Saswati Samal

Inspirational

4.1  

Saswati Samal

Inspirational

ମାତୃତ୍ଵର ପରିଭାଷା

ମାତୃତ୍ଵର ପରିଭାଷା

14 mins
73


 ମାତୃତ୍ୱର ପରିଭାଷା କଣ ହୋଇପାରେ ? ତାହାର କଣ କିଛି ଜାତି ଅଛି ନା ଭାଷା, ନା ଏ ବିଷୟରେ ଆମେ ପୁସ୍ତକ ପଢି ଜ୍ଞାନ ଅର୍ଜନ କରିପାରିବା ନା ଜଣେ ମାଆ ପାଇଁ ତା ଶିଶୁ ତାର ସମଗ୍ର ସଂସାର ହୋଇଥାଏ, ଯାହା ଭିତରେ ତାର ସମସ୍ତ ସୁଖ ସମାହିତ ହୋଇଥାଏ଼, ତା ମାତୃତ୍ଵ କେବଳ ଅନାବିଳ ସ୍ନେହ ଓ ତ୍ୟାଗର ଭାଷା ବୁଝିପାରେ l


ମଣିଷ ସ୍ୱପ୍ନ ଦେଖେ l ଭଲ ପାଇବାର ସ୍ୱପ୍ନ l ସୁଖ ଓ ଐଶ୍ଚର୍ଯ୍ୟର ସ୍ୱପ୍ନ l କିନ୍ତୁ ସ୍ୱପ୍ନ ଦେଖେନା ବାସ୍ତବତାକୁ, କାରଣ ବାସ୍ତବତାରେ ଦୁଃଖ ଅଛି ଯନ୍ତ୍ରଣା ଅଛି l ଆଜି ପଡିଶା ଘର ରବି ମଉସାଙ୍କ ଝିଅ ବାହାଘର, ସକାଳୁ ମମତା ତାଂକ ଘରକୁ ଯାଇଥିଲେ, ସେଠାରୁ ଆସିଲା ପରେ ପୁରା ଚୁପ୍, ଏବେ ଖଟ ଉପରେ ପଡି ଶୋଇବାର ବାହାନା କରୁଛନ୍ତି, ସେ କିନ୍ତୁ ଭଲ ଭାବରେ ଜାଣନ୍ତି ତାକ୍ନୁ ଲୁଚେଇ ଲୁଚେଇ ଆଖିରୁ ଲୁହ ପୋଛୁଥିବେ l କଣ କରିବେ ? କି ପାପ କରିଥିଲେ କେଜାଣି ବାହାଘରକୁ ସାତ ବର୍ଷ ହେଲାଣି କୋଳ ତ ଆଜି ଯାଏ ଖାଲି l ଈଶ୍ୱରଙ୍କ ଆଶୀର୍ବାଦରୁ ଧନସମ୍ପଦ ମାନ ସମ୍ମାନ ସବୁ ଅଛି l ମାତ୍ର ତାକୁ ଭୋଗ କରିବାକୁ କେହି ନାହାନ୍ତି l ସେ ସିନା ପୁରୁଷ ଲୋକ, କିଏ କଣ କହିଲେ ସହି ଯାଉଛନ୍ତି କିନ୍ତୁ ମମତା... .

ଏ ନାରୀ ସମାଜ ବଡ ନିର୍ଦ୍ଦୟା l ତାଂକୁ ବନ୍ଧ୍ୟା କହି ରାସ୍ତାରେ ଚଲାଇ ଦେଉନାହାନ୍ତି, ବନ୍ଧୁବାନ୍ଧବରେ କାହା ବିଭାଘର, ବ୍ରତଘରକୁ ଗଲେ ଦେଖିଲା ମାତ୍ରେ ମୁହଁ ବୁଲାଇ କେତେ କଣ କହୁଛନ୍ତି l କେତେ ବା ସହିବେ ସେ ? ମମତାଙ୍କୁ ସାନ୍ତ୍ୱନା ଦେବାକୁ ଗଲେ ସେ ଅଧିକ ଦୁଃଖ ପାଇବେ l ବରଂ ଧୈର୍ଯ୍ୟ ରଖିବାକୁ ପଡିବ, ସକାଳୁ ହୁଏତ ପରିସ୍ଥିତି ଆପେ ଆପେ ଠିକ୍ ହୋଇ ଯିବ l

 “ ଆଛା ଶୁଣ ମୁଁ ମନ୍ଦିର ଯାଉଛି l ଫେରିବାରେ ବିଳମ୍ବ ହୋଇ ପାରେ l ବ୍ୟସ୍ତ ହେବନି l“ ମମତାଙ୍କ ଡାକରେ ସନାତନଙ୍କ ନିଦ ଭାଂଗିଗଲା l

“ ଏତେ ସକାଳୁ ମନ୍ଦିର ବାହାରିଛ ?“ ପଚାରିଲେ l 

“ ଏତେ ସକାଳୁ କଣ ? ଛୁଟିଦିନ ବୋଲି ଜାଣିପାରୁନ l ଘଣ୍ଟାରେ ଆସି ସାତଟା ବାଜିଲାଣି l ଚା ଓ ଜଳଖିଆ ଟେବୁଲ୍ ଉପରେ ରଖି ଦେଇଛି, ଖାଇନେବ l” ଆଉ କିଛି ପ୍ରଶ୍ନ ପଚାରିବା ପୁର୍ବରୁ ମମତା ଚାଲିଗଲେ., ଆଉ ସନାତନ ପୁରୁଣା ଦିନର ସ୍ମୃତିକୁ ମନେପକାଇଲେ, ତାଂକ ସ୍ମୃତି ଉପରୁ ଏକ ବହଳିଆ ପ୍ରଲେପ ଉଠିଗଲା l 

