାଦୀମାନେ ମିଛ କହନ୍ତି ନାହିଁ ଏବଂ ଯେତେ ବେଳେ ସେମାନେ ଈଶ୍ଵର ଦର୍ଶନ କରିଛନ୍ତି , ସେମାନେ ଜଣେ ଜଣେ କ୍ଷୁଦ୍ର ଈଶ୍ଵର ! କିନ୍ତୁ ତଥାକଥିତ ବ୍ରହ୍ମବାଦୀମାନଙ୍କ ଆଚରଣ ଦେଖି ସେ ହେଲେ କ୍ଷୁବ୍ଧ ଏବଂ ଧର୍ମର ଆବରଣ ଭେଦ କରି ଉପନୀତ ହେଲେ ନାସ୍ତିକତାରେ.୧୯୩୫ ମସିହା ଡିସେମ୍ବର ମାସ ଏକ ତାରିଖ. ନବଯୁଗ ସାହିତ୍ୟ ସଂସଦର ଏକ ଆଲୋଚନା ଚକ୍ର କଟକରେ ଆୟୋଜିତ. ସଭାପତି ମୋହିନୀ ମୋହନ ସେନାପତି. ଅଭିଭାଷଣ ପ୍ରଦାନ କରିବାକୁ ଯାଇ କହିଲେ -- 

