Padmalaya Padhy

Tragedy Inspirational

3  

Padmalaya Padhy

Tragedy Inspirational

ଲେଉଟାଣି

ଲେଉଟାଣି

5 mins
234



ଏ ଅଲକ୍ଷଣା ଟ୍ରେନ ଟା ଆସୁନି କି ଏ ପୋଡା ଜୀବନ ଟା ଯାଉନି l ସକାଳ ପହରୁ ଟ୍ରେନ ଗୁଡାକ ଆସିବାରେ ବିଳମ୍ବ ହେଉଛି ଅଥବା ବାତିଲ l କେତେବେଳେ ଟ୍ରେନ ଆସିବ କେତେବେଳେ ଏ ଛନ୍ଦାଛନ୍ଦି ଗୋଳିଆ ସଂସାର ରୁ ଏକାବେଳକେ ମୁକ୍ତି ମିଳି ଯିବ କେଜାଣି l ଦିଟା ସ୍ତ୍ରୀ ଲୋକଙ୍କ ଭିତରେ ପେଷି ହୋଇ ଗଲାଣି ମଣିଷ l ଏଠାରେ କେବଳ ମରି ହୁଏ ସିନା ବଞ୍ଚି ହୁଏନା l 


ନିଶ୍ୱାସ ପ୍ରଶ୍ୱାସ ଯାହା ଚାଲୁଛି ସେତକ ବି କୋଉ ଦିନ ରହିଗଲେ ମାଇକିନିଆ ଦିଟା ପାଠ ଶିଖିଯିବେ l ଏ ଭଙ୍ଗା ଦଦରା ଜୀବନରୁ କେମିତି ହେଲେ ମୁକ୍ତି ମିଳି ଯାଉ l ଅନିକେତ ଏମିତି ଭାବି ଭାବି ପ୍ଲାଟଫର୍ମ ର ଧାର କୁ ଆସି ଯାଇଥିଲା l ପାଖରେ ଠିଆ ହୋଇଥିବା ଜଣେ ପାଟି କରି ଉଠିଲା l 


--ହଇଓ ବାବୁ ମରିବାକୁ ଇଚ୍ଛା ଅଛିକି l ଦୁଇ ଦିନ ତଳେ ଠିକ ଏଇ ଜାଗାରେ ଜଣେ ଖସି ପଡିଥିଲା l ଜାଣିଛ ନା ନାହିଁ ?


ଶଃ ! ଲୋକଟା ଶାନ୍ତିରେ ମରିବାକୁ ବି ଦେବ ନାହିଁ l ଅନିକେତ ମନେ ମନେ ବିରକ୍ତ ହେଉଥିଲା l ଏମିତି ଦେଖିଲେ ସୁସ୍ଥ ସବଳ ଅନିକେତ ର କୌଣସି ଆଜେ ବାଜେ ନିଶା କିମ୍ବା ଖରାପ ଅଭ୍ୟାସ ନଥିଲା l ଶାନ୍ତି ରେ ତାର ଗୃହସ୍ଥ ଜୀବନ ତା ବାଟରେ ଚାଲିବା କଥା l ଅଫିସ ରେ ବି କାହା ସହ ଝଗଡା ହେବାର ଜଣା ନାହିଁ l ଅନିକେତ ବାବୁ ଶାନ୍ତି ପ୍ରିୟ ବୋଲି ସହକର୍ମୀ ମାନେ କହନ୍ତି l