ଜନ୍ମରୁ ସେ ପିତୃମାତୃ ହରା l ମାମୁଁ ମାଇଁ ହିଁ ତାଂକୁ ପାଳିପୋଷି ବଡ କରିଛନ୍ତି l ମାମୁଁ ଓ ମମତାଙ୍କ ବାପା ଏକା ଅଫିସରେ ଚାକିରି କରୁଥିଲେ l ପାଖାପାଖି କ୍ୱାର୍ଟର୍ସରେ ବି ରହୁଥିଲେ, ସେଥିପାଇଁ ଦୁଇ ପରିବାର ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିଲା l ମାଇଁଙ୍କର ଭାରି ଇଚ୍ଛା ଥିଲା ମମତାଙ୍କ ପରି ଶାନ୍ତ, ସରଳ ଓ ଘରୋଇ ଝିଅକୁ ବୋହୁ କରିବାକୁ l ଭାଗ୍ୟକୁ ସେ ବି ବ୍ୟାଙ୍କିଂ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ l ଚାକିରିରେ ଯୋଗ ଦେବା ମାତ୍ରେ, ମାମୁଁ ତାଂକ ବିବାହ ପ୍ରସ୍ତାବ ମମତାଙ୍କ ମାଆ ବାପାଙ୍କ ସମ୍ମୁଖରେ ରଖିଲେ l ସେମାନେ ବି ଆନନ୍ଦରେ ଏ ପ୍ରସ୍ତାବକୁ ସ୍ୱୀକୃତି ପ୍ରଦାନ କଲେ l ଅଳ୍ପ କେତେ ମାସ ପରେ ଦୁଇ ପରିବାର ସମ୍ବନ୍ଧର ଡୋରିରେ ବାନ୍ଧି ହୋଇ ଗଲେ l ଦୀର୍ଘ ସାତ ବର୍ଷ ତଳେ ମମତା ତାଂକ ସ୍ତ୍ରୀ ରୂପରେ ଏ ଘରେ ଓ ତାଂକ ଜୀବନରେ ପ୍ରବେଶ କରିଥିଲେ l ଏଇ ସାତ ବର୍ଷ ଭିତରେ ସେ ଏକାଧାରରେ ତାଂକ ମା, ସ୍ତ୍ରୀ, ବନ୍ଧୁ ସବୁ ରୂପରେ ନିଜକୁ ସ୍ତାବ୍ୟସ୍ତ କରିଛନ୍ତି l ହିନ୍ଦୁଧର୍ମ କହେ ପତ୍ନୀ ବିନା ପତିର ସଂସାର ଅଚଳ ମାତ୍ର ମମତାଙ୍କ ବିନା ତାଂକ ଜୀବନ ହିଁ ଅପୂର୍ଣ୍ଣ l କିନ୍ତୁ ଚାରିବର୍ଷ ତଳେ ତାଂକର ଏହି ସୁଖୀ ବୈବାହିକ ଜୀବନରେ ଝଡଟିଏ ବୋହିଗଲା, ଯେଉଁଦିନ ଡାକ୍ତରୀ ପରୀକ୍ଷା ପରେ ଜଣା ପଡିଲା ମମତା କେବେ ମାଆ ହୋଇ ପାରିବେନି l ଏକଥା ଜାଣିଲା ପରେ କେତେ କାନ୍ଦିଥିଲେ ସେ l ତାଂକ ସ୍ୱପ୍ନର ସୁନାର ସଂସାର ଭାଂଗି ଚୁର୍ ମାର୍ ହୋଇ ଯାଇଥିଲା l ଏହାପରେ ଏମିତି କୌଣସି ମନ୍ଦିର ନାହିଁ ଯାହା ଦୁଆରକୁ ସେ ଯାଇନାହାନ୍ତି l ବିଭିନ୍ନ ଡାକ୍ତାରୀ ଚିକିତ୍ସା, ପୁଜାପାଠ, ବହୁ ସାଧୁ ସନ୍ଥଙ୍କ ଶରଣାପର୍ଣ୍ଣ ହୋଇଛନ୍ତି l କିନ୍ତୁ କିଛି ସୁଫଳ ମିଳିନି, ଭାଗ୍ୟରେ ତ ନାହିଁ ମିଳିବ କୋଉଠୁ ? ମଣିଷ ଭାବନା ଅନୁସାରେ ଯଦି ଜୀବନ କାଟୁଥାଆନ୍ତା ତେବେ ଏତେ ନାଟ କାହିଁକି ଲାଗିଥାନ୍ତା ସମସ୍ତଙ୍କ ଜୀବନରେ l ସବୁ ଗୋଟେ ଆଡେ ଭାଗ୍ୟ ଗୋଟେ ଅଡେ l 

ହଠାତ୍ କାନ୍ଥଘଣ୍ଟା ଉପରେ ନଜର ପଡିବାରୁ ସନାତନ ଭାବନା ରାଜ୍ୟରୁ ଫେରି ଆସିଲେ l ଘଣ୍ଟାରେ ଆସି ଏଗାର ବାଜିବା ଉପରେ କୁଆଡେ ଗଲେ ମମତା ? ଏତେ ବିଳମ୍ବ ତ ହୁଏ ନାହିଁ ? ଅତି ବେଶିରେ ଘଂଟେ ଦୁଇ ଘଣ୍ଟା ଭିତରେ ସେ ମନ୍ଦିରରୁ ଆସିଯାଆନ୍ତି l କିଛି ଅଘଟଣ ତ ଘଟି ନାହିଁ ? କାଲିର ଘଟଣାରେ ଆଘାତ ହୋଇ ସେ କିଛି ଭୁଲ ପଦକ୍ଷେପ ତ ନେଇ ଯାଇନାହାନ୍ତି? ମନଟା ବିଚଳିତ ହୋଇ ପଡିଲା ସାଂଗରେ ଫୋନ୍ ବି ନେଇ ନାହାନ୍ତି l କଣ କରିବେ ସେ ? ସାଂଗସାଥୀଙ୍କୁ ଫୋନ୍ କରିବେ ନା ନିଜେ ଯାଇ ମନ୍ଦିର ଆଡେ ବୁଲିଆସିବେ ? ଚପଲ ପିନ୍ଧି ବାହାରକୁ ଯିବାକୁ କବାଟ ଖୋଲୁଛନ୍ତି ଦେଖିଲେ ମମତା ଅଟୋରେ ଆସି ଓହ୍ଲାଇଲେ l

“ସକାଳୁ ସକାଳୁ ଅଟୋରେ କୁଆଡେ ଯାଇଥିଲ ?“ ବ୍ୟସ୍ତ ହୋଇ ପଚାରିଲେ ସନାତନ .

“ରୁହ କହୁଛି, ଆଗ ପଚାଶ ଟଂକା ଦେଲ ମୁ ଅଟୋବଲାକୁ ଦିଏ “l 

ଅଟୋବାଲାକୁ ବିଦା କରି ଘରକୁ ପଶିବା ମାତ୍ରେ ଉତ୍ତର ଆଶାରେ ମମତାଙ୍କୁ ଚାହିଁଲେ ସନାତନ l “ମୁଁ ସକାଳୁ ବିନିତା ଅପାଙ୍କ ସାଗଂରେ ଏକ ଆଶ୍ରମକୁ ଯାଇଥିଲି l ସେଠାକୁ ଜଣେ ସିଦ୍ଧପୁରୁଷ ଆସିଛନ୍ତି l ମୋର କିଛି କହିବା ଯାଏଁ କଥା ଗଲାନି l ସେ ମୋତେ ଦେଖୁ ଦେଖୁ ଆମ ଦୁଃଖ ସବୁ କହିଗଲେ l ଆମ ଦୁଇ ଜଣକ୍ନୁ ହରିଦ୍ୱାରରେ ଥିବା ତାଂକ ଆଶ୍ରମକୁ ଯିବାକୁ କହିଛନ୍ତି l”

“ଏଠି ତ ଦେଖିଲେ l ପୁଣି ଆଶ୍ରମକୁ ଯିବା କଣ ଜରୁରୀ ?“

“ଓହୋ ତମେ ବୁଝି ପାରୁନ l ଏଠି ଶହ ଶହ ଲୋକ, ତାଂକ ସହିତ ଦିପଦ କଥା ହେବା କଷ୍ଟକର l ସେଥିପାଇଁ ଆଶ୍ରମକୁ ଗଲେ, ସେଠି ସେ ଆମ ସମସ୍ୟା ପାଇଁ କିଛି ସମାଧାନର ବାଟ ବତେଇ  ଦେବେ l ସନାତନଙ୍କର ଏ ସବୁରେ ଅଦୌ ବିଶ୍ୱାସ ନାହିଁ l କିନ୍ତୁ କଣ କରିବେ ? ଏବେ ମନା କରିଦେଲେ ମମତା ମନଦୁଃଖ କରିବେ l କଥା ଚଳେଇବାକୁ ଯାଇ କହିଲେ “ହଉ ହେଲା ତୁମେ ଏବେ ବାହାରୁ ଆସିଛ ଆଗ ଧୁଆ ଧୋଇ ହେଇ କିଛି ଖାଇଦିଅ, ସକାଳୁ ଖାଲି ପେଟରେ କେତେ ସମୟ ରହିବ? ପଛରେ ସୁବିଧା ଦେଖି ଆଶ୍ରମ ଆଡେ ବୁଲି ଆସିବା l”