  "କେତେକ ଧାର୍ମିକ ଅଛନ୍ତି ଯେଉଁମାନେ କହନ୍ତି ଯେ ସେମାନେ ଭଗବାନଙ୍କୁ ଦେଖି ଅଛନ୍ତି । ଯାହାଙ୍କର ଅସ୍ତିତ୍ବ ନାହିଁ ଲୋକେ ତାହାଙ୍କୁ ଦେଖନ୍ତି କିପରି ? ପ୍ରାଚୀନ କାଳରେ ଆର୍ଯ୍ୟ ଋଷିମାନେ ଭଗବାନଙ୍କୁ ଦେଖିବା ପାଇଁ ସୋମରସ ପାନ କରୁଥିଲେ , ଆଜିକାଲି ମଧ୍ୟ ଅନେକ ସନ୍ୟାସୀ ସେହି ଉଦ୍ଦେଶ୍ୟରେ ଗଞ୍ଜା ସେବନ କରି ଥାଆନ୍ତି । ଯେ ପର୍ଯ୍ୟନ୍ତ ମସ୍ତିଷ୍କ ପ୍ରକୃତିସ୍ଥ ଥାଏ ସେ ପର୍ଯ୍ୟନ୍ତ ସେ ପର୍ଯ୍ୟନ୍ତ ସେ ଅଳୀକ ବସ୍ତୁ ଦର୍ଶନ କରି ପାରେ ନାହିଁ। ଏଥିପାଇଁ ଧାର୍ମିକ ମାନେ ପ୍ରକୃତିସ୍ଥ ନ ହୋଇ ଅପ୍ରକୃତିସ୍ଥ ହେବା ଅଧିକ ବାଞ୍ଛନୀୟ ମନେ କରନ୍ତି । ଧାର୍ମିକ ଓ ପାଗଳ ଏକ - ଶ୍ରେଣୀଭୁକ୍ତ । ସଭ୍ୟ ଯୁଗରେ ଧାର୍ମିକ ମାନେ ଗଞ୍ଜା ଓ ସୋମରସ ପରିତ୍ୟାଗ କରି ଅଛନ୍ତି ସତ୍ୟ , ସେମାନେ ବାତୁଳତାର ଅନ୍ୟ ଗୋଟିଏ ପନ୍ଥା ଅବଲମ୍ବନ କରନ୍ତି। ଯୋଗ ଦ୍ୱାରା ଆମ୍ଭେମାନେ କୌଣସି ଗୋଟିଏ ବିଷୟରେ ଅଧିକ କାଳ ମନଃସଂଯୋଗ କଲେ ତାହା ପ୍ରତ୍ୟକ୍ଷ - ଜ୍ଞାନ ବୋଲି ପ୍ରତୀତି ହୁଏ । ଏହି ଚିତ୍ତଭ୍ରାନ୍ତି ( Hallucination ) ଯୋଗର ଅବଶ୍ୟମ୍ଭାବୀ ଫଳ । ଏତଦ୍ଦାରା ଭଗବାନ , ମୃତଲୋକ ଏବଂ ନାନାରୂପ ଅଳୀକ ବସ୍ତୁ ପ୍ରତ୍ୟକ୍ଷୀଭୂତ ହୋଇଥାଏ । ଆଜିକାଲି ଭଗବାନଙ୍କୁ ଦର୍ଶନ କରିବାର ଏହା ଗୋଟିଏ ପ୍ରଶସ୍ତ ପନ୍ଥା । ଧାର୍ମିକ ମାନେ ଉପବାସ ପ୍ରଭୃତି ଯେତେ ପ୍ରକାର କୁଚ୍ଛ୍ର ସାଧନା କରି ଥାଆନ୍ତି ତଦ୍ଦ୍ଵାରା ମସ୍ତିଷ୍କ ଅବଶ ହୋଇଯାଏ । ସେ ଅବସ୍ଥାରେ ଅସତ୍ୟ ସତ୍ୟ ରୂପେ ପ୍ରତ୍ୟକ୍ଷୀଭୂତ ହୁଏ । ଅନେକ ବିଶ୍ୱାସ କରନ୍ତି ଯେ ଭଗବାନଙ୍କୁ ଦର୍ଶନ କଲେ ସ୍ଵର୍ଗପ୍ରାପ୍ତି ହୁଏ । ପ୍ରକୃତିସ୍ଥ ହେବା ପର୍ଯ୍ୟନ୍ତ ମାନବ ଭଗବାନଙ୍କୁ ଦର୍ଶନ କରେ ନାହିଁ । ସେଥିପାଇଁ ଅପ୍ରକୃତିସ୍ଥ ହେବା ଧାର୍ମିକ ମାନଙ୍କର ଇପ୍ସିତ ଅଟେ । ଆଉ ଗୋଟାଏ କାରଣରୁ ଧର୍ମ ପ୍ରତି ଲୋକମାନଙ୍କର ଆସକ୍ତି ଜାତ ହୋଇଥାଏ । ଧର୍ମ ମନ୍ଦିରରେ , ଗିର୍ଜା ଓ ମସଜିଦରେ ଆମ୍ଭେମାନେ ଆମ୍ଭମାନଙ୍କର ସଙ୍ଗୀମାନଙ୍କ ସହ ମିଳିତ ହେଉଁ । ସେଠାରେ ପୁଷ୍ପର ସୌରଭ ଓ ସଙ୍ଗୀତର ମଧୁର ଧ୍ଵନି ଉପଭୋଗ କରୁଁ । ଏହିସବୁ ଆନୁସଙ୍ଗିକ ବ୍ୟାପାର ଯୋଗୁଁ ଆମ୍ଭମାନଙ୍କର ଧର୍ମ ପ୍ରତି ଅନୁରାଗ ଜାତ ହୁଏ। ନାସ୍ତିକ-ସମାଜର ସୌଧ ଶିଖର ଯଦି ପୁରୀ ମନ୍ଦିର ପରି ଗଗନ ଭେଦ କରେ , ପ୍ରକୃତିର ବିରାଟ ଓ ରମ୍ୟ ଦୃଶ୍ୟ ସମ୍ମୁଖରେ ଯଦି ନାସ୍ତିକ-ସୌଧ ସ୍ଥାପିତ ହୁଏ , ଯଦି ପୁଷ୍ପ ଏବଂ ସୁଗନ୍ଧି ଦ୍ରବ୍ୟ ଦ୍ଵାରା ନାସ୍ତିକ-ଅଟ୍ଟାଳିକା ଆମୋଦିତ କରାହୁଏ ଏବଂ ସଙ୍ଗୀତ ଓ ବାଦ୍ୟର ମଧୁର ଧ୍ଵନି ଦ୍ଵାରା ନାସ୍ତିକ-ମନ୍ଦିର ଝଙ୍କୃତ ହୁଏ , ତେବେ ପୃଥିବୀର ଯାବତୀୟ ତୀର୍ଥ ଯାତ୍ରୀମାନେ ଆମ୍ଭ ମାନଙ୍କର ନାସ୍ତିକ ମନ୍ଦିରରେ ପଦାର୍ପଣ କରି କହିବେ--ନାସ୍ତିକ ଧର୍ମ କି ଉଦାର କି ମହତ୍ ! ଧର୍ମର ମହତ୍ତ୍ଵ ଧର୍ମରେ ନାହିଁ, ତାହା ଆନୁସଙ୍ଗିକ ବ୍ୟାପାରରେ ବର୍ତ୍ତମାନ ଅଛି."

