ABADHOOT PANDA

Classics Inspirational

3  

ABADHOOT PANDA

Classics Inspirational

ମାତା ସଙ୍କଟ ହାରିଣୀ ଡମଣୀ

ମାତା ସଙ୍କଟ ହାରିଣୀ ଡମଣୀ

4 mins
184



ଡମଣୀ ଠାକୁରାଣୀ ଡାଳିଯୋଡ଼ାର ବଣ ଦେବୀ l ସମସ୍ତେ ମାନନ୍ତି ତାଙ୍କୁ l କାରଣ ସେ ତାଙ୍କର ଭକ୍ତ ମାନଙ୍କୁ ବନ୍ୟ ଜନ୍ତୁଙ୍କ କବଳରୁ ରକ୍ଷା କରିଥାନ୍ତି l ନୂଆବର୍ଷ 2022ର ଆଗମନୀ ଆମକୁ ବଣ ଭୋଜିର ଚେତାବନୀ ଦେଲା l ଆମ ପରିବାରର ସମସ୍ତ ସଦସ୍ୟ ଡମଣୀ ମାଆଙ୍କ ବେଢ଼ା ପାଖ ଜଙ୍ଗଲରେ ଥିବା ଝରଣା ପାଖରେ ବଣ ଭୋଜୀର ଆୟୋଜନ କରିଥିଲୁ 2021 ଡିସେମ୍ବର ମାସର ଶେଷ ସପ୍ତାହରେ l ରୋଷେୟା ନନା ରୋଷେଇ ଆରମ୍ଭ କଲେ ଦିନ ୧0ଟାରେ l ଡମଣୀ ମାତାଙ୍କୁ ଭୋଗ ଲଗାଇଲା ପରେ ଖାଇବା ଆରମ୍ଭ କଲୁ ଅପରାହ୍ନ 3ଟା ରେ l ସାଧା ଆଇଟମ ପ୍ରସ୍ତୁତ ହୋଇ ଥିଲା ଯଥା ଅରୁଆ ଅନ୍ନ, ମୁଗ ଡାଲି, ଆଳୁ ଭରତା, କୋଶଳା ଶାଗ ଭଜା, ପାମ୍ପଡ଼, ବାଇଗଣ କଖାରୁ ସାରୁ ସନ୍ତୁଳା, କ୍ଷୀରି, ସାଲାଡ ଓ ପୋଟକ ରସା l ଅରୁଆ ଅନ୍ନ ସହିତ ଗୃତ ଭୋଜିଟିକୁ ଭାରି ତୃପ୍ତିକର ଏବଂ ସ୍ୱାଦିଷ୍ଟ କରିଥିଲା l


ବଣଭୋଜି କାର୍ଯ୍ୟକ୍ରମ, ମନ୍ଦିର ଦର୍ଶନ, ବନାନୀର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରୁ କରୁ ସନ୍ଧ୍ୟା ପ୍ରାୟ ୬ ଟା ବାଜି ଗଲା l ବୋଲେରୋ ଡ୍ରାଇଭର ଆମକୁ ଚେତେଇ ଦେଇ କହିଲେ ," ଆଜ୍ଞା ଏଠି ବହୁତ ବଣୁଆ ହାତୀ ଅଛନ୍ତି l ବାଟରେ ଆମକୁ ବିପଦରେ ପକେଇବେ l ମାସେ ତଳେ ଏଇ ରାସ୍ତାରେ ଜଣେ ସାଇକେଲ ଚାଳକଙ୍କୁ ଦଳି ମାରି ଦେଇଥିଲେ l ଚାଲନ୍ତୁ ଫେରି ଯିବା l ମାଙ୍କ ଉପରେ ମୋର ଗଭୀର ବିଶ୍ୱାସ ଆଉ ମୋର ଅତୀବ ଆତ୍ମ ବିଶ୍ୱାସ l ଦୁଇଟି ଗୁଣର ସମିଶ୍ରଣ ଶକ୍ତିରେ ମୁଁ କହିଲି, " ଠିକ ଅଛି ବାହାରିଯିବ l ମାଙ୍କ ପାଖରେ ଚିଲମ ଓ ଗଞ୍ଜେଇ ଥୋଇଦେଇ ଆସେ l " କାରଣ ସେଠି ତିନୋଟି କାଠ ଘୋଡ଼ା ପୂଜା ପାଆନ୍ତି l ଆଉ ମାଙ୍କ ସେହି ତିନି ଘୋଡ଼ା ସାମ୍ନାରେ ଚିଲମଗୁଡିକରେ ଗଞ୍ଜେଇ ପାଗ କରି ନିଆଁ ଲଗେଇ ଉପର ମୁହାଁ କରି ରଖାଯାଏ l ଉକ୍ତ ପ୍ରଥା ମାଙ୍କ ଆବିର୍ଭାବ ସମୟରୁ ଚଳି ଆସୁଅଛି l ତାପରେ ମୁଁ ମାତାଙ୍କୁ ଗଞ୍ଜେଇ ଅର୍ପଣ କରି ଫେରି ଆସିଲି l