“ ନା ସୁବିଧା ଦେଖି ନୁହେଁ, ଆସୁଥିବା ସପ୍ତାହରେ ହିଁ ଯିବା l ତୁମେ ଆଗ କାଲି ଅଫିସରେ ଛୁଟି ପାଇଁ ଦରଖାସ୍ତ ଦିଅ l” ମମତା କହିଲେ l 

ସନାତନ ଜାଣିଛନ୍ତି ଏ ବିଷୟରେ ମମତାଙ୍କୁ ବୁଝେଇ କିଛି ଲାଭ ନାହିଁ, ଦୁଇ ବର୍ଷ ତଳର କଥା କେତେ ଜଣ ବନ୍ଧୁ ତାକ୍ନୁ ଆତ୍ମୀୟ ପରିଜନ ମଧ୍ୟରୁ କାହାର ସନ୍ତାନକୁ ପୋଷ୍ୟପୁତ୍ର ରୁପେ ଗ୍ରହଣ କରିବାକୁ ପରାମର୍ଶ ଦେଲେ l କିନ୍ତୁ ସେ ତାଂକ ବାପାମାଙ୍କର ଏକମାତ୍ର ସନ୍ତାନ ଥିଲେ l ତେଣୁ ତାଂକ ତରଫରୁ କେହି ନାହାନ୍ତି l ସେପଟେ ମମତାଙ୍କ ଭାଇର ଝିଅକୁ ନିଜ ସନ୍ତାନ ରୁପେ ଗ୍ରହଣ କରିବାକୁ ଇଚ୍ଛା ଥିଲେ ବି, ଭାଉଜର ସ୍ୱଭାବ ଦେଖି ସେ ପଛଘୁଂଚା ଦେଲେ l କାଲିକୁ ଯଦି ଝିଅର ଲାଳନ ପାଳନ ନେଇ କିଛି ଅସୁବିଧା ହେଲା ତାହେଲେ ସେମାନେ ଦୋଷାରୋପ କରିବେ l ଏସବୁକୁ ବିଚାର କରି ଭାବିଲେ ଅନାଥଆଶ୍ରମରୁ ସନ୍ତାନଟିଏ ଗ୍ରହଣ କରିବାକୁ l 

“ନା ଏକଥା କଦାପି ହୋଇପାରିବ ନାହିଁ l ଅନାଥାଶ୍ରମରେ ରହୁଥିବା ପିଲାର ଜାତି କଣ, ଧର୍ମ କଣ, କାହାର ସେ ଛୁଆ, କିଛି ତାର ଠିକଣା ଥାଏ, ମୁଁ ତାକୁ ନିଜ ସନ୍ତାନର ପରିଚୟ ଦେଇ ପାରିବିନି l ସାତ ବର୍ଷର ଦାମ୍ପତ୍ୟ ଜୀବନରେ କେତେଥର ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ବିଚାରଧାରାକୁ ନେଇ ମତଭେଦ ହୋଇଛି, କିନ୍ତୁ ପରେ ଏହାର ସମାଧାନ ହୋଇଯାଇଛି l ମାତ୍ର ଏତେ ଦିନ ପରେ ବି ମମତାଙ୍କର ଏ କୁସଂସ୍କାର ଗତ ଜାତିଭେଦରେ ବିଶ୍ୱାସକୁ ସେ ବଦଳେଇ ପାରିନାହାନ୍ତି l ତାଂକର ସମସ୍ତ ଚେଷ୍ଟା ବୃଥାଯାଇଛି l ଅବଶ୍ୟ ଦେଖିବାକୁ ଗଲେ ଏଥିରେ ମମତାଙ୍କର ବି କିଛି ଦୋଷ ନାହିଁ l ପାଂଚପିଢୀର ବୁନିଆଦି ସମ୍ପର୍କ, କୌଳିନ ବ୍ରାହ୍ମଣ ପରିବାରରେ ତାଙ୍କ ଜନ୍ମ l ଭାରି ରକ୍ଷଣଶୀଳ ପରିବେଶରେ ସେ ବଢିଛନ୍ତି l ବରଂ ତାଙ୍କ ଦୃଷ୍ଟିକୋଣକୁ ବଦେଳେଇବାକୁ ଯାଇ ଅନ୍ୟ ଏକ ସମସ୍ୟାରେ ପଡିଲେ ସନାତନ l ଏଥର ମମତାଙ୍କ ଜିଦ୍ ସେ ଦ୍ୱିତୀୟ ବିବାହ କରନ୍ତୁ l ଶିଶୁଟି ତାଂକ ଦୁଇ ଜଣଙ୍କ ପ୍ରେମର ସନ୍ତକ ହେବ, ତାଂକ ଗର୍ଭରୁ ଜନ୍ମ ନ ନେଲେ କଣ ହେଲା, ଅନ୍ତତଃ ଜଣଙ୍କ ରକ୍ତ ତା ଶରୀରରେ ପ୍ରବାହିତ ହେବ l

   

“ ପାଗଳ ହେଲ ନା କଣ? ଅସମ୍ଭବ ଏହା ହୋଇ ପାରେନା l “

“ କାହିଁକି ଏଥିରେ ଅସୁବିଧା କଣ ? ମୁଁ ତ ରାଜି ଅଛି ଆଉ କାହାର କଣ ଯାଉଛି ?“ କହିଲେ ମମତା .

“ କାହାର କିଛି ଯିବ ନାହିଁ ଯେ ମୁଁ ତୁମ ଛଡା ଆଉ କାହାରିକୁ ମୋ ହୃଦୟରେ ସ୍ଥାନ ଦେଇ ପାରିବିନି, ବିବାହ ତ ଦୁରର କଥା l “ ଏହା ପରେ ବହୁ ମାନ ଅଭିମାନ ପରେ ପ୍ରଥମ ପତ୍ନୀ ଥାଉ ଥାଉ ଦ୍ୱିତୀୟ ପତ୍ନୀ ଗ୍ରହଣ କରିବା ଆଈନଗତ ଅପରାଧ ଏବଂ ଏଥିପାଇଁ ତାଂକୁ ଜେଲ୍ ବି ଯିବାକୁ ପଡିପାରେ,ଏହି ଆଳର ସେ ଏଥିରୁ ମୁକ୍ତି ପାଇଥିଲେ l ସେବେଠାରୁ ମମତାଙ୍କୁ ପୁଜାପାଠ କରିବା, କୌଣସି ଜାଗାକୁ ଯିବାକୁ ସନାତନ ମନା କରିନାହାନ୍ତି l 

ହରିଦ୍ୱାର ଯିବାକୁ ହଁ କରିଦେଲେ ସିନା, ଏ ସମୟରେ ଟିକଟ ପାଇବା ଭାରି କଷ୍ଟ l ଗ୍ରୀଷ୍ମ ଅବକାଶକାଳୀନ ଛୁଟି ଥିବାରୁ କୌଣସି ଟ୍ରେନରେ ଟିକଟ ମିଳୁନି l ବହୁ କଷ୍ଟରେ ପୁରୀରୁ ହରିଦ୍ୱାର ଯାଉ ଥିବା ଉତ୍କଳ ଏକ୍ସପ୍ରେସରେ ଦୁଇଟି ଟିକେଟ୍ କଲେ l ତା ବି ସ୍ଲିପର୍ କ୍ଲାସରେ, ଏତେ ଗରମରେ ସ୍ଲିପରରେ ଯିବାକୁ ଜମା ଇଚ୍ଛା ନଥିଲେ ବି ଆଉ କିଛି ଉପାୟ ନଥିଲା l

