Ayiswarya Maharana

Tragedy

4  

Ayiswarya Maharana

Tragedy

ମେଘମାଳାର ସଂନ୍ଧ୍ୟା

ମେଘମାଳାର ସଂନ୍ଧ୍ୟା

3 mins
594


ବୈଶାଖର ଅପରାହ୍ନ । ସନ୍ଧ୍ୟା ଆଗତ ପ୍ରାୟ। ମେଘମାଳା ଏକାନ୍ତ କାମ୍ୟ କରି ଚାଲିଆସିଛନ୍ତି ନିଜ ସ୍ପର୍ଶ ଦେଇ ସୃଷ୍ଟି କରିଥିବା ସୁରମ୍ୟ ଉଦ୍ୟାନକୁ। ବୟସର ଅପରାହ୍ନରେ ଛିଡା ହୋଇଥିବା ମେଘମାଳା ବସିଗଲେ ଆମ୍ବଗଛ କୁ ଘେରି ରହିଥିବା ଗୋଲାକୃତି ଚଉତରା ଉପରେ। ଜପା ମାଳିଟିକୁ ଧରି ମନେ ମନେ ବାଳୁତ କୃଷ୍ଣଙ୍କୁ ସ୍ମରଣ କରିବାକୁ ଲାଗିଲେ। କିନ୍ତୁ ଜପ କରୁକରୁ ମନରେ ଭାସି ଆସିଲା ବିତିଥିବା ଜୀବନର ଅନେକ ଚିତ୍ରପଟ୍ଟ।


ମାୟଧରର ମାୟାକୁ ଭେଦ କରିବା କ'ଣ ଏତେ ସହଜ ସାଧ୍ୟ ?ଚେଷ୍ଟା କରି ମଧ୍ୟ କେଜାଣି କାହିଁକି ଆଜି ମେଘମାଳାଙ୍କର କୃଷ୍ଣଙ୍କ ପାଖରୁ ଲୟ ବିଚ୍ୟୁତ ହେଉଥାଏ। ଦୀର୍ଘ ନିଶ୍ଵାସଟିଏ ଛାଡି ମେଘମାଳା ଜପାମାଳି ଟିକୁ କୋଳରେ ଧରି ଚାହିଁରହିଲେ ସେହି ବୈଶାଖର ମେଘଶୂନ୍ୟ ବାଦଲ ଗୁଡିକୁ। ଆଶା ଥାଏ କାଳବୈଶାଖୀ ସାଜି ଘଡିକ ପାଇଁ ହେଉ ପଛେ କେହି ବରଷି ଦେଇଯାଆନ୍ତା ବିନ୍ଦୁ ବିନ୍ଦୁ ବର୍ଷାଟୋପା ତାଙ୍କର ମରୁଭୂମି ସଦୃଶ ଜୀବନରେ। ସମ୍ଭବତଃ ମରୁଦ୍ୟାନ ସୃଷ୍ଟିର ଆଶା ଟିଏ ଝଲସି ଉଠନ୍ତା ଚକ୍ଷୁର କେଉଁ ନିବୃତ୍ତ କୋଣରେ। ହେଲେ ସେ ଯେ ଏକା.....ଜୀବନରେ ଭରି ରହିଛି ଅମାପ ଶୂନ୍ୟତା, ଘେରି ରହିଛି ମରୁଭୂମିର ସେ ନିର୍ଜନତା।


                    ନିଜର ଭାବେ ତ ରହିଛି ଅମାପ ଧନ ସମ୍ପତ୍ତି। ହେଲେ ଧନସମ୍ପତ୍ତି କି ଖୁସି ଦିଏ। ଜୀବନର ଶେଷ ଆଶାବାଡ଼ି ,ଯାହାକୁ ସେ ରାସ୍ତା କଡ଼ରୁ ପିମ୍ପୁଡି ଧାରରୁ ନେଇଆସିଥିଲେ....ନିଜକୁ ତିଳ ତିଳ ଜାଳି ଯାହାକୁ ବଢାଇଲେ ଆଜି ସେ ତାଙ୍କୁ ବେଶ୍ୟା କହି ଧିକ୍କାର କରିଚାଲିଗଲା। ମେଘମାଳା ଭାବୁଥିଲେ କିଛି ଉଣା ରହିଗଲା ବୋଧେ ଶୁଭମକୁ ପାଳିବାରେ,ସ୍ନେହ ଦେବାରେ। ଏଇତ....ଶୁଭମ କହିଗଲା ,"ତୁମ ଭଳି ନାରୀ ର ଆଶ୍ରା ରେ ମୁଁ ବଢିଲି ,ସେଥିପାଇଁ ମୋ ଜୀବନ ପ୍ରତି ଘୃଣା ଆସୁଛି। ତୁମେ ମୋତେ ସାରା ଜୀବନ ପ୍ରହେଳିକାରେ ରଖିଦେଲ। ତୁମ ପାଇଁ ମୁଁ ଆଜି ଲଜ୍ଜାରେ ଜଳୁଛି। ତୁମ ପୁଅ ହିସାବରେ ଏ କୁଖ୍ୟାତି ର ଭାର ମୁଁ ବହନ କରିବାକୁ ଚାହୁଁନାହିଁ।