 ସମସ୍ତ ଧର୍ମୀୟ ଚେତନା ବିରୁଦ୍ଧରେ ବିଷୋଦଗାର କରି ତରୁଣ ମୋହିନୀ ମୋହନ ୧୯୦୪ ମସିହାରେ ଲେଖିଲେ ପ୍ରବନ୍ଧ ନାସ୍ତିକତାକୁ ସମର୍ଥନ କରି ଯାହା ଉତ୍କଳ ସାହିତ୍ୟରେ ପ୍ରକାଶିତ -- ଓଡ଼ିଆ ସାହିତ୍ୟରେ ନାସ୍ତିକତା ସପକ୍ଷରେ ପ୍ରଥମ ଉପୋଦଘାତ ! 

ଉତ୍କଳ ସାହିତ୍ୟ ପତ୍ରିକାରେ ୧୯୦୪ ମସିହାର ପ୍ରଥମ ସଂଖ୍ୟାରେ ଗୋଟିଏ ପ୍ରବନ୍ଧ ପ୍ରକାଶିତ ହେଲା. ସାରା ପାଠକ ମହଲରେ ବହୁ ବେଗରେ ପ୍ରସାରିତ ହୋଇଗଲା ସେଇ ପ୍ରବନ୍ଧର ବିଷୟବସ୍ତୁ. ଯୁବକ ଜଣକ ଥିଲେ ଦର୍ଶନ ଶାସ୍ତ୍ରର ଛାତ୍ର. ଏକ ସ୍ଵାଧୀନ ବିପ୍ଳବାତ୍ମକ ପ୍ରବନ୍ଧର ପ୍ରଥମ ଅବତାରଣା କରିଥିବା ସେଦିନର ପ୍ରାବନ୍ଧିକ ମୋହିନୀ ମୋହନ ସେନାପତି. ଓଡ଼ିଆ ସାହିତ୍ୟ ଜଗତର ବ୍ୟାସକବି ଫକୀର ମୋହନ ସେନାପତିଙ୍କ ସୁପୁତ୍ର ମୋହିନୀ ମୋହନ. ପ୍ରବନ୍ଧଟିର ରଚନାରେ ସେ ନିଜେ ସ୍ଵୀକାର କରିଥିଲେ

 "ମୋର ମନେହୁଏ ଉତ୍କଳ ସାହିତ୍ୟ କ୍ଷେତ୍ରରେ ମୋ ପୂର୍ବେ ଏପରି ସାହସର କର୍ମ କେହି କରିନଥିଲା. ମୁଁ ଉତ୍କଳକୁ ପ୍ରଥମେ ବିପ୍ଳବର ବାଣୀ ଶୁଣାଇଅଛି."

ଉତ୍କଳ ସାହିତ୍ୟରେ ସେହି ପ୍ରବନ୍ଧର ପ୍ରକାଶନ ପରେ ବହୁ ଆଘାତ ପାଇ ଥିଲେ ପ୍ରାବନ୍ଧିକଙ୍କ ଶୁଭାକାଙକ୍ଷୀ ଭକ୍ତକବି ମଧୁସୂଦନ ରାଓ. କିନ୍ତୁ ରାଧାନାଥ ରାୟ ପ୍ରଶଂସା କରି ଥିଲେ. କବିବରଙ୍କର ଉକ୍ତି ଥିଲା