ଉତ୍କଳ ଏକ୍ସପ୍ରେସର ଭୁବନେଶ୍ୱରରେ ପହଂଚିବା ସମୟ ରାତି ଦଶଟା ପନ୍ଦର l ରାତ୍ରି ଭୋଜନ ସାରି ସ୍ୱାମୀସ୍ତ୍ରୀ ଦୁହେଁ ସାଢ଼େ ନଅଟା ସୁଦ୍ଧା ଯାଇ ଷ୍ଟେସନରେ ପହଂଚି ଗଲେ l ମମତାଙ୍କୁ ଏହି ପ୍ରତୀକ୍ଷା ବଡ ବିରକ୍ତିକର ବୋଧହୁଏ l ସତେ ଯେମିତି ସମୟ ଆଗକୁ ବଢୁନି l କିନ୍ତୁ କେଜାଣି କାହିଁକି ତାଂକ ମନ କହୁଛି ଏହି ଯାତ୍ରା ତାଂକ ଜୀବନରେ ସତେ ଯେମିତି କିଛି ନୁଆ ନେଇଆସିବ l ପ୍ରତୀକ୍ଷାର ଅବସାନ ଘଟାଇ ରେଳଗାଡିଟି ପ୍ଲାଟଫର୍ମକୁ ଆସିଗଲା l ସନାତନ ତର ତର ହୋଇ ଗୋଟେ ହାତରେ ବ୍ୟାଗ୍ ଓ ଅନ୍ୟ ହାତରେ ପାଣି ବୋତଲ ଧରି ବଗି ଭିତରକୁ ପଶିଗଲେ l ତାଂକ ପଛେ ପଛେ ମମତା l ବଗି ଭିତରେ ବହୁତ୍ ଭିଡ l ବହୁ କଷ୍ଟରେ ସିଟ୍ ଖୋଜି ପାଇଲେ l କିଛି ସମୟ ପରେ ରେଲଗାଡି ଷ୍ଟେସନ ଛାଡି ଆଗକୁ ବଢିଲା l ନିଜ ଆସବାବପତ୍ରକୁ ଭଲରେ ସଜାଡି ରଖି ସରିଲା ପରେ, ସନାତନଙ୍କ ଆଖି ନିଜ ସହଯାତ୍ରୀମାନଙ୍କ ଉପରେ ପଡିଲା l ଆଗ ସିଟରେ ଦୁଇଟି କଲେଜ୍ ପଢୁଆ ପିଲା ବସିଛନ୍ତି l ସେମାନେ ନିଜ ନିଜ ମୋବାଇଲରେ ବ୍ୟସ୍ତ l ଏହି ମୋବାଇଲ ପିଲାମାନଙ୍କୁ ଏତେ ପାଗଳ କଲାଣି ଯେ ତା ବିନା ମୁହୂର୍ତ୍ତଟେ ବି ବଂଚିବା ଏମାନଙ୍କ ପାଇଁ ଅସମ୍ଭବ l ନିଜ ନିଜ ଭିତରେ ତ କଥା ହବାକୁ ସମୟ ନାହିଁ l ତାଂକ ସହିତ କଣ କଥା ହେବେ ? ଲାଗୁଛି ପୁରା ଯାତ୍ରାଟା ଶୋଇ ଶୋଇ କାଟିବାକୁ ପଡିବ l ଅବଶ୍ୟ ଆଉ ଦୁଇଟି ସିଟରେ ଏପର୍ଯ୍ୟନ୍ତ କେହି ଆସିନାହାନ୍ତି, ଦେଖିବା କଣ ହେଉଛି l ତାପର ଦିନ ପ୍ରାୟ ଦଶଟା କି ଏଗାରଟା ହେବ ରେଳଗାଡି ଆସି ଅଟକିଲା ରାଉଲକେଲା ଷ୍ଟେସନରେ l ଜଣେ ମଧ୍ୟ ବୟସ୍କ ବ୍ୟକ୍ତି ସାଂଗରେ ଏକ ଗର୍ଭବତୀ ଝିଅ ସହିତ ଆସି ଆଗରେ ଥିବା ସିଟକୁ ଅଧିକାର କରିବସିଲେ l ଝିଅଟିର ବୟସ ଅତି ବେଶିରେ ଅଠର କି ଉଣେଇଶ ହେବ l 

“ ବାପ ଝିଅ ପରି ଲାଗୁଛନ୍ତି l ମାତ୍ର ଝିଅଟି ଆସନ୍ନପ୍ରସବା l ଏ ସମୟରେ ଯାତ୍ରା କରିବା କଣ ଠିକ୍ ? ଡାକ୍ତର ତାକୁ ମନା କରିନାହାନ୍ତି ?”ମମତା ବ୍ୟସ୍ତ ହୋଇ କହିଲେ.

“ ଆରେ ପ୍ରସବ ସକାଶେ ବାପଘରକୁ ଯାଉଥିବ l“ ସନାତନ କହିଲେ l 

ମମତା ଲକ୍ଷ୍ୟ କରୁଥାନ୍ତି ମଝିରେ ମଝିରେ ବ୍ୟକ୍ତି ଜଣକ କାନ୍ଧରେ ପଡିଥିବା ଗାମୁଛାରେ ଆଖିରୁ ଲୁହ ପୋଛୁଥାନ୍ତି ଏବଂ ଝିଅଟି ମୁହଁରେ ଗୋଟିଏ ଗଭୀର ବିଷାଦର ଛାୟା l ମନରେ ମାଆ ହବାର କୌଣସି ଖୁସି ପରିଲକ୍ଷିତ ହେଉନଥାଏ l ହଠାତ୍ ମମତାଙ୍କ ନଜର ପଡିଲା ଝିଅଟିର ସିଂଥାରେ l ଓଡିଆ ସଂସ୍କୃତିରେ ବିବାହିତା ସ୍ତ୍ରୀ ସିନ୍ଦୂର ପିନ୍ଧିବା ଅନିର୍ବାଯ୍ୟ l ମାତ୍ର ଝିଅଟି ମଥାରେ ସିନ୍ଦୂର ନାହିଁ, କୌତୁହଳ ଚାପି ନପାରି ପଚାରିଲେ, “ କୁଆଡେ ଯିବ “ ?

ତାଂକ ପ୍ରଶ୍ନରେ ଝିଅଟି ଚମକି ପଡି କିଛି କହିଲା ନାହିଁ l ବ୍ୟକ୍ତି ଜଣକ ଉତ୍ତର ଦେଲେ ଦିଲ୍ଲୀ .

