Pradeep Kumar Panda

Abstract Fantasy Inspirational

3  

Pradeep Kumar Panda

Abstract Fantasy Inspirational

ମହିଳା

ମହିଳା

5 mins
7


ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ‘ଅନ୍ତର୍ଜାତୀୟ ମହିଳା ଦିବସ’ ରୂପେ ପାଳନ କରାଯାଏ। ଭେଦଭାବ ଓ ଲିଙ୍ଗଗତ ଅସମାନତା ସତ୍ତ୍ବେ ଅତୁଟ ଦୃଢ଼ତା ଓ ସ୍ଥିରତାରେ ବ୍ରତୀ ପ୍ରତ୍ୟେକ ମହିଳାଙ୍କୁ ଏହି ଦିବସ ସମର୍ପିତ। ଏହି ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ମହିଳାଙ୍କ ସଫଳତା, ସଂଘର୍ଷ ଏବଂ ଲିଙ୍ଗଗତ ସମାନତାର ଅଧିକାରକୁ ବଜାୟ ରଖିବା। ଚଳିତ ବର୍ଷ ‘ଅନ୍ତର୍ଜାତୀୟ ମହିଳା ଦିବସ’ ଦୁଇଟି ଉପାଦାନ ଉପରେ କେନ୍ଦ୍ରୀଭୂତ। ପ୍ରଥମଟି ହେଉଛି ଏ ବର୍ଷର ଶୀର୍ଷକ ‘ଇନଭେଷ୍ଟ ଇନ ଓମେନ: ଆକ୍ସିଲିରେଟ ପ୍ରୋଗ୍ରେସ’ ବା ‘ମହିଳାଙ୍କ ଉପରେ ନିବେଶ: ତ୍ୱରାନ୍ୱିତ ପ୍ରଗତି’ ଏବଂ ଦ୍ୱିତୀୟଟି ସ୍ୱତନ୍ତ୍ର ଅଭିଯାନ, ଯାହାର ବିଷୟବସ୍ତୁ ହେଉଛି ‘ଇନସ୍ପାୟାର ଇନକ୍ଲୁଜନ’ ବା ‘ଅନ୍ତର୍ଭୁକ୍ତୀକରଣ ପାଇଁ ପ୍ରେରଣା’। ମହିଳାଙ୍କ ‘ଅନ୍ତର୍ଭୁକ୍ତୀକରଣ’ ଓ ‘ପ୍ରେରଣା’ ଉଭୟ ବ୍ୟକ୍ତିବିଶେଷ ଏବଂ ଅନୁଷ୍ଠାନ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଏକ ପ୍ରଗତିଶୀଳ ଏବଂ କଲ୍ୟାଣକାରୀ ରାଜ୍ୟ ଗଠନ ପାଇଁ ମହିଳାମାନଙ୍କୁ ଆନୁଷ୍ଠାନିକ ପ୍ରେରଣା ଦେବା ସହ ବିକାଶ ପ୍ରକ୍ରିୟାରେ ସାମିଲ କରିବା ଅତ୍ୟନ୍ତ ଆବଶ୍ୟକ। ବହୁ ପ୍ରତୀକ୍ଷିତ ଏକ ସାମୂହିକ ଅଂଶଗ୍ରହଣ ଥିବା ଲିଙ୍ଗ ନିରପେକ୍ଷ ସମାଜ ଗଠନ ପାଇଁ ଏହା ଏକ ମାର୍ଗ। ମୁଖ୍ୟ କଥା ହେଲା, ଯେତେବେଳେ ମହିଳାମାନେ ନିଜେ ଏ ମାର୍ଗରେ ସାମିଲ ହେବା ପାଇଁ ପ୍ରେରଣା ପାଆନ୍ତି, ସେତେବେଳେ ନିଜତ୍ୱ, ବ୍ୟକ୍ତିବିଶେଷର ପ୍ରାସଙ୍ଗିକତା ଏବଂ ସଶକ୍ତୀକରଣର ଭଳି ଭାବନାର ପରିପ୍ରକାଶ ହୋଇଥାଏ।

ମହିଳାମାନଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରେରଣା ଦେବା କେବଳ ସୁଶାସନ ପାଇଁ ଜରୁରୀ ନୁହେଁ, ବରଂ ପ୍ରକୃତ ନେତୃତ୍ୱର ପ୍ରତୀକ ମଧ୍ୟ। ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ମହିଳାମାନଙ୍କୁ ଅନ୍ତର୍ଭୁକ୍ତ କରିବା ଦ୍ୱାରା ବିବିଧ ଦୃଷ୍ଟିକୋଣ ସମ୍ପନ୍ନ ସମାଜ ଗଢ଼ିଉଠେ। ମହିଳାଙ୍କ ମଧ୍ୟରେ ସୃଜନଶୀଳତା ଓ ବିଶ୍ୱାସ ବୃଦ୍ଧି ପରିଶେଷରେ ଏକ ଉନ୍ନତ ପ୍ରଶାସନିକ, ସୁଶାସନ ଓ ସମାବେଶୀ ସମାଜ ସୃଷ୍ଟି କରେ। ଓଡ଼ିଶାର ସୁଶାସନ ମଡେଲ ହେଉଛି ସମାବେଶୀ, ଅହିଂସ-ଅର୍ଥନୀତି ଓ ସ୍ଥାୟୀ ବିକାଶ ଲକ୍ଷ୍ୟ ଭଳି ଉପାଦାନର ମିଶ୍ରଣ। ଏହି ଉପାଦାନଗୁଡ଼ିକ ମଧ୍ୟରୁ ଗୋଟିଏ ସାଧାରଣ ନୀତି ହେଉଛି ମହିଳାଙ୍କ ସଶକ୍ତୀକରଣ ଓ ଅନ୍ତର୍ଭୁକ୍ତୀକରଣ। ଓଡ଼ିଶା ସରକାର ଏଥିପ୍ରତି ଦୃଢ଼ ଅଙ୍ଗୀକାରବଦ୍ଧତା ପ୍ରଦର୍ଶନ କରୁଛନ୍ତି। ଏଥିରେ ମହିଳାଙ୍କ ସାମାଜିକ-ଅର୍ଥନୈତିକ ସ୍ଥିତିରେ ଉନ୍ନତି ହେଉଛି। ସୁଶାସନରେ ମହିଳାଙ୍କ ସକ୍ରିୟ ଅଂଶଗ୍ରହଣ କରିବା ଉଦ୍ଦେଶ୍ୟରେ ନବୀନ ସରକାର ଅନେକ ନୀତି ଓ କାର୍ଯ୍ୟକ୍ରମ ପ୍ରଚଳନ ଏବଂ କାର୍ଯ୍ୟକାରୀ କରିଛନ୍ତି। ମୋଟ ଉପରେ କହିବାକୁ ଗଲେ ଓଡ଼ିଶାର ସୁଶାସନରେ ‘ଅନ୍ତର୍ଜାତୀୟ ମହିଳା ଦିବସ’ର ବିଷୟବସ୍ତୁର ସଠିକ ଉପଯୋଗ କରାଯାଉଛି।

ନବୀନ ସରକାରଙ୍କ ମହିଳା ଅନ୍ତର୍ଭୁକ୍ତୀକରଣ ଓ ପ୍ରେରଣାର ଧାରଣା ଦୁଇଟି ତତ୍ତ୍ୱ ଉପରେ ଆଧାରିତ। ପ୍ରଥମଟି ହେଉଛି ସାମର୍ଥ୍ୟ ଆଭିମୁଖ୍ୟ(କାପାବିଲିଟି ଆପ୍ରୋଚ)। ଏହା ନୋବେଲ୍‌‌ ପୁରସ୍କାର ବିଜେତା ବିଶିଷ୍ଟ ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନ୍‌‌ ଏବଂ ମାର୍ଥା ନୁସବମ୍‌‌ଙ୍କ ଦ୍ୱାରା ବିକଶିତ ପଦ୍ଧତି। ବ୍ୟକ୍ତିବିଶେଷଙ୍କ ଦକ୍ଷତା ବୃଦ୍ଧି ଉପରେ ଏ ସିଦ୍ଧାନ୍ତ ଗୁରୁତ୍ୱ ଦେଇଥାଏ। ଏହାର ଉଦ୍ଦେଶ୍ୟ ହେଉଛି ନାଗରିକମାନେ କିଭଳି ନିଜ ଜୀବନକୁ ଗୁରୁତ୍ୱ ଦେବା ଉଚିତ। ଅମର୍ତ୍ତ୍ୟ ସେନ୍‌‌ଙ୍କ ସିଦ୍ଧାନ୍ତରେ ମହିଳାଙ୍କ ସାମର୍ଥ୍ୟ ଓ ସ୍ୱାଧୀନତାକୁ ବିସ୍ତାର କରିବା ଭଳି ବ୍ୟବସ୍ଥା ଏବଂ ପରିବେଶ ଉପରେ ଗୁରୁତ୍ୱରୋପ କରାଯାଇଛି, ଯାହା ମହିଳାଙ୍କ ଉନ୍ନତି ପାଇଁ ଅପରିହାର୍ଯ୍ୟ। ଦ୍ୱିତୀୟଟି ହେଉଛି ସଶକ୍ତୀକରଣ ସିଦ୍ଧାନ୍ତ(ଏମପାୱାରମେଣ୍ଟ ଥିଓରୀ)। ଏହି ସିଦ୍ଧାନ୍ତ ମହିଳାଙ୍କ ସଂଗଠନ ଏବଂ ଚୟନ କ୍ଷମତା ବୃଦ୍ଧି ଉପରେ ପର୍ଯ୍ୟବସିତ। ଚୟନର ଅଧିକାର ହିଁ ମହିଳାଙ୍କ ଜୀବନକୁ ପ୍ରଭାବିତ କରିଥାଏ। ଏହି ସିଦ୍ଧାନ୍ତ ଶିକ୍ଷା, ସମ୍ୱଳର ଉପଲବ୍ଧତା ଏବଂ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ମହିଳାଙ୍କ ଅଂଶଗ୍ରହଣ ଉପରେ କେନ୍ଦ୍ରୀଭୂତ।