ହେଲେ ଯେବେଠାରୁ ମା ର ଦେହ ଖରାପ ହେବାକୁ ଆରମ୍ଭ କଲା ଓ ତାକୁ ଗାଁ ରୁ ଆଣି ପାଖରେ ରଖିବା କୁ ସେ ଚିନ୍ତା କଲାଣି ସେବେଠାରୁ ସ୍ତ୍ରୀ ସୁନିତା ଆଉ ବସେଇ ଉଠେଇ ଦେଉନି ତାକୁ l ସୁନିତାର ଶାଶୁ ସାଙ୍ଗରେ ଅହି ନକୁଳ ସମ୍ପର୍କ ଜନ୍ମ ଜନ୍ମାନ୍ତର ର l ଶାଶୁ ଆସିବାର ଶୁଣି ସେ କେତେଥର ବାପ ଘରକୁ ଯିବାର ଧମକ ବି ଦେଇ ସାରିଲାଣି l କିନ୍ତୁ ମା କୁ ନଆଣିଲେ ଯେ ନଚଳେ l ବୟସ ହେଲାଣି ଚାଲି ପାରୁନି ଯୋଉଠି ସେଇଠି ଝାଡା ପରିସ୍ରା ହେଇ ଯାଉଛି l ଏକମାତ୍ର ପୁଅ ହିସାବରେ ସେ କର୍ତ୍ତବ୍ୟ ପଥ ରୁ ବିଚ୍ୟୁତ ହୋଇ ପାରିବ ନାହିଁ l ଏଣେ ଦଶ ଦିଗପାଳ ଙ୍କୁ ସାକ୍ଷୀ ରଖି ବିବାହ କରି ଆଣିଥିବା ସ୍ତ୍ରୀ କୁ ବି ତ ଛାଡି ପାରିବ ନାହିଁ l 


 ଅଫିସ ପିଅନ ରାମହରି ସାଙ୍ଗେ କଥା ହୋଇ ମା ର ସେବା ପାଇଁ ଗୋଟିଏ ବିଧବା ସ୍ତ୍ରୀ ଲୋକଟିଏ ଠିକ କରି ସାରିଲାଣି ଅନିକେତ l ସୁନିତାକୁ ମା ର କୌଣସି କାମ କରିବାକୁ ପଡିବ ନାହିଁ l ହେଲେ ବି କାହିଁକି ନା ମା କୁ ଦେଖିଲେ ତାର ନାଡୀ ଡ଼ିଏଁ ଅନିକେତ ବୁଝି

ପାରେନି l


ହେଲା ଏବେ ନୂଆ ବାହା ହୋଇ ଆସିବା ବେଳେ ମା କେତେବେଳେ କଣ କହିଦେଇଥିଲା ତା ବୋଲି ସେଗୁଡାକ ବର୍ଷ ବର୍ଷ ଧରି କେହି ଧରି ରଖିଥାଏ କି ? ଆହେ ବାବୁ ତୁମେ ତ ଜଣେ ମା ନା ? ତୁମର ବି ଦିନେ ବୃଦ୍ଧାବସ୍ଥା ଆସିବ l ତୁମକୁ ବି ସାହାରା ଲୋଡ଼ା ହେବ ନା ନାହିଁ ?


ମା କୁ ବି ସତୁରି ଟପିଲାଣି ସିନା ବୁଦ୍ଧି ଶୁଦ୍ଧି ସବୁ ପୋଡି ଖାଇଛି l ସବୁବେଳେ ଛକି ବସିଥିବ କେତେବେଳେ ସୁଯୋଗ ଆସିବ ବୋହୂକୁ ହଇରାଣ କରିବ l ଝାଡା ପରିସ୍ରା ରାସ୍ତା ରେ ହେଇଗଲେ ଲୁଚି ଲୁଚି ଯାଇ ସୁନିତା ର ଶାଢ଼ୀ ବ୍ଲାଉଜ ଯାହା ପାଇଲା ଆଣି ପୋଛିଦେବ ଯେମିତି ସୁନିତା ପୁଣି ଡେଇଁବା ଆରମ୍ଭ କରିଦେବ l ବେଳେ ବେଳେ ଲାଗେ ମା ଯେମିତି ସୁନିତାକୁ ରଗାଇବାକୁ ଜାଣିଶୁଣି ଏସବୁ କାମ କରୁଛି l