ତାପରେ ଡ୍ରାଇଭର ଗାଡ଼ି ଷ୍ଟାର୍ଟ କଲେ l ପରିବାର ବର୍ଗ ଗାଡ଼ିରେ ବସି ପଡ଼ିଲେ l ମୁଁ ଆଗ ସିଟରେ ମାଙ୍କୁ ନମସ୍କାର କରି ବସିଲି l ବୋଲେରୋ ଗାଡ଼ି ଲାଇଟ ପକେଇ ଜଙ୍ଗଲ ରାସ୍ତା ଦେଇ ଆଗେଇ ଚାଲିଲା l ପ୍ରାୟ ଏକ କିଲୋମିଟର ଗଲା ପରେ ଆମେ ଗାଡ଼ିର ଡାହାଣ ପାଖେ ଥିବା ଗଛଗୁଡ଼ା ଭିତରେ ଖସ ଖସ ଆୱାଜ ଶୁଭୁଥାଏ l କୃଷ୍ଣ ପକ୍ଷ ଥିବାରୁ ଝାପ୍ସା ଦିଶୁଥାଏ ଦୁଇଟି ଛୋଟ କଳା ପାହାଡ଼ ପରି ଛିଡ଼ା ହୋଇଥିବା ରୂପ l ମୁଁ ଡ୍ରାଇଭର ବାବୁଙ୍କୁ ପଚାରିଲି, " ଭାଇ ଏଇଟା କଣ ଠିଆ ହେଇଛି " ହାତୀ ଆଜ୍ଞା "l ହାତୀ ନା ଶୁଣିଲା ପରେ ଆମେ ସମସ୍ତେ ଛାନିଆ ହୋଇ ପଡ଼ିଲୁ l ଡ୍ରାଇଭର ଗାଡ଼ିର ଗତି ବଢ଼ାଇ ଦେଲେ l କିନ୍ତୁ ପଛରୁ ହାତୀଙ୍କ ବିଗୁଲ ଶୁଭୁଥାଏ l ଗାଡ଼ି ଚାଲୁ ଥାଏ l ପ୍ରାୟ ଏକ କିଲୋମିଟର ପରେ ହଠାତ ଆମ ବାଁ ପାଖରୁ ଦୁଇଟି କଳା ମୁଚୁ ମୁଚୁ ବଣୁଆ ହାତୀ ଘଡ଼ ଘଡ଼ ସୁଁ ସାଁ ଶବ୍ଦ କରି ଆମ ଗାଡ଼ି ଆଗରେ ଠିଆ ହୋଇ ପଡ଼ିଲେ l ହାତୀ ଆଉ ଗାଡ଼ି ମଧ୍ୟରେ ଦୂରତା ପ୍ରାୟ ଦୁଇଶହ ମିଟର l ଥୋଡ଼ ପାହାଡ଼ ହଲେଇ ହଲେଇ ଗଛ ଡାଳ ଚୋବାଉ ଥାନ୍ତି l ଡ୍ରାଇଭର ବାବୁ ଗାଡ଼ି ପଛକୁ ବ୍ୟାକ କରି ହଠାତ ଲାଇଟ ବନ୍ଦ କରିଦେଲେ ଓ ଷ୍ଟାର୍ଟ ବନ୍ଦକରି ଆମକୁ ଚୁପ ଚାପ ଗାଡ଼ିରେ ବସି ରହିବାକୁ ନିର୍ଦ୍ଦେଶ ଦେଲେ l ଆମେ ସେୟା କଲୁ l ହଠାତ ଆମ ଗାଡ଼ିରେ ହଲ ଚଲ ଅନୁଭୂତ ହେଲା l ଆମର ନଜର ରାସ୍ତା ଅତିକ୍ରମ କରୁଥିବା ହାତୀଦଳ ଉପରେ ସୀମାବଦ୍ଧ ଥାଏ l ଏଣେ ଗାଡ଼ିରେ ମୃଦୁ କମ୍ପନ ଆମକୁ ଆହୁରି ଭୟଭୀତ କରେଇଦେଲା l ଆମେ ସମସ୍ତେ ପଛକୁ ବୁଲି ପଡ଼ି ଚାହିଁଲୁ l ଯାହା ଦେଖିଲୁ ସେଇଟା ଆମେ ଜୀବନର ସର୍ବ ପ୍ରଥମ ରୋମାଞ୍ଚକର ଅନୁଭୂତି l ଗୋଟାଏ ହାତୀ ଛୁଆ ତାର ଥୋଡ଼ ପାହାଡ଼ରେ ଆମ ଗାଡ଼ିକୁ ଧକ୍କା