" ପ୍ରାବନ୍ଧିକ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଧର୍ମ ବିଜ୍ଞାନମାନ ପାଠ କରିଅଛନ୍ତି ଏବଂ ଦେଖିଛନ୍ତି ଯେ ଈଶ୍ଵର ଓ ପରକାଳ ସମ୍ବନ୍ଧୀୟ ତର୍କମାନ ଭ୍ରାନ୍ତ ।"

ମୋହିନୀ ମୋହନ ଯୁକ୍ତିବାଦୀ ଦାର୍ଶନିକ. ତାଙ୍କ ରଚନାର ବୈଶିଷ୍ଟ୍ୟ ହେଉଛି -- 

1. ସ୍ଵାଧୀନ ଅଭିମତ,

2. ଯୁକ୍ତି ମୂଳକ ଆଲୋଚନା, 

3. ପ୍ରକାଶ ଭଙ୍ଗୀରେ ସ୍ଵଛତା,

4. ବିପ୍ଳବାତ୍ମକ ଚିନ୍ତାଧାରା,

 5. ଗତାନୁଗତିକ ଠାରୁ ବହୁ ଦୂରରେ.

"ଜୀବଜନ୍ତୁମାନଙ୍କର ଅଧିକାର" ପ୍ରବନ୍ଧ ଓ ଆଲୋଚନା ମାଧ୍ୟମରେ ସେ ଜୀବ ଜଗତର କଲ୍ୟାଣକାମୀ ମାର୍ଗ ଦେଖାଇଛନ୍ତି. ବୁଦ୍ଧଙ୍କ "ଜୀବେ ଦୟା" ନୀତି ଦ୍ଵାରା ସେ ପ୍ରଭାବିତ. ସେ ସମାଜରୁ ଈଶ୍ଵର ବିଶ୍ଵାସର ନିର୍ବାସନ ପକ୍ଷପାତୀ. 

ନାରୀ ସ୍ବାଧିନତାର ପକ୍ଷପାତୀ ଲେଖକଙ୍କର ସମାଧାନ (ସୂତ୍ର ) ସ୍ଵରୂପ "ସ୍ତ୍ରୀ ମାନଙ୍କର ସ୍ଵାଧୀନ ଜୀବିକା" ଉପରେ ଗୁରୁତ୍ଵାରୋପ. ନାରୀ ସମାଜ ପ୍ରତି ଅସୀମ ସହାନୁଭୂତି ନିହିତ ତାଙ୍କର କେତୋଟି ପ୍ରବନ୍ଧରେ. ତାଂକର Atrocities of the Marriage Law (ବିବାହ ବିଧିର ନୃଶଂସତା) ହେଉଛି ଏକ ଉଚ୍ଚକୋଟୀର ଆଲୋଚନା.ଏହା ସେତେ ବେଳର Statesman ଓ Amrita Bazar Patrika ରେ ପ୍ରକାଶିତ. ପରେ ଭାରତ ବର୍ଷର ଅନ୍ୟାନ୍ୟ ଖବରକାଗଜ ଓ ପତ୍ରିକାରେ ପ୍ରକାଶିତ. ଏହା ସୃଷ୍ଟି କରିଥିଲା ସମଗ୍ର ଦେଶରେ ଗୋଟିଏ ବିପ୍ଳବର ଗାଥା. ଭାରତୀୟ ଦର୍ଶନ, ସଂସ୍କୃତିର ତଥା କଥିତ ବଡ଼ପଣ୍ଡା ମାନେ ଏହାକୁ ସମାଲୋଚନା ତ କରିବେ ! ସେ ବିବାହ ପ୍ରକ୍ରିୟା, ଯୌନ ସ୍ଵାଧୀନତା ସମର୍ଥକ ! 

 ଉତ୍କଳ ସାହିତ୍ୟର ସୁଯୋଗ୍ୟ ସମ୍ପାଦକ ବାଗ୍ମୀ ବିଶ୍ଵନାଥ କର ଶତ ମୁଖରେ ପ୍ରଶଂସା କରିଥିଲେ ଏଭଳି ତର୍କ ସମ୍ବଳିତ ପ୍ରବନ୍ଧଟିକୁ. 