ପ୍ରଶ୍ନ ଆସେ, ମହିଳାଙ୍କ ଉପରେ ନିବେଶ କିପରି ହେବ, ଏହାର ରୂପରେଖ କେମିତି ହେବା ଉଚିତ? ମହିଳାଙ୍କ କ୍ଷେତ୍ରରେ ନିବେଶ କରିବା କେବଳ ଏକ ନୈତିକ ଆବଶ୍ୟକତା ନୁହେଁ; ଏହା ଏକ ରାଜନୈତିକ – ଅର୍ଥନୈତିକ ନିଷ୍ପତ୍ତି। ମହିଳାମାନଙ୍କ ଉପରେ ନିବେଶର ଅର୍ଥ ହେଉଛି ଶିକ୍ଷା, ସ୍ୱାସ୍ଥ୍ୟସେବା, ଆର୍ଥିକ ସମ୍ୱଳ, ନେତୃତ୍ୱ ଏବଂ ଉଦ୍ୟୋଗରେ ମହିଳାଙ୍କୁ ସମାନ ସୁଯୋଗ ପ୍ରଦାନ କରିବା। ଏକ ଭେଦଭାବଶୂନ୍ୟ, ହିଂସାମୁକ୍ତ ଓ ଏକ ସହାୟକ ପରିବେଶ ସୃଷ୍ଟି କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ। ମାହାତ୍ମା ଗାନ୍ଧୀଙ୍କ ମତରେ ‘ମହିଳାଙ୍କ ଜାଗରଣ ଆସିଲେ ଏବଂ ସଚେତନତା ଆସିଲେ, ପରିବର୍ତ୍ତନକୁ ଅଟକାଇବା କଷ୍ଟ’। ଏହାକୁ ମନ୍ତ୍ର ଓ ଦର୍ଶନ ଭାବେ ଗ୍ରହଣ କରିଛନ୍ତି ନବୀନ ସରକାର। ମହିଳାମାନେ କିପରି ସ୍ଥାନୀୟ ଶାସନ ଓ ନିଷ୍ପତ୍ତି ନେବାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିପାରିବେ ଓ ଏକ ବ୍ୟାପକ ସାମାଜିକ ପରିବର୍ତ୍ତନ ଆଣିପାରିବେ, ସେଥିପାଇଁ ନବୀନ ସରକାର ଓ ‘୫-ଟି’ କାର୍ଯ୍ୟକ୍ରମ ସର୍ବଦା ତତ୍ପର। ଉଦାହରଣ ସ୍ୱରୂପ, ଓଡ଼ିଶାରେ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ସମେତ ପିଆରଆଇରେ ମହିଳାଙ୍କ ପାଇଁ ପଚାଶ ପ୍ରତିଶତ ଆସନ ସଂରକ୍ଷିତ ରହିଛି। ସେହିପରି ନାରୀ ଶିକ୍ଷା ହିଁ ନାରୀ ଉପରେ ଆଉ ଏକ ନିବେଶ। ‘ଇଣ୍ଡିଆନ ଓପିନିୟନ’ର ଏକ ସଂସ୍କରଣରେ ଗାନ୍ଧିଜୀ ଫ୍ରାନ୍ସର ସମାଜସେବୀ ଏମ ଲାଭିସଙ୍କ ଭାଷଣକୁ ସୂଚିତ କରିଛନ୍ତି। ଭାଷଣର କିଛି ଅଂଶ ଠିକ ଏମିତି – ‘ଝିଅମାନେ! ତୁମେ ଅନେକ କିଛି ଶିଖିବାର ଅଛି। ଛୁଞ୍ଚି ଏବଂ କଇଁଚିର କାମ ସହ ଅର୍ଥ ଉପାର୍ଜନ ଓ ଖର୍ଚ୍ଚ କରିବାର କୌଶଳ, କାର୍ଯ୍ୟ ଏବଂ କଳା ଶିଖିବାର ଅଛି। କେବଳ ଘରର ଚାରିକାନ୍ଥ ଭିତରେ ବନ୍ଦୀ ହୋଇ ରହିବା ମହିଳାଙ୍କ ଜୀବନ ନୁହେଁ। ଦେଶ, ସାଧାରଣ ଜ୍ଞାନ ଓ ପୃଥିବୀର ଖବର ଜାଣିବା ପ୍ରତ୍ୟେକ ନାରୀର କର୍ତ୍ତବ୍ୟ।’ ଗାନ୍ଧୀଙ୍କ ମତରେ ନାରୀ ଶିକ୍ଷାଦାନ ପାଇଁ କେବଳ ସ୍କୁଲ ଗଢ଼ିଦେଲେ ହେବନି। ସେଥିପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ଦରକାର। ଗାନ୍ଧୀ ଆଦର୍ଶରେ ଅନୁପ୍ରାଣିତ ନବୀନ ସରକାର ନାରୀ ଶିକ୍ଷା ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରୁଛନ୍ତି। ପରିବହନ ପାଇଁ ‘ଲଷ୍ମୀ’ ଯୋଜନା, ଶିକ୍ଷାରେ ଆର୍ଥିକ ସହାୟତା ପାଇଁ ‘ନୂଆ-ଓ’ ସ୍କଲାରସିପ, ‘ମୋ ସ୍କୁଲ’, ‘ସ୍ମାର୍ଟ କ୍ଲାସ’ ଓ ‘ସବଳା’(କିଶୋରୀ ମାନଙ୍କ ସଶକ୍ତୀକରଣ ପାଇଁ ରାଜୀବ ଗାନ୍ଧୀ ଯୋଜନା) ଭଳି ଯୋଜନାକୁ ତ୍ୱରାନ୍ୱିତ କରାଯାଉଛି। ସ୍ୱାସ୍ଥ୍ୟ, ସ୍ୱଚ୍ଛତା, ପୋଷଣ ଏବଂ ପରିବାର କଲ୍ୟାଣ ବିଷୟରେ ସ୍କୁଲରେ ସଚେତନତା ସୃଷ୍ଟି କରାଯାଉଛି।

