ଲକ୍ଷ୍ମଣ ରେଖା
ଲକ୍ଷ୍ମଣ ରେଖା
କୁଜି,ମନ୍ଥରାର ମନ୍ତ୍ରଣାରେ ରାଜା ଦଶରଥଙ୍କ ପ୍ରାଣପ୍ରୀୟା ରାଣୀ, କୈକେୟୀ ମହାରାଜାଙ୍କ ପ୍ରତିଶ୍ରୁତ ପୂର୍ବର ଦୁଇଟିବରକୁ ମାଗିବସିଲେ l ସତ୍ୟବଦ୍ଧ ରାଜା କୈକେୟୀଙ୍କୁ ବହୁତ ବୁଝାଇ ବ୍ୟର୍ଥ ହେବା ପରେ ଶେଷରେ ସେହି ବର ଦୁଇଟି ଦେବା ପାଇଁ ରାଜି ହେଲେ l ପ୍ରଥମ ବରରେ ରାମ ଚଉଦବର୍ଷ ବନବାସ କରିବ, ଦ୍ଵିତୀୟରେ କୈକେୟୀଙ୍କ ପୁତ୍ର ଭରତ ରାଜା ହେବ l
ସତ୍ୟସନ୍ଧ ଶ୍ରୀରାମ ପିତୃ ସତ୍ୟ ପାଳନ କରିବାକୁ ବାହାରି ଗଲେ ବନ ବାସରେ l ସାଥୀରେ ଗଲେ ପତ୍ନୀ ଜାନକୀ ଓ ସାନ ଭାଇ ଲକ୍ଷ୍ମଣ l ସେମାନେ ଯାଇ ପଞ୍ଚବଟୀ କାନନରେ ଏକ ପର୍ଣ୍ଣ କୁଟୀରରେ ବାସକରୁଥାନ୍ତି l ରାବଣ ମାୟା ରଚନାକରି ଭଗ୍ନୀ ସୃପଣଖାକୁ ପଠାଇଲା l ସେ ଆସି ତପସ୍ୱୀ ବେଶ ଧାରୀ, ପ୍ରଭୁ ଶ୍ରୀରାମଙ୍କୁ ପ୍ରେମ ନିବେଦନ କଲା l ଶ୍ରୀରାମଙ୍କ ଠାରୁ ପ୍ରତ୍ୟାଖ୍ୟାତ ହୋଇ, ସୃପଣଖା ପହଞ୍ଚିଲା ଅନୁଜ ଲକ୍ଷ୍ମଣଙ୍କ ପାଖରେ l ଶ୍ରୀରାମଙ୍କ ଇଙ୍ଗିତରେ ଲକ୍ଷ୍ମଣ ତାର ନସା କର୍ଣ୍ଣ ଚ୍ଛେଦନ କରି ତାକୁ ବିରୂପକରି ଛାଡ଼ିଦେଲେ l ଲଙ୍କପତି ରାବଣ ଏଥିରେ କୁପିତହୋଇ ମାଆ ସୀତାଙ୍କୁ ହରଣକରି ନେବାକୁ ଯୋଜନାକଲା l ସେ ପଠାଇଲା ରାକ୍ଷସ ମାରିଚକୁ ମାୟା ସ୍ବର୍ଣ୍ଣମୃଗ ରୂପରେ l
ସ୍ବର୍ଣ୍ଣ ମୃଗ ପଞ୍ଚବଟୀରେ ପ୍ରଭୁଙ୍କ କୁଟୀର ଆଗରେ କୁଦି ବୁଲୁଥାଏ l ମୃଗଟିପ୍ରତି ଆସକ୍ତ ହୋଇ ମାଆ ଜାନକୀ, ପ୍ରଭୁ ଶ୍ରୀରାମଙ୍କୁ ଏହାକୁ ଆଣି ଦେବାକୁ କହିଲେ l ସ୍ବର୍ଣ୍ଣ ମୃଗ ! ପୁଣି ନିର୍ଜନ କାନନରେ !!! ଏହା କଅଣ କେବେ ସମ୍ଭବ ! କି ମାୟା !! ଏହାର ପ୍ରଭାବରୁ ଜଗତର କର୍ତ୍ତା ଓ ଜଗତ ଜନନୀ ମଧ୍ୟ ବର୍ତ୍ତୀ ପାରି ନଥିଲେ l
ପତ୍ନୀଙ୍କୁ ତୋଷ କରିବା ପାଇଁ ପ୍ରଭୁ କାଣ୍ଡ କୋଦଣ୍ଡ ଧରି ସ୍ବର୍ଣ୍ଣ କୁରଙ୍ଗୀ ପଛରେ ଧାଇଁଲେ l ମାୟାମୃଗ ଅଙ୍କା ବଙ୍କା ଦୌଡ଼ି, ଦୌଡ଼ି ପ୍ରଭୁଙ୍କୁ କୁଟୀର ଠାରୁ ବହୁଦୂରକୁ ନେଇଗଲା l ରହି ରହି ଡକା ପାଡ଼ିଲା ତ୍ରାହି ଲକ୍ଷ୍ମଣ ! ତ୍ରାହି ଲକ୍ଷ୍ମଣ ! ବିକଳ କ୍ରନ୍ଦନ ଶୁଣି ମାଆ ସୀତା ଦେବର ଲକ୍ଷ୍ମଣଙ୍କୁ ନିବେଦନ କଲେ ଭାଇଙ୍କୁ ବିପଦପଡ଼ିଛି, ଯାଅ ତାଙ୍କୁ ଉଦ୍ଧାର କର l