ମାରି ମାରି ଦୋହଲାଉ ଥାଏ l ଆଗରେ ରୋଡ଼ ଏପାଖରୁ ସେପାଖ ଅତିକ୍ରମ କରୁଥିବା ଗୋଟିଏ ହାତୀ ଦଳ ଆଉ ପଛରେ ଦଳ ଛଡ଼ା ହାତୀ ଛୁଆ l ମହା ବିପଦ l ଜୀବନ ମରଣ ସମସ୍ୟା l ଆଉ ଡେରି ନକରି ମା ଡମ ଡମଣୀଙ୍କୁ ସମସ୍ତେ ଗାଡ଼ି ଭିତରେ ଆଖି ବୁଜି ବସି ନୀରବ ପ୍ରାର୍ଥନା କଲୁ l ମାଙ୍କୁ ଆମର ଦୁଃଖ ଜଣେଇଲୁ l ପ୍ରାୟ ପାଞ୍ଚ ମିନିଟ ପରେ ଜୁଲୁ ଜୁଳିଆ ପୋକର ଆଲୁଅ ପରି କେତେକ ଆଲୋକ ପିଣ୍ଡ ଆମ ଗାଡ଼ି ଚାରି ପଟେ ବୁଲିବାକୁ ଲାଗିଲା l ପ୍ରାୟ ଏକ ମିନିଟ ପରେ ଏକ ସବୁଜ ରଶ୍ମି ରେଖା ଆମ ଗାଡ଼ିର ସାମ୍ନା କାଚ ଛୁଇଁ ଫେରିଗଲା l ହଠାତ ଏକ ବିରାଟ ବିଗୁଲ ଧ୍ଵନି ( ହାତୀ ବୋବାଳି ) ଶୁଣାଗଲା l ତତ କ୍ଷଣାତ ଛୁଆ ହାତୀଟି ଓ ସାମ୍ନା ହାତୀ ଦଳ କୁଆଡ଼େ ଉଭେଇ ଗଲେ ଆମେ ଜାଣି ପାରିଲୁ ନାହିଁ l କେବଳ ଆଶ୍ଚର୍ଯ୍ୟ ଅଭିଭୂତ ହୋଇ ଗାଡ଼ିର କାଚ ଦେଇ ଇଆଡ଼େ ସିଆଡେ ଆଖି ବୁଲାଇ ବାକୁ ଲାଗିଲୁ l କାଳୀ ଅନ୍ଧାରି ଜହ୍ନ ଆଲୁଅରେ ବଣଟି ଆମକୁ ଫର୍ଚ୍ଚା ଜଣା ପଡ଼ିଲା l ଗାଡ଼ି ମଧ୍ୟରୁ ବାହାରି ଆସି ରାସ୍ତା ଉପରେ ଆମେ ସମସ୍ତେ ସାଷ୍ଟାଙ୍ଗ ପ୍ରଣିପାତ ମା ଡମଣୀଙ୍କ ଉଦ୍ଦେଶ୍ୟରେ ଅର୍ପଣ କଲୁ l ତାପରେ ଗାଡ଼ିରେ ବସି ଆମ କଟକସ୍ଥ ଵାସ ଭବନରେ ପହଞ୍ଚିଲୁ l ସାଙ୍ଗରେ ଆଣିଥିବା ପ୍ରସାଦ ସେବନ କରି ମାଙ୍କୁ ଧନ୍ୟବାଦ ଜଣାଇ ଶୋଇ ପଡ଼ିଲୁ l ପରଦିନ ମୁଁ ଯାଇ ଆନ୍ତରିକ ପ୍ରେମ ସହିତ ଡମଣୀ ମାତାଙ୍କୁ ଚିଲମ, ଗଞ୍ଜେଇ ଅର୍ପଣ ଏବଂ ଫଳପୁଷ୍ପରେ ମାତାଙ୍କୁ ଆଭୁଷିତ କରି ଘରକୁ ମୋ ସାଙ୍ଗ ସହିତ ବାଇକରେ ଫେରି ଆସିଲି l ଆଉ ଏପରି ଅନୁଭୂତି ଆଜୀବନ ମୋର ମାନସ ପଟ୍ଟରେ ନିଶ୍ଚୟ ଗଛିତ ରହିବ l ଜୟ ମାତା ଡମ ଡମଣୀ l

              


Rate this content
Log in

Similar oriya story from Classics