*******************************

ମୋହିନୀ ମୋହନଙ୍କ ଜନ୍ମ ବୃତ୍ତାନ୍ତ....

*******************************

  ମୋହିନୀ ମୋହନ ମାତା କୃଷ୍ଣା କୁମାରୀଙ୍କ ଗର୍ଭରୁ ଜାତ ହେଲେ ୧୮୮୧ ମସିହା ଅକ୍ଟୋବର ମାସ ୧୧ ତାରିଖରେ ଢେଙ୍କାନାଳ ଗଡ଼ଜାତରେ. ବାଲ୍ୟ କାଳ କଟାଇଲେ ବାଲେଶ୍ଵର ସହରରେ. ତେର ବର୍ଷରେ ମାତୃ ବିୟୋଗ ହେତୁ ମାଁ ଛେଉଣ୍ଡ ହୋଇଥିଲେ ମୋହିନୀ. ବାପା ସେତେବେଳେ ଡୋମପଡ଼ା ଦେଓ୍ୟାନ. ରେଭେନ୍ସା କଲିଜିଏଟ୍ ସ୍କୁଲ ହେଲା ମାଧ୍ୟମିକ ଓ ଏଣ୍ଟ୍ରାନସ ଶିକ୍ଷା ମନ୍ଦିର ତାଙ୍କ ପାଇଁ , ତା'ପରେ ରେଭେନ୍ସା କଲେଜରେ ଆଇ .ଏ . ଓ ବି .ଏ .ପାଶ୍ ୧୯୦୨ ସାଲରେ. ଏହା ପରେ ଏକଶତ ଟଙ୍କା ବେତନରେ ସବ୍ ଡେପୁଟି ଚାକିରୀ , ୧୯୧୧ ସାଲରେ ଏମ୍ .ଏ . ପାଶ୍ ପରେ ରେଭେନ୍ସା କଲେଜରେ ଦର୍ଶନ ବିଭାଗ ଅଧ୍ୟାପକ ଏବଂ ସେଇଠୁ ୧୯୩୬ ସାଲରେ ଅବସର ଗ୍ରହଣ.

*******************************

ପିତାଂକର ମତବାଦ ଓ ପୁତ୍ର ମଧ୍ୟେ

ଚିନ୍ତାଧାରା ଥିଲା କୁମେରୁ ଓ ସୁମେରୁ !!.....

*******************************

 ବ୍ୟାସକବି ଥିଲେ ସାହିତ୍ୟାନୁରାଗୀ ଏବଂ ଦୁଃସାହସୀ ଉତ୍ତରାଧିକାରୀ ସୂତ୍ରରେ ବାପାଙ୍କର ସାହିତ୍ୟାନୁରାଗ ସେ ପାଇଥିଲେ. ଦୁଃସାହସୀ ମଧ୍ୟ ଥିଲେ. ନିଜେ ମୋହିନୀ ମୋହନ ସ୍ଵୀକାର କରନ୍ତି ଯେ " ପିତାଙ୍କ ସହିତ ଅନେକ ବିଷୟରେ ସାମ୍ୟ ଥିଲେ ମଧ୍ୟ ପାଠକମାନେ ନାନା ବିଷୟରେ ପ୍ରଭେଦ ଖୋଜି ପାଇବେ । ସେ ପରମ ଭକ୍ତ ଥିଲେ । ଈଶ୍ଵର , ପରକାଳ ଓ ଆତ୍ମା ବିଷୟରେ ତାଙ୍କର ଅଟଳ ବିଶ୍ଵାସ ଥିଲା । ପ୍ରତିଦିନ ସେ ନିୟମିତ ଭାବେ ଉପାସନା କରୁଥିଲେ । ଯେତେବେଳେ ତାଙ୍କର ମୃତ୍ୟୁ ଆସନ୍ନ ହୋଇ ଆସିଲା , ସେ ମୋତେ ଡାକି କହିଲେ ଯେ ସେ ମୋର ମାତାଙ୍କ ସହ ମିଳିତ ହେବାକୁ ଯାଉଛନ୍ତି ଏବଂ ମୋତେ ମୋର ମାତାଙ୍କ ସମାଧି ଠାରେ ପ୍ରଣାମ କରିବାକୁ ଆଦେଶ କଲେ । ସେତେବେଳେ ତାଙ୍କର ମନେ ପଡ଼ିଲା ଯେ ମୁଁ ନାସ୍ତିକ । ମୋତେ ପୁଣି କହିଲେ , " ତୁ ବର୍ତ୍ତମାନ ତୋର ବିଚାର ବୁଦ୍ଧି ତ୍ୟାଗ କରି ତୋର ପରଲୋକଗତ ମାତାଙ୍କର ଚରଣ ତଳେ ପ୍ରଣାମ କର ।"( ବିବିଧ ପ୍ରବନ୍ଧ, ଅବତରଣିକା). ଫକୀରମୋହନ ଅତ୍ୟନ୍ତ ଧର୍ମ ପରାୟଣ ଥିବା ବେଳେ, ପୁତ୍ର ମୋହିନୀ ମୋହନ ଥିଲେ ହେତୁବାଦୀ. ସେ ଥିଲେ ସ୍ଵାଧୀନଚେତା, ସାମ୍ୟ ମୈତ୍ରୀର ଉପାସକ ଏବଂ ଶତାବ୍ଦୀ ଶତାବ୍ଦୀ ଧରି ରହିଥିବା ଧାର୍ମିକ ଜଡ଼ତାର ବିରୋଧରେ ଅଗ୍ରଗାମୀ ବିପ୍ଳବୀ ଦାର୍ଶନିକ !