ଅନିକେତ ଉଭୟ ପକ୍ଷର ଫର୍ଦ ଫର୍ଦ ଅଭିଯୋଗ ଶୁଣି ଶୁଣି ଏ ସବୁ ଝମେଲା ରେ ପଡି ମାନସିକ ଶାନ୍ତି ଯେତିକି ଥିଲା ଉଭେଇ ଗଲାଣି l କିଏ କହେ ପୁରୁଷ ଜାତିଟା ଶକ୍ତିଶାଳୀ ? କୋଉ ପୁରୁଷ କୋଉଠି ହୁଏତ ଶକ୍ତି ପ୍ରଦର୍ଶନ କରୁଥିବ କିନ୍ତୁ ଏ ଦୁଇଟି ନାରୀ ଙ୍କ ଆଗରେ ଅନିକେତ ପୁରୁଷ ହୋଇ ବି ନିତାନ୍ତ ଦୁର୍ବଳ ଅନୁଭବ କରିଥାଏ l


 ଅନିକେତ ଯାଇ କୋଣ ରେ ପଡ଼ିଥିବା ବେଞ୍ଚ ଉପରେ ଟ୍ରେନ କୁ ଅପେକ୍ଷା କରି ବସିଗଲା l ଦୁଃଖ ଗୁଡାକ ଡବ ଡବ କରି ଉପରକୁ ଉଠୁଛି l ଏମିତି ଦେଖିଲେ ମଣିଷର ଦୁଃଖ ହିଁ ସବୁଠୁ ନିଜର ଓ ନିକଟତମ l ଯଦି ଦୁଃଖ ର ମଣିଷ ଭଳି ଗୋଡ଼ ହାତ ଓ ଜୀବନ ଥାଆନ୍ତା ନା ତେବେ ଅନିକେତ ତାକୁ ନିଶ୍ଚୟ କୁଣ୍ଢାଇ ପକାଇଥାନ୍ତା l ସୁଖ ର ସ୍ଥିତି ସ୍ୱଳ୍ପ କାଳ ପାଇଁ l ଦୁଃଖ ହିଁ ଚିରସ୍ଥାୟୀ l ଦୁଃଖ ଯେତିକି ନିଜର ନିଜ ମା ବାପା ବି ସେତିକି ନିଜର ହେବେ ନାହିଁ l 


ସୁକୁଟା ମୁହଁ କାଢି ସେ ଚିନାବାଦାମ ବିକାଳି ଟା ୟା ଭିତରେ ବାରମ୍ବାର ଆସି ପଚାରି ଯାଉଛି l ଦଶ ଟଙ୍କାର ଜିନିଷ ପାଇଁ ଶହେ ଥର ପଚାରିଲାଣି କାହିଁକି ବସିଛି କେଉଁଆଡେ ଯିବ କେତେବଳେ ଯିବ ଇତ୍ୟାଦି ବିଭିନ୍ନ ପ୍ରକାର ପ୍ରଶ୍ନ l ମୁଥ ମାରି ତାର ମୁହଁ ଫଟେଇ ଦେବାକୁ ମନ ହେଉଛି ଅନିକେତ ର l କନ୍ଦର୍ପ ବଦନ ଆଉ ଦେଖାନା ରେ ବାପ l ଆଉଥରେ ଏଆଡ଼େ ଆସିବୁ ଯଦି ତୋର ଦୁଇଟି ଦାନ୍ତ ମୋ ହାତ କୁ ଆସିବ l ହୁସିଆର ଥିବୁ l ଅନିକେତ ର ପାରା ଚଢିଗଲାଣି l ଆଜି ଆଉ ହେବନାହିଁ l ଅନୁକୁଳ ବିଗିଡି ଗଲା l ନା ଟ୍ରେନ ଆସୁଛି ନା ଅନିକେତ କୁ ମୁକ୍ତି ମିଳୁଛି l