 “ ଝିଅଟି ତା ସ୍ୱାମୀ ସଂଗେ ଝଗଡ଼ା କରି ଆସିଛି ବୋଧହୁଏ, ସେଥିପାଇଁ ହୁଏତ ବାପ, ଝିଅଙ୍କ ମନ ଦୁଃଖ ତମକୁ କଣ ଲାଗୁଛି” ? ମମତା ଉତ୍ତର ଆଶାରେ ସନାତନଙ୍କ ଆଡକୁ ଚାହିଁଲେ l “ଦେଖ ତାଙ୍କ କଥା ସିଏ ଜାଣିଛନ୍ତି l ଆମର ସେ ବିଷୟରେ ମୁଣ୍ଡ ଖେଳେଇବା ଉଚିତ୍ ନୁହେଁ l ଯଦି ସେମାନେ ଶୁଣିବେ ଖରାପ ଭାବିବେ l“ ସନାତନ ଉତ୍ତର ଦେଲେ l 

କିଛି ସମୟ ନୀରବତାରେ କଟି ଯିବା ପରେ ମମତା ତାଙ୍କ ଚିରାଚରିତ ସ୍ୱଭାବ ଅନୁସାରେ ଝିଅଟି ସହିତ ଖୁବ୍ ସହଜରେ ମିଶିଗଲେ l ତା ଛଡା ଯାହା ଖାଦ୍ୟଦ୍ରବ୍ୟ ଖାଇବା ସକାଶେ ବାହାର କରୁଥାନ୍ତି ପ୍ରଥମେ ଝିଅଟି ହାତକୁ ବଢ଼େଇ ଦେଉଥାନ୍ତି l ପ୍ରଥମେ ନବାକୁ ସଂକୋଚ କଲେବି ବାଧ୍ୟ କରିବାରୁ ନେଉଥାଏ l ଧିରେ ଧିରେ ଝିଅଟିର ତ୍ରସ୍ତ ଭାବ କଟିଗଲା l କିନ୍ତୁ ତଥାପି ତା ମୁହଁରେ ଭୟାତୁର ଅସହାୟର ଭାବ ସ୍ପଷ୍ଟଭାବେ ଜଣା ପଡୁଥାଏ l ମମତାଙ୍କୁ ବାରଣ କଲେ ବି ଏହାର କାରଣ ଜାଣିବା ପାଇଁ ତାଙ୍କ ମନରେ ବି ଉତ୍ସୁକତା ଜାଗ୍ରତ ହେଉଥାଏ l

 ସମୟର ଗତି ବଢିବା ସହିତ କଥାର ଆସର ଜମିଲା l ଉପର ସିଟରେ ବସିଥିବା ଅଳ୍ପ ବୟସର ପିଲା ଦୁଇ ଜଣ ବି କଥାବାର୍ତ୍ତାରେ ଯୋଗ ଦେଲେ, ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା, ରାଜନୀତି ଏମିତି ଅନେକ କଥା ଉପରେ ଚର୍ଚ୍ଚା ଚାଲିଲା l ସମସ୍ତେ ଏତେ ମଜ୍ଜି ଯାଇଥିଲେ ଯେ ଏହାଭିତରେ ଏତେ ସମୟ ବିତିଗଲାଣି କାହାକୁ ଜ୍ଞାତ ହୋଇ ନଥିଲା l

ମଧ୍ୟାହ୍ନ ଭୋଜନ ସରିଲା ପରେ ସମସ୍ତେ ନିଜ ନିଜ ସିଟ୍ ବିଶ୍ରାମ ନେଲେ l ସନାତନଙ୍କୁ ସିଟରୁ ଉଠିବାର ଦେଖି ମମତା ପଚାରିଲେ ,” କୁଆଡେ ଯାଉଛ ?”

“ ବସି ବସି ଭଲ ଲାଗୁନି l ଟିକେ ବୁଲାବୁଲି କରିଆସେ ଭଲ ଲାଗିବ” l ସନାତନ କହିଲେ l

ବାହାର ଦରବାଜା ପାଖକୁ ଆସି ଛିଡା ହେଲେ l ହଠାତ୍ ତାଂକ ଦୃଷ୍ଟି ସେଇ ଭଦ୍ରବ୍ୟକ୍ତିଙ୍କ ଉପରେ ପଡିଲା, ସେ ଫୋନରେ କାହା ସହିତ କଥା ହେଉଥାନ୍ତି, ତାଂକ ବ୍ୟବହାରରୁ ଜଣା ପଡୁଥାଏ କୌଣସି କାରଣକୁ ନେଇ ସେ ବିଚଳିତ, ବାରମ୍ବାର ନିଜ ମୁହଁରୁ ଝାଳ ତାଂକ ଗାମୁଛାରେ ପୋଛୁଥାଆନ୍ତି l

“ ମଉସା ସବୁ ଠିକ୍ ଅଛି ତ ? ଆପଣ ବହୁତ ବ୍ୟସ୍ତ ଲାଗୁଛନ୍ତି” l 

“ ହଁ ଆଜ୍ଞା ସବୁ ଠିକ୍ ଅଛି “l ବ୍ୟକ୍ତି ଜଣକ ଉତ୍ତର ଦେଲେ l 

“ ଯଦି ମୋତେ କହିବାରେ କିଛି ଅସୁବିଧା ନାହିଁ ,ତାହେଲେ ମନରେ ବ୍ୟଥାକୁ ପ୍ରକାଶ କରନ୍ତୁ, ଆପଣକୁ ଶାନ୍ତି ମିଳିବ l ଖରାପ ଭାବିବେନି ମଉସା l ମୋର ଯେତେଦୁର ଅନୁମାନ ଆପଣଙ୍କ ବ୍ୟସ୍ତତାର କାରଣ ଆପଣଙ୍କ ଝିଅ l ଆପଣ ବୋଧହୁଏ ତା ସ୍ୱସ୍ଥ୍ୟକୁ ନେଇ ଚିନ୍ତିତ l” ସନାତନ ପଚାରିଲେ l

“ ଆପଣଙ୍କ ଅନୁମାନ ଠିକ୍ ସାର୍ l କିନ୍ତୁ ଅଭାଗିଟା ମରି ଯାଇଥିଲେ, ତରି ଯାଇଥାଆନ୍ତା l ମରି ନଯାଇ କାଳ କାଳକୁ କଳଙ୍କ ଲେଖିଲା କୁଳରେ “l କହୁ କହୁ ଝର ଝର ଲୁହ ବୋହି ଗଲା ତାଂକ ଆଖିରୁ l ଲୁହ ପୋଛି ସେ ତାଂକ ଦୁଃଖ କାହାଣୀ କହିବାକୁ ଆରମ୍ଭ କଲେ l

