STORYMIRROR

ayiswarya maharana

Tragedy

4  

ayiswarya maharana

Tragedy

ଲୁଗା ବିକାଳୀ

ଲୁଗା ବିକାଳୀ

3 mins
325

ବୈଶାଖ ମାସ।ଉଦୁଉଦିଆ ଖରାବେଳ।ଏହି ସମୟରେ ଗାଁ ଦାଣ୍ଡରେ ଲୁଗାବିକାଳୀ ଟିଏ ଡାକ ଦେଇ ଯାଉଥିଲା...."ଲୁଗା ନେବ ଲୁଗା.....ଭଳିକି ଭଳି ମନଲୋଭା ଲୁଗା ଆଣିଛି.....ମାଆମାନେ ଲୁଗା ନିଅ ଲୁଗା....."।ଆଗକୁ ସାବିତ୍ରୀ ବ୍ରତ ଆସୁଛି।ତେଣୁ ଗାଁର କିଛି ଘରୁ ସ୍ତ୍ରୀଲୋକମାନେ ଆସି ଲୁଗାବିକାଳୀକୁ ଲୁଗା ରଖିବାପାଇଁ ଡାକିଲେ।ଲୋକଟି ବଡ ଆଶାରେ ସେଠାକୁ ଲୁଗାପୁଟୁଳିକୁ ନେଇ ଆସି ଜଣକ ପିଣ୍ଡାରେ ଥୋଇଲା।ବୈଶାଖାର ମୁଣ୍ଡଫଟା ଖରା ସାଙ୍ଗକୁ ଝାଞ୍ଜି ପବନରେ ଲୁଗା ଗଣ୍ଠିଲିର ଭାର ବହନ କରି ଲୋକଟି ସମ୍ପୂର୍ଣ୍ଣ ଥକିଯାଇଥାଏ।ପିଣ୍ଡା ଉପରେ ବସିପଡି ମଥାରୁ ବହୁଥିବା ଝାଳକୁ କାନ୍ଧରେ ପଡିଥିବା ଗାମୁଛା ଖଣ୍ଡିକରେ ପୋଛିଦେଇ କହିଲା ,"ମା'ମାନେ କାହାର କିଭଳି ଲୁଗା ଦରକାର କୁହ ମୁଁ ଦେଖେଇବି।ସବୁ ରକମର ଲୁଗା ଆଣିଛି।"

ସ୍ତ୍ରୀଲୋକମାନେ କହିଲେ ତୁମେ ସବୁ ଲୁଗା କାଢି ଦେଖାଅ ଆମକୁ ଯାହା ପସନ୍ଦ ଆସିବ ନବୁ।ଲୋକଟି ତାର ଗଣ୍ଠିଲି ଖୋଲି ଲୁଗା ଦେଖାଇଲା।କେତେଜଣ ଲୁଗା ବାଛିସାରି ମୂଳଚାଲ ଆରମ୍ଭ କରିଦେଲେ।ଲୋକଟି କହୁଥାଏ ,"ମାଆ ଖଣ୍ଡିଏ ଲୁଗାରେ ଏତେ କମ୍ ଦାମ ଦେଲେ ମୁଁ କେମିତି ଚଳିବି।ଦୁଇ ତିନି ଖଣ୍ଡ ନେଲେ ମୁଁ କିଛି ରିହାତି ଦେଇପାରନ୍ତି।"ଦୁଇ ତିନି ଜଣ ସ୍ତ୍ରୀଲୋକ କହିଲେ ତୁମେ ଦବ ଯଦି ଦିଅ ନୋହିଲେ ତୁମ ଜିନିଷ ରଖ ।ଏହାକହି ସେମାନେ ଫେରିଯାଉଥିଲେ।ଲୋକଟି ବହୁତ କାକୁତି ମିନତି ହୋଇ ଲୁଗା ରଖିବାପାଇଁ କହିଲା।ତାପରେ ସେମାନେ ଖୁବ କମ୍ ମୂଲ୍ୟରେ ଲୁଗାନେଇ ଗଲେ।ଆଉ କିଛି ଜଣ ଲୁଗା ସବୁ ଦେଖିଲେ କିନ୍ତୁ ଖଣ୍ଡିଏ ଶାଢୀ ସୁଦ୍ଧା କିଣିଲେ ନାହିଁ।