ହଠାତ ପ୍ଲାଟଫର୍ମ ର ଆର ପଟରୁ ଖୁବ ଯୋରରେ ପାଟି ତୁଣ୍ଡ ଶୁଣାଗଲା l ଅନିକେତ ଦୌଡ଼ିଗଲା l ଟ୍ରେନ ଆସିବାକୁ କିଛି ସମୟ ବାକି ଅଛି ଏହାର କିଛି ମଜା ନିଆଯାଉ l ପ୍ଲାଟଫର୍ମ ସେ ପାଖରେ ଯାଇ ଦେଖିଲା ଯେ ଟୟଲେଟ ନଳା ଭାଙ୍ଗିଯାଇ ଯୋଉଠୁ ପାଣି ବାହାରୁଥିଲା ସୁକୁଟା ର ଚିନାବାଦାମ ଡାଲା ଟା ସେଇଠି ଖସି ପଡିବା ଯୋଗୁଁ ମଞ୍ଜି ସବୁ ବିକ୍ଷିପ୍ତ ଅବସ୍ଥାରେ ଏଣେ ତେଣେ ପଡିଛି l ଆଉ ସୁକୁଟା ତଳେ ବସି ମୁଣ୍ଡରେ ହାତ ଦେଇ କାନ୍ଦୁଛି l


ମାଇଚିଆ କୋଉଠିକାର !! ୟାକୁ ପୁରୁଷ ଜନ୍ମ କିଏ ଦେଲା

କେଜାଣି l ପୁରୁଷ ହୋଇ କେମିତି ଭେଁ ଭେଁ କାନ୍ଦୁଛି ଦେଖ ! ସୁକୁଟାକୁ ମନେ ମନେ ଏତକ ଗାଳି ଦେଇ ସାରି ଅନିକେତ ଫେରି ଆସୁଥିଲା l ହଠାତ ପୁଅ ବୁବୁନ ର ମୁହଁଟି ଆଖି ଆଗରେ ନାଚିଗଲା l


ତାର ଏକମାତ୍ର ପୁଅ ବୁବୁନ ସେଇ ସୁକୁଟା ର ବୟସ ହେବ l ବୁବୁନ ବି ସ୍କୁଲ ରେ ଫାଷ୍ଟ ନହୋଇ ସେକେଣ୍ଡ ହେଇଗଲେ ସେମିତି ଲହରେଇ ଲହରେଇ କାନ୍ଦେ ଯେମିତି ଏଇଟା ତାର ଶେଷ ପରୀକ୍ଷା l


ଅନିକେତ କୁ ଲାଗୁଛି ନିଜର ଆବର୍ତ୍ତମାନ ରେ ବୁବୁନ କୁ ସେ ସୁକୁଟା ରୂପରେ ଦେଖୁଛି l ବୁବୁନ କୁ ଅଫିସର କରିବ ବୋଲି ଅନିକେତ ର କେତେ ସ୍ବପ୍ନ l ପିଲାଟା ଅତି ମାତ୍ରା ରେ ମେଧାବୀ l ଅଥଚ ବାପା ଆତ୍ମହତ୍ୟା କଲା ପରେ ସେ କରିବ କଣ ? କିଏ ତାକୁ ପାଠ ପଢାଇ ଅଫିସର କରିବ ? ବୁବୁନ ର ଅବସ୍ଥା ଏପରି ହେବ ନାହିଁ ତ ?


 ପକେଟ ରେ ଦେଖିଲା କିଛି ପଇସା ନାହିଁ l ଖାଲି ଗୋଟିଏ ହାତ ଘଣ୍ଟା ଛଡା ଆଉ ମୂଲ୍ୟବାନ ବସ୍ତୁ କିଛି ନାହିଁ ତା ପାଖରେ l ସେ ତ ଦୁନିଆ ଛାଡି ଚାଲି ଯିବାକୁ ଆସିଥିଲା l ଗଲାବେଳେ କିଏ ଟଙ୍କା ପଇସା ନେଇକି ଯାଏ କି ?


ପାଖରେ ଥିବା ତାର ଏକମାତ୍ର ସମ୍ବଳ ହାତ ଘଣ୍ଟାଟିକୁ ବାହାର କରି ସେ ପିଲାଟିକୁ ଯାଚିଥିଲା l ହେଲେ ପିଲାଟି ନେଇ ନଥିଲା l ପ୍ରଚଣ୍ଡ ଭାବେ ପିଲାଟି ସ୍ୱାଭିମାନୀ ଯାହା ର ନାଁ ବି ଅନିକେତ ଜାଣି ନଥିଲା l ନାଁ ପଚାରି ବୁଝିଲା ଯେ ପିଲାଟିର ନାଁ ହେଉଛି ସୁଦାମ l ତା ବାପା ପ୍ରବଳ ମଦ ପିଉଥିଲା ଓ ପିଇ ପିଇ ଶେଷରେ ଚାଲିଗଲା ଓ ମା ଗୋଟେ ହୋଟେଲ ରେ ଅଇଁଠା ବାସନ ମାଜୁଛି l