ଜଗତ କର୍ତ୍ତାଙ୍କୁ କୌଣସି ବିପଦ ପଡ଼ି ନ ପାରେ ! ଏକଥା ସୁଧୀର ଲକ୍ଷ୍ମଣ ଯେତେ ବୁଝାଇଲେ ମଧ୍ୟ ମାଆ ଆଉ ବୁଝିଲେ ନାହିଁ l
ଅତି ଧିକ୍କାରକରି କହିବାରୁ ଲକ୍ଷ୍ମଣ ପ୍ରସ୍ତୁତହେଲେ ଯିବା ପାଇଁ l ତାଙ୍କୁ ଜଣାଥିଲା, ଏ ସବୁ ରାକ୍ଷସଙ୍କ ମାୟା ବୋଲି l ଗଲାବେଳେ ଲକ୍ଷ୍ମଣ ପର୍ଣ୍ଣ କୁଟୀର ସାମ୍ନାରେ ତିନୋଟି ଗାର "ଲକ୍ଷ୍ମଣ ରେଖା" ଟାଣି ଦେଇ ଗଲେ l ମାଆଙ୍କୁ ବାରଣ କରି କହି ଗଲେ କୌଣସି ପରିସ୍ଥିତିରେ ତୁମେ ଏ ଲକ୍ଷ୍ମଣ ରେଖାକୁ ଅତିକ୍ରମ କରି କୁଟୀର ବାହାରକୁ ଆସିବ ନାହିଁ l ରାବଣ ଆସି କୁଟୀର ନିକଟରେ ଲୁଚି ରହିଥାଏ l ଲକ୍ଷ୍ମଣଙ୍କ ପ୍ରସ୍ଥାନପରେ, ମାୟାଯତିବେଶ ଧାରଣ କରି ଆସି ପହଞ୍ଚି ଗଲା କୁଟୀର ସମ୍ମୁଖରେ ଭିକ୍ଷା ମାଗିବା ଛଳରେ l
ଯତି ଭିକ୍ଷୁକଙ୍କୁ ମାଆ ଫେରାଇ ଦିଅନ୍ତେ କିପରି ? ଲକ୍ଷ୍ମଣ ରେଖାର ପଛ ପଟରେ ରହି ମାଆ ଭିକ୍ଷା ଦେଉ ଥାନ୍ତି l ଦଶାନନର ଶକ୍ତି ନ ଥାଏ ସେ ବ୍ରହ୍ମ ଲକ୍ଷ୍ମଣ ରେଖା ଅତିକ୍ରମ କରିବା ପାଇଁ l ଅଭିମାନ କରି, ଭିକ୍ଷା ଗ୍ରହଣ କରୁ ନଥାଏ ଓ ମାଆଙ୍କୁ ବାର ବାର ଜିଗର କରୁଥାଏ ତିନି ଗାର ବାହାରକୁ ଆସି ଭିକ୍ଷା ପ୍ରଦାନ ପାଇଁ l ମାଆ ଯତୀଙ୍କ କଟାଳ ଆଉ ସହ୍ୟ କରି ପାରିଲେ ନାହିଁ,ଭିକ୍ଷାମୁଷ୍ଠି ଧରି ଲକ୍ଷ୍ମଣ ରେଖା ବାହାରକୁ ବାହାରି ଆସିଲେ l ଆଉ କାଳ ବିଳମ୍ବନକରି ରାବଣ ମାଆଙ୍କୁ ପୁଷ୍ପକ ବିମାନରେ ବସାଇ ଉଡ୍ଡୀୟମାନ ହେଲା ଲଙ୍କା ଅଭିମୁଖେ l ଅସହାୟା ଜାନକୀ, ଉପାୟ ଶୂନ୍ୟ ହୋଇ ପୁଷ୍ପକ ବିମାନ ଭିତରେ ବସି ବିଳାପ କରୁଥାନ୍ତି l ବିଳାପ ଶୁଣିବାପାଇଁ କେହି ନଥାନ୍ତି ପାଖରେ l କେବଳ ପଞ୍ଚବଟୀର ବୃକ୍ଷଲତା, ଗିରି କନ୍ଦରଙ୍କୁ ସମ୍ବୋଧନ କରି କାନ୍ଦୁଥାନ୍ତି l ମାଆଙ୍କ ସେହି କରୁଣ କ୍ରନ୍ଦନକୁ କବି ବିଶ୍ୱନାଥ ଖୁଣ୍ଟିଆ ବିଚିତ୍ର ରାମାୟଣରେ ପରି ପ୍ରକାଶ କଲେ :-
ହେ ବନଗିରି ! ହେ ଲତାଗିରି !
ମୋ କାନ୍ତ ଗଲେ ମୃଗ ମାରି ll
ଏହି କାହାଣୀରୁ ଶିକ୍ଷାମିଳେ, ଆମକୁ ସୁସ୍ଥଜୀବନ ଜୀଇଁବା ପାଇଁ, କେତେକ ନିୟମ ମାନି ଚଳିବାକୁ ପଡ଼ିବ l ନୋହିଲେ, ଲକ୍ଷ୍ମଣ ରେଖା ଡେଇଁ ଜଗତ ଜନନୀ ମାଆ ଜାନକୀଙ୍କ ଭଳି ବିଳାପ କରିବା ହିଁ ସାର ହେବ,ଏହା ଧ୍ରୁବ ସତ୍ୟ l