ସୁନିତା ବୋଲି ଝିଅଟିଏ ଛିଡା ହୋଇ ଏସବୁ ଦେଖୁଥାଏ।ଅନୁମାନ କରୁଥାଏ ଲୋକଟିର ବୟସ ବୋଧହୁଏ ପ୍ରାୟ ୬୦ ବର୍ଷ ହୋଇଯିବ।ଖରାରେ ବୁଲିବୁଲି ଗୋରା ମୁହଁଟି ନାଲି ପଡିଯାଇଛି।ପାଦରେ ଅଧଛିଡା ଚପଲ ହଳେ ପିନ୍ଧିଛି।ଏହି ଭୀଷଣ ଖରାରେ ଘରୁ ବାହାରି ହେଉନି।ଅଥଚ ଏହି ଲୋକଟି ବୁଲିବୁଲି ଲୁଗା ବିକୁଛି।ସମସ୍ତେ ଚାଲିଯିବା ପରେ ଲୋକଟି ମନଦୁଃଖରେ ଲୁଗା ସବୁ ସାଇତି ରଖୁଛି।ହୁଏତ ସେ ଆଶାନୁରୂପ ବିକ୍ରୀ କରିପାରିନାହିଁ କିମ୍ବା କ୍ଷତି ହୋଇଛି।କ୍ଳାନ୍ତି ଯୋଗୁ ତା ଶରୀର ଅବଶ ହୋଇଯାଇଥାଏ।

ସୁନିତା ଆଉ ନିଜକୁ ରୋକିପାରିଲା ନାହିଁ।ଯାଇ ଲୁଗାବିକାଳୀକୁ କହିଲା ମଉସା ଲୁଗା ରଖିଦିଅନି ମୁଁ ନେବି କିଛି ଖଣ୍ଡ ଲୁଗା।ଲୋକଟି ଟିକିଏ ହସିଦେଇ କହିଲା ହଉ ଝିଅ ତୁମେ ବାଛି ନିଅ।ସୁନିତା ପଚାରିଲା ମଉସା ପାଣି ଟିକିଏ ପିଇବ କି ଆଣିଦେବି??ଲୋକଟି କହିଲା ହଁରେ ଝିଅ ଖରାରେ ଚାଲି ଚାଲି ଭାରି ଥକା ଲାଗିଲାଣି।ପାଣି ଟିକିଏ ଦେଲେ ଈଶ୍ୱର ତୋର ମଙ୍ଗଳ କରିବେ।ତା'ପରେ ସୁନିତା ପାଣି ଦେଲା।ପାଣି ପିଇସାରିବା ପରେ ଏକ ଆତ୍ମତୃପ୍ତିର ଝଲକ ଲୋକ ଟି ମୁହଁରୁ ସ୍ପଷ୍ଟ ବାରି ହୋଇପଡୁଥିଲା।

ତାପରେ ସୁନିତା ଯାଇ ତା ମାଆଙ୍କୁ କିଛି ଶାଢୀ କିଣିବା ପାଇଁ ବାଧ୍ୟ କରିବାରୁ ତା ମାଆ ଲୁଗାବିକାଳୀ ପାଖକୁ ଆସି ଶାଢ଼ୀ ବାଛିବାରେ ଲାଗିଲେ।ଶାଢୀ ବାଛୁ ବାଛୁ ତା ମାଆ ପଚାରିଦେଲେ ମଉସା ଏ ବୟସରେ ଏତେ ଖରାରେ ବୁଲି ବୁଲି ଲୁଗା ବିକ୍ରି କରୁଛ କେମିତି???

ଲୁଗାବିକାଳୀ ଟି କହିଲା ," ସବୁ ଭାଗ୍ୟରେ ମାଆ ।ନହେଲେ କାହାର ଇଛା ନାହିଁ ସୁଖରେ ରହିବାକୁ।ମତେ କଅଣ ଭଲ ଲାଗୁଛି ଏଇ ଖରାରେ ବୁଲିବାକୁ।ଯେଉଁ ବୟସରେ ଘରେ ସେବା ପାଇବା କଥା ସେଇ ବୟସରେ ଖଟୁଛି।"ସୁନିତାର ମାଆ ପଚାରିଲେ ,"କାହିଁକି ତୁମର ପୁଅ ଝିଅ???"

ଲୁଗାବିକାଳିଟି କହିଲା,"ମୋ ପୁଅ ବୋହୂ ସମସ୍ତେ ଭଲ।ଛୋଟ ନତୁଣୀଟିଏ ଅଛି।ପୁଅକୁ ପାଠ ପଢ଼ାଇଲି।ଚାକିରୀ ଖଣ୍ଡେ ମିଳିଲାନି ବୋଲି ସୁରଟ ଚାଲିଯାଇଥିଲା କୋଉ ଲୁଗାକଳରେ କାମ କରିବ ବୋଲି।ଦଇବ ବାମ ହେଲା।ମେସିନରେ ହାତ ପଶି ତାର ହାତ କଟିଗଲା।ତା ପରଠାରୁ ପୁଅ ଘରେ ଅଛି।ଡାକ୍ତର କହିଲେ ଅପରେସନ କରି କୃତିମ ହାତ ଲଗାଯାଇପାରିବ।ହେଲେ ସେତିକି ସମ୍ବଳ ହେଲେ ତ ପୁଣି ଅପରେସନ ହବ।ଏତେ ଟଙ୍କା କୋଉଠୁ ଯୋଗାଡ କରିବି।ସହଜେ ତ ଏବେ ପୁରା ପରିବାରର ଭାର ମୋ ଉପରେ।"ଏତିକି କହୁକହୁ ଲୋକଟି ଆଗକୁ ଆଉ କିଛି କହିପାରିଲା ନାହିଁ।