“ସାର୍ ସୁନ୍ଦରଗଡ ଜିଲ୍ଲା, କୁଡିଆବଗ ଗାଁ ହରିଜନ ବସ୍ତିରେ ମୋ ଘର l ମୁଲ ଲାଗି ପେଟ 

ପୋଷେ l ପରିବାର କହିଲେ ଆମେ ବାପ ଝିଅ ଦୁଇ ପ୍ରାଣୀ ,ଏଇ ଝିଅ ହିଁ ମୋର ସଂସାର l ତାକୁ ନେଇ କେତେ ସ୍ୱପ୍ନ ମୁଁ ଦେଖିଥିଲି l ନିଜେ ସିନା ନିରକ୍ଷର l ଭାବିଥିଲି ସେ ପାଠ ପଢି ବଡ ଚାକିରି କରିବ, ମୋ ପରି ଅନ୍ୟ ଘରେ ମୁଲ ଲାଗିବନି l କିନ୍ତୁ କଣ ହେଲା ? ମାଟ୍ରିକ ପାସ୍ କରି ଝିଅ ଗାଁ ପାଖ କଲେଜରେ ପଢିଲା l ସେଇଠି ଆମ ଗାଁର ଅନେକ ପିଲା ପଢୁଥାନ୍ତି l ସେଥିମଧ୍ୟରୁ ଗାଁ ସରପଂଚଙ୍କ ପୁଅ ଅନ୍ୟତମ l ପିଲାଟିର ଚେହରା ସୁନ୍ଦର l ରାଜକୁମାର ପରି l କିନ୍ତୁ ମହାକାଳ ଫଳ ସଦୃଶ୍ୟ l ଭିତରଟା ପୁରା କଳା ଅଂଗାର l ବାପର କଳାଧନର ପ୍ରାଚୁର୍ଯ୍ୟ ଓ କ୍ଷମତାର ପ୍ରଭାବରେ ସେ ବଳୀୟାନ l ମୋ ଝିଅ ତା ଜାଲରେ ପଡିଗଲା ଆଜ୍ଞା l ସେ ଭ୍ରଷ୍ଟାଚାରି ମନ୍ଦିରରେ ଭଗବାନଙ୍କ ଆଗରେ ମିଚ୍ଛ ଶପଥ କରି, ଝିଅକୁ ମୋର ବିବାହ କଲା l ତାର ସର୍ବନାଶ କଲା l କଥାରେ ଅଛି ମଣିଷ ଠିକିଲେ ଶିଖାନ୍ତି l କିନ୍ତୁ ଏଠି ଠିକିଲା ବେଳକୁ ନେଡିଗୁଡ କହୁଣି ବୋହି ଯାଇଥିଲା l ମୋ କାନକୁ କଥା ଆସିଲା ବେଳକୁ,ଝିଅ ଚାରି ମାସର ଗର୍ଭବତୀ l ସେ ପିଲାର ଦେଖା ଦର୍ଶନ ନଥିଲା l ସାହସ କରି ମୁଁ କେତେ ଜଣ ଜାତିଭାଇଙ୍କୁ ନେଇ ତା ପିତାମାତାଙ୍କ ପାଖକୁ ଗଲି l ସମସ୍ତ ଘଟଣା ବିଷୟରେ ଅବଗତ କରାଇଲୁ l ଭାବିଥିଲୁ ସେମାନେ ମୋ ଦୁଃଖ ବୁଝିବେ l କିନ୍ତୁ ଫଳ ହେଲା ଓଲଟା l ତା ପିତା ମୋ ଝିଅକୁ ନଷ୍ଟଚରିତ୍ରା, ଟଂକା ଲୋଭରେ ତାଂକ ପୁଅକୁ ଫସେଇ ଛି ବୋଲି ଦୋଷାରୋପ କରି ଧକ୍କା ମାରି ଗେଟ୍ ବନ୍ଦ କରି ଦେଇଥିଲେ l ମନରେ ଥିବା ଶେଷ ଆଶାଟି ମଉଳି ଯାଇଥିଲା l ଝିଅ ଜୀବନ ପ୍ରତି ବିପଦ ଥିବାରୁ ଡାକ୍ତର ଗର୍ଭପାତ କରିବାକୁ ରାଜିହେଲେନି l ଭାବିଲି ଝିଅକୁ ମାରି ନିଜେ ଆତ୍ମହତ୍ୟା କରିଦେବି l କିନ୍ତୁ ପାରିଲିନି ଆଜ୍ଞା l ବିନା ଅପରାଧରେ ଦୁଇ ଦୁଇଟା ଜୀବନ ନେବାକୁ ହାତ ଗଲାନି l ଭାବିଲି ଯାହା ପ୍ରଭୁଙ୍କ ଇଚ୍ଛା l କିନ୍ତୁ ଏହାପରେ ବି ମୋ ଦୁଃଖ ସରିଲାନି l କିଛି ମାସ ପରେ ହଠାତ ଦିନେ ରାତିରେ ସରପଂଚ ଦୁଇ ତିନି ଜଣ ଗୁଣ୍ଡା ଶ୍ରେଣୀୟ ଲୋକଙ୍କୁ ନେଇ ଘରକୁ ଆସିଲେ ଓ ଧମକ ଦେବାକୁ ଲାଗିଲେ, କହିଲେ “ ଦେଖ ଯାହା ହବାର ଥିଲା ହୋଇ ଗଲା, କିଛି ଟଂକା ରଖ ଝିଅକୁ ନେଇ ରାତିରାତି ଗାଁ ଛାଡି ଚାଲିଯା l”

 ମୁଁ କହିଲି“ ନିଜ ଭିଟା ମାଟି ଛାଡି କୁଆଡେ ଯିବି ଆଜ୍ଞା ?“

“ ତା ହେଲେ ଏଠି ରହି କଣ ମୋ ମୁଁହରେ କଳା ବୋଳିବ ? ମୁଁ ଏବର୍ଷ ବିଧାନସଭା ନିର୍ବାଚନରେ ଛିଡା ହେବି l ଯଦି ଲୋକମାନେ ଏ ବିଷୟରେ ଜାଣିବେ ମୋତେ ଭୋଟ୍ କିଏ ଦବ? ସେଥିପାଇଁ ଭଲରେ କହୁଛି ଝିଅକୁ ନେଇ ଦୁର ସହରକୁ ଚାଲିଯା l ସହରରେ ବହୁ ଅନାଥାଶ୍ରମ ଅଛି, ଛୁଆକୁ ନେଇ ଯିବେ l ପାଳିବେ, ପୋଷିବେ l ଝିଅକୁ ଅନ୍ୟ ଜାଗାରେ ବାହା କରିଦେବୁ କେହି 

ଜାଣିବେନି l”

“ ମୋ ଉପରେ ଏତେ ଅନ୍ୟାୟ କରନ୍ତୁନି l ଝିଅକୁ ଏ ଅବସ୍ଥାରେ କୁଆଡେ ନେବି?”

“ଠିକ୍ ଅଛି ଯଦି ନଯିବୁ, ତାପରେ ଯାହା ହବ ସେଥିପାଇଁ ତୁ ଦାୟୀ ହେବୁ l“ଏହା ଧମକ ଦେଇ ସେ ଚାଲିଗଲେ l ମୋ ପାଖରେ ଆଉ କିଛି ବିକଳ୍ପ ନଥିଲା l ଦିଲ୍ଲୀରେ ଜଣେ ବନ୍ଧୁ ରହେ l ଭାବିଲି ତା ପାଖରେ କିଛି ଦିନ ରହିଯିବି l ତାପରେ ଭବିଷ୍ୟତ ଚିନ୍ତା କରିବି l “ ଭଲ କରିଚ ମଉସା l ଭଗବାନଙ୍କ ଉପରେ ବିଶ୍ୱାସ ରଖ l ସେ ଚାହିଁଲେ ସବୁ କିଛି ଠିକ୍ କରିଦେବେ l ” ସାନ୍ତ୍ୱନା ଦେବା ଆଶାରେ କହିଲେ ସନାତନ l ତାଂକ ଦୁଃଖରେ ସମବେଦନା ଜଣେଇବା ଛଡା କଣ ବା କରିପାରିବେ ସେ? ସେପଟେ ତାକ୍ନୁ ନଦେଖି ମମତା ବି ବ୍ୟସ୍ତ ହେଉଥିବେ l”ଏତେ ସମୟ ହେଲାଣି କେଉଁଠି ଥିଲ ? ପାଚଂ ମିନିଟରେ ଆସୁଛି କହି ଏତେ ଡେରି କଲ “? ମମତା ବ୍ୟସ୍ତ ହୋଇ ପଚାରିଲେ l 