               ଅନେକ ବର୍ଷରୁ ଅଶ୍ରୁଶୁଷ୍କ ଚକ୍ଷୁରୁ ଝରିପଡ଼ିଲା କେଇ ବୁନ୍ଦା ଲୁହ। ସେହି ମେଘଶୂନ୍ୟ ଆକାଶକୁ ଚାହିଁ ନିରବ ବିଦ୍ରୋହ କରୁଥିବା ଓଠ ଦୁଇଟି ମନର କୋହକୁ ଶବ୍ଦରେ ରୂପାନ୍ତରିତ କରି କହି ଉଠିଲେ...."ହଁ ,ମୁଁ ବାରଙ୍ଗନା ମେଘମାଳା ଥିଲି। ଝିଅରୁ କୂଳବଧୁ ,କୂଳବଧୁରୁ ବୀରବଧୁ,ବୀରବଧୁ ରୁ ବାରଙ୍ଗନା ର ଯାତ୍ରା ସହଜ ନଥିଲା କି ସ୍ୱ ଇଚ୍ଛାରେ ହୋଇନଥିଲା। ଗରିବ ପରିବାରରେ ବଢିଥିବା ଝିଅର ପାଠରେ ଡୋରି ବାନ୍ଧି ବାପା ମୋର କନ୍ୟାଦାନ କଲେ ଯବାନ ବିକାଶ ପଟ୍ଟନାୟକଙ୍କୁ। ଯବାନର ଝାଳ ବୁହା ଅର୍ଥରେ ପରିବାର ଚଳୁଥିଲା। ତେଣୁ ମୁଁ ମଧ୍ୟ ଶାଶୂ ଘରେ ସ୍ନେହ ସମ୍ମାନ ପାଇଥିଲି। କିନ୍ତୁ ସମ୍ପର୍କର ଡୋରଟି ଯେ ସ୍ୱାର୍ଥ କୈନ୍ଦ୍ରିକ ତାହା ବୁଝିଲି ବିକାଶଙ୍କର ସହୀଦ ହେବା ପରେ।


ଦେଢଶୁର ଛଡ଼ାଇ ନେଲେ ପ୍ରତି ମାସର ପେନ୍- ସନ୍ କୁ। ସେତିକିରେ ସନ୍ତୁଷ୍ଟ ନଥିଲେ ଯେ ତାଙ୍କ ଘରେ ରହିବା ପାଇଁ ଦେଇଥିଲେ ଏକ ବେଶ୍ୟାର ଜୀବନ। ଭେଟାଇଥିଲେ ନୂଆ ନୂଆ ପୁରୁଷ। ପ୍ରତିବାଦ ବଦଳରେ ମିଳିଥିଲା ଭୋକିଲା ପେଟ ଓ ନିର୍ଯ୍ୟାତନା। ଏ ପଙ୍କରୁ ବାହାରି ନୂଆ ଜୀବନ ଆରମ୍ଭ କରିବା ଆଶାରେ ନିର୍ଜନ ରାତିରେ ଘର ଛାଡିଦେଲି । ହେଲେ ପାଇଲି କ'ଣ ? ଥରେ ବାରଙ୍ଗନା ସାଜିଥିବା ନାରୀ ର ଆଉ କିଛି ପରିଚୟ ଯେ ସମ୍ଭବ ସେ ଭ୍ରାନ୍ତି ମନରୁ ଦୁରେଇଗଲା। ହୋଇଗଲି ପୂର୍ଣ୍ଣ ବାରଙ୍ଗନା....କଳଙ୍କିନୀ।