ଏବେ ମା ର ଦେହ ଖରାପ ବୋଲି ମାସେ ହେଲା କୁଆଡେ କାମକୁ ଯାଉନି l ତେଣୁ ଘରେ ଖାଇବାକୁ କିଛି ନାହିଁ ସେମାନଙ୍କର l ମା ପୁଅ ଦୁହେଁ ଅଧେ ଦିନ ଖାଡା ଖାଡା ଉପାସ ରହୁଛନ୍ତି l ଚିନାବାଦାମ ବିକ୍ରି କରି ଯାହା ମିଳିବ ସେଇଟା ବି ସମୁଦ୍ର କୁ ଶଙ୍ଖେ ପଣା ସଦୃଶ l ତା ସହିତ ଅନ୍ୟ ଧନ୍ଦା କରିବାକୁ ହୁଏ l ହେଲେ ଆଜି ପାଇଁ ଆଉ କିଛି ବି ନାହିଁ l


ଅନିକେତ ପିଲାଟିକୁ ଘରକୁ ଡାକିଥିଲା l କଥା ଛିଣ୍ଡିଲା ଯେ ଅନିକେତ ର ମା ଗାଁ ରୁ ଆସିଲେ ପିଲାଟି ତାର ସେବା ଶୁଶ୍ରୁଷା କରିବ ଏବଂ ସୁନିତାକୁ ବି ଘର କାମରେ ସାହାଯ୍ୟ କରିବ l ଖୁସିରେ ରାଜି ହୋଇ ଯାଇଥିଲା ପିଲାଟି l ଏବେ ସୁନିତା ସହିତ ପିଲାଟିର ଦରମା ବିଷୟରେ କଥା ହେବାକୁ ହେବ l ସୁନିତାକୁ ଅନିକେତ ଜାଣେ l ପ୍ରଥମେ ନାହିଁ ନାହିଁ ତା ପରେ ଅନେକ ତୋଷାମଦ ର ଫଳ ସ୍ୱରୂପ ସବୁ କଥା ହଁ ରେ ସମାପ୍ତ ହୁଏ ଓ ଏଥର ବି ସେମିତି ହେବ l 


ତାକୁ ନେଇ ଘରକୁ ଆସିଲା ବେଳେ ଅନିକେତ ରାସ୍ତା ଯାକ ଭାବୁଥିଲା ଯେ ସୁଦାମ ର ସମସ୍ୟା ଆଗରେ ତା ନିଜର ସମସ୍ୟା କେତେ ଗୌଣ l ଅଥଚ ତିଷ୍ଠିବା ପାଇଁ ପିଲାଟି ସଂଘର୍ଷ ଜାରୀ ରଖିଲା ବେଳେ ସେ ନିଜେ ଗୋଟେ ପଲାୟନପନ୍ଥୀ ସାଜିଛି l ଧିକ ତାର ମଣିଷ ପଣିଆ l


ପୂରାଣ ବର୍ଣ୍ଣିତ ସୁଦାମା କୁ କୃଷ୍ଣ ସହଜରେ ଉପଲବ୍ଧ ହୋଇଥିଲେ କିନ୍ତୁ ଆଜିର ସୁଦାମା ମାନେ କୃଷ୍ଣ ଙ୍କୁ ପାଇବା ପାଇଁ କଷ୍ଟ ଓ ସଂଘର୍ଷ କରୁଛନ୍ତି ଏବଂ କୃଷ୍ଣ ବିଭିନ୍ନ ରୂପରେ ଆସି ଦେଖା ଦେଉଛନ୍ତି ସେମାନଙ୍କୁ l ବେଳେ ବେଳେ ଅନିକେତ ରୂପରେ

ମଧ୍ୟ l


Rate this content
Log in

Similar oriya story from Tragedy