STORYMIRROR

Chinmayee Barik

Tragedy

3  

Chinmayee Barik

Tragedy

ଲୁସିର ଶେଷ ହସ

ଲୁସିର ଶେଷ ହସ

2 mins
27.4K


          ଡାକ୍ତର କହିଦେଲେ "ମା" ବଂଚିବ ନ ହେଲେ ଛୁଆ ।ସମସ୍ତେ ତତ୍ପର ହୋଇଗଲେ ମା କୁ ବଂଚାଇବାକୁ ।ଏହାର କାରଣ ବି ଥିଲା ।ପେଟ ଭିତରେ ଥିବା ଜୀବଟି ପ୍ରତି ସମସ୍ତଙ୍କର ଆକର୍ଷଣ ମୋ ଠୁ କମ୍ ଥିଲା ।ମୋର ଦେହର ଯନ୍ତ୍ରଣା ବି ଏତେ ଥିଲା ଯେ ମୁଁ ବି ସେ ଆକର୍ଷଣକୁ ହରାଇ ସାରିଥିଲି ।

...ବାସ୍ ତା ପରେ ...ପେଟ ଭିତରେ ଥିବା ଜୀବଟିର ଶ୍ୱାସରୁଦ୍ଧ କରାଗଲା ।ପରିବାର ବର୍ଗଙ୍କୁ କୁହାଗଲା ଆଶା ନାହିଁ କିଛି ।"ମା "କୁ ବଂଚାଇବାକୁ କେବଳ ଇଶ୍ୱର ସାହା ।ଆମେ କେବଳ କର୍ତ୍ତବ୍ୟ କରିବୁ ।ଲେବର ରୁମ୍ ବାହାରେ ସ୍ୱାମୀ ଗୋଟେ କାଠ ଗଣ୍ଡ ହୋଇ ଠିଆ ହୋଇଥିଲେ ।କବାଟ ଫାଙ୍କରେ ତାଙ୍କୁ ଟିକେ ଦେଖିଲି କେଜାଣେ ହୁଏତ କିଛି ସମୟ ପରେ ମୋ ଦେହ ବି ନିସ୍ତେଜ୍ ହୋଇ ପାରେ ।ଜୀବନକୁ କି ଭରସା ପୁଣି ଲେବର ରୁମ୍ ଭିତରେ ?ନର୍ସ ଆସି କବାଟ ବନ୍ଦ କରିଦେଲା ସ୍ୱାମୀଙ୍କୁ ପେଲି ଦେଇ ।ସ୍ୱାମୀ ଜୋର୍ ରେ କହିଉଠିଲେ ...ଲୁସି...ମୁଁ ଏଇଠି ଠିଆ ହୋଇଛି ତୁମେ ଫେରିବା ଯାଏଁ ।

ତା ପରେ ମୋ ଚିତ୍କାରରେ ସାରା ହସ୍ପିଟାଲ୍ କଂପି ଉଠିଲା ।ବାହାରେ ବସି ଥିବା ମଉସା ଶଶୁର ମୋ ଚିତ୍କାର ଶୁଣି ସେଇଠିତାଙ୍କର ବ୍ଲଡ ପ୍ରେସର ବାହାରି ପଡିଲା ।ସେ ପଡି ଯାଉଁ ଯାଉଁ ନିଜକୁ ସମ୍ଭାଳି ନେଲେ ।କିଏ ନର୍କ ଯନ୍ତ୍ରଣା ପାଇଛି କି ନାହିଁ ଜାଣେନି କିନ୍ତୁ ମୁଁ ପାଇଥିଲି ଦୀର୍ଘ ତିନି ଘଣ୍ଟା ମୃତ୍ୟୁ ସହ ଲଢେଇ କରି ।ମୃତ୍ୟୁକୁ ଆପଣାର କରିନେବାକୁ ବି ଇଛା ହେଲା କିନ୍ତୁ ବାହାରେ ମୋତେ କେହି ଜଣେ ଅପେକ୍ଷା କରିଛନ୍ତି ।ଜିଇଁବାର ଲୋଭକୁ ଏଡାଇ ପାରିଲିନି । ମୋ ଦେହରେ ବଳ ଭରି ଆସିଲା ।ପାଦରେ ଏଡାଇ ଆସିଲି ମୃତ୍ୟୁକୁ ।ଫେରି ଆସିଲି ଲେବର ରୁମ୍ ରୁ ହାତରେ ମୁଠାଏ ଜୀବନ ଧରି ।