ତାତ୍ସ୍ୟଲ୍ୟ ,ଉପହାସ ଭରା ଜୀବନ। ସାଙ୍ଗରେ ଥିବା ପୁରୁଷ ମଧ୍ୟ ଉପହାସ କରିବାକୁ କୁଣ୍ଠାବୋଧ କରେନାହିଁ। ଭଦ୍ରମୁଖା ଧାରୀ ଅନେକ ପୁରୁଷ ଲୋକାରଣ୍ୟରେ ମଧ୍ୟ ଅପମାନିତ କରିଥିଲେ ....ସତେ ଯେମିତି ସେ ମେଘମାଳାର କୋଠିରେ ପାଦ ରଖିନାହାନ୍ତି। ରାସ୍ତା କଡ଼ରୁ ପିମ୍ପୁଡି ଧାରରୁ ପାଇଥିବା ଶୁଭମ ସେ ମଧ୍ୟ କାହାର ପାପ ପ୍ରଣୟର ପରିଣାମ। ଏଥିରେ କ'ଣ ପୁରୁଷଟିଏ ସମ୍ପୃକ୍ତ ନୁହେଁ। ନାରୀ କ'ଣ ନାରୀକୁ ବାରଙ୍ଗନା କରେ ?"


ଶୁଷ୍କ ଜୀବନ ନେଇ କେତେଯେ ପୁରୁଷଙ୍କୁ ଭିଯାଇଛି ସେ .....ପ୍ରତିବଦଳରେ ପାଇଛି କେବଳ ଅର୍ଥର ପାହାଡ଼। ମାତୃହୃଦୟର ସ୍ନେହ ପ୍ରେମକୁ ଅଜାଡ଼ି ଦେଲା ଏକ ଅଜଣା ଅଚିହ୍ନା ଶିଶୁ ଉପରେ। ପୂର୍ଣ୍ଣ ମମତା ଦେଇ ବଢାଇଲା ଶୁଭମ କୁ। ଯାଉ ଯାଉ ସେ ଗୋଟିଏ କଥା ପ୍ରମାଣିତ କରିଦେଲା ...."ମୁଁ ପୁରୁଷ। ନାରୀର ସମର୍ପଣ,ତ୍ୟାଗ ର ମୂଲ୍ୟ ମୋ ପାଇଁ ତୁଚ୍ଛ। "


ଲୁହ ପୋଛି ହସିଦେଲେ ମେଘମାଳା। ଜଗତଜନନୀ ମାଆ ଦୁର୍ଗା ମଧ୍ୟ ନାରୀକୁ ସମ୍ମାନ ଦେଇଛନ୍ତି। ବାରଙ୍ଗନା ଘରୁ ମାଟି ନଆସିଲେ ମୃଣ୍ମୟୀ ମୂର୍ତ୍ତି ଗଢାହେବା ଅସମ୍ଭବ। ତେବେ ଛାର ମଣିଷର ଏ ତୁଛ ଚିନ୍ତାଧାରା। ସାରା ଜୀବନ ସମାଜ ଦେଇଥିବା ଅପମାନ ଠାରୁ ଆଜି ପୁଅ ବୋଲାଉଥିବା ପୁରୁଷର ଧିକ୍କାର ମେଘମାଳାଙ୍କୁ ଅସ୍ତବ୍ୟସ୍ତ କରିଦେଉଛି।


ଆକାଶରେ ସନ୍ଧ୍ୟାତାରା ଆସିସାରିଛି। ଧୀରେ ଧୀରେ ଚନ୍ଦ୍ରକଳା ମଧ୍ୟ ଦୃଶ୍ୟମାନ ହେଉଛନ୍ତି। ଅଦୂର ଦେବାଳୟରେ ଶଙ୍ଖ,ଘଣ୍ଟ ଘଣ୍ଟା,ମୃଦଙ୍ଗର ଶବ୍ଦ ଭାସିଆସୁଛି। ବଗିଚାର ରଜନୀଗନ୍ଧା,ମଲ୍ଲୀ ର ବାସ୍ନାରେ ମେଘମାଳା ତୃପ୍ତ। ଆକାଶକୁ ଚାହିଁ କୋଳରେ ଜପମାଳିକୁ ଧରି ଅବଶୋଷକୁ ପୂର୍ଣ୍ଣ ସମାପ୍ତି ଦେଇ "ହେ କୃଷ୍ଣ"କହି ଟଳିପଡିଲେ ମେଘମାଳା। ସେହି ସାୟାହ୍ନ ଥିଲା ମେଘମାଳାଙ୍କ ଜୀବନର ବହୁପ୍ରତିକ୍ଷିତ ସାୟାହ୍ନ।

                    


Rate this content
Log in

Similar oriya story from Tragedy