ଏହାଛଡ଼ା ଓଡ଼ିଶାରେ ମହିଳା ଅନ୍ତର୍ଭୁକ୍ତୀକରଣ ଓ ସଶକ୍ତୀକରଣ ଉଦ୍ଦେଶ୍ୟରେ ରାଜ୍ୟ ସରକାର ‘ମିଶନ ଶକ୍ତି’ ଭଳି ଅନେକ ମହିଳା କୈନ୍ଦ୍ରିକ ନୀତି ଓ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିଛନ୍ତି, ଯାହା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କୁ ସମ୍ୱଳ ଓ ପ୍ରଶିକ୍ଷଣ ପ୍ରଦାନ କରୁଛି। ୨୦୦୧ ମସିହା ‘ଅନ୍ତର୍ଜାତୀୟ ମହିଳା ଦିବସ’ ଅବସରରେ ଆରମ୍ଭ ହୋଇଥିବା ‘ମିଶନ ଶକ୍ତି’ର ଲକ୍ଷ୍ୟ ହେଉଛି ଏକ ମହାସଂଘ ବା ଫେଡେରେସନ ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରିବା। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଏକ ଜୀବନ୍ତ ଆର୍ଥିକ କେନ୍ଦ୍ରରେ ସଂଗଠିତ କରିବା ହେଉଛି ଏହାର ଦର୍ଶନ। ୭୦ ଲକ୍ଷରୁ ଅଧିକ ମହିଳାଙ୍କୁ ୬ ଲକ୍ଷ ଡବ୍ଲ୍ୟୁ.ଏସ.ଏଚ.ଜିରେ ସଂଗଠିତ କରିବା ସହ ସଶକ୍ତ ଓ ଅନ୍ତର୍ଭୁକ୍ତୀକରଣ କରାଯାଇଛି। ବିହନ ଅର୍ଥ, ବଜାର ସଂଯୋଗ ଓ କ୍ରେଡିଟ୍‌‌ ଲିଙ୍କେଜ୍‌‌(ଋଣ ସଂଯୋଗ) ସହ ସମୁଦାୟ ୧୫, ୦୦୦ କୋଟି ଟଙ୍କା ମହିଳାଙ୍କୁ ପ୍ରଦାନ କରାଯାଇଛି। ‘ମିଶନ ଶକ୍ତି’ କାର୍ଯ୍ୟକ୍ରମ ଦ୍ୱାରା ମହିଳାଙ୍କ ବ୍ୟାପକ ଅନ୍ତର୍ଭୁକ୍ତୀକରଣ ହେଉଛି। ସରକାରୀ ବିଭାଗରେ ନିୟୋଜିତ ହେବା, ସ୍ୱାସ୍ଥ୍ୟ ମିତ୍ର, ଜଳ ସାଥୀ, ଟିକସ ସଂଗ୍ରହକାରୀ, ବ୍ୟାଙ୍କିଙ୍ଗ ଓ ସମ୍ୱାଦଦାତା ଭାବରେ କାର୍ଯ୍ୟ କରିବା ପାଇଁ ସୁଯୋଗ ମିଳୁଛି। ଏସ.ଏଚ.ଜି.ର ଯୁବତୀମାନଙ୍କୁ ଫ୍ୟାଶନ, ଜୀବନଶୈଳୀ ଏବଂ ଇ-କମର୍ସ ଭଳି ଆଧୁନିକ ବ୍ୟବସାୟରେ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି। ଜେଣ୍ଡର ବଜେଟ୍‌‌ ୨୦୨୩-୨୪ରେ ‘ମିଶନ ଶକ୍ତି’ ବିଭାଗକୁ ୪୧.୫୭% ଆବଣ୍ଟନ କରାଯାଇଛି। ଏହା ମହିଳା ଅନ୍ତର୍ଭୁକ୍ତୀକରଣ ପାଇଁ ପ୍ରେରଣା। ସମଗ୍ର ଭାରତ ପାଇଁ ଏକ ଉଦାହରଣ।

