STORYMIRROR

ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ମୌସୁମୀ ବର୍ଷା

ମୌସୁମୀ ବର୍ଷା

2 mins
14.5K


ପୂର୍ବକାଳରେ ବର୍ଷାର କୌଣସି ଠିକ୍ ଠିକଣା ନଥିଲା । ଯେତେବେଳେ ଇଚ୍ଛା ସେତେବେଳେ ବର୍ଷା ହେଉଥିଲା । ଫଳରେ ଚାଷକରି ଫସଲ ଉପୁଜାଇବା କାଠିକର ପାଠ ହୋଇଯାଉଥିଲା । ବିଶେଷକରି କଠିନ ମାଟିକୁ ଚାଷକରିବା ପାଇଁ ବଳଦମାନେ ବହୁ କଷ୍ଟ ଭୋଗୁଥିଲେ । ତଥାପି ଯେତେ କଷ୍ଟ ହେଲେ ବି ଚାଷ କାମ ଚାଲିଥାଏ ।

ମର୍ତ୍ତ୍ୟରେ ବଳଦମାନେ ଚାଷ କଲାବେଳେ ଯେଉଁ କଷ୍ଟ ହେଉଥିଲା ତାକୁ ସ୍ୱର୍ଗର ପବିତ୍ର ଗୋମାତା ସୁରଭି ସ୍ୱର୍ଗଲୋକରେ ଦେଖି ପାରିଲେ । ଏହି କଷ୍ଟକୁ ସେ ଆଦୌ ସହି ପାରିଲେ ନାହିଁ, ଅତ୍ୟନ୍ତ ମନଦୁଃଖ କଲେ ।

ଦିନେ ସୁରଭି ଭଗବାନଙ୍କ ଉଦ୍ଧେଶ୍ୟରେ ମର୍ତ୍ତ୍ୟର ବଳଦମାନଙ୍କ ଦୁଃଖକାହାଣୀ ବର୍ଣ୍ଣନା କଲେ ।

ତହୁଁ ଈଶ୍ୱର କହିଲେ, “ମା’ ତୁ ବ୍ୟସ୍ତ ହେଲେ ଚଳିବ ନାହିଁ । ମର୍ତ୍ତ୍ୟରେ ଚାଷବାସ ନହେଲେ ମଣିଷ ବଂଚିବେ କେମିତି? ତୋ’ ଭାଇମାନେ କିଛି ତ୍ୟାଗ ନ କଲେ ମର୍ତ୍ତ୍ୟଭୂଇଁ ଯେ ମରୁଭୂମି ପାଲଟିଯିବ । ତେଣୁ ତୁ ଗୋଟିଏ କାମ କର । ଏହିକଥା ଇନ୍ଦ୍ରଙ୍କ ଆଗରେ ଜଣାଇଲେ ହୁଏତ ସେ କିଛି କରିପାରନ୍ତି ।”

ତା’ପରେ ସୁରଭି ଏହି କଥା ଇନ୍ଦ୍ରଙ୍କୁ ଜଣାଇଲା । କହିଲା, “ଦେବରାଜ! ଆପଣ ବଜ୍ରମାଡ କରି ମଣିଷ ଜାତିଟାକୁ ଧ୍ୱଂସ କରି ଦିଅନ୍ତୁ । ଫଳରେ ବଳଦମାନେ ସେମାନଙ୍କ ଦୌରାତ୍ମ୍ୟରୁ ରକ୍ଷା ପାଇପାରିବେ ।”

ଏହା ଶୁଣି ଇନ୍ଦ୍ର କହିଲେ, “ସୁରଭୀ! ତୁ ଯାହା କହୁଛୁ ବଡ ଅନ୍ୟାୟ କଥା । ଈଶ୍ୱରଙ୍କ ସୃଷ୍ଟ ଶ୍ରେଷ୍ଠ ପ୍ରାଣୀ ମନୁଷ୍ୟକୁ ଧ୍ୱଂସ କରିଦେଲେ, ମୁଁ ଈଶ୍ୱରଦ୍ରୋହୀ ହୋଇଯିବିନି? ବରଂ ଆଉ ଗୋଟିଏ ଉପାୟ ଅଛି । ଏବେ ମୁଁ ଭୀଷଣ ବର୍ଷାର ବ୍ୟବସ୍ଥା କରୁଛି । ଏହାଦ୍ୱାରା ସବୁ ସମସ୍ୟାର ସମାଧାନ ହୋଇଯାଇପାରିବ ।”

ଏହା କହି ଦେବରାଜ ଇନ୍ଦ୍ର ପ୍ରବଳ ବର୍ଷାର ଆରମ୍ଭ କରିଦେଲେ । ଫଳରେ କଠିନ ମାଟି ନରମ ହୋଇଗଲା । ବଳଦମାନଙ୍କୁ ଆଉ ହଳ କରିବା ପାଇଁ କଷ୍ଟ ହେଲା ନାହିଁ । ମେଘାଚ୍ଛନ୍ନ ଆକାଶରେ ସୂର୍ଯ୍ୟତେଜ ନଥିବାରୁ ବଳଦମାନେ କି କୃଷକ କେହି ହାଲିଆ ହେଲେ ନାହିଁ ।

ସୁରଭୀ ମଧ୍ୟ ଖୁବ୍ ଖୁସିହୋଇ ଇନ୍ଦ୍ରଦେବତାଙ୍କୁ ଗଭୀର କୃତଜ୍ଞତା ଜଣାଇଲେ । ଏବେ ଇନ୍ଦ୍ର କହିଲେ, “ବର୍ଷାର ନିୟମ ନରଖି ମୁଁ ବଡ ଭୁଲ୍ କରିଥିଲି । ଫଳରେ ସମସ୍ତେ କଷ୍ଟ ଅନୁଭବ କରୁଥିଲେ । ଏଣିକି ପ୍ରତିବର୍ଷ ବଳଦ ଓ ଚାଷୀକୁଳର ମଙ୍ଗଳ ପାଇଁ ଠିକ୍ ସମୟରେ ବର୍ଷା କରିବି, ଆଉ ସେ ବର୍ଷାର ନାଆଁ ହେଲା – “ମୌସୁମୀ ବର୍ଷା ।”

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍।


Rate this content
Log in

Similar oriya story from Children