*******************************

ସେ ଥିଲେ ଓଡ଼ିଶାର ଚାର୍ବାକ୍ (!)--- 

*******************************

ମୋହିନୀମୋହନ ଜଡ଼ବାଦୀ. ଆତ୍ମ ଶୁଦ୍ଧିର ଶ୍ରେଷ୍ଫତ୍ଵ, ବୈଜ୍ଞାନିକ ଯୁକ୍ତିବାଦକୁ ପ୍ରାଧାନ୍ୟ ଦେଉଥିଲେ. ଏହା ଦ୍ଵାରା ଜୀବନ ଓ ଜଗତର ସମସ୍ୟା ବଳି ବିଚାର ଥିଲା ତାଙ୍କର ମନୋଧର୍ମ. ପାରମ୍ପାରିକ ବିଶ୍ୱାସ ଓ ଶାସ୍ତ୍ରନିଷ୍ଠା ପ୍ରଣୋଦିତ ହୋଇ ଯେ କୌଣସି ବିଷୟକୁ ଗତାନୁଗତିକ ଧାରାରେ ବିଚାର ଥିଲା ତାଙ୍କର ପ୍ରକୃତି ବିରୁଦ୍ଧ. ବହୁ ପାଶ୍ଚାତ୍ୟ ଦର୍ଶନ , ଆଲୋଚନା , ଜଡ଼ବାଦୀ ଲେଖକମାନଙ୍କ ଗ୍ରନ୍ଥଟରାଜି ଅଧ୍ୟୟନ ହେତୁ ଜଡ଼ବାଦ ସମ୍ପର୍କରେ ସେ ବହୁ ପ୍ରଭାବିତ. ଜର୍ମାନର ପ୍ରସିଦ୍ଧ ଜଡ଼ବାଦୀ ଦାର୍ଶନିକ ଫ୍ରେଡ଼ରିକ୍ ନିଟେଜଙ୍କ ଦର୍ଶନ ସହ ବେଶ୍ ପରିଚିତ ହେତୁ ଭୌତିକ ବିଶ୍ଵାସ ତାଙ୍କର ଦୃଢ଼ୀଭୂତ. ମୋହିନୀ ମୋହନଙ୍କ ଦୃଷ୍ଟିରେ ମନୁଷ୍ୟ ଜଡ଼ ପରମାଣୁର ସମାହାର, ମନୁଷ୍ୟ ମଧ୍ୟରେ ଆତ୍ମା ବା ଜଗତ୍ ମଧ୍ୟରେ ପରମାତ୍ମା ନାହିଁ. ନୀତିର ମାନଦଣ୍ଡ ଆପେକ୍ଷିକ. ଓଡ଼ିଆ ସାହିତ୍ୟରେ ଏହି ବୈପ୍ଳବିକ ଚିନ୍ତାଧାରା ପାଇଁ ସେ ଅନେକଙ୍କ ଦ୍ଵାରା ସମାଲୋଚିତ. ପରମ୍ପରା ବିରୁଦ୍ଧ ନିର୍ଭୀକ ମତ ପ୍ରକାଶ , ଜଡ଼ବାଦୀ ଦୃଷ୍ଟିର ସମର୍ଥନ ସେବେଳର ସମାଜ ବ୍ୟବସ୍ଥା ଉପରେ ତୀବ୍ର କୁଠାରାଘାତ ! ଫଳତଃ ମୋହିନୀ ମୋହନ ହେଲେ ଶରବ୍ୟ. ସେବେଳର ବ୍ରହ୍ମବାଦୀ ସାହିତ୍ୟିକ ଆନନ୍ଦ ଚନ୍ଦ୍ର ଦତ୍ତ ବିରୋଧ କଲେ ମୋହିନୀ ମୋହନଙ୍କ ଚିନ୍ତାଧାରାକୁ. ତେଣୁ ମୋହିନୀ ମୋହନ ଉତ୍ତର ଦେଇ ଲେଖିଲେ ଉତ୍କଳ ସାହିତ୍ୟ ପତ୍ରିକାରେ. ମୋହିନୀ ମୋହନଙ୍କ ଯୁକ୍ତି , " ଧର୍ମ ଚାହେଁ ଶ୍ରେଷ୍ଠତମର ଜୟ , ପ୍ରକୃତି ଚାହେଁ ଯୋଗ୍ୟତମର ଜୟ , ଯୋଗ୍ୟତମ ଓ ଶ୍ରେଷ୍ଠତମ ସମାନ ନୁହନ୍ତି ।" ଏ ଯୁକ୍ତିର ଅସାରତା ପ୍ରମାଣ କରି ଧର୍ମର ମହିମାଗାନରେ ଆନନ୍ଦ ଚନ୍ଦ୍ରଙ୍କ ଯୁକ୍ତି , "ଯତୋ ଧର୍ମ ସ୍ତତୋ ଜୟ ।" ପୁଣି ମୋହିନୀ ମୋହନଙ୍କ ପ୍ରତ୍ୟୁତ୍ତର.