ସ୍ୱାସ୍ଥ୍ୟ ସେବାରେ ମହିଳାଙ୍କୁ ଅନ୍ତର୍ଭୁକ୍ତ କରିବା ବିକାଶ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହି ପରିପ୍ରେକ୍ଷୀରେ, ଶିଶୁ ଓ ମାତୃ ମୃତ୍ୟୁହାର ରୋକିବା ସହ ପୁଷ୍ଟିହୀନତା ଦୂରୀକରଣ ପାଇଁ ୨୦୧୧ମସିହାରେ ଓଡ଼ିଶାରେ ଆରମ୍ଭ ହୋଇଥିବା ‘ମମତା’ ଯୋଜନାରେ ଆଜି ପର୍ଯ୍ୟନ୍ତ ୬୦ ଲକ୍ଷରୁ ଅଧିକ ଗର୍ଭବତୀ ଓ ମା’ ଉପକୃତ ହୋଇସାରିଲେଣି ଏବଂ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୯୦୦ କୋଟି ଟଙ୍କା ସ୍ଥାନାନ୍ତର କରାଯାଇଛି। ଓଡ଼ିଶାରେ ମହିଳାମାନଙ୍କ ସାମଗ୍ରିକ ମଙ୍ଗଳ, ଉତ୍ପାଦକତା, ସଶକ୍ତୀକରଣ, ଦାରିଦ୍ର୍ୟ ଏବଂ ଶିକ୍ଷାପ୍ରତି ପ୍ରତିବନ୍ଧକକୁ ହ୍ରାସ କରିବାରେ ଏହା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଛି। ଓଡ଼ିଶାର ସହରାଞ୍ଚଳ ବସ୍ତିରେ ମହିଳାମାନେ ଜଳ ଓ ପରିମଳ ସେବାରେ ଅଗ୍ରଣୀ ଭୂମିକା ନିର୍ବାହ କରୁଛନ୍ତି। ମିଶନ ଶକ୍ତି ଗୋଷ୍ଠୀ (ଏମଏସଜି), ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ବସ୍ତି ଉନ୍ନୟନ ସଂଘମାନେ ଏହି ପ୍ରୟାସରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଦୁଇଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ପ୍ରାୟ ଦୁଇ କୋଟି ମହିଳା ଓଡ଼ିଶା ଜୀବିକା ମିଶନ (ଓଏଲଏମ) ସହିତ ଯୋଡ଼ି ହୋଇଛନ୍ତି। ମହିଳା କିଷାନ ସଶକ୍ତୀକରଣ ଓ ରୋଶନୀ ଭଳି କାର୍ଯ୍ୟକ୍ରମ ମହିଳାମାନଙ୍କ ସମାବେଶୀ ବିକାଶ ପାଇଁ ନବୀନ ସରକାରଙ୍କ ଦ୍ୱାରା ଏକ ଗୁରୁତ୍ୱପୂର୍ଣ ପଦକ୍ଷେପ।