ସୁନିତାର ମା ତାଙ୍କୁ ସାନ୍ତ୍ୱନା ଦେଲେ।କହିଲେ ମଉସା ଏତେ ପରିଶ୍ରମ କରୁଛ।ଫଳ ନିଶ୍ଚିତ ମିଳିବ।

କିଛି ସମୟପରେ ଲୋକଟି ପୁଣି କହିବାକୁ ଆରମ୍ଭ କଲା ଭାବିଥିଲି ଲୁଗାର ଦୋକାନ ଟିଏ କରିବି ,କିନ୍ତୁ ଅର୍ଥ ଥିଲେ ତ।ଯାହା ଥିଲା ସେଥିରେ ଏତିକି କରିହେଲା।ଏତେ ବୁଲିବୁଲି ବିକିଲା ବେଳେ ଲୋକେ ବହୁତ ମୂଲଚାଲ କରନ୍ତି।ସେମିତି ଦୋକାନରୁ ଅଧିକ ମୂଲ୍ୟରେ କିଣିବେ।ହେଲେ ଯେ ଦୁଆରକୁ ଆସେ ତା ପାଖରେ ଏହି ବ୍ୟବହାର।କିଛିଜଣ ତ ବହୁତ ଦେଖିବେ କିନ୍ତୁ ଖଣ୍ଡିଏ ହେଲେ କିଣିବେ ନାହିଁ।ବହୁତ ବାଧେ ଏସବୁ।

ସୁନିତାର ମା ଏହା ଶୁଣି କହିଲେ ହଁ ମଉସା ଠିକ୍ କଥାଟିଏ କହିଲେ।ଏଇ ଆପଣଙ୍କ ପଇସା ରଖନ୍ତୁ କହି ୧୫୦୦ ଟଙ୍କା ଲୋକଟିକୁ ଦେଲେ।ଲୋକଟି କହିଲା ମା ତୁମର ୧୦୦୦ଟଙ୍କା ହେଉଛି ଆଉ ୫୦୦ ରଖିଦିଅ।ସୁନିତାର ମା କହିଲେ ଥାଉ ମଉସା ନାତୁଣୀ ପାଇଁ ଡ୍ରେସ କିଣିନେବ।ଲୋକଟି କହିଲା ନାଇଁ ନାଇଁ ମୋର ମୂଲ୍ୟ ଯେତିକି ମୁଁ ସେତିକି ନେବି।ଏହା କହି ତା ଲୁଗା ଗଣ୍ଠିଲିକୁ ଧରି ଗାଁ ଦାଣ୍ଡରେ "ଲୁଗା ନେବ ଲୁଗା "ଡାକ ଦେଇ ଦେଇ ଚାଲିଗଲା।

ସୁନିତାର ମାଆ ଲୁଗାବିକାଳୀର ଫେରିଯିବା ରାସ୍ତାକୁ ଚାହିଁ ରହିଥିଲେ।ଭାବୁଥିଲେ କିଏ କହୁଛି ଅଭାବ ସ୍ଵଭାଵ ନଷ୍ଟ କରେ।ଏଈ ତ ଜଣେ ଵିଵଶ ବାପା ବିପରୀତ ପରିସ୍ଥିତିରେ ମଧ୍ୟ ନିଜର ନୈତିକତା ,ମାନବିକତା କୁ ପାଶୋରି ନାହିଁ। ନିଜତ୍ବକୁ ମାରିଦେଇ ନାହିଁ। ଧର୍ଯ୍ୟର ସହ ନିଜର କର୍ତ୍ତବ୍ୟ ଓ ସାଧନା ଜାରି ରଖିଛି।ଈଶ୍ୱରଙ୍କ ଉଦ୍ଦେଶ୍ୟରେ ହାତ ଟେକି ଲୁଗାବିକାଳୀର ଶୁଭ କାମନା କରି ଘରଭିତରକୁ ଚାଲିଗଲେ।

                   


Rate this content
Log in

Similar oriya story from Tragedy