ବାହାରେ ଅପେକ୍ଷା କରିଥିବା ଲୋକଟି ମୋତେ ଦେଖି ତାଙ୍କର ରୋକି ଯାଇଥିବା ନିଃଶ୍ୱାସ ପୁଣି ବୋଧେ ଚାଲିଲା । ପ୍ରଥମ ଥର ଲାଗି ତାଙ୍କ ଆଖିରେ ଲୁହ ଦେଖିଲି ମୁଁ ।ପଚାରିଲି ...ତୁମେ ବି କାନ୍ଦି ପାର?ସବୁ ବେଳେ ନିଜ ସମ୍ମାନକୁ ଜଗି ଚଳୁଥିବା ଲୋକଟି ସେଦିନ ସବୁ ଭୁଲି ସମସ୍ତଙ୍କ ଆଗରେ ମୋତେ କୁଣ୍ଢାଇ ବହେ କାନ୍ଦିଲେ ।

ପେଟ ଅଣ୍ଡାଳିଲି ।ଖାଁ,ଖାଁ ଲାଗୁଥିଲା ।ସବୁ ଶୂନ୍ ଶାନ୍ ।ପେଟ ଭିତର ଜୀବଟାର ହଲ୍ ଚଲ୍ କି ଗୋଇଠା ମୋ ପେଟ ଚମଡାରେ ଆଉ ବାଜୁ ନ ଥିଲା ।ଆଖି କୋଣରୁ ଧାରେ ଲୁହ ବୋହିଗଲା ।ହଁ,ତ ମୋତେ ପ୍ରଚୁର ଭୋକ ଲାଗୁଥିଲା ।ସ୍ୱାମୀଙ୍କୁ ଠାରି କହିଲି ଖାଇବାକୁ ।ଏକା ସାଙ୍ଗେ ବାରଟି କେକ୍ ଖାଇଦେଇଥିଲି ।ପୁତନା ହୋଇ କୃଷ୍ଣଙ୍କୁ ଖାଇଲା ପରେ ମୋର ଭୋକ ବୋଧେ ଆହୁରି ବଢି ଯାଇଥିଲା ।ଶୁଣିଲି ଛନ ଛନ ଚାନ୍ଦ ମୁହଁ ପରି ପୁଅଟେ ହୋଇଥିଲା ,ଖାଲି ଯାହା ତାର ନିଃଶ୍ୱାସ ପ୍ରଶ୍ୱାସ ଚାଲୁ ନ ଥିଲା ।ଦେହରେ ପବନ ନ ଚାଲିଲେ ତାକୁ ଡଷ୍ଟବିନ୍ କୁ ଫୋଫଡା ଯାଏ ।ତାକୁ ବି ଫୋଫାଡି ଦେଲେ ।ମୋର ସବୁ ସ୍ୱପ୍ନ ବି ଡଷ୍ଟ ବିନ୍ ରେ ।

ଘରକୁ ଫେରି ଆସିଲି ।ବେଡ୍ ରୁମ୍ ରେ ପଶିଲା ବେଳକୁ ଗୋଛାଏ ଗୋଲାପ ଫୁଲ ମୋ ଲାଗି ରଖିଥିଲେ ମୋ ସ୍ୱାମୀ ।ତା ସହ ମୋ ଜୀବନର ପ୍ରଥମ ପ୍ରେମ ପତ୍ରଟେ ବି ଲେଖି ରଖି ଥିଲେ । ସେଥିରେ ....ଆଇ ଲଭ୍ ୟୁ..... ବି ଲେଖା ହୋଇଥିଲା ।କାନ୍ଥରେ ଲେଖାଯାଇଥିବା ବାଇଶ୍ ଟି ନାମ ଲିଭାଇ ଦେଇଥିଲେ ଯାହା ମୁଁ ଲେଖିଥିଲି ମୋ ଆଗାମୀ ପିଲା ଲାଗି ।ମୋ ଆଖିରେ ଲୁହ ନ ଥିଲା ।ମୋତେ କେତେବେଳୁ ଟିକେ ହସିବାକୁ ଇଛା ହେଉଥିଲା ,ଯେତେବେଳେ ଡାକ୍ତର ମୋ ସ୍ୱମୀଙ୍କୁ ଗୋଟିଏ କୋଣକୁ ଡାକି ନେଇ କହିଥିଲେ...I am sorry Mr.Barik,your wife is unable to become a mother in future.

....ସତରେ ସେଦିନ ମୁଁ ହସି ଥିଲି ।ଖୁବ୍ ହସିଥିଲି ।ବୋଧ୍ ହୁଏ ତାହା ମୋ ଜୀବନର ଶେଷ ହସ ...।


Rate this content
Log in

Similar oriya story from Tragedy