ସେହିପରି ଆମ ଓଡ଼ିଶାରେ ୪୩% ଷ୍ଟାର୍ଟଅପ୍‌‌ର ନେତୃତ୍ୱ ନେଉଛନ୍ତି ମହିଳା ଉଦ୍ୟୋଗୀ, ଯାହା ଜାତୀୟ ହାରାହାରି ୧୮%କୁ ଅତିକ୍ରମ କରିଛି। ରାଜ୍ୟର ୭୦ଟି ମାଇକ୍ରୋଫାଇନାନ୍ସ ଅନୁଷ୍ଠାନ, ବ୍ୟାଙ୍କ ଓ କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କ ମିଳିତ ଭାବେ ୨୧, ୮୦୦ କୋଟି ଟଙ୍କାର ଋଣ ପ୍ରଦାନ କରିଛନ୍ତି, ଯାହାଦ୍ୱାରା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୪୦ ଲକ୍ଷରୁ ଊର୍ଦ୍ଧ୍ବ ସଦସ୍ୟ ଉପକୃତ ହୋଇଛନ୍ତି। ବିଭିନ୍ନ ଦକ୍ଷତା ବିକାଶ ଓ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ସହିତ ଋଣ ପ୍ରଦାନ ମାଧ୍ୟମରେ ମହିଳା ନିଯୁକ୍ତିରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ମହିଳାଙ୍କୁ ଅର୍ଥନୀତିର ଏହି ଜଟିଳ ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ ଓ ସଶକ୍ତ କରାଯାଇଛି।

ବିଶ୍ୱର ସମସ୍ତ ସ୍ଥାନ ଭଳି ଓଡ଼ିଶାରେ ମଧ୍ୟ ମହିଳାଙ୍କୁ ବିକାଶରେ ସାମିଲ କରିବା ପାଇଁ ଏବେବି ଅନେକ କିଛି କରିବାକୁ ବାକି ରହିଛି। ପୁରୁଷ କୈନ୍ଦ୍ରିକ ସଂସ୍କୃତି, ମହିଳାଙ୍କ ପ୍ରତି ହିଂସା, ନିରକ୍ଷରତା ଆଦି କ୍ରମକ୍ଷୟିଷ୍ଣୁ ସମସ୍ୟାର ମୁକାବିଲା ପାଇଁ ଆହୁରି ଅଧିକ ବହୁମୁଖୀ ରଣନୀତି ହାତକୁ ନେବାକୁ ହେବ। ପ୍ରଶାସନିକ ନୀତିରେ ହସ୍ତକ୍ଷେପ, ସାମାଜିକ ନିୟୋଜନ, ଲିଙ୍ଗଗତ ସମାନତା ପ୍ରତି ସାମାଜିକ ମାନଦଣ୍ଡ ଏବଂ ଆଭିମୁଖ୍ୟ ପରିବର୍ତ୍ତନ ଭଳି ନିରନ୍ତର ପ୍ରୟାସ ଏକ ଲିଙ୍ଗନିରପେକ୍ଷ ଏବଂ ନାରୀସଶକ୍ତ ସମାଜ ଗଢ଼ିପାରିବ ବୋଲି ଆଶା ଓ ବିଶ୍ୱାସ।


Rate this content
Log in

Similar oriya story from Abstract