“ ଆରେ କବାଟ ପାଖେ ଛିଡା ହୋଇ ଥିଲି, ବାହାରର ତାଜା ପବନ ଦେହରେ ବାଜୁଥିଲା, ବହୁତ୍ ଭଲ ଲାଗୁଥିଲା ସମୟ ଜାଣିପାରିଲିନି “l ସନାତନ କହିଦେଲେ ସିନା, ମନେ ମନେ ଭାବିଲେ କଣ କରିବେ ? ମମତାଙ୍କୁ ସବୁକଥା ଜଣେଇବା ଉଚିତ୍ ହେବ ? ତାଙ୍କ ରକ୍ଷଣଶୀଳ ଚିନ୍ତାଧାରା ଓ ଜାତିବାଦକୁ ନେଇ ସେ କେତେ ସମ୍ବେଦନଶୀଳ ତାଂକୁ ଭଲ ଭାବରେ ଜଣା l ଝିଅଟି ବିଷୟରେ ସବୁକଥା ଜାଣି, ତା ପ୍ରତି ତାଙ୍କ ପ୍ରତିକ୍ରିୟା କଣ ହେବ କେଜାଣି ? ସେ ଯାହା ହେଉନା କାହିଁକି ସତ୍ୟଟା ସବୁବେଳେ ସତ୍ୟ l ପଛରେ ଜାଣି ଦୁଃଖ ପାଇବା ଅପେକ୍ଷା ଏବେ ଜାଣି ନେବା ଭଲ l ଏମିତି ବି ଟିକେଟ୍ କଲେକ୍ଟର ସାଂଗେ କଥା ହୋଇଛନ୍ତି l କାଲି ସକାଳୁ ସେ ଏସି ବଗିରେ ଦୁଇଟି ସିଟ୍ ଦେବ l ଏଠୁ ଚାଲିଗଲା ପରେ ହୁଏତ ମମତା ସବୁ ଭୁଲିଯିବେ l ସନାତନଙ୍କଠୁ ସବୁ ଶୁଣିଲା ପରେ ମମତା କିଛି କହିଲେ ନାହିଁ, କିନ୍ତୁ ସକାଳୁ ସେଠାରୁ ଆସିଲା ବେଳେକୁ ବାରମ୍ବାର ବୁଲି ବୁଲି ଝିଅଟିକୁ ଚାହୁଁଥାଆନ୍ତି l ଆଉ ଝିଅଟି ମଧ୍ୟ ବି ଅତି କରୁଣ ଚାହାଣିରେ ତାଙ୍କ ଆଡକୁ ଅନେଇ ଥାଏ, ସତେ ଯେମିତି ଗୋଟେ ଦିନ ଭିତରେ ଦୁଇ ଜଣ ଏକ ଅଜଣା ସମ୍ପର୍କରେ ବାନ୍ଧି ହୋଇ ସାରିଥିଲେ l ସନାତନ ଭାବୁଥାନ୍ତି ଠାକୁରଙ୍କର ଏ କି ବିଚିତ୍ର ନ୍ୟାୟ ଯିଏ l ସନ୍ତାନ ଚାହୁଁଛି ତା ଗର୍ଭ ଶୂନ୍ୟ ଏବଂ ଅନ୍ୟ ଜଣଙ୍କ ଗର୍ଭରେ ଅବାଂଛିତ ମାତୃତ୍ୱ l ସିଟ୍ ସିନା ବଦଳିଗଲା କିନ୍ତୁ ମମତା ତାଂକ ମନ ସେଇଠି ଛାଡି ଦେଇ ଆସିଥିଲେ l ସୂର୍ଯ୍ୟ ସେତବେଳେ ଆସି ମୁଣ୍ଡ ଉପରେ, ପଶ୍ଚିମ ଗଗନରେ ପ୍ରଶସ୍ତ ସ୍ୱର୍ଣ୍ଣାଭ ରେଖାଗୁଡିଏ ଅଂକିତ ହୋଇଛି, ଧିରେ ଧିରେ ତାର ରଂଗ ବଦଳି ଯାଉଛି ଓ ରେଳଗାଡିଟି କେଉଁ ଠାରେ ମନୋରମ ତ କେଉଁଠାରେ ସ୍ନିଗ୍ଧ ଶ୍ୟାମଳ ବନାନୀ ଅତିକ୍ରମ କରି ଚାଲିଯାଉଛି ତାର ଗନ୍ତବ୍ୟ ପଥରେ l 

ସମୟ ପ୍ରାୟ ଦୋପହର ତିନିଟା ପାଖାପାଖି ହେବ, ସ୍ୱାମୀ ସ୍ତ୍ରୀ ଦୁଇ ଜଣ ନିଜ ନିଜ ସିଟରେ ବିଶ୍ରାମ ନେଉଥାଆନ୍ତି l ହଠାତ୍ ଏକ ଭୟଂକର ଶବ୍ଦରେ ମମତାଙ୍କ ନିଦ ଭାଂଗି ଗଲା l ଦେଖିଲା ବେଳକୁ ଚାରିଆଡ ଧୁଁଆରେ ଭର୍ତ୍ତି, କିଛି ଦେଖା ଯାଉନାହିଁ, ନିଶ୍ୱାସ ନେବା କଷ୍ଟକର ହୋଇ ପଡୁଥାଏ l ତାପରେ କଣ ହେଲା ତାଂକର କିଛି ମନେ ନାହିଁ, ହୋଶ୍ ଆସିବା ପରେ ଦେଖିଲେ ସେ ଡାକ୍ତରଖାନା ବେଡରେ ଶୋଇଛନ୍ତି ଓ ସନାତନ ତାଂକ ଗୋଡ ପାଖରେ ବସିଛନ୍ତି, ଉଠିବାକୁ ଚେଷ୍ଟା କରନ୍ତେ, ପାଖରେ ଥିବା ନର୍ସ ଜଣଙ୍କ ତାଙ୍କୁ ଧରି ପକାଇଲେ l

“ ମୁଁ ଏଠି କେମିତି, କଣ ହୋଇ ଥିଲା.”? ମମତା ପଚାରିଲେ.

“ଉଠନି ମମତା, ଆମ ଟ୍ରେନଟି ଭୟଂକର ଦୁର୍ଘଟଣାର ସମ୍ମୁଖୀନ ହୋଇଛି l” 

ଦୁର୍ଘଟଣା, ତମର କିଛି ହୋଇନି ତ ? “ ମମତା ବ୍ୟସ୍ତ ହୋଇ ପଚାରିଲେ l

ଭଗବାନଙ୍କ ଆର୍ଶୀବାଦରୁ ଆମେ ଏସି ଡବାକୁ ଚାଲି ଆସିଥିବାରୁ ଆମର ବେଶି କିଛି ହୋଇ ନାହିଁ, କିନ୍ତୁ ସାଧାରଣ ବଗିର ସମସ୍ତ ଡବା ଧ୍ବଂସ ହୋଇ ଯାଇଛି l ସେଠି ବହୁତ କ୍ଷୟକ୍ଷତି ଘଟିଛି l ତୁମେ ଏବେ ବିଶ୍ରାମ କର, ଭଲ ହେଲାପରେ ଆମେ ହରିଦ୍ୱାର ନଯାଇ ଓଡିଶା ଫେରିଯିବା l ସେଇଟା ଆମ ପାଇଁ ଭଲ ହେବ, ତମେ କଣ କହୁଛ ?” 

ସନାତନ କହିଲେ. “ ହଁ ଫେରିଯିବା ଯେ ବାରମ୍ବାର ମୋ ମନ ଭିତରେ ସେ ବାପ, ଝିଅଙ୍କ କଥା ଆସୁଛି l ସେମାନେ ତ ସାଧାରଣ ବଗିରେ ଥିଲେ, କେମିତି ଅଛନ୍ତି ସେମାନେ, ତାଂକ ଖବର ଟିକେ ବୁଝିଲେ ହୁଅନ୍ତାନି? “ ମମତା ନିବେଦନ କରିବା ସ୍ୱରରେ କହିଲେ l 

ସତେ ତ ନିଜ ଚିନ୍ତାରେ ସେ ଏତେ ବ୍ୟସ୍ତ ଥିଲେ ଯେ କାହା କଥା ତାଂକର ମନେ ନାହିଁ l ସତରେ ସେ କଣ ଏତେ ସ୍ୱାର୍ଥପର?ମମତାଙ୍କୁ ନର୍ସ ଜିମା ଛାଡି, ସେ ବାପଝିଅଙ୍କ ସନ୍ଧାନରେ ବାହାରିଲେ ସନାତନ l ସ୍ଥାନୀୟ ଲୋକଙ୍କଠୁ ଖବର ପାଇଲେ, ଜଣେ ଗର୍ଭବତୀ ଝିଅକୁ ପାଖ ଗାଁ ଲୋକ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି l ବହୁତ ଖୋଜିଲା ପରେ ତାକୁ ମୁମୂର୍ଷୁ ଅବସ୍ଥାରେ ବେଡ୍ ଉପରେ ଶୋଇ ଥିବାର ଦେଖିଲେ l ପାଖରେ ଛିଡା ହୋଇ ଥିବା ନର୍ସକୁ ପଚାରିଲେ “ ଝିଅଟିର ଅବସ୍ଥା କେମିତି ଅଛି, ଆଉ ସାଂଗରେ ତା ବାପା ଥିଲେ ସେ କେମିତି ଅଛନ୍ତି” ?