 ଏ ଧରଣର ଉତ୍ତର ଓ ପ୍ରତ୍ୟୁତ୍ତର ମଧ୍ୟରେ ନଥିଲା କିନ୍ତୁ ବ୍ୟକ୍ତିଗତ ଆକ୍ଷେପ ବା ସଙ୍କୀର୍ଣ୍ଣତା.ଏହା ଥିଲା ଦୁଇଟି ପରଷ୍ପର ବିରୋଧୀ ମତବାଦର ଯୁକ୍ତିନିଷ୍ଠ ତର୍ଜମା ଏବଂ ବ୍ୟବଚ୍ଛେଦ ! 

ସର୍ବୋପରି-------

ସର୍ବୋପରି କୁସଂସ୍କାର ମୁକ୍ତ ସ୍ରଷ୍ଟା ଚିତ୍ତର ବିପ୍ଳବ ବାଣୀ , ବାସ୍ତବ ସମସ୍ୟା ସଚେତନ ଦୃଷ୍ଟିଭଙ୍ଗୀ, ଯୁକ୍ତିରେ ଅଟଳ ବିଶ୍ଵାସ , ସ୍ଵାଧୀନ ଚିତ୍ତତାର ଚିହ୍ନ ତାଙ୍କ ରଚନାରେ ସୁସ୍ପଷ୍ଟ. କିନ୍ତୁ ପ୍ରତ୍ୟେକ ରଚନା ପଛରେ ଅକାଟ୍ୟ ଯୁକ୍ତି ସହ ନିର୍ଭୀକ ଅଭିମତ ପ୍ରତିଷ୍ଠାର ଦୃଢ଼ ପ୍ରୟାସ !! 



Rate this content
Log in

Similar oriya story from Inspirational