“ ଦୁର୍ଘଟଣାରେ ତା ବାପାଙ୍କ ମୃତ୍ୟୁ ଘଟିଛି, ସନ୍ତାନ ପ୍ରସବ ପରେ ଝିଅଟିର ଅବସ୍ଥା ବି ଭଲ ନାହିଁ l ହୁଏତ ବିଚାରିଟା ନିଜ ସନ୍ତାନର ମୁଁହ ଦେଖିବା ଆଗରୁ ମରିଯାଇପାରେ, କିନ୍ତୁ ଅଶ୍ଚର୍ଯ୍ୟର କଥା ଝିଅଟି ଧିରେ ଧିରେ ଆଖି ଖୋଲି ହାତ ଠାରି ସନାତନଙ୍କୁ ପାଖକୁ ଡାକିଲା l ଦୀର୍ଘ ଦୁଇ ଦିନର ଯାତ୍ରା ମଧ୍ୟରେ ଥରେ ମୁଁହ ଖୋଲି ନଥିବା ଝିଅଟି ତାଂକ ହାତ ଧରି ଆକୁଳ ନିବେଦନ କରିବାକୁ ଲାଗିଲା, ଆଖିରେ ତାର ନିରୀହ ଅବେଦନାଭରା ଆତୁରତା l ‘ ସାର୍ ଆପଣ ଦୁଇ ଜଣଙ୍କ ମନ କେତେ ସରଳ, କେତେ ପବିତ୍ର l ମୋ ସନ୍ତାନଟି ପବିତ୍ରତାର ଆବେଷ୍ଟନୀ ଭିତରେ ରହି ମଣିଷ ହୋଇ ପାରିବ l ଶିଶୁ ସେ ତା ନିକଟରେ ପାପ କଣ ପୁଣ୍ୟ କଣ l ତାକୁ ଘୃଣା କରିବେନି ଆଜ୍ଞା, ତାକୁ ଆପଣ ଆଶ୍ରା ଦେଲେ ମୁଁ ଶାନ୍ତିରେ ମରି ପାରିବି l”

ସନାତନଙ୍କ ଆଖି ଦୁଇଟି ଲୁହରେ ପୂର୍ଣ୍ଣ ହୋଇ ଯାଇଥିଲା l ନର୍ସ ହାତରେ ଶିଶୁଟିକୁ ଦେଖି ତା ପ୍ରତି ମନରେ ଏକ ବିଚିତ୍ର ମମତାର ମୂର୍ଛନା, ହୃଦୟ ତଳେ ଅଦ୍ଭୁତ ଆସକ୍ତିର ଅଲୋଡନ ହେଉଥିଲା l ମାତ୍ର ଏ କି ବିଷମ ପରିସ୍ଥିତି ସେ ଆଜି ପଡିଯାଇଛନ୍ତି ,ଏକ ପାର୍ଶ୍ୱରେ ମୃତ୍ୟୁ ଶଯ୍ୟାରେ ପଡିଥିବା ମାର ଆକୁଳ ନିବେଦନ ଓ ଅନ୍ୟ ପାର୍ଶ୍ବରେ ମମତା ଯିଏ ଅନାଥଆଶ୍ରମରୁ ଶିଶୁଟିଏ ଗ୍ରହଣ କରିବାକୁ ବିରୋଧ କରୁଛନ୍ତି ସେ ପୁଣି ଛୋଟ ଜାତିର ପିତୃପରିଚୟ ହୀନ ଶିଶୁକୁ ଗ୍ରହଣ କରିବେ, କଣ କରିବେ ସେ ନିଜକୁ ବଡ ଅସହାୟବୋଧ ମନେ କରୁଥିଲେ l କିନ୍ତୁ, ସେ ଜାଣି ପାରିନଥିଲେ ଏହା ଭିତରେ ମମତା ତାଂକୁ ଖୋଜିଖୋଜି କେତେ ବେଳୁ ଆସି ପଛରେ ଛିଡା ହୋଇଛନ୍ତି ଏବଂ ଶିଶୁକୁ ନର୍ସ ପାଖରୁ ଆଣି ନିଜ କୋଳରେ ସ୍ଥାନ ଦେଇଛନ୍ତି l ହଠାତ୍ ଶିଶୁଟିର କୁଆଁ କୁଆଁ କ୍ରନ୍ଦନରେ ପଛକୁ ଚାହିଁ ଦେଖନ୍ତି ତ ଶିଶୁଟି ତା କୋମଳ ହାତରେ ମମତାଙ୍କ ମୁଁହକୁ ସ୍ପର୍ଶ କରୁଛି ଓ ମମତା ତାକୁ ଛାତିରେ ଜାବୁଡି ଧରିଛନ୍ତି, ତାଂକ ଆଖିରୁ ଧାର ଧାର ହୋଇ ଅଶ୍ରୁ ବୋହି ଚାଲିଛି. ଏ ଦୃଶ୍ୟ ଦେଖି ସନାତନ ଭାବୁଛନ୍ତି ଏ ସତ୍ୟ ନା ସ୍ୱପ୍ନ ……....ନା ଇଏ ସେଇ ପରମବ୍ରହ୍ମଙ୍କର ଏକ ପରମ ସତ୍ୟ, ନାରୀର ମାତୃରୂପ ହିଁ ଅନ୍ୟ ସବୁ ରୂପଠୁ ଶ୍ରେଷ୍ଠ l ଜଣେ ନାରୀ ଜାତି,ଧର୍ମ, ବର୍ଣ୍ଣର ଭେଦଭାବ କରିପାରେ l ମାତ୍ର ଜଣେ ମାର ମାତୃତ୍ୱ କେବଳ ତା ସନ୍ତାନକୁ ଚାହେଁ l ଅନ୍ୟ ସବୁ କିଛି ତା ପାଖରେ ମୂଲ୍ୟହୀନ l ସେଥିପାଇଁ ହୁଏତ ଈଶ୍ୱର ମାଆ ହେବାର ଅଧିକାର କେବଳ ନାରୀକୁ ହିଁ ଦେଇଛନ୍ତି, ପୁରୁଷକୁ ନୁହେଁ l ଧନ୍ୟ ତୁମେ ପ୍ରଭୁ ,ଧନ୍ୟ ତୁମର ଲୀଳା l ସେହି କରୁଣାମୟଙ୍କ ଉଦ୍ଦେଶ୍ୟରେ ତାଂକ ଦୁଇ କରତଳକୁ ସଂଯୁକ୍ତ କରି କପାଳରେ ସ୍ପର୍ଶ କଲେ ସନାତନ l

*****



Rate this content
Log in

Similar oriya story from Inspirational